Unknown

 

 

 

 

 

 

 

 

 

୯୧ତମ ସଂଖ୍ୟା କୋଣାର୍କ ୧୯୯୩

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତୈମାସିକ ସାହିତ୍ୟ ପତ୍ର

ନିଖିଳ ଉତ୍କଳ ଲେଖକ ସମ୍ମିଳନୀ ବିଶେଷାଙ୍କ

 

ସଂପାଦନା ମଣ୍ଡଳୀ :

ଶ୍ରୀମତୀ ମନୋରମା ମହାପାତ୍ର

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

ଶ୍ରୀ ସାତକଡ଼ି ହୋତା

ଡକ୍‍ଟର କୃଷ୍ଣପ୍ରସାଦ ମିଶ୍ର

ଶ୍ରୀ କୈଳାସ ବିହାରୀ ଦାସ

 

ସଂପାଦକ :

ଡକ୍‍ଟର ବିନୋଦଚନ୍ଦ୍ର ନାୟକ

ପରିଚାଳନା ସଂପାଦକ :

ଶ୍ରୀ ଇନ୍ଦୁଭୂଷଣ କର

 

ମୁଦ୍ରଣ :

ସପ୍ତର୍ଷି ପ୍ରିଣ୍ଟର୍ସ, କଟକ-୧୦

ପ୍ରଚ୍ଛଦ ଆଙ୍କନ :

ଶ୍ରୀ ହରେକୃଷ୍ଣ ରାଉତ

 

ସୂଚୀପତ୍ର

୧.

କଳିଙ୍ଗରେ ଆଦିବାସୀ ସଂସ୍କୃତିର କ୍ରମବିକାଶ

ଡକ୍ଟର ସତ୍ୟନାରାୟଣ ରାଜଗୁରୁ

୨.

କୋରାପୁଟର ଲୋକନାଟକ ଦେଶୀୟା

ନାଟର ଶାସ୍ତ୍ରୀୟ ଓ ଲୌକିକ ଭିତ୍ତି

ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ

୩.

ଆଦିମ ବଣ୍ଡା ସଂସ୍କୃତି-ଓଡ଼ିଆ

ସଂସ୍କୃତି, ସମନ୍ୱୟର ସ୍ୱର

ଡକ୍ଟର ପ୍ରତିଭା ରାୟ

୪.

ଶାବରଭୂମି କୋରାପୁଟର

ସଂସ୍କୃତି ଓ ସାହିତ୍ୟ

ଶ୍ରୀ ଗଣେଷ ପ୍ରସାଦ ପରିଜା

୫.

ଆଦିବାସୀ ଲୋକ-ସାହିତ୍ୟ

ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ର

୬.

ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନ

ଡକ୍ଟର ହାଡ଼ିବନ୍ଧୁ ମିର୍ଦ୍ଧା

୭.

ଓଡ଼ିଆ ସଂସ୍କୃତିର ସଂକଟ

ଶ୍ରୀ ଇଂଦୁଭୂଷଣ କର

୮.

ସମ୍ବଲପୁରୀ ଲୋକ-କାହାଣୀର

କଥନ-ଭଙ୍ଗୀ

ଶ୍ରୀ ଉତ୍ପନ୍ନ କୁମାର ଭୋଇ

*ସମ୍ପାଦକୀୟ

 

୯.

ଆତ୍ମାର ଆତ୍ମୀୟ ଆଦିବାସୀ

ଶ୍ରୀମତୀ ମନୋରମା ମହାପାତ୍ର

 

“କୋଣାର୍କ” ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୮/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୨୫/- ରହିବ । ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ୱତନ୍ତ୍ର-ଭାବେ ନିରୂପିତ ହେବ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହକମାନଙ୍କୁ ଯୋଗଇବାକୁ ଥିବା ୪ ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବନାହିଁ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ସାହିତ୍ୟିକଙ୍କ ସହ ସାକ୍ଷାତକାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟି କୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ । ସମାଲୋଚନା ପାଇଁ ଦୁଇଖଣ୍ଡ ପୁସ୍ତକ ସମ୍ପାଦକଙ୍କ ନିକଟକୁ ପ୍ରେରିତ ହେବା ଉଚିତ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ଓ ଏହା ‘କୋଣାର୍କ’ର ପ୍ରତି ସଂଖ୍ୟାର ସୂଚୀପତ୍ର ତଳେ ମୁଦ୍ରିତ ହେବ ।

୬.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ.୨୦୦/-(ଦୁଇଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୭.

‘କୋଣାର୍କ’ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

***

 

କଳିଙ୍ଗରେ ଆଦିବାସୀ ସଂସ୍କୃତିର କ୍ରମବିକାଶ

ଡକ୍‌ଟର ସତ୍ୟନାରାୟଣ ରାଜଗୁରୁ

 

ଅତି ଆଦିମ ଯୁଗରେ ଭାରତବର୍ଷର ପୂର୍ବୋପକୂଳକୁ ଲାଗି ଯେଉଁ ପାର୍ବତୀୟ ମାଳଭୂମି ରହିଛି, ସେଠାରେ ଆଦିମଜାତି ପ୍ରଥମେ ବାସ ସ୍ଥାପନ କରିଥିବା ଜଣାଯାଏ । ସେମାନେ କେତେଗୁଡ଼ିଏ ଗୋଷ୍ଠୀରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରୁଥିଲେ । ସେମାନଙ୍କ ଭାଷା ଅଳ୍ପ କେତୋଟି ଶବ୍ଦରେ ସୀମିତ ହୋଇଥିଲା । ସେହି ଆଦିମ ଜାତିମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାର ମାଲ୍‌କାନଗିରି ଅଞ୍ଚଳରେ ‘ବଣ୍ଡା-ପରଜା’ ଜାତି ଅଦ୍ୟାବଧି ପରିଧାନ ବସ୍ତ୍ର ବ୍ୟବହାର କରନ୍ତି ନାହିଁ । ବଣ୍ଡାସ୍ତ୍ରୀମାନେ କହନ୍ତି ଯେ ରାମାୟଣ-ଯୁଗରେ ରାମ, ଲକ୍ଷ୍ମଣ ଓ ସୀତା ଯେତେବେଳେ ବନବାସ କରୁଥିଲେ, ସେତେବେଳେ ସୀତାଙ୍କୁ ଉଲଗ୍ନରେ ସ୍ନାନ କରିବା ଦେଖି ପରିହାସ କରିବାରୁ ସେମାନଙ୍କୁ ଦେବୀ ବୈଦେହୀ ଶାପ ଦେଇଥିଲେ ଉଲଗ୍ନ ହୋଇ ରହିବାକୁ । ଏହା ଅବଶ୍ୟ ପରବର୍ତ୍ତୀକାଳର କିମ୍ୱଦନ୍ତୀ ହୋଇପାରେ । କିନ୍ତୁ ଐତିହାସିକ ଦୃଷ୍ଟିରୁ ଜଣା ଯାଉଛି, ବଣ୍ଡା ଜାତି ଦୂର ପ୍ରାଗୈତିହାସିକ ଯୁଗରେ ସେ ଅଞ୍ଚଳରେ ବାସ କରିଥିଲେ ।

 

ବଣ୍ଡାଜାତି ପରି ଗଦବା ଓ ଶବରମାନେ ମଧ୍ୟ ସେହି ଅରଣ୍ୟ ରାଜ୍ୟର ଆଦିମ ଅଧିବାସୀ ଥିଲେ । ଏମାନେ ଯେଉଁ ଭାଷା ବ୍ୟବହାର କରନ୍ତି, ତାହା ଭିନ୍ନ ଭିନ୍ନ ହୋଇଥିଲେ ସୁଦ୍ଧା ଶବରମାନଙ୍କ ଭାଷା ଓ ସଂସ୍କୃତି ଅଞ୍ଚଳର ଅନ୍ୟାନ୍ୟ ଆଦିବାସୀଙ୍କଠାରୁ ଉନ୍ନତ ବୋଲି କୁହା ଯାଇପାରେ । ତେଣୁ ଶବରମାନଙ୍କ ସମ୍ୱନ୍ଧରେ ବହୁ ନୃତତ୍ତ୍ୱବିତ୍‌ ପଣ୍ଡିତ ଗବେଷଣା କରିଥାନ୍ତି ।

 

ଶବରମାନେ ବୋଧହୁଏ ପ୍ରାଚୀନ ଓ ନବୀନ ‘ପ୍ରସ୍ତରଯୁଗ’ରେ କୋରାପୁଟ ଜିଲ୍ଲାର ପୂର୍ବାଞ୍ଚଳ ଏବଂ ଗଞ୍ଜାମ ଜିଲ୍ଲାର ପଶ୍ଚିମାଞ୍ଚଳର ପାର୍ବତୀୟ ଅଞ୍ଚଳରେ ବହୁ ସଂଖ୍ୟାରେ ବାସ କରୁଥିଲେ । ସେମାନେ ବିନ୍ଧ୍ୟଗିରିରୁ ଉଠିଆସି ପ୍ରଥମେ ଗଞ୍ଜାମର ଉଚ୍ଚତମ ମହେନ୍ଦ୍ରଗିରିରେ ବାସ ସ୍ଥାପନ କରିଥିଲେ । ସେହି ଗିରି ଶିଖରୁ ୧୯୮୩ ମସିହାରେ ଏ ଲେଖକ କେତୋଟି ନବୀନ ପ୍ରସ୍ତର-ଯୁଗର ଶାଣିତ ଅସ୍ତ୍ର ପାଇଥିଲେ । ସୁତରାଂ ସେହି ଯୁଗର ଯେଉଁ ମନୁଷ୍ୟ ସେହି ପ୍ରସ୍ତର-ନିର୍ମିତ ଅସ୍ତ୍ରଗୁଡ଼ିକ ବ୍ୟବହାର କରୁଥିଲେ, ସେମାନେ ଶବର ଜାତି ବ୍ୟତୀତ ଅନ୍ୟ କେହି ନୁହନ୍ତି, କାରଣ ସେମାନଙ୍କ ମତ ଅନୁସାରେ ଅତି ପୂର୍ବ କାଳରେ ‘ରାମ୍ମା’ ଓ ‘ଭୀମ୍ମା’ ନାମକ ଦୁଇଜଣ ଆଦିପୁରୁଷ ସେଠାକୁ ଯାଇ ବାସ ସ୍ଥାପନ କରିଥିଲେ । ତାଙ୍କଠାରୁ ଶବର ଜାତିର ଉତ୍ପତ୍ତି ହୋଇଥିଲା । ‘ବଣ୍ଡା’ ମାନଙ୍କ ସୀତା-ଅଭିଶାପ ପରି ଏହା ମଧ୍ୟ ଏକ ପରବର୍ତ୍ତୀ କାଳର କିମ୍ୱଦନ୍ତୀ ହୋଇପାରେ । ତଥାପି ସେମାନେ ‘ମହାଭାରତ’, ‘ରାମାୟଣ’ ପ୍ରଭୃତି ପ୍ରାଚୀନ ପୁରାଣମାନଙ୍କରେ ଚିହ୍ନିତ ହୋଇଅଛନ୍ତି । କୋରାପୁଟ ଜିଲ୍ଲାର ବଣ୍ଡା ଓ ଗଦବାମାନେ ପୃଥିବୀରେ ସର୍ବପ୍ରଥମେ ଧାନ୍ୟ ଉତ୍ପାଦନ କରିଥିବା କଥା ପଣ୍ଡିତମାନେ ନିର୍ଦ୍ଦେଶ କରିଛନ୍ତି । ଆର୍ଯ୍ୟ ସମ୍ପ୍ରଦାୟ ଏ ଅଞ୍ଚଳକୁ ଆସିବାପୂର୍ବରୁ ସେହି ଆଦିବାସୀମାନଙ୍କ ସଭ୍ୟତା ଧୀରେ ଧୀରେ ପ୍ରସାର ଲାଭ କରୁଥିଲା ।

 

ଆମ୍ଭେ ମନେ କରୁ, ଯେଉଁ ସମୟରେ ଏ ଅଞ୍ଚଳର ଆଦିମବାସୀମାନେ ତାଙ୍କ ଜୀବନ ଧାରଣ ପାଇଁ ଶସ୍ୟ ଉତ୍ପାଦନ କରିବା ଏବଂ ଶତ୍ରୁ କିମ୍ୱା ବନର ହିଂସ୍ର ଜନ୍ତୁମାନଙ୍କଠାରୁ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଆବିଷ୍କାର କଲେ, ତଦ୍‌ବଧି ସେମାନଙ୍କ ଅନୁଶୀଳନ କ୍ରିୟା ଆରମ୍ଭ ହୋଇଥିଲା ।

 

ଯେତେବେଳେ ସେମାନେ ତାଙ୍କ ଶତ୍ରୁ କିମ୍ବା ସିଂହ-ବ୍ୟାଘ୍ରକୁ ନିହତ କରିପାରୁ ନଥିଲେ ଅଥବା କୌଣସି ପ୍ରାକୃତିକ ବିପଦର ସମ୍ମୁଖୀନ ହେଉଥିଲେ, ସେତେବେଳେ ସେମାନେ ଅଜ୍ଞାନ ଶକ୍ତିର ଆଶ୍ରୟ ନେଇ କାଷ୍ଠ ଓ ପାଷାଣରେ ସ୍ଥାପିତ ଦେବଦେବୀଙ୍କଠାରେ ଶରଣାପନ୍ନ ହେଉଥିଲେ-। ଐତରେୟ-ବ୍ରାହ୍ମଣରେ ଲେଖା ଅଛି, ‘‘ଏତେ ଆନ୍ଧ୍ରାଃ, ପୁଣ୍ଡ୍ରାଃ, ଶବରାଃ, ପୁଳିନ୍ଦାଃ, ମୂତିବାଃ, ଇତ୍ୟୁବଂତ୍ୟା ବହବୋ ଭବନ୍ତି ବୈଶ୍ୱାମିତ୍ର ଜନ୍ମ୍ୟନାମ୍‌ ଭୂୟିଷ୍ଠାଃ ।’’ ଆର୍ଯ୍ୟଜାତିର ଆଗମନ ପରେ ସେହି ଆଦିବାସୀମାନଙ୍କ ସାଂସ୍କୃତିକ ଅଭ୍ୟୁଦୟ କ୍ରମେ ଉନ୍ନତରୁ ଉନ୍ନତ ହେବାକୁ ଲାଗିଲା । ସେମାନଙ୍କ ବେଶଭୂଷା ଓ ସାଂସ୍କୃତିକ କ୍ରିୟାକଳାପ ପୂର୍ବାପେକ୍ଷା ସମୃଦ୍ଧ ହେଲା । ସେମାନେ ମୁଣ୍ତରେ ମୟୁର-ପୁଛ ଧାରଣ କରି ଅଳକାଂର ରୂପେ ବ୍ୟବହାର କଲେ । ‘ହରିବଂଶ’ରେ ବର୍ଣ୍ଣିତ ଅଛି :

 

‘‘ଶବରୈଃ ବର୍ବରୈଶ୍ଚୈବ ପୁଳିନ୍ଦୈଶ୍ଚ ସୁପୂଜିତା

ମୟୂରପୁଚ୍ଛ ଧ୍ୱଜିନୀ ଲୋକାନ୍‌ କ୍ରମସି ସର୍ବଶଃ ।’’

 

ଶବରୁଣୀମାନେ ଗଳାରେ ବିଦୁମାଳ ଅଳଙ୍କାର ଧାରଣ କରି ଦଳବଦ୍ଧ ଭାବେ ପୁରୁଷଙ୍କ ସାଥିରେ ନୃତ୍ୟ କରିବାକୁ ଲାଗିଲେ । ଏହା ଫଳରେ ସେମାନଙ୍କ ଭାଷାରେ ଶବ୍ଦ ସମ୍ଭାର ବର୍ଦ୍ଧିତ ହେବାକୁ ଲାଗିଲା । କ୍ରମେ ସେମାନଙ୍କ ଆଚାର-ବ୍ୟବହାର ପରିବର୍ତ୍ତିତ ହେଲା । ଶବରମାନେ ଆର୍ଯ୍ୟମାନଙ୍କୁ ଯଥା ବିହିତ ଭାବେ ମାନ୍ୟ କରୁଥିବା ବିଷୟ ‘ରାମାୟଣ’ରେ ବର୍ଣ୍ଣିତ ହୋଇଅଛି । ଭାରତବର୍ଷର ଆଦି କବି ବାଲ୍ମୀକି-ମୁନି ତାଙ୍କର ଆଶ୍ରମ ତମସା ନଦୀ କୂଳରେ ସ୍ଥାପନ କରିଥିଲେ । କୋରାପୁଟ ଜିଲ୍ଲାରେ ସେହି ତମସାନଦୀ ଗୋଦାବରୀର ଏକ ଶାଖାନଦୀ ରୂପେ ପ୍ରବାହିତ ହେଉଛି । ରାମାୟଣରେ ବର୍ଣ୍ଣିତ ଅଛି ଯେ, ବାଲ୍ମୀକି-ମୁନିଙ୍କ ତପସ୍ୟା ଭଙ୍ଗ ପରେ ସର୍ବ ପ୍ରଥମେ ସେ ତାଙ୍କର ଶିଷ୍ୟ ଭରଦ୍ୱାଜଙ୍କ ସଙ୍ଗେ ପ୍ରଥମେ ପମ୍ପାସରକୁ ଯାଇ ସ୍ନାନ କରିଥିଲେ । ସେହି ପମ୍ପାସର କଳିଙ୍ଗରେ ସେହି ନାମର କୌଣସି ଗ୍ରାମରେ ଥିବା ପ୍ରସଙ୍ଗ ଦକ୍ଷିଣ କୋଶଳର ମହାରାଜା ଜନମେଜୟ-ମହାଭବଗୁପ୍ତଙ୍କର ପାଟଣା ତାମ୍ରଶାସନରେ ଉଲ୍ଲେକ ହୋଇଅଛି । ସେଥିରେ ଲେଖାଅଛି ଯେ, କଳିଙ୍ଗର ପମ୍ପାସରଠାରୁ ଉଠି ଆସି ଜନମେଜୟଙ୍କଠାରୁ ଦାନ ଗ୍ରହଣ କରିଥିବା ବ୍ରାହ୍ମଣ ଅଗସ୍ତି ଗୋତ୍ରୀୟ ରାଜଶର୍ମାଙ୍କର ପୁତ୍ର କୋଣ୍ଡଦେବ ବୋଲି ସେହି ତାମ୍ର ଶାସନରୁ ଜଣା ଯାଇଛି (Inscriptions of Orissa, Vol. iv, 1966, p.111) ବାସ୍ତବରେ କୋରାପୁଟ ଜିଲ୍ଲାରେ ପ୍ରବାହିତ ତମସାନଦୀ ତଟରେ ପମ୍ପାସର ନାମକ ଗୋଟିଏ ସରୋବର ଏବଂ ସେହି ନାମରେ ଏକ ଗ୍ରାମ ଥିଲା । ସୁତରାଂ ସେଠାରେ ଜଣେ ବ୍ୟାଧ କ୍ରୌଞ୍ଚଦମ୍ପତିଙ୍କୁ ଶରାଘାତ କରିବା ଦେଖି ବାଲ୍ମୀକି-ମୁନିଙ୍କ ମୁଖରୁ ଗୋଟିଏ ଶ୍ଳୋକ ନିଃଶ୍ରୁତ ହେଲା, ଯାହାକି ସର୍ବ ପ୍ରଥମ ସଂସ୍କୃତ ଶ୍ଳୋକ ବୋଲି କୁହା ଯାଇଛି । ଏଥିରୁ ପ୍ରମାଣିତ ହେଉଛି ଯେ, ରାମାୟଣ ଲେଖା ହେବା ବେଳେ ସେହି ଅଞ୍ଚଳରେ ଆର୍ଯ୍ୟ ବସତି ଆରମ୍ଭ ହୋଇଥିଲା । ସେତେବେଳେ ଯେଉଁ ଆଦିବାସୀମାନେ ସେଠାରେ ବାସ କରୁଥିଲେ, ସେମାନେ ‘ଶବର’ ବା ‘କିରାତ’ ନାମରେ ଅଭିହିତ ହେଉଥିଲେ । ସେହି ଅଞ୍ଚଳଟି ପ୍ରାଚୀନ ଦଣ୍ଡକାରଣ୍ୟର ଏକ ଅଂଶ ହୋଇଥିଲା ଏବଂ ଗୋଦାବରୀ ଓ ସେଥିର ଶାଖାନଦୀଗୁଡ଼ିକର ତଟବର୍ତ୍ତୀ ମହାରଣ୍ୟ (ମହାକାନ୍ତାର) ନାମରେ ପରିଚିତ ହେଉଥିଲା । ରାମଚନ୍ଦ୍ରଙ୍କ ବନବାସ ବେଳେ ସେହି ପଥରେ ସେ ଯାତ୍ରା କରି ପଞ୍ଚବଟୀଠାରେ ବର୍ଷାଋତୁଟି କଟାଇଥିଲେ । ଏହା ‘ରାମାୟଣ’ରେ ବର୍ଣ୍ଣିତ ହୋଇଅଛି ।

 

‘ଶବର’ମାନଙ୍କୁ ଆର୍ଯ୍ୟଜାତି ‘ଗୃହ’ ଏବଂ ‘ପୁଳିନ୍ଦ’ ବୋଲି ମଧ୍ୟ କହୁଥିବାର ଜଣାଯାଏ (ବୃହତ୍‌ ସଂହିତା) । ପୁଳିନ୍ଦମାନେ ଆର୍ଯ୍ୟ ଆଗମନ ପୂର୍ବରୁ କଳିଙ୍ଗର ପ୍ରଜାମାନଙ୍କୁ ଶାସନ କରୁଥିବା ବିଷୟ ମଧ୍ୟଯୁଗରେ ଶୈଳୋଦ୍‌ଭବ ଏବଂ ଗଙ୍ଗବଂଶୀୟ ରାଜାମାନଙ୍କର ତାମ୍ର ଶାସନଗୁଡ଼ିକରୁ ଜଣାଯାଇଛି । ସେହି ଆଦିମ ଯୁଗରେ ପୁଳିନ୍ଦ (ଶବର)ମାନଙ୍କ ମୁଖ୍ୟ ଦେବତା ମହେନ୍ଦ୍ରାଚଳ ଶିଖରରେ ଥିବା ପ୍ରସଙ୍ଗ ସର୍ବପ୍ରଥମେ ଶୈଳୋଦ୍‌ଭବ ବଂଶୀୟ ମହାରାଜା ମାଧବବର୍ମାଙ୍କର ବୁଗୁଡ଼ା ତାମ୍ରଶାସନସ୍ଥ (*) ନିମ୍ନୋକ୍ତ ଦୁଇଟି ଶ୍ଳୋକରୁ ପ୍ରକଟିତ ହୋଇଛି :

 

* F. Kielhorn, Ep, Ind. Vol, VII, pp.100-102 and Ins.or vol.1.pt. 2, pp.166-172 ff

 

‘‘ଶ୍ରୀମାନୁଚ୍ଚୈର୍ନ୍ନଭସ୍ତୋ ଗୁରୁରଚଳପତେଃ କ୍ଷୋଭବିଦ୍‌ଯଃ କ୍ଷମାୟା

ଗମ୍ଭୀରସ୍ତୋୟରାଶେରଥ ଦିବସକରାଦ୍‌ ଭାସ୍ୱଦାଲୋକକାରୀ,

(ଆ)ହ୍ଲାଦୀ ସର୍ବସ୍ୟ ଚେନ୍ଦୋସ୍ତ୍ରି ଭୁବନ ଭବନ ପ୍ରେରକଶ୍ଚାତି ବାୟୋ

ରାଜେନ୍ଦ୍ରଃ ସ୍ତାଣୁ ମୂର୍ତ୍ତି ର୍ଜୟତି କଳିମଳକ୍ଷାଳନୋ ମାଧବେନ୍ଦ୍ରଃ’’

ପ୍ରାଙ୍‌ ଶୁର୍ମ୍ମ ହେଭ କରପୀବରଚାରୁବାହୁଃ

କୃଷ୍ଣାଶ୍ଚସଞ୍ଚୟବିଭେଦ ବିଶାଳ ବକ୍ଷାଃ ।

ରାଜୀବଲୋଚନଦଳାୟତ ଲୋଚନାନ୍ତଃ

ଖ୍ୟାତଃ କଳିଙ୍ଗ ଜନତାସୁ ପୁଳିନ୍ଦ ସେନଃ ।

ତେନେତ୍‌ଥଂ ଗୁଣିନାପି ସତ୍ୱ ମହତା ନେଷ୍ଟଂଭୁବୋ ମଣ୍ଡଳଂ,

ଶକ୍ତୋଯଃ ପରିପାଳନାୟ ଜଗତଃ କୋ ନାମ ସସ୍ୟାଦିତି ।

ପ୍ରତ୍ୟାଦିଷ୍ଟ ବିଭୁତ୍ସବେନ ଭଗବାନ୍‌ ନାରାଧିତଃ ଶାଶ୍ୱତ

ସ୍ତଚ୍ଚିତ୍ତାନୁଗୁଣଂ ବିଧିତ୍ସୁରଦିଶଦ୍‌ ବାଞ୍ଛାଂ ସ୍ୱୟମ୍ଭୋରପି,

ସ ଶିଳାଶକଳୋଦ୍‌ ଭେଦୀ ତେନାପ୍ୟାଲୋକ୍ୟଧୀମତ

ପରିକଳ୍ପିତ ତଦ୍‌ବଂଶଃ ପ୍ରଭୁ ଶୈଳୋଦ୍‌ ଭବ କୃତଃ ।’’

 

ଏଥିର ପ୍ରଥମ ଶ୍ଳୋକଟି ନଟରାଜ ଶିବଙ୍କ ସ୍ତୁତି । କିନ୍ତୁ ଦ୍ୱିତୀୟ ଶ୍ଳୋକର ଶେଷ ପାଦଟି ବୋଧହୁଏ ଶ୍ରୀବିଶ୍ୱପତି ଓ ସ୍ଥାଣୁମୂର୍ତ୍ତି ମାଧବ (ବିଷ୍ଣୁ)ଙ୍କ ଜୟଗାନ କରାଯାଇଛି, କାରଣ ସେ କଳିଯୁଗ କଳଙ୍କ (ପାପ) ହରଣ କରିବାକୁ ସକ୍ଷମ । କିନ୍ତୁ ସେହି ତାମ୍ର ଶାସନଟି ସମ୍ପାଦନ କରିବାକୁ ଯାଇ, ସେ ଶ୍ଳୋକଟି ରାଜା ମାଧବବର୍ମାଙ୍କୁ ଲକ୍ଷିତ କରାଯାଇଛି ବୋଲି ଡଃ କୀଲ୍‌ହର୍ଣ୍ଣ ଲେଖିଛନ୍ତି ।

 

ଉପରୋକ୍ତ ତୃତୀୟ ଶ୍ଳୋକର ଅର୍ଥ ହେଉଛି, ପୂର୍ବେ ପୁଳିନ୍ଦସେନ ନାମକ ଜଣେ ଆଦିବାସୀ ବୀର ପୁରୁଷ କଳିଙ୍ଗ ରାଷ୍ଟ୍ର ପାଳନ କରୁଥିଲେ । ତାଙ୍କର ବୃଦ୍ଧ ବୟସରେ ସେ ଶିବ (ସ୍ୱୟମ୍ଭୂ)ଙ୍କୁ, ଅର୍ଥାତ୍‌ ତାଙ୍କର ଆଦିବାସୀ ଦେବତା (କିତୁଙ୍ଗ)ଙ୍କୁ ପ୍ରାର୍ଥନା କରି କହିଲେ ‘ହେ ପ୍ରଭୁ, ଆପଣ ଆଦେଶ କରନ୍ତୁ, ମୋ ପରେ କିଏ ଏହି କଳିଙ୍ଗ ରାଷ୍ଟ୍ର ପାଳିବାକୁ ସମର୍ଥ ହେବ ? ପ୍ରଭୁଙ୍କର ସ୍ୱପ୍ନାଦେଶ ହେଲା, ‘‘ଏହି ପର୍ବତରୁ ଜଣେ ଯୁବକ ଜାତହୋଇ ସେ ପୃଥ୍ୱୀଶ୍ୱର ହେବେ ।’’ ସ୍ୱପ୍ନର କଥା ସତ୍ୟ ହେଲା । ଶିଳା ମଧ୍ୟରୁ ଏକ ଦିବ୍ୟ ଯୁବକ ବାହାରିଲେ, ତାଙ୍କ ନାମ ହେଲା ‘ଶୈଳୋଦ୍‌ଭବ’ ଏବଂ ତାଙ୍କର ବଂଶ ମଧ୍ୟ ସେହି ନାମରେ ବ୍ୟବହୃତ ହେଲା ।

 

କଳିଙ୍ଗର ପ୍ରାଚୀନ ଗଙ୍ଗାବଂଶର ଆଦିମ ଆଖ୍ୟାନ ମହାରାଜା ଅନନ୍ତବର୍ଗ ଚୋଡ଼ଗଙ୍ଗଙ୍କ ତାମ୍ର ଶାସନମାନଙ୍କରେ ବର୍ଣ୍ଣିତ ହୋଇଅଛି । ସେହି ରାଜବଂଶର ପାଞ୍ଚଜଣ ଭ୍ରାତା, କାମାର୍ଣ୍ଣବ, ଦାନାର୍ଣ୍ଣବ, ଗୁଣାର୍ଣ୍ଣବ, ମାରସିଂହ ଓ ବଜ୍ରହସ୍ତ ସର୍ବପ୍ରଥମେ ତାଙ୍କ ପୈତୃକ ରାଜ୍ୟରୁ ବିତାଡ଼ିତ ହୋଇ ମହେନ୍ଦ୍ରାଚଳ ଶିଖର ଦେଶରେ ପହଞ୍ଚିଲେ । ସେଠାରେ ପ୍ରତିଷ୍ଠିତ ଗୋକର୍ଣ୍ଣେଶ୍ୱର ଶିବଙ୍କୁ ଆରାଧନା କରି ଯୁଦ୍ଧରେ ଶବରାଦିତ୍ୟ ନାମକ ଆଦିବାସୀ ରାଜାଙ୍କୁ ନିହତ କରି କଳିଙ୍ଗ ରାଷ୍ଟ୍ର ଅଧିକାର କରିଥିଲେ । ଏ ବିଷୟ ତାମ୍ର ଶାସନରେ ନିମ୍ନ ପ୍ରକାରେ ଲେଖା ହୋଇଅଛି :–

 

‘‘... ମହେନ୍ଦ୍ରାଚଳଶିଖରାଦବତୀର୍ଯ୍ୟ

ଯୁଧିଷ୍ଠିର ଇବ ଚତୁର୍ଭିରନୁଜୈରନୁଗମ୍ୟମାନ

ସମର ଶିରସି ସବଳା (ରା) ଦିତ୍ୟନ୍ମିର୍ଜ୍ଜିତ୍ୟ

କାମାର୍ଣ୍ଣବଃ କଳିଙ୍ଗାନଗ୍ରହୀତ୍‌ ।....’’ (*)

 

*ଜି.ଭି. ସୀତାପତି ଏହି ପାଠ ଅନୁସାରେ ଶବର ରାଜା (ଶବରାଦିତ୍ୟ)ଙ୍କୁ ନିହିତ କରି କାମାର୍ଣ୍ଣବ କଳିଙ୍ଗ ଅଧିକାର କରିଥିଲେ । କିନ୍ତୁ ଡଃ ଫ୍ଳିଟଙ୍କ ପାଠ ଅନୁସାରେ କାମାର୍ଣ୍ଣବ ବାଳାଦିତ୍ୟ ନାମକ ରାଜାଙ୍କୁ ମହେନ୍ଦ୍ର ଶିଖରରେ ନିହତ କରି ଥିଲେ ।

 

ଶୈଳୋଦ୍‌ଭବ ରାଜବଂଶୀୟ ମାଧବବର୍ମାଙ୍କ ତାମ୍ରଶାସନର ଆଖ୍ୟାନଟି ଖ୍ରୀ ୭ମ ଶତାବ୍ଦୀ ପୂର୍ବରୁ ଲେଖା ହୋଇଥିବା ଦୃଷ୍ଟିରୁ ମହେନ୍ଦ୍ରାଚଳର ଶବରମାନେ କଳିଙ୍ଗ ରାଷ୍ଟ୍ରରେ ଆଧିପତ୍ୟ ବିସ୍ତାର କରିଥିବା ବିଷୟ ସ୍ପଷ୍ଟ ଜଣା ଯାଉଛି । ତେଣୁ ବୋଧ ହୁଏ ଖ୍ରୀଷ୍ଟ ପୂର୍ବ ୧ମ ଶତାବ୍ଦୀରେ ଗ୍ରୀକ୍‌ ଲେଖକ ପ୍ଳିନୀ କହିଥିଲେ ଯେ, ସୁଅରି (suari) ନାମକ ଜାତି କଳିଙ୍ଗରେ ବାସ କରନ୍ତି । ପ୍ଳିନି ତାଙ୍କ ଭୌଗୋଳିକ ବିବରଣୀରେ ଉଲ୍ଲେଖ କରିଛନ୍ତି ଯେ, ସେହି ‘ସୁଅରି’ମାନେ ଗଙ୍ଗାନଦୀର ଅବବାହିକାଠାରୁ ହୀରା ମିଳୁଥିବା ପାର୍ବତୀୟ ଅଂଚଳରେ ବାସ କରନ୍ତି-। ମହେନ୍ଦ୍ର ପର୍ବତରେ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୀତ ବର୍ଣ୍ଣର ହୀରା ମିଳୁଥିବା ବିଷୟ ବରାହମିହିରଙ୍କ ‘ବୃହତ୍‌ ସଂହିତା’ରେ ବର୍ଣ୍ଣିତ ହୋଇଅଛି । ସୁତରାଂ ଖ୍ରୀଷ୍ଟ ପୂର୍ବ ୩ୟ ଶତାବ୍ଦୀରେ ମଗଧରାଜ ଅଶୋକ କଳିଙ୍ଗ ଅଧିକାର କରିବାକୁ ଯାଇ ସେଠାରେ ଯେଉଁ ଲକ୍ଷାଧିକ ଲୋକଙ୍କୁ ନିହତ କରିଥିଲେ ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ‘ଆଟବିକ’ ବା ଅରଣ୍ୟବାସୀ ଶବର । ସେମାନେ ସେହି ଅଭିନବ ଅସ୍ତ୍ର ଯୁଦ୍ଧରେ ନିହତ ହୋଇ ଏତେ ଦୂର ଭୟଭୀତ ହୋଇଥିଲେ ଯେ, ନିଘଞ୍ଚ ଜଙ୍ଗଲରେ ଲୁଚି ରହିଲେ । ଏହା ଫଳରେ କଳିଙ୍ଗର ଶାସନ କାର୍ଯ୍ୟରେ ଘୋର ବାଧା ସୃଷ୍ଟି ହେଲା । କାରଣ ଆଦିବାସୀ ‘ଆଟବିକ’ମାନେ ରାଜ୍ୟର ଉପାନ୍ତ ଅଞ୍ଚଳମାନଙ୍କରେ ଆଶ୍ରୟ ନେଲେ-। ତେଣୁ ଅଶୋକ ତାଙ୍କର ତ୍ରୟୋଦଶ ଅନୁଶାସନରେ ଉଲ୍ଲେଖ କରିଛନ୍ତି ଯେ, ସେହି ‘ଆଟବିକ’ମାନଙ୍କୁ ଧର୍ମ ବିଷୟ ବୁଝାଇବା ପାଇଁ ତାଙ୍କର ଧର୍ମମହାମାତ୍ରମାନଙ୍କୁ ନିଯୁକ୍ତ କରିଥିଲେ ।

 

କଳିଙ୍ଗ ଏବଂ ତୋଷାଳୀରେ ଅଶୋକଙ୍କର ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଯେପରି ଦୁଇଟି ଶିଳା ଶାସନ ସ୍ଥାପିତ ହୋଇଛି, ସେପରି ଆଉ ଏକ ଅନୁଶାସନ ‘ସୁବର୍ଣ୍ଣଗିରି’ ନାମକ ପାର୍ବତୀୟ ସ୍ଥାନରେ ଖୋଦିତ ହୋଇଥିଲା । ଏ ବିଷୟ ଅଶୋକଙ୍କର ବ୍ରହ୍ମଗିରିର ପାଳି ଅନୁଶାସନରେ ନିମ୍ନ ପ୍ରକାରେ ଲେଖା ହୋଇଛି :–

 

‘‘ସୁବର୍ଣ୍ଣଗିରିତେ ଅଯପୂତସ ମହାମାତ୍ୟ ଣଂ ଚ

ବଚନେନ ଇସିଳସି ମହାମାତା

ଆରୋଗିୟଂ ବତବିୟା ହେବଂ ଚ

ବତବିୟା ଦେବାଣଂ ପିୟେ ଆଣପୟତି .... ।’’

 

ସେହି ଆଦେଶରେ ଲେଖା ହୋଇଅଛି ଯେ, ‘ଆର୍ଯ୍ୟପୁତ୍ର ମହାମାତ୍ୟଙ୍କ ପକ୍ଷରୁ ଏପରି ଆଦେଶ (ଦୂତଙ୍କୁ) ଦିଆଯାଇଛି ଯେ, ଇସିଳଠାରେ ଥିବା ମହାମାତ୍ୟଙ୍କ କୁଶଳାଦି ପଚାରିବ ପୁଣି ଦେବାନାଂ ପ୍ରିୟ (ଅଶୋକ)ଙ୍କ ଆଦେଶ ଜଣାଇ ଦେବ ।’

 

ଅଶୋକଙ୍କ ୪ଜଣ କୁମାର ବା ଆର୍ଯ୍ୟପୁତ୍ରମାନଙ୍କ ମଧ୍ୟରୁ ଜଣେ ତକ୍ଷଶିଳା, ଅନ୍ୟ ଦୁଇ ଜଣ ଉଜ୍ଜୟିନୀ ଓ ତୋଷଳୀ ଏବଂ ଚତୁର୍ଥ ଜଣକ ସୁବର୍ଣ୍ଣଗିରିଠାରେ ରହି ଧର୍ମ ଶାସନ ପରିଚାଳନ କରୁଥିବା କଥା ତାଙ୍କର ସିଦ୍ଧାପୁର, ବ୍ରହ୍ମଗିରି, ଏବଂ ରାମେଶ୍ୱର ଶିଳାଶାସନ ମାନଙ୍କରେ ଖୋଦିତ ହୋଇ ଥିବା ଦେଖାଯାଏ ।

 

ସୁବର୍ଣ୍ଣଗିରିର ଅନୁସନ୍ଧାନ ଅଦ୍ୟାପି ଆବିଷ୍କୃତ ହୋଇ ନାହିଁ । ତେଣୁ ଭିନ୍ନ ଭିନ୍ନ ପଣ୍ଡିତ ବିଭିନ୍ନ ମତ ପୋଷଣ କରନ୍ତି । କିନ୍ତୁ ଆମ୍ଭେ ସ୍ଥିର କରିଛୁ ଯେ, ‘ସୁବର୍ଣ୍ଣଗିରି’ ଏବେ ମଧ୍ୟ ତାର ସେହି ପ୍ରାଚୀନ ନାମ ଅକ୍ଷୂଣ୍ଣ ରଖି ଫୁଲବାଣୀ, କୋରାପୁଟ ଓ କଳାହାଣ୍ଡି ତିନି ଜିଲ୍ଲାର ମଧ୍ୟରେ ଅବସ୍ଥିତ । ସେହି ପର୍ବତର ପାଦ ଦେଶରେ ‘କୋଟଗଡ଼’ ନାମକ ଅତି ପ୍ରାଚୀନ ଦୁର୍ଗ ଅବସ୍ଥିତ । ସେହି ଦୁର୍ଗମ ପାର୍ବତୀୟ ଅରଣ୍ୟ ମଧ୍ୟରେ ଆଦିବାସୀ ଶବର ଓ କନ୍ଧମାନେ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ପରେ ଭୟଭୀତ ହୋଇ ଲୁଚି ଥିଲେ । ତେଣୁ ସେମାନଙ୍କୁ ଅଭୟ ଦେଇ ଧର୍ମ-ପ୍ରବଚନଗୁଡ଼ିକ ପଢ଼ି ବୁଝାଇବାକୁ ଅଶୋକ ତାଙ୍କର ଜଣେ କୁମାରଙ୍କୁ ନିଯୁକ୍ତ କରିଥିବା ସମ୍ଭବ । କଳିଙ୍ଗର ଜଉଗଡ଼-ଅନୁଶାସନ ପରି କୋଟ-ଗଡ଼ର ସୁବର୍ଣ୍ଣଗିରି ଅନୁଶାସନଟି ଆବିଷ୍କାର ହେଲେ ସେହି ‘ଆଟବିକ’ ଜାତି ସମ୍ପର୍କରେ ଖ୍ରୀ ୩ୟ ଶତାବ୍ଦୀର ଏକ ଐତିହାସିକ ରାହସ୍ୟ ଉଦ୍‌ଘାଟିତ ହେବ ବୋଲି ଆମ୍ଭେ ବିଶ୍ୱାସ କରୁଛୁ ।(*)

 

* ଏ ସମ୍ପର୍କରେ ଅଧିକ କିଛି ଜାଣିବାକୁ ହେଲେ, ଏ ଲେଖକଙ୍କର ‘ଓଡ଼ିଶାର ଇତିହାସ’ (୧୯୮୫), ପୃ ୧୧୧-୧୧୨ ଦେଖ ।

 

କଳିଙ୍ଗର ଆଦିବାସୀମାନଙ୍କ ମଧ୍ୟରେ ଶବରମାନେ ତାଙ୍କର ଯେଉଁ ଦେବଦେବୀଙ୍କୁ କାଷ୍ଠ ଓ ପାଷାଣରେ ସ୍ଥାପନ କରି ଆରାଧନା କରୁଥିଲେ, ତାହା କାଳକ୍ରମେ ଆର୍ଯ୍ୟଜାତି ବିଭିନ୍ନ ନାମରେ ଆରାଧନା କରିବାକୁ ଲାଗିଲେ । ଶୈଳୋଦ୍‌ଭବ ବଂଶୀୟ ମହାରାଜା ମାଧବବର୍ମାଙ୍କ ତାମ୍ର ଶାସନଗୁଡ଼ିକରେ ଆଗରୁ କୁହାଯାଇଛି ଯେ, ମହେନ୍ଦ୍ର ପର୍ବତର ଶିଖର ଦେଶରେ ପୁଳିନ୍ଦସେନ ନାମକ ଶବର ରାଜା ଯେଉଁ ଦେବତାଙ୍କୁ ଆରାଧନା କରୁଥିଲେ, ସେ ପରବର୍ତ୍ତୀ ଆର୍ଯ୍ୟ ବ୍ରାହ୍ମଣମାନେ ଶିବ ସ୍ୱୟମ୍ଭୁ ଏବଂ ମାଧବ ନାମରେ ଅଭିହିତ କରୁଥିଲେ । ଏଠାରେ କହିବା ଆବଶ୍ୟକ ଯେ, ମହେନ୍ଦ୍ର ପର୍ବତରେ ସୁବର୍ଣ୍ଣଗିରି ନିକଟସ୍ଥ କୋଟଗଡ଼ ପରି ଗୋଟିଏ ଦୁର୍ଗ ଥିଲା । ସେଥିରେ ଆଦିବାସୀ ଶବରମାନେ ରହି ତଳ ଅଞ୍ଚଳର ରାଜାମାନଙ୍କୁ ଶତ୍ରୁ ଆକ୍ରମଣ ବେଳେ ସାହାଯ୍ୟ କରୁଥିଲେ । ଖ୍ରୀଷ୍ଟିୟ ପ୍ରାୟ ୩ୟ ଶତାବ୍ଦୀରେ ମାଠର ବଂଶୀୟ ରାଜାମାନେ କଳିଙ୍ଗରେ ରାଜତ୍ୱ କରୁଥିବା ସମୟରେ ସେଠାରେ ଆଦିବାସୀ ଦେବତାଙ୍କୁ ସେମାନେ ଆରାଧନା କରି ତାଙ୍କର ନାମ ରଖିଥିଲେ ‘ଗୋକର୍ଣ୍ଣେଶ୍ୱର’ । ସେହି ରାଜାମାନେ ‘ମହେନ୍ଦ୍ର-ଗଡ଼’ ନାମକ ଦୁର୍ଗ ନିର୍ମାଣ କରି ଶବରମାନଙ୍କୁ ଯୁଦ୍ଧଶିକ୍ଷା ଦେଇଥିବା ସମ୍ଭବ । ତେଣୁ କଳିଙ୍ଗର ଅପରାପର ଆଦିବାସୀଙ୍କ ଅପେକ୍ଷା ଶବରମାନେ ଅଧିକ ଶିକ୍ଷିତ ଓ ସଭ୍ୟତା ଲାଭ କରିଥିବା ଅନୁମିତ ହୁଏ । ସୋମନେ ମଧ୍ୟ ଅନ୍ୟାନ୍ୟ ଶିକ୍ଷିତ ଓ ଅପେକ୍ଷାକୃତ ସଭ୍ୟଜାତି, ଯଥା ଆଭୀର, ଚଣ୍ଡାଳ, ଦ୍ରାବିଡ଼ ଏବଂ ଉଡ଼୍ର ଜାତିଙ୍କ ପରି ନିଜ ଭାଷାର ପ୍ରସାର କରିପାରିଥିଲେ । ତେଣୁ ଭାରତର ପ୍ରାଚୀନତମ ‘ନାଟ୍ୟଶାସ୍ତ୍ର’ରେ ଭରତମୁନି ଶବରମାନଙ୍କ ଭାଷାକୁ ‘ବିଭାଷା’ ବୋଲି ଲେଖିଥିଲେ, ଯଥା :–

 

‘‘ଶବରୀଭୀର ଚଣ୍ଡାଳାଃ ଶବର-ଦ୍ରାବିଡ଼ୋଡ଼୍ରଜାଃ ।

ହୀନାବନେଚରାଣାଂ ଚ ବିଭାଷା ନାଟକେ ସ୍ମୃତା ।।’’

 

ଏଥିରୁ ଅନୁମିତ ହୁଏ ଯେ, କେତେକ ପ୍ରାଚୀନ ନାଟକରେ ବନେଚର ଶବରମାନଙ୍କ କଥିତ ପ୍ରାକୃତ ଭାଷା (ବିଭାଷା) ମଧ୍ୟ ଭରତମୁନିଙ୍କ ସମୟରେ ବ୍ୟବହୃତ ହେଉଥିଲା ।

 

ଅତି ପ୍ରାଚୀନ ଯୁଗରୁ ମଧ୍ୟ ଶବରଜାତି ଆଦିମ ଶକ, ଯବନ, ଆନ୍ଧ୍ର ପ୍ରଭୃତି ଜାତିମାନଙ୍କ ସଙ୍ଗେ ଗଣିତ ହୋଇଥିବା ମହାଭାରତ–ଶାନ୍ତିପର୍ବର ନିମ୍ନୋକ୍ତ ଶ୍ଳୋକରୁ ପ୍ରମାଣିତ ହୁଏ–

 

‘‘ଯବନାଃ କିରାତ ଗାନ୍ଧାରାଃ ଚୀନାଃ ଶବର ଶର୍ବରାଃ ।

ଶକାଃ ତୁଷାରାଃ କଂକାଶ୍ଚ ମଲ୍ଲବାଶ୍ଚାନ୍ଧ୍ର ମଦ୍ରକାଃ ।।’’

 

ଯେଉଁ ସମୟରେ କଳିଙ୍ଗ ରାଷ୍ଟ୍ର ଆର୍ଯ୍ୟମାନଙ୍କଦ୍ୱାରା ଅଧିକାରଭୁକ୍ତ ହେଲା ସେତେବେଳେ ମହେନ୍ଦ୍ରାଚଳର ଚତୁଃପାର୍ଶ୍ୱ ‘ମହେନ୍ଦ୍ର-ଭୋଗ-ବିଷୟ’ ନାମ ବହନ କରିଥିଲା । ସେତେବେଳେ ମାଠର ବଂଶରେ ବିଷାଖବର୍ମା ନାମକ ରାଜା କେତେକ ବ୍ରାହ୍ମଣ ପଣ୍ଡିତଙ୍କୁ ଆର୍ଯ୍ୟବର୍ତ୍ତରୁ ଆଣି ମହେନ୍ଦ୍ରାଚଳର ପାଦଦେଶରେ ଶାସନ ଦାନ କରିଥିଲେ । ତାଙ୍କର ଖରଷଣ୍ଡା ଦାନଶାସନ ‘ଶବରଭେଣ୍ଡକ’ ସଂଜ୍ଞକ ବିଷ୍ଣୁଶର୍ମା, ଶ୍ରେଷ୍ଠୀଶର୍ମା ଅଗ୍ନିଶର୍ମା, ନାଗଶର୍ମା ଓ ଶିବଶର୍ମା ନାମକ ପାଞ୍ଚ ଜଣ ବ୍ରାହ୍ମଣଙ୍କୁ ଦାନ କରିଥିଲେ । (*) ତାଙ୍କ ପରେ ସେହି ବଂଶରେ କଳିଙ୍ଗର ନୃପତି ପଦରେ ଯେଉଁମାନେ କଳିଙ୍ଗ ରାଷ୍ଟ୍ରର ଶାସନ କରିଥିଲେ, ସେମାନେ ବହୁ ସଂଖ୍ୟାରେ ବ୍ରାହ୍ମଣମାନଙ୍କୁ ଶାସନ ଦାନ କରିଥିଲେ । ସୁତରାଂ ମହେନ୍ଦ୍ର ଭୋଗ ବିଷୟରେ ବାସ କରିଥିବା ଶିକ୍ଷିତ ବ୍ରାହ୍ମଣମାନଙ୍କ ସାହଚର୍ଯ୍ୟରେ ବହୁକାଳ ରହିବା ଫଳରେ ସେହି ପାର୍ବତୀୟ ଶବର ଜାତିର ନୈତିକ ମୂଲ୍ୟବୋଧ ବଢ଼ିଥିଲା । ସେଥି ସଙ୍ଗେ ସେମାନେ ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ଲାଭ କରି କେତେକ ଗୁଣାତ୍ମକ ସାମାଜିକ ଆଚାର ଓ ସାଂସ୍କୃତିକ ବ୍ୟାପାରରେ ଅନ୍ୟାନ୍ୟ ଆଦିବାସୀ, ଅର୍ଥାତ୍‌ କନ୍ଧ, କୁଇ, ଗଦବା, ବଣ୍ଡା-ପରଜାଙ୍କ ଅପେକ୍ଷା ଅଧିକ ଉନ୍ନତି ଲାଭ କରିଥିଲେ । ସେମାନଙ୍କ ସତ୍ୟପ୍ରିୟତା, ଦେବଦେବୀଙ୍କ ଉପାସନା, ସଙ୍ଗୀତ-ନୃତ୍ୟ, ସତୀତ୍ୱ ଓ ଖାଦ୍ୟ ଶସ୍ୟର ଉତ୍ପାଦନ, ପାରିଧୀ ଓ ଯୁଦ୍ଧ କୌଶଳ, ଦୟା ଓ ପରୋପକାରିତା ପ୍ରଭୃତି କ୍ରିୟା କଳାପ ଯଥେଷ୍ଟ ଭାବେ ଉତ୍କର୍ଷ ଲାଭ କଲା । ଉଦାହରଣ ସ୍ୱରୂପ, ସୋମବଂଶୀ ମହାରାଜା ନଘୁଷ ଏକଦା ଯୁଦ୍ଧରେ ତାଙ୍କ ଶତ୍ରୁମାନଙ୍କୁ ନିହତ କରିଥିବାରୁ ସେମାନଙ୍କ ବିଦବା ପତ୍ନୀମାନେ ଘୋର ଅରଣ୍ୟରେ ଆତ୍ମରକ୍ଷା କରିବାକୁ ଭ୍ରମଣ କଲାବେଳେ ସେଠାରେ ବୃଦ୍ଧା ଶବରୀମାନେ ସ୍ନେହରେ ତାଙ୍କୁ ପ୍ରବୋଧ କରି କହିଥିଲେ ଯେ, ସେହି ବନରେ ହିଂସ୍ରଯୁଥ ଓ ଗୋଟିଏ ସିଂହ (ପଞ୍ଚାନନ) ବୁଲୁଛି । ତେଣୁ ସେହି ବନ୍ୟାଞ୍ଚଳରେ ଭ୍ରମଣ କରିବା ବିପଦ୍‌ଜନକ । ଗୃହରେ ଆଶ୍ରୟ ନେବାକୁ ଯାଅ ।

 

‘‘ଅତ୍ରାସ୍ତେ କରିବୃନ୍ଦ ମୃନ୍ମଦମିହ ପ୍ରୌଢ଼ୋସ୍ତି ପଞ୍ଚାନନଃ

ସନ୍ତ୍ୟେତାସୁ ଜଗଦ୍‌ଗୃହେ ଗିରିଦରୀ କୁମ୍ଭୀଷୁ କୁମ୍ଭୀନଶାଃ ।

ସ୍ନେହାଦିତ୍ୟଭିଧାୟ ବୃଦ୍ଧ ଶବରୀବର୍ଗେଣ ବଦ୍ଧାଶୃଣା

ଯଦ୍‌ ବୈରି ପ୍ରମଦାଜନୋ ବନଭବଃ ସଞ୍ଚାର ମଧ୍ୟାପିତଃ ।’’ (୧)

 

କଳିଙ୍ଗର ଦକ୍ଷିଣାଞ୍ଚଳ ମଧ୍ୟ ମାଠ ରାଜବଂଶର କର୍ତ୍ତୃତ୍ୱାଧୀନ ହୋଇଥିଲା । ସେମାନଙ୍କର ଗୋଟିଏ ଅଭିଲେଖରେ ବର୍ଣ୍ଣିତ ଅଛି ଯେ, ଦକ୍ଷିଣରେ କୃଷ୍ଣବେଣୀ ନଦୀଠାରୁ ପୂର୍ବଦିଗରେ ମହାନଦୀ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ମାଠର ବଂଶୀୟ ମହାରାଜା ପ୍ରଭଞ୍ଜନ ବର୍ମାଙ୍କ ଶାସନାଧୀନ ହୋଇଥିଲା । (୨) ଏ ଦୃଷ୍ଟିରୁ ବିଚାର କଲେ ଜଣାଯାଉଛି ଯେ, ସମଗ୍ର କୋରାପୁଟ ଜିଲ୍ଲା ମାଠରମାନଙ୍କ ଅଧୀନରେ ଥିଲା । କିନ୍ତୁ ସେହି ଜିଲ୍ଲାର ଉତ୍ତରଭାଗ ନଳ ବଂଶୀୟ ସ୍ୱାଧୀନ ରାଜାମାନଙ୍କ ଶାସନରେ ରହିଥିଲା । ସେମାନେ ରାଜଧାନୀ ଉମରକୋଟ ନିକଟବର୍ତ୍ତୀ କେଶରୀବେଡ଼ା ଗ୍ରାମରୁ ପ୍ରାପ୍ତ ଗୋଟିଏ ତାମ୍ର ଶାସନରେ ଲେଖାଅଛି, ନଳବଂଶୀୟ ମହାରାଜା ଅର୍ଥପତିଙ୍କ ରାଜଧାନୀ ତାଙ୍କ ରାଜଧାନୀ ପୁଷ୍କରୀ ନାମକ ସ୍ଥାନରୁ ବ୍ରାହ୍ମଣଙ୍କପାଇଁ ଗୋଟିଏ ଶାସନ ଦାନ କରିଥିଲେ । (୩) ସେଠାରେ କେତେକ ଦେବ ମନ୍ଦିର ଅଦ୍ୟାପି ଦେଖିବାକୁ ମିଳେ । ନଳମାନଙ୍କ ରାଜଧାନୀ ପରବର୍ତ୍ତୀ କାଳରେ ପୁଷ୍କରୀରୁ ଉଠିଯାଇ ନଗର୍ଧନ(ନାଗପୁର)ଠାରେ ଅବସ୍ଥାପିତ ହୋଇଥିଲା । ସେହି ବ୍ରାହ୍ମଣ୍ୟ ଧର୍ମାବଲମ୍ୱୀ ରାଜାମାନଙ୍କ ଉଦ୍ୟମରେ ସେ ଅଞ୍ଚଳରେ ଆଦିବାସୀମାନେ ମଧ୍ୟ କେତେକ ଦେବଦେବୀଙ୍କ ଉତ୍ସବରେ ଅଂଶ ନେଉଥିବା ଜଣାଯାଏ ।

 

Ins, or, vol, p, 385 f.

Ep, Ind., vol. XXX, pp. 112-118 ff

Ibid. vol. XXVIII, pp.12-16 ff

 

କୋରାପୁଟର ମାଲକାନଗିରୀ, ବିଶେଷତଃ ଗୋଦାବରୀ ତଟବର୍ତ୍ତୀ ଅଞ୍ଚଳରେ ଅତି ପ୍ରାଚୀନ କାଳରୁ ବାଲ୍ମୀକିମୁନି, ଭରଦ୍ୱାଜ ପ୍ରଭୃତି ତପସ୍ୱୀମାନେ ଆଶ୍ରମ ସ୍ଥାପନ କରିଥିଲେ । ମଧ୍ୟଯୁଗରେ ନାରଙ୍ଗ ନାମକ ଜଣେ ମହର୍ଷି ସେଠାରେ ଘୋର ତପସ୍ୟା କରିବା ଦେଖି, ତାଙ୍କ ତପ ଭଙ୍ଗ କରିବାକୁ ସ୍ୱର୍ଗରୁ ଦେବରାଜ ଇନ୍ଦ୍ର ଏକ ଅପ୍‌ସରାଙ୍କୁ ପଠାଇ ଥିଲେ । ସେହି ସୁନ୍ଦରୀ ତପସ୍ୱୀଙ୍କ ଆଶ୍ରମକୁ ଯାଇ ନଦୀ ତଟରେ ଅବସ୍ଥିତ ଋଷିଙ୍କ ସମ୍ମୁରେ ନୃତ୍ୟଗୀତ କରି ତାଙ୍କ ତପସ୍ୟା ଭଙ୍ଗ କଲେ । ଏଥିରେ ଋଷି ଘୋର ରୁଷ୍ଟ ହୋଇ ସେହି ଯୁବତୀକୁ ଶାପ ଦେଇ କହିଲେ, ‘‘ତୁ ଏହି ନଦୀରେ ଏକ ମତ୍ସ୍ୟ ହୋଇ ରହ ।’’ ଶାପ ପାଇ ସଙ୍ଗେ ସଙ୍ଗେ ଅପ୍‌ସରାର ରୂପ ବଦଳି ଯାଇ ସେ ନଦୀରେ ଗୋଟିଏ ମତ୍ସ୍ୟ ରୂପରେ ରହିଲା । ଏଣେ ନାରଙ୍ଗ ଋଷିଙ୍କ ରେତ ସ୍ଖଳିତ ହେବାରୁ ତାହା ନଦୀ ଗର୍ଭରେ ନିକ୍ଷେପ କରି ସେ ନିଜ ଆଶ୍ରମକୁ ଚାଲିଗଲେ । ଋଷିଙ୍କ ଅମୋଘ ରେତ ପାନ କରି ମତ୍ସ୍ୟରୂପିଣୀ ଅପ୍‌ସରା ଏକ ସୁନ୍ଦର ପୁତ୍ର ପ୍ରସବ କରି ଶିଶୁର ପାଳନ ସକାଶେ ଋଷିଙ୍କୁ ଅର୍ପଣ କଲା । ସେହି ପୁତ୍ରର ନାମ ହେଲା, ସତ୍ୟମାର୍ତ୍ତଣ୍ଡ । ନାରଙ୍ଗ ଋଷିଙ୍କ କୃପାରୁ ସେହି ଅରଣ୍ୟ ରାଜ୍ୟରେ ସତ୍ୟମାର୍ତ୍ତଣ୍ଡ ରାଜା ରୂପେ ଅଭିଷିକ୍ତ ହେଲେ । ତାଙ୍କର ବଂଶଧରମାନେ ‘ମତ୍ସ୍ୟବଂଶୀୟ’ ନାମର ଅଭିହିତ ହେଲେ । ସେହି ବଂଶର ଜଣେ ରାଜା ଅର୍ଜ୍ଜୁନଦେବଙ୍କ ତାମ୍ର ଶାସନରେ ଏହି କିମ୍ୱଦନ୍ତୀ ଉଲ୍ଲେଖ ହୋଇଅଛି । ସେହିରାଜାମାନେ ସେହି ନଦୀକୁ ଏକ ପବିତ୍ର ଜନ୍ମସ୍ଥାନ ରୂପେ ଜ୍ଞାନ କରୁଥିଲେ । ସେଥିର ନାମ ରଖାଗଲା ‘ମତ୍ସ୍ୟ-କୁଣ୍ଡ’ ବା ମାଛକୁଣ୍ଡ, ଯେଉଁଠାରେ ଏକ ଜଳ ପ୍ରପାତ ସୃଷ୍ଟି ହୋଇ ବର୍ତ୍ତମାନ ଏକ ଉନ୍ନତ ଜଳ-ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ମତ୍ସ୍ୟବଂଶୀୟ ରାଜାମାନେ ବ୍ରାହ୍ମଣ୍ୟ ଧର୍ମାବଲମ୍ୱୀ ହୋଇଥିବାରୁ କେତେକ ବ୍ରାହ୍ମଣ ଶାସନ ସ୍ଥାପନ କରି ‘ମୁକୁନ୍ଦଗିରି-ନାୟକ’ ଉପାଧି ଧାରଣ କରି ଅଛନ୍ତି । ସେହି ବଂଶର ଜୟନ୍ତ ନାମକ ଜଣେ ରାଜା ପୁରୀଠାରେ ଶ୍ରୀପୁରୁଷୋତ୍ତଙ୍କ ପାଇଁ ଭୋଗ ଖଞ୍ଜିଥିବା ବିଷୟ ଶ୍ରୀମନ୍ଦିରସ୍ଥ ପାତାଳେଶ୍ୱରଙ୍କ ମନ୍ଦିର ଭିତ୍ତିଗାତ୍ରରେ ଖୋଦିତ ହୋଇ ଥିବା ଦେଖାଯାଏ । ସେହି ଶିଳାଲିପିର ଶୀର୍ଷରେ ଦୁଇଟି ମାଛର ସ୍ଥାପତ୍ୟ ମଧ୍ୟ ରହିଥିବା ଦେଖାଯାଏ । ସେହି ମତ୍ସ୍ୟବଂଶୀୟ ରାଜାମାନେ ଉତ୍କଳର ଗଙ୍ଗାବଂଶ ସଙ୍ଗେ ବନ୍ଧୁତା ସୂତ୍ରରେ ଆବଦ୍ଧ ଥିଲେ ।

 

ମାଛକୁଣ୍ଡରେ କେହିହେଲେ ମତ୍ସ୍ୟମାରିବା ପୂର୍ବରୁ ବାରଣ କରାଯାଇଥିବା ଜଣାଯାଏ । ସେହି ମତ୍ସ୍ୟବଂଶୀୟ ରାଜାମାନଙ୍କ ଅଧୀନରେ ଯେଉଁ ପ୍ରଜାମାନେ ସେହି ଅଞ୍ଚଳରେ ବାସ କରୁଥିଲେ, ସେମାନେ ମଧ୍ୟ ଶବର ଜାତି ପରି ନୃତ୍ୟ-ସଙ୍ଗୀତରେ ମାତି ସୁଖରେ କାଳ କଟାଉ ଥିଲେ । ସେମାନଙ୍କ ମୁଖ୍ୟ ଉତ୍ସବ ହେଉଛି, ମକର-ସଂକ୍ରାନ୍ତି (ଜାନୁଆରି), ସେମାନେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଦଳ ଦଳ ହୋଇ ନାଚିବା ଓ ବସ୍ତିମାନଙ୍କୁ ଆସି ଲୋକଙ୍କଠାରୁ ଉପହାର ପାଇବା ଏବଂ ୩।୪ ଦିନପରେ ନିଜ ନିଜ ଗ୍ରାମକୁ ଫେରିଯାଇ ତାଙ୍କ ଦେବଦେବୀଙ୍କୁ, ପୂଜା କରିବା ଏକ ବିରାଟ ଉତ୍ସବ ରୂପେ ପାଳନ କରନ୍ତି । ସେମାନେ ସେହି ଉତ୍ସବ ଦିନମାନଙ୍କରେ ଦେବତାଙ୍କୁ କୁକୁଡ଼ା, ଘୁଷୁରି, ଗୋରୁ-ମହିଷ ପ୍ରଭୃତି ବଳି ଦେଇ ମାଂସ ଓ ମଦ୍ୟ ଭୋଜନ କରିଥାନ୍ତି ।

 

ମକର-ସଂକ୍ରାନ୍ତି ଉତ୍ସବ ଦ୍ରାବିଡ଼ ଅର୍ଥାତ୍‌ ତେଲେଙ୍ଗାମାନେ ମଧ୍ୟ ଏ ଅଞ୍ଚଳରେ ‘ପାଣ୍ଡୁଗୁ’ ନାମରେ ପିତୃପୁରୁଷଙ୍କ ପିଣ୍ଡଦାନ କରି ନୂତନ ବସ୍ତୁ ପରିଧାନ କରିବା ଦେଖାଯାଏ । କିନ୍ତୁ ଆଦିବାସୀ ଶବରମାନଙ୍କ ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସେତେବେଳେ ସେମାନଙ୍କ ଖାଦ୍ୟଶସ୍ୟ, ଯଥା କାନ୍ଦୁଲ, ଜନା, ସୁଆଁ, ମାଣ୍ଡିଆ ପ୍ରଭୃତି ଆଦାୟ ହୋଇଥାଏ ।

 

ସେହି ଆଟବିକ ଜାତିମାନଙ୍କର ମୁଖ୍ୟ ଖାଦ୍ୟ ହେଉଛି ମାଂସ ଓ ମଦ୍ୟ । ସେଥି ସଙ୍ଗେ ସେମାନେ କେତେକ ବନ୍ୟ ଜାତ ଶସ୍ୟକୁ ମଧ୍ୟ ସିଝାଇ ଏକାଠି ବସି କାଠ ପାତ୍ର (ଡ଼ଙ୍କି)ରେ ପାନ କରନ୍ତି ଏବଂ ସେଥି ସଙ୍ଗେ ପଲାଶ କିମ୍ୱା ମହୁଲରୁ ମଦ୍ୟ ପ୍ରସ୍ତୁତ କରି ତାହା ଖାଦ୍ୟ ସଙ୍ଗେ ପାନ କରନ୍ତି । ପର୍ବତର ଢାଲୁ କିମ୍ୱା ସମତଳ ଜମିରୁ ବୃକ୍ଷ-ଲତା ସବୁ କାଟି ଦେଇ ଗ୍ରୀଷ୍ମଋତୁରେ ତାହା ଜାଳି ସେଥିର ପାଉଁସକୁ ଖତ ରୂପେ ବ୍ୟବହାର କରି ଚାଷ କାମ କାରନ୍ତି । ଏହାକୁ ପୋଡ଼ୁ ଚାଷ କୁହାଯାଏ । ସେପରି ଚାଷ କରିବା ଫଳରେ ବହୁ ବନ୍ୟାଞ୍ଚଳ ନଷ୍ଟ ହୋଇଥାଏ । ପ୍ରାଚୀନ ଯୁଗରେ ସେମାନଙ୍କ ବାସସ୍ଥାନଗୁଡ଼ିକ ବ୍ୟାଘ୍ର, ବନ୍ୟଜନ୍ତୁ ହସ୍ତୀ ଓ ସର୍ପାଦି ଜୀବମାନଙ୍କ ଉପଦ୍ରବରୁ ମଧ୍ୟ ସୁରକ୍ଷିତ ହେଉଥିଲା, ଆଉ ମଧ୍ୟ ଅଗ୍ନି ଭୟରେ ସେମାନେ ଚାଷ କରିଥିବା ଶସ୍ୟ ନଷ୍ଟ କରିବାକୁ କୌଣସି ବନ୍ୟଜନ୍ତୁ ସେଠାକୁ ଯାଉ ନଥିଲେ । ବର୍ତ୍ତମାନ ସରକାରଙ୍କ ବନ-ବିଭାଗ ପକ୍ଷରୁ ‘ପୋଡ଼ୁ-ଚାଷ’ ବନ୍ଦ କରି ବନ୍ୟଜନ୍ତୁଙ୍କୁ ସୁରକ୍ଷିତ କରିବା କାମ ହାତକୁ ନିଆ ଯାଇଛି । କାରଣ ଏହାଦ୍ୱାରା ବନ୍ୟାଞ୍ଚଳର ପରିବେଶ ସୁରକ୍ଷିତ ହୋଇ ପାରିଛି ।

 

ଶବରମାନଙ୍କ ‘ମକର-ପର୍ବ’ ପରି କୋରାପୁଟ ଆଦିବାସୀମାନଙ୍କ ମୁଖ୍ୟ ଉତ୍ସବ ହେଉଛି ‘ଚଇତି ପର୍ବ’ । ଚୈତ୍ର ମାସରେ ପରଜାମାନେ ଦଳବଧ ଭାବେ ଆନନ୍ଦରେ ନୃତ୍ୟ-ଗୀତ କରିବା ଦେଖାଯାଏ । ସେହି ବସନ୍ତଋତୁ ପ୍ରାରମ୍ଭରେ ସେମାନଙ୍କ ଅବିବାହିତ ଧାଙ୍ଗଡ଼ା (ଯୁବକ) ଓ ଧାଙ୍ଗଡ଼ି(ଯୁବତୀ)ମାନେ ପରସ୍ପର ପ୍ରତି ଢଗ-ଢମାଳିରେ ସମ୍ଭାଷଣ କରି ଆମୋଦ ଉତ୍ସରେ ଦିନ କଟାନ୍ତି । ସମତଳ ଅଞ୍ଚଳର ଅଧିକାଂଶ ଆଦିବାସୀ ଓଡ଼ିଆ ଭାଷାରେ ମୁହେଁ ମୁହେଁ କବିତା ରଚନା କରି ପରସ୍ପର ପରିହାସ କରିବା ବିଶେଷତଃ ଧାଙ୍ଗଡ଼ା ପ୍ରତି ଧାଙ୍ଗିଡ଼ି ଓ ଧାଙ୍ଗିଡ଼ି ପ୍ରତି ଧାଙ୍ଗଡ଼ା ବାକ୍ୟବାଣ (ଢଗ) ବର୍ଷଣ କରିବା ସେହି ଚୈତ୍ର ପର୍ବର ବିଶେଷତ୍ୱ ।

 

ଆମ୍ଭେ ମନେକରୁ ପୂର୍ବକାଳରେ ‘ବସନ୍ତୋତ୍ସ’ ନାମରେ ଗୋଟିଏ ଉତ୍ସବ ଆର୍ଯ୍ୟମାନଙ୍କ ମଧ୍ୟରେ ପ୍ରଚଳିତ ଥିଲା । ରାଜା ଶ୍ରୀହର୍ଷଙ୍କ ନାମରେ ମହାକବି ବାଣଭଟ୍ଟ ଲେଖିଥିବା ରତ୍ନାବଳୀ ନାଟକରେ ବସନ୍ତୋତ୍ସବର ବାହୁଲ୍ୟ ବର୍ଣ୍ଣନା କରାଯାଇଛି । ସେହି ନାଟକରେ ରାଜା ଉଦୟନ ମଧ୍ୟ ଯୋଗ ଦେଇଥିଲେ ।

 

ବାସ୍ତବରେ ‘ବସନ୍ତୋତ୍ସବ’ ବର୍ତ୍ତମାନ ‘ହୋରି’ (ହୋଲି) ନାମରେ ପ୍ରଚଳିତ ହେଉଛି । ଏହା ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ, ଅର୍ଥାତ୍‌ ଫାଲ୍‌ଗୁଣ ପୌର୍ଣ୍ଣମୀ ପରେ ପାଳିତ ହୁଏ । ତାହାହିଁ ଖ୍ରୀ: ୭ମ ଶତାବ୍ଦୀରେ ରଚିତ ‘ରତ୍ନାବଳୀ-ନାଟକ’ର ‘ବସନ୍ତୋତ୍ସବ । ସେଥିରେ ପୂର୍ବେ କାମଦେବଙ୍କୁ ଅବିବାହିତ ଯୁବକ-ଯୁବତୀମାନେ ଆରାଧନା କରୁଥିଲେ । ସମ୍ଭବତଃ ସେହି ଉତ୍ସବଟି କୋରାପୁଟ ଜିଲ୍ଲାର ଆଦିବାସୀ ପରଜାମାନଙ୍କ ଉତ୍ସବକୁ ପ୍ରଭାବିତ କରିଛି । ସଂକ୍ଷେପରେ କହିବାକୁ ଗଲେ କଳିଙ୍ଗରେ ବାସ କରୁଥିବା ଆଦିବାସୀମାନେ କେତେକ ଉତ୍ସବ ତଥା ଦେବ ଦେବୀଙ୍କ ଆରାଧନା ଆର୍ଯ୍ୟ ଓ ଦ୍ରାବିଡ଼ମାନଙ୍କଠାରୁ ଶିକ୍ଷା କରିଥିଲେ । ସେପରି ଆର୍ଯ୍ୟ ଓ ଦ୍ରାବିଡ଼ ଜାତି ମଧ୍ୟ ସେହି ଆଦିମ ପାର୍ବତୀୟ ଜାତିମାନଙ୍କଠାରୁ କେତେକ ଦେବଦେବୀଙ୍କ ପୂଜିତ ପ୍ରତିମାଙ୍କୁ ଭିନ୍ନ ଭିନ୍ନ ନାମଦେଇ ଆରାଧନା କରୁଥିବା ଜଣାଯାଏ ।

 

‘ସ୍କନ୍ଦ ପୁରାଣ’ ସ୍ଥ ‘ମୁଖଲିଙ୍ଗ-ମାହାତ୍ମ୍ୟରେ ଗୋଟିଏ ଆଖ୍ୟାନରେ ଲେଖାଅଛି, ପୂର୍ବେ ବଂଶଧରା ତଟରେ ଏକ ବିସ୍ତୃତ ଜଙ୍ଗଲ ଥିଲା । ସେଠାରେ ଜଣେ ଶବର-ନାୟକ ରହି ବନର ଆଦିବାସୀମାନଙ୍କୁ ପାଳନ କରୁଥିଲେ । ଏକଦା ଦାକ୍ଷିଣାତ୍ୟରେ ଜଣେ ଜଙ୍ଗମ ଜାତିୟା ଯୁବତୀ ବାରାଣାସୀ ଯାତ୍ରା କରିବା ଲକ୍ଷ୍ୟରେ ଗଲାବେଳେ ପଥ ଭୁଲିଯାଇ ସେହି ଘୋର ଅରଣ୍ୟରେ ପ୍ରବିଷ୍ଟ ହେଲା । ଆକୁଳରେ ସେ ବିଚରଣ କରୁଥିବା ଦେଖି ଶବର-ନାୟକ ତାକୁ ନିଜ ବାସଗୃହକୁ ନେଇ ସ୍ୱାପଦ-ସଙ୍କୁଳ ବନରେ ତାକୁ ଆଶ୍ରୟ ଦେଲା । କିଛି ଦିନ ପରେ ସେହି ଯୁବତୀ ସଙ୍ଗେ ତାର ସ୍ନେହ ହେବାରୁ ତାକୁ ବିବାହ କରି ଅନ୍ୟ ଅନ୍ୟ ଏକ ବାସଗୃହ ଦେଇ ତାକୁ ଦ୍ୱିତୀୟ ସ୍ତ୍ରୀ ରୂପେ ପାଳିଲା । ଦୁଇ ପତ୍ନୀଙ୍କ ପାଇଁ ଗୋଟିଏ ମହୁଲ ଗଛର ଦୁଇଟି ଶାଖା ସେମାନଙ୍କ ମଧ୍ୟରେ ବାଣ୍ଟିଦେଲା । କାରଣ ମହୁଲ ଝଡ଼ି ତଳେ ପଡ଼ିଲେ ତାହା ବିକ୍ରୟ କରି ସେମାନେ ନିଜ ନିଜର ଭରଣ ପୋଷଣ କରିବେ । ଜଙ୍ଗମ-ସ୍ତ୍ରୀର ଭାଗରୁ ସୁନା ଫୁଲ ଝଡ଼ିବା ଦେଖି ଶବରର ପ୍ରଥମ ସ୍ତ୍ରୀ ଗଣ୍ଡଗୋଳ ସୃଷ୍ଟିକଲା । ତେଣୁ ଶବର-ନାୟକ ବିରକ୍ତ ହୋଇ ମହୁଲଗଛଟି ମୂଳରୁ କାଟି ଦେବାକୁ ସେଥିରେ କୁଠାରାଘାତ କଲା । ସେତେବେଳ ସେ ଦେଖିଲା ଯେ, ବୃକ୍ଷ ମୂଳରେ ଏକ ଦିବ୍ୟ ଶିବଲିଙ୍ଗ ରହିଛନ୍ତି । ତାଙ୍କୁ ଶବର ଓ ତାଙ୍କ ପତ୍ନୀ ଦିହେଁ ଆରାଧନା କରି ଅଶେଷ ସମ୍ପଦ ପାଇଥିଲେ । କାଳକ୍ରମେ ସେ ଅଞ୍ଚଳଟି ଗଙ୍ଗାବଂଶୀୟ ରାଜାମାନଙ୍କର ରାଜଧାନୀରେ ପରିଣତ ହେଲା । ସେହି ରାଜାମାନେ ଶୈବଧର୍ମାବଲମ୍ୱୀ ହୋଇ ତାଙ୍କର ଇଷ୍ଟ ଦେବତା ଗୋକର୍ଣ୍ଣେଶ୍ୱରଙ୍କୁ ମହେନ୍ଦ୍ରାଚଳ ଶିଖରରେ ଆରାଧନା କରୁଥିଲେ । କିନ୍ତୁ ତାଙ୍କ ରାଜଧାନୀ ବଂଶଧରାତଟସ୍ଥ କଳିଙ୍ଗ ନଗରଠାରୁ ବହୁ ଦୂରରେ ଥିବାରୁ ସେଠାକୁ ଯିବା କଷ୍ଟସାଧ୍ୟ ଥିଲା । ତେଣୁ ନିକଟରେ ପ୍ରତିଦିନ ଶିବଙ୍କ ଅଭିଷେକ ଓ ପୂଜା କରିବାକୁ ଗଙ୍ଗାବଂଶୀୟ ମହାରାଜା ମଧୁକର୍ଣ୍ଣଦେବ ସେଠାରେ ଏକ ସୁରମ୍ୟ ମନ୍ଦିର ନିର୍ମାଣ କରି, ମଧୁକ (ମହୁଲ) ବୃକ୍ଷରୁ ଜାତ ହୋଇଥିବା ଶିବଲିଙ୍ଗଙ୍କୁ ‘ମଧୁକେଶ୍ୱର’ ନାମରେ ଅଭିହିତ କରି ତାଙ୍କ ସେବାରେ ବ୍ରତୀ ହେଲେ । ଅଦ୍ୟାପି ସେହି ଶିଳ୍ପକଳା-ମଣ୍ତିତ-ମନ୍ଦିର-ଗାତ୍ରରେ ଶବର-ନାୟକ ଓ ତାର ପତ୍ନୀ ଶିବଙ୍କ ଆରାଧନା କରୁଥିବା ଦୃଶ୍ୟ ଗୋଟିଏ ସ୍ଥାପତ୍ୟରେ ଖୋଦିତ ହୋଇଥିବା ଦେଖିବାକୁ ମିଳେ ।

 

ଶବର ତଥା କଳିଙ୍ଗ ଏବଂ ଦକ୍ଷିଣ କୋଶଳର ଆଦିବାସୀ ଶବର ଓ କନ୍ଧମାନେ ଅଧିକାଂଶ କ୍ଷେତ୍ରରେ ଶିବ ଓ ଦେବୀ (ଦୁର୍ଗା)ଙ୍କୁ ପୂଜା କରୁଅଛନ୍ତି ।

 

ଶବରମାନେ ପୂର୍ବେ ଦେବତାଙ୍କ ସମ୍ମୁଖରେ ଅନ୍ୟାନ୍ୟ ପଶୁ-ପକ୍ଷୀଙ୍କ ପରି ମନୁଷ୍ୟକୁ ମଧ୍ୟ ବଳି ଦେଉଥିଲେ । ଓଡ଼ିଶାର ପ୍ରସିଦ୍ଧ ଆଳଂକାରିକ କବିରାଜ ବିଶ୍ୱନାଥଙ୍କ ପ୍ରଣୀତ ‘ଚନ୍ଦ୍ରକଳା’ ନାଟିକାରେ ଲେଖାଅଛି ଯେ, ସେହି ନାଟିକାର ନାୟିକା ପାଣ୍ଡ୍ୟ ଦେଶର ରାଜୁମାରୀ ଚନ୍ଦ୍ରକଳାଙ୍କୁ ତାଙ୍କ ବନ ଭ୍ରମଣ କାଳରେ ଶବରମାନେ ଧରିନେଇ ଶବରରାଜଙ୍କୁ ସମର୍ପଣ କଲେ । କୁମାରୀଙ୍କ ଅଙ୍ଗ ସୌଷ୍ଟବ ଓ ସୌନ୍ଦର୍ଯ୍ୟ ଦେଖି ଶବରରାଜ ତାଙ୍କ ଆରାଧିତା ବିନ୍ଧ୍ୟବାସିନୀ ଦେବୀଙ୍କ ସମ୍ମୁଖରେ ବଳି ଦେବାକୁ ସ୍ଥିର କଲେ । କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଦେବୀଙ୍କ ସମ୍ମୁଖକୁ କୁମାରୀଙ୍କୁ ନିଆଗଲା । ସେତେବେଳେ ସେ ଉଚ୍ଚସ୍ୱରରେ କ୍ରନ୍ଦନ କରୁଥାଆନ୍ତି ଠିକ୍‌ ସେତିକି ବେଳେ ରାଜା ଚିତ୍ର ରଥଦେବ (ନାଟିକାର ନାୟକ)ଙ୍କର ଜଣେ ସୈନିକ କୁମାରୀଙ୍କୁ କିପରି ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲେ ତାହା ଉକ୍ତନାଟିକାରେ ବର୍ଣ୍ଣିତ ହୋଇଅଛି ।

 

ସୁବର୍ଣ୍ଣପୁର (ସୋନପୁର)ଠାରେ ପଞ୍ଚାମ୍ୱରିଭଦ୍ରାମ୍ବିକା ନାମକ ଦେବୀ ପୂଜିତ ହେଉଥିଲେ ବୋଲି ସେଠାର ମହାରାଜା ଯଜାତିଙ୍କର ଏକ ତାମ୍ର ଶାସନରେ ଲେଖାଅଛି (J.B.O.R.S. Vol If, Pp 45-55) ଖ୍ରୀ: ପ୍ରାୟ ୬ଷ୍ଠ ଶତାବ୍ଦୀର ଗୋଟିଏ ଅଭିଲେଖରେ ଅମ୍ୱିକା ଓ ମଣି ନାଗେଶ୍ୱରଙ୍କୁ ମୈତ୍ରାୟଣୀ ଗୋତ୍ରୀୟ ବ୍ରାହ୍ମଣମାନେ ତାଙ୍କ ଆରାଧନା କରୁଥିଲେ । ସେହି ଶାସନଟି ପୁରୀ ଜିଲ୍ଲାସ୍ଥିତ ଓଳଶିଙ୍ଗ ଗ୍ରାମରୁ ମିଳିଥିଲା । (O.H.R.J.Vol II PP.31-46) ବର୍ତ୍ତମାନ ଆସିକା ସ୍ତମ୍ୱେଶ୍ୱରୀ ପାଟଣାରେ ପୂଜିତ ଅଧିଷ୍ଠାତ୍ରୀ ଦେବୀ ସ୍ତମ୍ଭେଶ୍ୱରୀ ମୁଖ୍ୟତଃ ଆଦିବାସୀଙ୍କ ପୂଜିତ କାଷ୍ଠସ୍ତମ୍ଭାକୃତି ବିଶିଷ୍ଟ ଦେବତା । ଖ୍ରୀ: ୪ର୍ଥ ବା ୫ମ ଶତାବ୍ଦୀର ଏକ ତାମ୍ର ଶାସନରେ * ଉଲ୍ଲେଖ ଅଛି ଯେ, କଳାହାଣ୍ଡି ଜିଲ୍ଲାରେ ଥିବା ପ୍ରାଚୀନ ପ୍ରସ୍ତର ଦ୍ୱାରକର ବ୍ରାହ୍ମଣ ଧର୍ମାବଲମ୍ୱୀ ରାଜା ତୁଷ୍ଟିକାରଙ୍କ ଇଷ୍ଟଦେବୀ ରୂପେ ସ୍ତମ୍ଭେଶ୍ୱରୀ ପ୍ରତିଷ୍ଠିତା ହୋଇଥିଲେ । ପରବର୍ତ୍ତୀ ଭଞ୍ଜ ଓ ଖିଡ଼ିଶିଙ୍ଗ ରାଜ୍ୟର ନଳବଂଶୀୟ ରାଜାମାନେ ତାଙ୍କୁ ଇଷ୍ଟଦେବୀ ରୂପେ ଆରାଧନା କରୁଥିଲେ । କିନ୍ତୁ ଆଦିବାସୀମାନେ ତାଙ୍କୁ କେଉଁ ନାମ ଦେଇଥିଲେ, ତାହା ଜଣାଯାଇ ନାହିଁ ।

 

* J.K,.H.R.S, Vol.II. No 2, PP. 107-110 ff O.H.R.J. Vol, I, Pt 2, PP.81-85 ff

 

ଶବରମାନଙ୍କ ପୂଜିତ କେତେକ ଦେବଦେବୀଙ୍କ ମଧ୍ୟରେ କେତେକ ରୋଗକାରକ ନିରୂପିତ ହୋଇ ଅଛନ୍ତି । ଯଥା :-

 

(୧)

‘କନ୍ମିବୋଜନ୍‌’ ହେଊଛନ୍ତି ମାରାତ୍ମକ ଅପସ୍ମାର ରୋଗକର୍ତ୍ତା । ତେଣୁ ସେ ପଥର ହୋଇ ଯେଉଁଠାରେ ରହିଥାନ୍ତି, ସେ ବାଟରେ ଯିବାକୁ ଶବରମାନେ ଭୟ କରନ୍ତି ।

(୨)

‘ସୋଡ଼ଙ୍ଗ’ ନାମକ ଦେବତା ଜ୍ୱର କରାନ୍ତି ।

(୩)

‘ଗୋସାଙ୍‌’ ନାମକ ଦେବତା ବ୍ରଣ ସୃଷ୍ଟି କରାନ୍ତି ।

(୪)

‘ଏର୍ଡ଼ାନ୍‌’ ନାମକ ଦେବତା ପିତ୍ତ ବମନ କରାନ୍ତି ।

 

ଏହି ଦେବତାମାନଙ୍କୁ ସନ୍ତୁଷ୍ଟ କରିବାକୁ ମଦ୍ୟ, ବସ୍ତ୍ର, ଇତ୍ୟାଦି ଦିଆଯାଇଥାଏ । ଏହା ପରେ ଗଡ଼େଜଙ୍ଗ୍‌, ସଂଡ଼୍ର, ବୁଲ୍ଲୁ ନାମକ ଦେବତାମାନେ ଆକାଶ ମାର୍ଗରେ ଭ୍ରମଣ କରୁଥାନ୍ତି ବୋଲି ଶବରମାନେ ବିଶ୍ୱାସ କରନ୍ତି । ଏମାନଙ୍କ ପ୍ରକୋପରୁ ଶିର ବ୍ୟଥା ଉଦର ବ୍ୟଥା ପ୍ରଭୃତି ରୋଗ ହୁଏ-। ଏମାନଙ୍କୁ ଶାନ୍ତ କରିବା ପାଇଁ ମଦ୍ୟ, ଛେଳି ଓ ବସ୍ତ୍ର ଦେବାକୁ ହୁଏ । ‘ରତୁନା’ ‘ସୋନୁମ୍‌’ ଓ ‘ପୁଲିଭୂତ’ ହେଉଛନ୍ତି ‘ସୋଡ଼ଙ୍ଗ୍‌ ଦେବତା ପତ୍ନୀ । ଏମାନେ କେବେ କେବେ ବ୍ୟାଘ୍ର ରୂପରେ କିମ୍ୱା ସ୍ୱାନ ରୂପରେ ଦେଖା ଦିଅନ୍ତି । ଏମାନେ କୁପିତ ହେଲେ ‘ଗଣ୍ଡମାଳ’ (ମୁଖବ୍ରଣ) ପ୍ରଭୃତି ରୋଗ ହୁଏ । ଏମାନଙ୍କ ପ୍ରୀତି ସକାଶେ; ମଦ୍ୟ ସମର୍ପଣ କରଯାଏ । ‘ଗୟର ବୁଲ୍ଲୁ’ ନାମକ ଦେବତା ନାରୀମାନଙ୍କ ପ୍ରସବ-ବେଦନା ଅଧିକ ତୀବ୍ର କରିଥାନ୍ତି; ସମୟେ ସମୟେ ପ୍ରସବ ଯନ୍ତ୍ରଣା ସହି ନପାରି ନାରୀ ପ୍ରାଣତ୍ୟାଗ କରେ । ତେଣୁ ଦେବତାଙ୍କୁ ସନ୍ତୁଷ୍ଟ କରିବାପାଇଁ ତାଙ୍କୁ ମଦ୍ୟ, ଛେଳି ଓ ଅନ୍ନାଦି ଭୋଗ ଦିଆଯାଏ । ଇଲ୍‌ଡ଼ା ସୋମ୍‌’ ନାମକ ଅନ୍ୟ ଏକ ଦେବତାଙ୍କ ଯୋଗୁଁ ନାରୀର ଗର୍ଭପାତ ହୁଏ । ତେବେ ଗର୍ଭ ରକ୍ଷା ନିମନ୍ତେ ସେ ଦେବତାଙ୍କୁ ପିଷ୍ଟକାଦି ଭୋଗ ଦିଆଯାଇଥାଏ । ‘ରୋଗା ବୋଜନ୍‌’ ନାମକ ଦେବୀ ହେଉଛନ୍ତି ‘ବୁଢ଼ିମା, ଶବରମାନେ ଏ ଦେବୀଙ୍କୁ ଅଧିକ ଭୟ କରନ୍ତି ।

 

ମାନ୍ଦ୍ରାଜ ସରକାରଙ୍କ ମାନୁସ୍କ୍ରିପ୍‌ଟ୍‌ ଲାଇବ୍ରେରୀ (Manuscript Library)ରେ ଗଚ୍ଛିତ ଥିବା ‘କଟକ ରାଜବଂଶାବଳୀ’ ନାମକ ଗୋଟିଏ ହସ୍ତ ଲିଖିତ ତେଲୁଗୁ ପୋଥିରେ ଗଞ୍ଜାମର ବଡ଼ଖିମୁଣ୍ଡିରାଜ ବଂଶାବଳୀ ଲେଖା ହୋଇଛି । ସେଥିରେ ବର୍ଣ୍ଣିତ ଅଛି ଯେ ସେଠାରେ ରାଜା ଅନଙ୍ଗଭୀମଦେବ (ଖ୍ରୀ: ୧୬୩୩-୧୬୭୯)ଙ୍କ ରାଜତ୍ୱ କାଳରେ ‘ବାଙ୍କେଶ୍ୱରୀ’ ନାମକ ଦୁର୍ଗା ଦେବୀ ଏକଦା ସ୍ୱପ୍ନରେ ରାଜାଙ୍କୁ କହିଥିଲେ ‘‘ଏହି ଅରଣ୍ୟ ମଧ୍ୟରେ ଥିବା ବଡ଼ଡ଼ୁମୁଜା ନାମକ ସମୀପବର୍ତ୍ତୀ ପୂର୍ବଦିଗସ୍ଥ ପର୍ବତର ଏକ ଗହ୍ୱରରେ ମୁଁ ରହିଛି । ପୂର୍ବେ ଗୃହମାନେ ପ୍ରତିଷ୍ଠା କରି ପୂଜା କରୁଥିଲେ । ଏବେ ତୁ ମୋର ଦୈନିକ ପୂଜାର୍ଚ୍ଚନା କର ।’’ ବାଙ୍କେଶ୍ୱରୀ ଏବଂ ତାରାତାରିଣୀ ପ୍ରଭୃତି କେତେକ ଦେବୀଙ୍କ ପ୍ରତିମା ମନୁଷ୍ୟାକୃତ ନୁହେଁ । ସେମାନେ କେତେ ଗୋଟି ପ୍ରସ୍ତରଖଣ୍ଡ ମାତ୍ର । ଏଣୁ ସେହି ଦେବୀମାନେ ଆଦିବାସୀଙ୍କ ଦେବୀ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେମାନଙ୍କ ସମ୍ମୁଖରେ ଅଦ୍ୟାପି ପଶୁବଳି ଦିଆଯାଉଛି । ଆଦିବାସୀ ଶବରମାନେ ପୂର୍ବେ ଦେବୀଙ୍କ ସମ୍ମୁଖରେ ପଶୁବଳି ଦେଇ ମଦ୍ୟ-ମାଂସ ପ୍ରଭୃତି ଭୋଗ ଦେଉଥିଲେ ଓ ନୃତ୍ୟଉତ୍ସବ ସମ୍ପାଦନ କରୁଥିଲେ । ତେଣୁ ଜଉଗଡ଼ର ଅଶୋକଙ୍କ କ୍ଷୁଦ୍ର ଅନୁଶାସନରେ ସେହି ଉତ୍ସବକୁ ନିଷେଧ କରାଯାଇଥିଲା ।

 

ବାସ୍ତବରେ ଖ୍ରୀ:ପୂ: ତୃତୀୟ ଶତାବ୍ଦୀ ପୂର୍ବରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ତାରାତାରିଣୀ ପର୍ବତରେ ଦେବୀଙ୍କର ଆରାଧନା ଏବଂ ଉତ୍ସବମାନ ହେଉଅଛି । କାଳକ୍ରମେ ଆଦିବାସୀମାନଙ୍କ ସେହି ଆରାଧନା ପଦ୍ଧତି ଆର୍ଯ୍ୟ ବ୍ରାହ୍ମଣମାନେ ତାନ୍ତ୍ରିକ-ମତରେ ଦେବୀଙ୍କ ଆରାଧନା କରିବାକୁ ଲାଗିଲେ । ସେମାନେ ‘ପଞ୍ଚମକାର’ ନିୟମରେ ମଦ୍ୟ ଓ ମାଂସ ଦେବୀଙ୍କୁ ଭୋଗ ଦେଉଥିଲେ । ସୁତରାଂ ଖ୍ରୀ: ୭ମ ଶତାବ୍ଦୀରେ ବିଭିନ୍ନ ନାମରେ ଦେବୀଙ୍କ ଉପାସନା କଳିଙ୍ଗ ରାଷ୍ଟ୍ରରେ ପ୍ରଚଳିତ ହେବା ଓ ଦେବୀଙ୍କୁ ବିଭିନ୍ନ ଆକାରରେ ମନ୍ଦିରମାନଙ୍କରେ ସ୍ଥାପନ କରାଗଲା । ଏ ଦୃଷ୍ଟିରୁ ବିଚାର କଲେ ଆମ୍ଭେ ଜାଣିପାରିବୁ ଯେ ଆଦିବାସୀ ସଂସ୍କୃତି ସଙ୍ଗେ ଆର୍ଯ୍ୟମାନଙ୍କ ତାନ୍ତ୍ରିକ ବିଧି ଓତପ୍ରୋତ ଭାବେ ଜଡ଼ିତ ।

 

‘ତନ୍ତ୍ର-ଯୁଗ’ ପରେ କଳିଙ୍ଗ ତଥା ଉତ୍କଳରେ ଭୌମିକର ବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ବୌଦ୍ଧଧର୍ମରେ ତାନ୍ତ୍ରିକ ପଦ୍ଧତିକୁ ମିଶାଇ ଏକ ନୂତନ ଧର୍ମର ଅଭ୍ୟୁଦୟ ହେଲା । ସେତେବେଳେ ବୌଦ୍ଧ ଧର୍ମାବଲମ୍ୱୀ ସିଦ୍ଧାଚାର୍ଯ୍ୟମାନେ ଏ ଦେଶରେ ଆଦିବାସୀ ଶବରମାନଙ୍କୁ ମଧ୍ୟ ତାନ୍ତ୍ରିକ ବୌଦ୍ଧ-ଧର୍ମରେ ଦୀକ୍ଷା ଦେବାକୁ ଲାଗିଲେ । ଆଉ ମଧ୍ୟ ଜାତିବର୍ଣ୍ଣ ନିର୍ବିଶେଷରେ ନିମ୍ନ ସ୍ତରରେ ରହିଥିବା ଡମ, ହାଡ଼ି, ଚଣ୍ଡାଳ ପ୍ରଭୃତିଙ୍କୁ ମିଶାଇ ଦେଇ ଏକ ନୂତନ ସମାଜ ଗଠନ ଦିଗରେ ଉଦ୍ୟମ କରିଥିଲେ । ସେହି ସିଦ୍ଧାଚାର୍ଯ୍ୟମାନଙ୍କ ମଧ୍ୟରେ ବଜ୍ର ଯାନୀ-ସିଦ୍ଧ ଯୋଗୀ ଶବରୀପା ଅନ୍ୟତମ । ତାଙ୍କର ନିମ୍ନୋକ୍ତ ‘ଦୋହା’ ଗାନ ମୁଖ୍ୟତଃ ପର୍ବତରେ ବାସ କରୁଥିବା ଶବରମାନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇଥିଲା–

 

‘‘ଉଁଚା ଉଁଚା ପାବତ ତହିଁ ବସଇ ଶବରୀ ବାଳୀ

ମୋରଙ୍ଗୀପିଚ୍ଛ ପରହି ଶବରୀ ଗୀବତ ଗୁଜରୀମାଳୀ

ଉମତ ସବରେ ପାଗଳ ସବର, ମାକର ଗୁଳୀ ଗୁହାଡ଼ି,

ତୋହରି ଶେଅ ଘରଣୀ ସହଜ ସୁନ୍ଦରୀ

ନା ନା ତରୁବର ମୌଳିଲାରେ ଗଅଣତ ଲାଗେଲି ଡାଳି

ଏକଲା ସବର ଏ ବନ ହିଣ୍ଡଇ କର୍ଣ୍ଣକୁଣ୍ଡଳ ବଜ ଧାରୀ ।’’

ଅନ୍ୟ ଏକ ଦୋହାରେ ସେ ରଚନା କରିଛନ୍ତି-

‘‘ଛାଡ଼ ଛାଡ଼ ମାଆ ମୋହ ବିଷମ ଦୁଦୋଳୀ ।

ମହାସୁହେ ବିଳସଇ ସବରୋ ଲାଇଆ ସୁତା ମେହେଲୀ’’ (*)

 

* ଏହା ପ୍ରାଚୀନ ଓଡ଼ିଆ ଭାଷା, ଯହାକି ‘ଉଡ୍ର ପ୍ରାକୃତ ନାମରେ ଅଭିହିତ ।

 

ଖ୍ରୀ: ୯ମ ବା ୧୦ ଶତାବ୍ଦୀରେ ସେହି ତାନ୍ତ୍ରିକ-ବୌଦ୍ଧ ଧର୍ମର ଏ ବିରାଟ ସଂସ୍କାର ଉତ୍କଳରେ ଗଙ୍ଗାବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ସମ୍ପାଦିତ ହୋଇଥିଲା । ସେତେବେଳେ ତାନ୍ତ୍ରିକ ବୈଷ୍ଣବ ଧର୍ମ ପ୍ରାଧାନ୍ୟ ବିସ୍ତାର କରି ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଶିବ ରୂପରେ ଶ୍ରୀ ବଳଭଦ୍ର, ଦେବୀ ରୂପରେ ଦେବୀ ସୁଭଦ୍ରା ଓ ମାଧବ (ବିଷ୍ଣୁ) ରୂପରେ ଶ୍ରୀପୁରୁଷୋତ୍ତମଙ୍କ ବିଗ୍ରହ ପ୍ରତିଷ୍ଠା ଲାଭ କଲେ । କାଳକ୍ରମେ ସେହି ତିନିମୂର୍ତ୍ତିଙ୍କୁ ଦାରୁରେ ନିର୍ମାଣ କରି ସେମାନଙ୍କ ଆରାଧନା ସକାଶେ ଦେଳବ ପଣ୍ଡାଙ୍କ ସମେତ ଶୁଦ୍ଧ ଶବରମାନଙ୍କୁ ମଧ୍ୟ ନିଯୁକ୍ତ କରାଗଲା । ଏକ ସୁପ୍ରଚଳିତ କିମ୍ୱଦନ୍ତୀ ଅନୁସାରେ ପୂର୍ବେ ‘ବସୁ’ ନାମକ ଜଣେ ଶବର ନୀଳମାଧବଙ୍କୁ କୌଣସି ଅରଣ୍ୟର ନିଭୃତ ସ୍ଥାନରେ ପ୍ରତିଷ୍ଠା କରି ପୂଜା କରୁଥିଲେ । ଏକଥା ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ରାଜା ଶୁଣୀ ବିଷ୍ଣୁଙ୍କ ଆରାଧନା ନିମନ୍ତେ ସେହି ପ୍ରତିମାକୁ ଅଣାଇ ନୀଳାଚଳରେ ସ୍ଥାପନ କରିବାକୁ ଉଦ୍ୟମ କରିଥିଲେ ।

 

‘ନୀଳମାଧବ’ ନାମଟି ଶବରମାନେ ବ୍ୟବହାର କରୁଥିଲେ ବୋଲି କହିବା ନିରର୍ଥକ । ସେହି ସଂସ୍କୃତ ନାମକୁ ଆର୍ଯ୍ୟ ବୈଷ୍ଣବ ସମ୍ପ୍ରଦାୟ ବ୍ୟବହାର କରନ୍ତି । ଆଦିବାସୀ ଶବରମାନେ ଦେବତାଙ୍କୁ ତାଙ୍କ ଭାଷାରେ ‘‘କିତୁଂ’’ ବୋଲି କହନ୍ତି । ସେମାନଙ୍କ ଆରାଧିତ ବିଭିନ୍ନ ନାମରେ ଥିବା କିତୁଂଙ୍କ ମଧ୍ୟରେ ‘ଜଗଂତ’ ନାମକ ଦେବତାଙ୍କୁ ଆଷାଢ଼ ମାସରେ ସେମାନେ ଆରାଧନା କରୁଥିଲେ-। କେହି କେହି ପଣ୍ଡିତଙ୍କ ମତରେ ସେହି ନାମରୁ ହିଁ ଆର୍ଯ୍ୟମାନେ ତାଙ୍କ ଦେବତାଙ୍କୁ ‘ଜଗନ୍ନାଥ’ ନାମରେ ଅଭିହିତ କରିଥିବା ସମ୍ଭବ । ତେଣୁ ଆଷାଢ଼ ମାସରେ ତାଙ୍କର ରଥଯାତ୍ରା ସମ୍ପନ୍ନ ହୁଏ ।

 

ହସ୍ତପଦହୀନ ‘କିତୁଂ’ଙ୍କ ଶାରୀରିକ ଗଠନ ସମ୍ପର୍କରେ ଗୋଟିଏ କିମ୍ୱଦନ୍ତୀ ଅଛି ବୋଲି ଶ୍ରୀ ଗୋପୀନାଥ ଦାସ ତାଙ୍କ ଏକ ପ୍ରବନ୍ଧରେ ନିମ୍ନ ପ୍ରକାରେ ଲେଖିଛନ୍ତି :–ଏକଦା ରାବଣଗିରି ପର୍ବତ ଉପରେ କିତୁଙ୍ଗ୍‌ ମହାପ୍ରଭୁ ଖଣ୍ଡିଏ ବଡ଼ ପଥର ଫଟାଇବା ଫଳରେ ସେଥିରୁ ଅଗ୍ନି ନିର୍ଗତ ହେଲା । ପଥରଟି ଭାଙ୍ଗିଯାଇ ସେଥିରୁ ଖଣ୍ଡିଏ ଅଂଶ ଊର୍ଦ୍ଧ୍ୱଦେଶକୁ ଛିଟିକି ଯାଇ ତାହା ତଳକୁ ଖସି କିତୁଂ ଦେବତାଙ୍କ ମସ୍ତକର ବାମଭାଗରେ ଆଘାତ କଲା । ସେହି ଅଗ୍ନିର ଉତ୍ତାପ ଏପରି ତୀବ୍ର ହୋଇଥିଲା ଯେ, ସେଥିରେ କିତୁଂଙ୍କ ହାତ ଓ ପାଦ ପୋଡ଼ିଗଲା । ତେଣୁ ସେ ଛୋଟା ହୋଇ ପଙ୍ଗୁ ଅବସ୍ଥାରେ ରାବଣ ଗିରିରେ ରହିଲେ ।’’(*)

 

* ‘ଉତ୍କଳ-ପ୍ରସଙ୍ଗ’ (ନବକଳେବର ବିଶେଷାଙ୍କ) ୧୯୬୯, ୨୫ ଭାଗ, ୧୨ଶ ସଂଖ୍ୟା ଦ୍ରଷ୍ଟବ୍ୟ ।

 

ଶବର ପୂଜିତ ଦେବଦେବୀଙ୍କ ମଧ୍ୟରେ ଅନ୍ୟ ଏକ ଗଣଦେବତାଙ୍କ ନାମ ହେଉଛି ‘‘ମଞ୍ଜୋରମୂମ୍‌’’ । ସେହି ଗଣଦେବତା ତିନୋଟି ମୂର୍ତ୍ତି, ଦୁଇ ପୁରୁଷଙ୍କ ମଧ୍ୟରେ ଏକ ନାରୀମୂର୍ତ୍ତି ବିଦ୍ୟମାନ । ସମ୍ଭବତଃ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ତିନିମୂର୍ତ୍ତିଙ୍କ ଏକତ୍ର ସମାବେଶକୁ ଅନୁକରଣ କରି ଶବରମାନେ ‘ମଞ୍ଜୋରମୂମ୍‌’ଙ୍କ ତିନିମୂର୍ତ୍ତ ସ୍ଥାପନ କରିଥିଲେ । ଶବରମାନଙ୍କ ଦେବଦେବୀଙ୍କ ଆରାଧନା ପାଇଁ ଯେଉଁ ପୂଜକ ନିଯୁକ୍ତ ହୋଇଥାନ୍ତି, ତାଙ୍କର ସଂଜ୍ଞା ହେଉଛି ‘‘ଜାନ୍ମି’’ । ପ୍ରତି ଶବର ପଲ୍ଲୀରେ ଜଣେ ଜଣେ ଜାନ୍ମି ରହି ଦେବଦେବୀଙ୍କ ସେବା କରନ୍ତି ।

 

ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ବୈଷ୍ଣବ ଧର୍ମ ଉତ୍କଳରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ବୈଷ୍ଣବ ଆଚାର୍ଯ୍ୟ କିମ୍ୱା ପୁରୋହିତଙ୍କଠାରେ ଶିକ୍ଷା ପାଇ ଶବରମାନଙ୍କ ମଧ୍ୟରେ ‘ଶୁଦ୍ଧ’ ବା ‘ଜରାଶବର’ ନାମକ ଏକ ସ୍ୱତନ୍ତ୍ର ଶ୍ରେଣୀର ଅଭ୍ୟୁଦୟ ହେଲା । ସେମାନେ ମହେନ୍ଦ୍ରାଚଳର ପାଦ ଦେଶରେ ଥିବା କେତେକ ପଲ୍ଲୀରେ ବାସ କରନ୍ତି । ମହେନ୍ଦ୍ର ପର୍ବତରୁ ପ୍ରବାହିତ ଦକ୍ଷିଣଗାମୀ ‘ମହେନ୍ଦ୍ରତନୟା’ ନାମକ ନଦୀର ଅବବାହିକା ଅଞ୍ଚଳରେ ଅଧିକାଂଶ ଶୁଦ୍ଧ-ଶବର ବାସ କରୁଥିବା ଦେଖାଯାଏ । ସେମାନେ ଅନ୍ୟାନ୍ୟ ଶ୍ରେଣୀର ‘ଲାଞ୍ଜିଆ’ ଶବରମାନଙ୍କଠାରୁ ସ୍ୱତନ୍ତ୍ର ହୋଇ ଅଧିକ ଶିକ୍ଷିତ ଓ ସଭ୍ୟତା ଲାଭ କରିଥିବା ଦେଖାଯାଏ । ସେମାନେ ନିଜକୁ ‘ଜରାଶବର’ ବୋଲି ମଧ୍ୟ ପରିଚୟ ଦେଇଥାନ୍ତି । ତାଙ୍କ କହିବା ଅନୁସାରେ ‘ଭାଗବତ-ପୁରୁାଣରେ ବର୍ଣ୍ଣିତ ଜରାଶବର, ଯେ କି ଶ୍ରୀକୃଷ୍ଣଙ୍କ ପାଦରେ ଶରାଘାତ କରି ପରେ ଅନୁତାପ କରିଥିଲା ଏବଂ ଶ୍ରୀକୃଷ୍ଣ ତାକୁ କ୍ଷମା କରିଥିଲେ ଆଉ ମଧ୍ୟ ସ୍ୱର୍ଗ ଲାଭ କରାଇଥିଲେ । ତେଣୁ ସେହି ବିଷ୍ଣୁଭକ୍ତ ଜରାଶବରଙ୍କ ବଂଶଧରମାନେ ବ୍ରାହ୍ମଣ୍ୟଧର୍ମାବଲମ୍ୱୀ ଗୁରୁଙ୍କଠାରୁ ଶିକ୍ଷା ପାଇ ଗଳାରେ ତୁଳସୀମାଳା ଧାରଣ କରିବା; ତୁଳସୀ ଚଉରା ଗ୍ରାମର ମଧ୍ୟସ୍ଥଳରେ ସ୍ଥାପନ କରି ବିଷ୍ଣୁଙ୍କ ଆରାଧନା କରିବା ପ୍ରଭୃତି ବୈଷ୍ଣବଧର୍ମ ଅବଲମ୍ୱନ କରି ଅଛନ୍ତି । ଏଣୁ ସେମାନେ ‘ଶୁଦ୍ଧ’ ନାମରେ ପରିଚିତ ହେଲେ ଓ ଦାରୁବ୍ରହ୍ମଙ୍କ ସେବକ ରୂପେ ନିଯୁକ୍ତ ହୋଇଥିଲେ । ତାଙ୍କ ଗୋଷ୍ଠୀର କେତେକ ପରିବାର ‘ମହେନ୍ଦ୍ର-ଭୋଗ-ବିଷୟ’ରୁ ଉଠିଯାଇ ଶ୍ରୀକ୍ଷେତ୍ର ଓ ପାର୍ଶ୍ୱବର୍ତ୍ତୀ ସାକ୍ଷୀଗୋପାଳରେ ବାସ କରୁଅଛନ୍ତି । ସେମାନେ ହିଁ ଶ୍ରୀଜଗନ୍ନାଥଙ୍କ ‘ନବକଳେବର’ ପାଇଁ ବନରୁ ପବିତ୍ର ଦାରୁ (ନିମ୍ୱବୃକ୍ଷରୁ) କାଟି ଆଣିବା ଏବଂ ପ୍ରଭୁଙ୍କର ‘ଅନବସର’ ବେଳେ ତାଙ୍କର ସମସ୍ତ ସେବା କରିବାପାଇଁ ନିଯୁକ୍ତ ହୋଇଥାନ୍ତି । ଆଷାଢ଼ ମାସରେ ‘ରଥଯାତ୍ରା’ରେ ମହାପ୍ରଭୁଙ୍କ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବେଳେ ଶୁଦ୍ଧ ଶବରମାନେ ହିଁ ଠାକୁରମାନଙ୍କ ସେବାନୀତି ତୁଲାଇଥାନ୍ତି । ପ୍ରଭୁଙ୍କ ସେବା କରିବା ହେତୁ ଓଡ଼ିଶାର ରାଜାମାନଙ୍କ ଅନୁମତି କ୍ରମେ ଶୁଦ୍ଧ ଶବରମାନେ ବ୍ରାହ୍ମଣଙ୍କ ପରି ‘ଉପବୀତ’ ଧାରଣ କରିବା ସମ୍ଭବ ହୋଇଥିଲା । ସେମାନଙ୍କ ସାମାଜିକ ଆଚାର-ବ୍ୟବହାର ମୌଳିକ ଶବର ଜାତିଠାରୁ ସ୍ୱତନ୍ତ୍ର ହୋଇ ରହିଲା ।

 

ଉପରୋକ୍ତ ଆଲୋଚନାରୁ ଜଣାଯାଉଛି ଯେ, କଳିଙ୍ଗ ତଥା ଉତ୍କଳର ଆଦିମ ଅଧିବାସୀମାନେ ପ୍ରାଚୀନ ଯୁଗରୁ ଆରମ୍ଭ କରି ସେମାନଙ୍କ ଧର୍ମ ଓ ସଂସ୍କୃତିକୁ ଏ ପର୍ଯ୍ୟନ୍ତ ଉନ୍ନତରୁ ଉନ୍ନତତର କରିବାରେ ଲାଗିଛନ୍ତି ।

 

 

ଶ୍ରୀବିହାର କ୍ୟାମ୍ପସ

ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟ

 

***

 

Unknown

କୋରାପୁଟର ଲୋକନାଟକ ଦେଶୀୟା ନାଟର

ଶାସ୍ତ୍ରୀୟ ଓ ଲୌକିକ ଭିତ୍ତି

ଡକ୍‌ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ

 

ଓଡ଼ିଶାର ଆଧୁନିକ ରୁଚି ପ୍ରଭାବିତ ଅଞ୍ଚଳଗୁଡ଼ିକ ମୌଳିକ ଓଡ଼ିଆ ସଂସ୍କୃତିକୁ କ୍ରମେ ବିସ୍ମୃତ ହୋଇ ପଡ଼ୁଥିବାବେଳେ କୋରାପୁଟ ଅଞ୍ଚଳ ନିଜର ପ୍ରାକୃତିକ ଶୋଭା ସମ୍ପଦକୁ ଅକ୍ଷୁଣ୍ଣ ରଖିବା ସଙ୍ଗେ ସଙ୍ଗେ ପାରମ୍ପରିକ ସଂସ୍କୃତିର ଧାରକ ଓ ବାହକ ଭାବେ ନିଜକୁ ଅବିଚଳିତ କରି ରଖି ଆସିଛି । କୋରାପୁଟର ସର୍ବାଧିକ ଜନପ୍ରିୟ ଲୋକନାଟକ ଦେଶିଆନାଟ ଓଡ଼ିଆ ଲୋକନାଟ୍ୟ ପରମ୍ପରା ଏକ ସ୍ୱତନ୍ତ୍ର ମର୍ଯ୍ୟାଦାପୂର୍ଣ୍ଣ ଆସନର ଅଧିକାରୀ । ନିଜସ୍ୱ ରୀତି ବୈଚିତ୍ର୍ୟ ଯୋଗୁଁ ଏହା ଆଜି ସଂସ୍କୃତିପ୍ରେମୀମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ସମର୍ଥ । ମୂଳତଃ ଶାସ୍ତ୍ରାନୁମୋଦିତ ସଂସ୍କୃତ ନାଟ୍ୟ ଆଙ୍ଗିକର ଅନୁସରଣରେ ରଚିତ ଏହି ନାଟକ ଲୋକାୟତ ସ୍ତରର ଜନଗୋଷ୍ଠୀଦ୍ୱାରା ଅଭିନୀତ ଓ ଉପଭୁକ୍ତ ହୋଇ କ୍ରମେ ଲୋକନାଟକରେ ରୂପାନ୍ତରିତ । ଏହାର ଆଙ୍ଗିକ ଓ ଆତ୍ମିକଗତ ବିବର୍ତ୍ତନ ପ୍ରକ୍ରିୟା ଏକ କତୂହଳପୂର୍ଣ୍ଣ ଅଧ୍ୟୟନ ।

 

ଶାସ୍ତ୍ରିୟ ନାଟକ ଶାସ୍ତ୍ରନୁମୋଦିତ ରୀତି ନିୟନ୍ତ୍ରିତ । ନିର୍ଦ୍ଦିଷ୍ଟ ଲେଖ୍ୟରୂପ ଯୋଗୁଁ ଏହା ସ୍ଥାୟୀ । ଉଭୟ ପାଠ୍ୟ ଓ ନାଟ୍ୟ ଭାବରେ ଏହା ପ୍ରାୟ ସମଗୁରୁତ୍ୱପୂର୍ଣ୍ଣ । ସମ୍ଭ୍ରାନ୍ତ ଓ ବିଦଗ୍‌ଧ ଶ୍ରେଣୀର ଦର୍ଶକ ଓ ପାଠକମାନଙ୍କ ମଧ୍ୟରେ ଏହାର ଗତି ସୀମାବଦ୍ଧ । ଅନ୍ୟ ଦିଗରେ ଲୋକନାଟକ କୌଣସି ସୃଷ୍ଟି ଶାସନର ଅପେକ୍ଷା ରଖେନାହିଁ । ପରିମିତିବୋଧ ଅଭାବରୁ ଏହାର ବିକାଶ ଓ ପରିଣତି ସୁନିର୍ଦ୍ଦିଷ୍ଟ ନୁହେଁ । ଲୋକୋତ୍ତର ବିସ୍ତୃତି ଓ ସ୍ୱାଧୀନତା ଏହାର ଧର୍ମଭାବରେ ଗୃହୀତ । ଲୋକନାଟକର ଲେଖକ, ନିର୍ଦ୍ଦେଶକ, ଶିଳ୍ପୀ ଓ ଦର୍ଶକ ସମସ୍ତେ ଲୋକାୟତ ସ୍ତରର ଏବଂ ଲୋକରୁଚିସମ୍ପନ୍ନ । ଲୋକନାଟ୍ୟର ଅଭିନୟ ଆତିଶଯ୍ୟପୂର୍ଣ୍ଣ; ଅଭିନୟ କ୍ଷେତ୍ର ଲୌକିକ, ନିରାଡ଼ମ୍ୱର ଓ ମୁକ୍ତ ।

 

ଲେଖ୍ୟରୁପ ଓ କଥିତରୂପ ଶାସ୍ତ୍ରୀୟ ନାଟକ ଓ ଲୋକନାଟକର ମୂଳ ବିଭାଜନରେଖା । ସବୁ କ୍ଷେତ୍ରରେ ସିଦ୍ଧାନ୍ତ ଅପରିବର୍ତ୍ତନୀୟ ବୋଲି ଯେଉଁ ଧାରଣା ଦୃଢ଼ମୂଳ, ତାହା ବର୍ତ୍ତମାନ ପରୀକ୍ଷଣୀୟ । ଲୋକକଥା, ଲୋକଗୀତ, ଲୋକବଚନ ମୁଖରୁ ମୁଖ ପ୍ରସାରିତ । ଆବୃତ୍ତଧର୍ମିତା, ଗାନଯୋଗ୍ୟତା, କଥକତା, ଆପାତଃ ସଂକ୍ଷିପ୍ତତା, ଲୋକଜୀବନଧର୍ମିତା ଏବଂ ସାବଲୀଳ ଲୋକଭାଷା ପ୍ରୟୋଗ ଏହାର ମୂଳ କାରଣ; କିନ୍ତୁ ଲୋକନାଟ୍ୟ ପକ୍ଷରେ ସର୍ବଥା ଏହି ସର୍ତ୍ତ ଗ୍ରହଣୀୟ ନୁହେଁ । ଲୋକନାଟକର ବିଷୟବସ୍ତୁ ରୋମାଣ୍ଟିକ୍‌ ଏବଂ ଏହା ମୁଖ୍ୟଭାବେ ପୁରାଣରୁ ଓ ଆଶିଂକ ଭାବେ ଇତିହାସରୁ ସଂଗୃହୀତ । ରୋମାଣ୍ଟିକ୍‌ ଆତିଶଯ୍ୟ ଓ ଦୂରତ୍ୱ ସୃଷ୍ଟିପାଇଁ ଏହାର ପ୍ରଧାନ ଚିତ୍ରଗୁଡ଼ିକ ଦେବଦେବୀ ବା ରାଜନ୍ୟବର୍ଗ । ଏହି ଚରିତ୍ରଗୁଡ଼ିକୁ ବିଶ୍ୱାସଯୋଗ୍ୟ ଓ ଲୋକଜୀବନରୁ ଦୂରବର୍ତ୍ତୀ କରାଇବା ଲାଗି ଏମାନଙ୍କ ମୁଖର ଭାଷା ଆଡ଼ମ୍ୱରପୂର୍ଣ୍ଣ, ତତ୍‌ସମ ଶବ୍ଦବହୁଳ, କାବ୍ୟିକ ଓ ସ୍ଥଳ ବିଶେଷରେ ଆଳଙ୍କାରିକ; ଧ୍ୱନିମାଧୁର୍ଯ୍ୟ ସତ୍ତ୍ୱେ ଏହି ଭାଷାର ଅର୍ଥବୋଧ ଅଭିନେତୃମଣ୍ଡଳୀ ପକ୍ଷରେ ସର୍ବତ୍ର ସମ୍ଭବ ନୁହେଁ । ପୁଣି ଦୀର୍ଘ ସମୟବ୍ୟାପୀ ଅଭିନୀତ ଲୋକନାଟକମାନ ବିପୁଳ କଳେବର ବିଶିଷ୍ଟ । ନାଟକର ଲେଖ୍ୟରୂପ ଅଭାବରେ ଗ୍ରାମୀଣ ଜନତାଦ୍ୱାରା ଅଭିନୟ ଅଭ୍ୟାସ ସମ୍ଭବ ନୁହେଁ । ଲେଖନୀର ବିନା ସାହାଯ୍ୟରେ କୌଣସି ବ୍ୟକ୍ତି ଏପରି ଏକ ସ୍ଫୀତାକାର ଲୋକନାଟକ ରଚନା କରିପାରିବ ନାହିଁ । କାରଣ ଗୋଟିଏ ନାଟକର ରଚନା ଗୋଟିଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ବା ଦିନର ଘଟଣା ନୁହେଁ । ଏ ସମସ୍ତଙ୍କୁ ବିଚାରକୁ ନେଲେ ଲୋକନାଟକର ଲେଖ୍ୟରୂପରେ ସ୍ଥିତି ଅବଶ୍ୟ ସ୍ୱୀକାର୍ଯ୍ୟ । ଏହା କେବଳ ଯୁକ୍ତିସାପେକ୍ଷ ନୁହେ ଅନୁଭୂତିସିଦ୍ଧ ମଧ୍ୟ । ଗଞ୍ଜାମ, ପୁରୀ, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର, ଫୁଲବାଣୀ, ଢେଙ୍କାନାଳ ପ୍ରଭୃତି ଜିଲ୍ଲାରେ ବହୁ ଲୋକନାଟ୍ୟ ତାଳପତ୍ରପୋଥି ଏବଂ କାଗଜ ପାଣ୍ଡୁଲିପି ଆକାରରେ ସଂରକ୍ଷିତ-। ନିର୍ଦ୍ଦିଷ୍ଟ ନାଟ, ସୁଆଙ୍ଗ ଓ ଲୀଳାର ଏକାଧିକ ପାଣ୍ଡୁଲିପି ବିଭିନ୍ନ ଅଞ୍ଚଳରେ ମଧ୍ୟ ପରିଲିକ୍ଷିତ ।

 

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କେତେକ ଧର୍ମୀୟ ଲୋକାଚାର ରହିଛି, ଯାହା ନାଟ୍ୟଗୁଣ ସମ୍ପନ୍ନ ଓ ଅଭିନେୟ । ଏଗୁଡ଼ିକ ବିଧିବଦ୍ଧ ଅଭିନୟ ସାପେକ୍ଷ ଲୋକନାଟ୍ୟର ପୂର୍ବାବସ୍ଥା ବୋଲି ଅନୁମିତ ହୁଏ । କଳାହାଣ୍ଡିର ହରିଜନ୍ମ, ଋଷ୍ୟଶୃଙ୍ଗ ବରଣ, ସମ୍ୱଲପୁରର ଧନୁଯାତ୍ରା, କୋରାପୁଟର ଠାକୁରାଣୀ ପର୍ବଯାତ୍ରା, ପୁରୀର ସାହୀଯାତ, ଶୀତଳଷଷ୍ଠୀ ଯାତ୍ରା, ଚମ୍ପକ ଦ୍ୱାଦଶୀର ରାଧାକୃଷ୍ଣ ମିଳନ, ରଥଯାତ୍ରାର ଲକ୍ଷ୍ମୀ ନାରାୟଣ କଳି ପ୍ରଭୃତି ଏହି ଶ୍ରେଣୀର । ଏଗୁଡ଼ିକର ଲେଖ୍ୟରୂପ ନାହିଁ କିମ୍ୱା ଲେଖ୍ୟରୂପର ଆବଶ୍ୟକତା ଅନୁଭୂତ ହୁଏ ନାହିଁ । ଧର୍ମନୁଷ୍ଠାନ, ତୀର୍ଥଯାତ୍ରା ଓ ଧର୍ମୀୟ ଶୋଭାଯାତ୍ରାରୁ ଏ ସମସ୍ତ ଅଭିନୟ ଧର୍ମାଚାରର ସୃଷ୍ଟି ସ୍ୱାଭାବିକଭାବେ ହୋଇଥିବା ଅନୁମେୟ । ଲୋକଙ୍କଦ୍ୱାରା ସହଜ ଓ ସ୍ୱାଭାବିକ ଭାବେ ସୃଷ୍ଟ ଓ ପ୍ରସାରିତ ଲୋକନାଟ୍ୟର ସ୍ଥାୟୀତ୍ୱ ଦୀର୍ଘସ୍ଥାୟୀ ହୋଇପାରେ; ମାତ୍ର ଯେଉଁ ଲୋକନାଟ୍ୟରେ କିଛି ପରିମାଣରେ କୃତ୍ରିମତା ଅଛି ବା ଶାସ୍ତ୍ରୀୟତା ଅଛି, ତାହା ଯେ କ୍ଷଣସ୍ଥାୟୀ ଏପରି କହିବା ମଧ୍ୟ ଭୁଲ । ଲୌକିକତା ଭିତରେ ଶାସ୍ତ୍ରୀୟତାର କିମ୍ବା ଭିତରେ ଲୌକିକତାର ଉପସ୍ଥିତି ରହିପାରେ ।

 

ଏବେ ମଧ୍ୟ ଲୋକନାଟକର ସୃଷ୍ଟି ପ୍ରଥମେ ନା ସଂସ୍କୃତ ନାଟକର ସୃଷ୍ଟି ପ୍ରଥମେ–ଏ ବିଷୟରେ ସଂଦେହ ଅଛି । ନାଟକର ଲୌକିକ ରୂପ ମାର୍ଜିତ ହୋଇ ସଂସ୍କୃତ ହୋଇଥାଇ ପାରେ । ଲୋକନାଟକରେ ଗ୍ରିୀକ୍‌ ଓ ସଂସ୍କୃତ ନାଟ୍ୟ ଶୈଳୀର ଆଭାସ ଲକ୍ଷ୍ୟ କଲେ ଶାସ୍ତ୍ରୀୟ ନାଟକରୁ ଲୋକନାଟ୍ୟର ସୃଷ୍ଟି ସମ୍ପର୍କିତ ଅନୁମାନ ସୁଦୃଢ଼ ହୁଏ । ଯଦି ଲୋକନାଟ୍ୟର ଲେଖ୍ୟରୂପକୁ ସ୍ୱୀକାର କରିବାକୁ ପଡ଼େ, ତେବେ ତାହା ତାର ପୂର୍ବବର୍ତ୍ତୀ ଶାସ୍ତ୍ରୀୟ ନାଟକର ଅନୁସରଣ କରିଥିବା ସ୍ୱାଭାବିକ-। କାଳକ୍ରମେ ଲୋକନାଟ୍ୟରେ ପ୍ରଚଳିତ ଶାସ୍ତ୍ରୀୟ ଉପାଦାନଗୁଡ଼ିକ କେତେବେଳେ ଅବିକଳ, କେତେବେଳେ ପରିବର୍ତ୍ତିତ ବା କେତେବେଳେ ଲୁପ୍ତ ଅବସ୍ଥା ପ୍ରାପ୍ତ ହୁଏ । ଶାସ୍ତ୍ରୀୟ ନାଟକ ମଧ୍ୟ ଲୋକଙ୍କଦ୍ୱାରା ବାରମ୍ୱାର ଅଭୀନିତ ହୋଇ ପରିବର୍ତ୍ତିତ ଆକାରରେ ଲୋକରୂପ ଧାରଣ କରେ । ତଦନୁଯାୟୀ ବିଚାର କଲେ ସାଧାରଣ ଲୋକଙ୍କଦ୍ୱାରା ମାର୍ଜିତ ଭାଷାର ଅଶୁଦ୍ଧ ଉଚ୍ଚାରଣ ହିଁ ନୂତନ ଲୌକିକ ଭାଷା ସୃଷ୍ଟିର କାରଣ । ଭାଷାର ଏକ ସ୍ୱାଭାବିକ ପରିବର୍ତ୍ତନ ସୂତ୍ର ଲୋକନାଟ୍ୟ ପାଇଁ ମଧ୍ୟ ପ୍ରଯୋଜ୍ୟ । ଏ ସ୍ଥଳରେ ଆଉ ଗୋଟିଏ କଥା ସ୍ମର୍ତ୍ତବ୍ୟ ଯେ କଥିତ ଭାଷାର ସଂସ୍କାରରେ ସଂସ୍କୃତ ଭାଷାର ସୃଷ୍ଟି ପରି ଲୋକନାଟକର ସଂସ୍କାରରେ ପ୍ରଥମେ ଶାସ୍ତ୍ରୀୟ ନାଟକର ସୃଷ୍ଟି ହୋଇଥିବ । ପରେ ସଂସ୍କୃତ ଅପଭ୍ରଷ୍ଟ ହୋଇ ଲୋକଭାଷାରେ ପରିଣତ ହେଲା ପରି ଶାସ୍ତ୍ରୀୟ ନାଟକ ଲୋକନାଟକରେ ରୂପାନ୍ତରିତ ହୋଇଛି । ତେଣୁ ଏହି ପରିବର୍ତ୍ତନର ଧାରା ପରସ୍ପରାପେକ୍ଷୀ-

 

ଆଦିବାସୀବହୁଳ କୋରାପୁଟ ଅଂଞ୍ଚଳର ଦେଶିଆନାଟ ଶାସ୍ତ୍ରୀୟ ନାଟକରୁ ଲୋକନାଟକ ଭାବେ ରୂପାନ୍ତରୀକରଣର ଏକ ଦୃଷ୍ଟାନ୍ତ । କୋରାପୁଟର ଆଦିମ ଅଧିବାସୀମାନେ ନିଜକୁ ଦେଶିଆ ଭାବରେ ସାଧାରଣତଃ ପରିଚିତ କରାଇଥାନ୍ତି । ଦେଶିଆର ଅର୍ଥ ଦେଶଜ ବା ଗ୍ରାମ୍ୟ । ଏଠାକାର ଗ୍ରାମଗୁଡ଼ିକରେ ବହୁ ଅନୁନ୍ନତ ଉପଜାତି ଓ ଗୋଷ୍ଠୀ ବାସ କରନ୍ତି । ସେମାନଙ୍କର ନିଜ ନିଜର ସ୍ୱତନ୍ତ୍ର ଭାଷା ରହିଛି । କିନ୍ତୁ ତା ସତ୍ତ୍ୱେ ଭିନ୍ନ ଭିନ୍ନ ଉପଜାତିର ଲୋକେ ପରସ୍ପର ସହିତ ଏକ ସଂଯୋଗକାରୀ ସାଧାରଣ ଭାଷାରେ କଥାବାର୍ତ୍ତା କରନ୍ତି । ଏହାର ନାମ ଦେଶିଆ ଭାଷା । ଏହା ଆଞ୍ଚଳିକ ଭାଷା ପ୍ରଭାବନ୍ୱିତ ଗ୍ରାମୀଣ ଓଡ଼ିଆ । ପରଜା, ଭାତରା, ଭୂମିଜ, ପେଣ୍ଠିଆ, ଲୋହରା, ଶଉରା, ଦରା, କନ୍ଧ, ଚଣ୍ଡାଳ, ଅମାନାତ୍ୟ, ଗଦବା, ପାରେଙ୍ଗା, ଶବର, ଡମ୍ୱ, କମାର, ଗଉଡ଼ ଆଦି ଉପଜାତି ଓ ଅନୁନ୍ନତ ଜାତିର ଲୋକେ ଦେଶିଆ ଭାବେ ପରିଚିତ ଏବଂ ସେମାନଙ୍କର ଭାଷା ଦେଶିଆ ଭାଷା । ସେମାନେ ନିଜର ମନୋରଞ୍ଜନ କରିବାକୁ ଯେଉଁ ନାଟ୍ୟାନୁଷ୍ଠାନ କରନ୍ତି, ତାହା ଦେଶିଆନାଟ ।

 

ଦେଶିଆ ନାଟ ମୁଖ୍ୟତଃ ପୁଷପର୍ବ, ଚୈତ୍ରପର୍ବ, ଦୋଳଯାତ୍ରା, ଶିବରାତ୍ରି ପ୍ରଭୃତି ପର୍ବ ପର୍ବାଣିରେ ଅନୁଷ୍ଠିତ ହୁଏ । ଏହା ବ୍ୟତୀତ ଫସଲ ଅମଳ, ସନ୍ତାନ ଜନ୍ମ ଓ ବିବାହ ଉତ୍ସବରେ ମଧ୍ୟ ଏହା ଅଭିନୀତ ହୋଇଥାଏ ଏହି ନାଟଦଳ କୋରାପୁଟ, ଜୟପୁର, ମାଲକାନଗିରି, ନବରଙ୍ଗପୁର ସବ୍‌ଡ଼ିଭିଜନର ବହୁ ଗ୍ରାମରେ ରହିଛି । କେତେକ ଦଳର ଅଭିନେତୃଗୋଷ୍ଠୀ ସମ୍ପୂର୍ଣ୍ଣ ଭାବେ ଆଦିବାସୀ ବା ହରିଜନ ବା ଅଣଆଦିବାସୀ । ବହୁ ସ୍ଥଳରେ ଆଦିବାସୀ ଓ ଅଣଆଦିବାସୀଙ୍କ ସମନ୍ୱୟରେ ନାଟ୍ୟଦଳମାନ ଗଠିତ ହୋଇଛି । ପ୍ରତ୍ୟେକ ଜାତିର ଲୋକଙ୍କୁ ମାନସିକ ସ୍ତରରେ ଏକ କରିବାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ।

 

ଦେଶିଆ ନାଟ କେବେ ଓ କିପରି ଆରଂଭ ହେଲା ତାହା ସଠିକ୍‌ କହିବା ସଂଭବ ନୁହେଁ । ଗଞ୍ଜାମର ଗୁରୁମାନେ କୋରାପୁଟ ଅଞ୍ଚଳକୁ ଆସି ପ୍ରଥମେ ଏ ନାଟ ଶିଖାଇଥିଲେ ବୋଲି ସ୍ତାନୀୟ ଲୋକେ କହନ୍ତି । ବଲାଙ୍ଗିର, ସୁନ୍ଦରଗଡ଼ ଓ କଳାହାଣ୍ଡିରେ ପ୍ରଚଳିତ ସୁଆଂଗଗୁଡ଼ିକ ସଂପର୍କରେ ସ୍ଥାନୀୟ ଲୋକମାନେ ମଧ୍ୟ ଅନୁରୂପ ମତ ଦିଅନ୍ତି । ଗଞ୍ଜାମ ଜିଲ୍ଲା ପାରଂପରିକ ଲୋକନାଟ୍ୟ କ୍ଷେତ୍ରରେ ସର୍ବାଧିକ ସମୃଦ୍ଧ, ଏହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛି । ସେ ଦୃଷ୍ଟିରୁ ଅନ୍ୟ ଜିଲ୍ଲାକୁ ଗଞ୍ଜାମର ଗୁରୁମାନେ ଶିକ୍ଷାଦାନ ପାଇଁ ଯାଇଥିବା ଅସମ୍ଭବ ନୁହେଁ । ଜଳନ୍ତରର ରାଜା ରାମଚନ୍ଦ୍ର ଛୋଟରାୟ ପ୍ରହ୍ଲାଦ ନାଟ, ଧରାକୋଟର ରାଜା କୃପାମୟ ଦେବଙ୍କ ବୀରବାହୁ ବଧ ଆଦି ଦେଶିଆ ନାଟମାନ ବର୍ତ୍ତମାନର ପ୍ରଧାନ ଲୋକନାଟ୍ୟ । ଜୟପୁର ମହାରାଜା ରାମଚନ୍ଦ୍ର ଦେବ କୁମ୍ଭାସୁର ବଧ, ଇନ୍ଦ୍ରଜିତ ବଧ ଆଦି ଦେଶିଆ ନାଟ ରଚନା କରିଛନ୍ତି । କୃପାମୟ ଦେବ ଓ ରାମଚନ୍ଦ୍ର ଦେବଙ୍କ ଦେଶିଆ ନାଟଗୁଡ଼ିକ ଆଜି ମଧ୍ୟ ବହୁଳ ଭାବେ ଅଭିନୀତି ହେଉଛି । ଏଗୁଡ଼ିକ କିନ୍ତୁ ସଂସ୍କୃତ ନାଟ୍ୟରୀତିରେ ପ୍ରଥମତଃ ଲିଖିତ ହୋଇଥିଲା । ଗ୍ରାମୀଣ ଲୋକଙ୍କଦ୍ୱାରା ବାରମ୍ୱାର ଅଭିନୀତ ହେବା ଫଳରେ ଏଗୁଡ଼ିକର ଆଡ଼ମ୍ୱରପୂର୍ଣ୍ଣ ତତ୍‌ସମ ଶବ୍ଦବହୁଳ ଭାଷା ବହୁ ସ୍ଥାନରେ ସରଳ ହୋଇ ଯାଇଛି । ବିଭିନ୍ନ ଗୁରୁମାନଙ୍କଦ୍ୱାରା ନୂତନ ସଂଳାପ ଓ ସଂଙ୍ଗୀତ ଖଂଜା ଯାଇଛି । ସଂସ୍କୃତ ଶୈଳୀରେ ଗ୍ରାମ୍ୟତା ମିଶିଛି । ମୋଟାମୋଟି ବର୍ତ୍ତମାନର ଦେଶିଆ ନାଟ ଓ ଏହାର ଅଭିନୟ ଲୋକ ଉପଯୋଗୀ ସରଳ ପଦ୍ଧତି ଆଶ୍ରିତ । ପାଣ୍ଡୁଲିପିଗୁଡ଼ିକରେ ଗଦ୍ୟ ବଚନିକାଗୁଡ଼ିକ ସଂପୂର୍ଣ୍ଣ ଗ୍ରାମ୍ୟ ଓ ସଂଗୀତଗୁଡ଼ିକ ସଂସ୍କୃତ ପ୍ରଭାବିତ । ଗୀତଗୁଡ଼ିକରେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଂଗୀତର ପ୍ରଭାବ ପରିଲିକ୍ଷିତ । ତେଣୁ ଏହି ଲେଖକମାନଙ୍କର ମୂଳ ପାଣ୍ଡୁଲିପିଠାରୁ ବର୍ତ୍ତମାନର ପାଣ୍ଡୁଲିପି ଗୁଡ଼ିକରେ ବହୁ ଭିନ୍ନତା, ସଂଯୋଜନ, ପରିବର୍ଦ୍ଧନ ଓ ବର୍ଜନ ପରିଲକ୍ଷିତ ହୋଇଥାଏ । କେତେକ ସ୍ଥଳରେ ଦେଶିଆନାଟ ସାଧାରଣ ଲୋକଙ୍କଦ୍ୱାରା ଲିଖିତ ହୋଇଥିଲେ ମଧ୍ୟ ତାର ଗୀତଗୁଡ଼ିକ ପଣ୍ଡିତମାନଙ୍କଦ୍ୱାରା ରଚିତ । ତେବେ ସଂସ୍କୃତଜ୍ଞ ବ୍ୟକ୍ତିମାନଙ୍କ ନାଟକ ପ୍ରଥମେ ଗ୍ରହଣୀୟ ହେଉଥିବାର ସୂଚନା ମିଳେ । ଏହି ନାଟକ ବିଭିନ୍ନ ସମୟରେ ରାଜପୃଷ୍ଠପୋଷକତା ଲାଭ କରୁଥିବାରୁ ରାଜସଭାର ପଣ୍ଡିତ ଓ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଏହାର ରଚନା ସହିତ ସମ୍ପୃକ୍ତ ହୋଇଛନ୍ତି । ଜୟପୁର ରାଜପରିବାରର ରାମଚନ୍ଦ୍ର ଦେବଙ୍କ ବ୍ୟତୀତ ବିକ୍ରମଦେବ ମଧ୍ୟ ଏହାର ଜଣେ ବଡ଼ ପୃଷ୍ଠ ପୋଷକ ଥିଲେ । ଗୋଟିଏ ଦେଶିଆନାଟର ରାଜା-ବାହାରିବା-ଗୀତରୁ ଏହା ପ୍ରମାଣିତ ।

 

ସଙ୍ଗେ ଘେନି ମନ୍ତ୍ରୀ ତର ତର ହେ

      ଆସନ୍ତି ବିକ୍ରମ ନରବର

ସୁବୁଦ୍ଧି ବିବେକ ଅଟନ୍ତି ଧାର୍ମିକ

      ଉଡ଼୍ରାଧିପତି ବିକ୍ରମ ନରେଶ

ରଣଜିତେ ବୀର ପୁରନ୍ଦର ହେ

      ଆସନ୍ତି ବିକ୍ରମ ନରବ ର ।।

 

କେତେକ ନାଟକ ସମ୍ପୂର୍ଣ୍ଣରୂପେ ଗ୍ରାମ୍ୟ ବା ଦେଶିଆ, ଲୋକଙ୍କଦ୍ୱାରା ଲିଖିତ ହୋଇଥିବାର ଜଣାଯାଏ । ‘କମଳଲୋଚନ ଦେଶିଆ’ ଭାସିଲା ପରି କେତେକ ଭଣତିରୁ ଏହା ପ୍ରମାଣିତ ହୁଏ । କିନ୍ତୁ ବର୍ତ୍ତମାନ ମିଳୁଥିବା ବହୁ ନାଟକର ଲେଖକ ହେଉଛନ୍ତି ଗ୍ରାମ ନାଟ୍ୟଗୁରୁମାନେ ।

 

ଦେଶିଆନାଟର କଥାବସ୍ତୁ ମୁଖ୍ୟତଃ ପୁରାଣରୁ ଅର୍ଥାତ୍‌ ରାମାୟଣ, ମହାଭାରତ, ଚଣ୍ଡିପୁରାଣ ଓ କାର୍ତ୍ତିକ ମହାତ୍ମ୍ୟ ପ୍ରଭୃତିରୁ ସଂଗୃହୀତ । ରାମାୟଣର କାହାଣୀ ଅବଲମ୍ୱନରେ ସମ୍ପୂର୍ଣ୍ଣ ରାମାୟଣ, ରାବଣ ବଧ, ବାଳୀ ବଧ, ବୀରବାହୁ ବଧ, ଇନ୍ଦ୍ରଜିତ ବଧ, ମହୀରାବଣ ବଧ, ତରଣୀସେନ ବଧ, ଲବକୁଶ ଜନ୍ମ, ଧନୁଭଙ୍ଗ, ମହାଭାରତ କାହାଣୀ ଅବଲମ୍ୱନଭେ ଅଭିମନ୍ୟୁ ବଧ, କୀଚକ ବଧ, କର୍ଣ୍ଣବଧ, ଦୁର୍ଯ୍ୟୋଧନର ଊରୁଭଙ୍ଗ, ଦ୍ରୋଣାଚାର୍ଯ୍ୟ ବଧ, ଦୁଃଶାସନ ବଧ, (ବେଣୀ ବନ୍ଧନ), ଦୌପଦୀ ବସ୍ତ୍ରହରଣ, ଷଣ୍ଢାସୁର ବଧ, ବାଣାସୁର ବଧ, ଚନ୍ଦ୍ରକଳା ହରଣ, ତ୍ରିପୁର ମୋହିନୀ ହରଣ, ଗଣ୍ଡା ବଧ, ଚଣ୍ଡୀପୁରାଣ ଅବଲମ୍ବରେ ମହିଷାସୁର ବଧ, କାର୍ତ୍ତିକ ମହାତ୍ମ୍ୟ ଅବଲମ୍ୱନରେ ଜଳନ୍ଧର ବଧ, ଭାଗବତର ଅବଲମ୍ୱନରେ ଗୋପଲୀଳା ପ୍ରଭୃତି ପୌରାଣିକ ନାଟକ ଲିଖିତ । ବାଇଆରଜା, ଲକ୍ଷ୍ମଣ ନାୟକ ଫାଶୀ ପ୍ରଭୃତି ଐତିହାସିକ ନାଟକ, ଅସତୀ ଚନ୍ଦ୍ରବତୀ ପ୍ରଭୃତି କାଳ୍ପନିକ ନାଟକ ଏବଂ ପେଟା ପରଶୁ ବା କଙ୍ଗାର ନାଟ,କଳିଶେଷ ନାଟ, ଧୋବା କୁମୁଟି ପ୍ରଭୃତି ସାମାଜିକ ନାଟକଗୁଡ଼ିକ ଅର୍ବାଚୀନ ସୃଷ୍ଟି ।

 

ପ୍ରଚଣ୍ଡ ଉତ୍ତେଜନାମୂଳକ, ପ୍ରମତ୍ତ ଅଭିନୟ ଉପଯୋଗୀ ନାଟକଗୁଡ଼ିକୁ ଏହି ପାର୍ବତ୍ୟ ଅଞ୍ଚଳର ଲୋକେ ଅଧିକ ପସନ୍ଦ କରିଥାନ୍ତି । କାରଣ ସେମାନଙ୍କର କଷ୍ଟସହିଷ୍ଣୁ ଜୀବନଧାରା ସହିତ ଏହାର ଭାବଗତ ସମ୍ପର୍କ ରହିଛି । ଏଗୁଡ଼ିକର କଥାବସ୍ତୁରେ ଶିକାରୀ ଜାତିର ସହଜାତ ନିଷ୍ଠୁରତା, କ୍ରୋଧ, ହିଂସା ରହିଥିବାରୁ ଏହାର ଅଭିନୟ ଓ ଉପଭୋଗ ପ୍ରତି ସେମାନେ ଅଧିକ ଆଗ୍ରହୀ । ପୁଣି ଏପରି ଯୁଦ୍ଧବହୁଳ ରୋମାଣ୍ଟିକ୍‌ ଭାବାବେଗ ସମ୍ୱଳିତ ନାଟକ ଆତିଶଯ୍ୟପୂର୍ଣ୍ଣ ଅଭିନୟଦ୍ୱାରା ଦେଶିଆ ଦର୍ଶକମାନଙ୍କର ରସତୃଷ୍ଣା ପରିତୃପ୍ତ କରିବାରେ ବିଶେଷ ସହାୟକ । ଏହାର ଲୋକଶିକ୍ଷା ଦିଗଟି ମଧ୍ୟ ବେଶ୍‌ ବଳିଷ୍ଠ । ପୌରାଣିକ କାହାଣୀ ମାଧ୍ୟମରେ ପାରମ୍ପରିକ ନାଟକର ମର୍ମବାଣୀ ଧର୍ମର ଜୟ ଓ ପାପର ପରାଜୟ ଏଥିରେ ଅନୁରଣିତ । ଗ୍ରାମୀଣ ଜନତା ମଧ୍ୟରେ ଧର୍ମ ଓ ଆଧ୍ୟାତ୍ମ ଚେତନାର ଉଦ୍‌ବୋଧନ ଏହାର ଅନ୍ୟତମ ଲକ୍ଷ୍ୟ । ଐତିହାସିକ ନାଟକଗୁଡ଼ିକ ଇଂରେଜ ସରକାର ବିରୁଦ୍ଧରେ ପ୍ରକ୍ରିୟା ଓ ଦେଶାତ୍ମବୋଧର ଚିତ୍ର ସମ୍ୱଳିତ । ସାମାଜିକ ନାଟକଗୁଡ଼ିକରେ ଲୋକଜୀବନ ବିଶେଷତଃ ଅରଣ୍ୟମୟ ଅଞ୍ଚଳରେ ଜୀବନର ଚିତ୍ର ପ୍ରଦର୍ଶିତ । ସମାଜର ନିମ୍ନସ୍ତରର ଲୋକମାନେ ଏଥିରେ ତରିତ୍ରୀଭୂତ ହୋଇଥିଲେ ମଧ୍ୟ କୌଣସି ବାସ୍ତବ ସମସ୍ୟାର ଉପସ୍ଥାପନ ଅପେକ୍ଷା କାଳ୍ପନିକ ମନୋରଞ୍ଚନଧର୍ମୀ କାହାଣୀ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଆରୋପିତ । ଏଗୁଡ଼ିକରେ ଯେଉଁ ସମାଜ ଚିତ୍ର ଦେଖାଯାଏ, ତାହାର ଆଭାସ ପୌରାଣିକ ନାଟକରେ ମଧ୍ୟ ଲକ୍ଷିତ । କେବଳ ଧୋବା କୁମୁଟି ନାଟକଟି ଏକ ସମସ୍ୟାମୂଳକ ନାଟକ । ଏଥିରେ ମହାଜନମାନେ ଆଦିବାସୀମାନଙ୍କୁ ଋଣ ଦେଇ କିପରି ଶୋଷଣ କରନ୍ତି, ତାର ଏକ କରୁଣ ଚିତ୍ର ପ୍ରଦତ୍ତ । ଅତ୍ୟାଚାରରେ ଅତିଷ୍ଠ ଲୋକମାନଙ୍କର ମହାଜନ ବିରୁଦ୍ଧରେ ବିପ୍ଳବ କଥାବସ୍ତୁଟିକୁ ଏକ ସମାଜିକ ବାସ୍ତବବାଦୀ ଧାରା ଅଭିମୁଖୀ କରାଇଛି । କଙ୍ଗାର ନାଟରେ ଡମ୍ୱ ପ୍ରଭୃତି ଅପରାଧ ପ୍ରବଣ ଜାତିର ଚିତ୍ର ପ୍ରଦତ୍ତ । କାଳ୍ପନିକ ନାଟକରେ ମଧ୍ୟ ସମସାମୟିକ ସମାଜର କୃଷି, ଅର୍ଥନୀତି ଓ ରାଜନୀତିର ପ୍ରତିଫଳନ ଘଟିଛି । ‘ଅସତୀ ଚନ୍ଦ୍ରାବତୀ’ ନାଟକରେ ଦ୍ୱାରୀ ମୁହଁରେ ମରୁଡ଼ିଗ୍ରସ୍ତ ଅଞ୍ଚଳର ଚିତ୍ର ଦିଆଯାଇଛି–

 

‘‘କାଟିଦେଲା ଅଧାଦିନେ ଝଡ଼ି ଓ ବରଷା

ଶୁଖିଗଲା ବିଲବାଡ଼ି ନହେଲା ବେଉସା

ସରିଗଲା ସୁନା ରୂପା ବିକା ଭଙ୍ଗା କରି

ଦେଶକୁ ତ ଖାଇଦେଲେ ମଦୁଆ ଜୁଆଡ଼ି ।’’

 

ଏହି ନାଟକର ଆରମ୍ଭରେ ଗଣେଶ ବନ୍ଦନା ଓ ସରସ୍ୱତୀ ବନ୍ଦନା ପରେ ଇନ୍ଦିରାଗାନ୍ଧୀ ବନ୍ଦନା କରାଯାଇଛି-

 

‘‘ଭାରତ କଂଗ୍ରେସ ଆମର

ଇନ୍ଦିରା ମାତା ଆମର

ଭାବନା କଲେଣି ଦିନ ରାତିରେ ।’’

 

ଏଠାରେ ଲକ୍ଷ୍ୟ କରିବାର କଥା ଯେ, ଉପରୋକ୍ତ ନାଟକଟି ଗୋଟିଏ ହରିଜନ ଗ୍ରାମର ନାଟ୍ୟଦଳଦ୍ୱାରା ଅଭିନୀତ ଏବଂ ଅଳ୍ପ କେତେବର୍ଷ ତଳର ରଚନା । ବହୁ ସ୍ଥଳରେ ପୌରାଣିକ ନାଟକରେ ମଧ୍ୟ ସମସାମୟିକ ସମାଜଚିତ୍ରର ପ୍ରତିଫଳିନ ଘଟିଥାଏ । ‘ଷଣ୍ଢାସୁର ବଧ’ ନାଟକରେ ବସୁଶବର ମରିଯିବା ପରେ ତା’ର ସ୍ତ୍ରୀକୁ ନାରଦ ପ୍ରବର୍ତ୍ତାଉଛନ୍ତି ତାଙ୍କ ସହିତ ପଳାଇ ଯାଇ ପୁଣି ଘରସଂସାର କରିବାକୁ । କାଳିଆ ନାରଦଙ୍କୁ ଆମେ ଏଠାରେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଏକ ଭୂମିକାରେ ଦେଖିବାକୁ ପାଉ । ଆଦିବାସୀ ସମାଜର ବିଧବା ବିବାହ ଓ ଉଦ୍‌ଲିଆ ପଳାଇବା ଘଟଣାଗୁଡ଼ିକର ପ୍ରତିଛବି ଏଥିରେ ଅଙ୍କିତ ।

 

ପୌରାଣିକ ଦେଶିଆ ନାଟକଗୁଡ଼ିକରେ ପାରମ୍ପରିକ ନାଟ୍ୟରୀତି ରହିବା ତ ସ୍ୱାଭାବିକ । କିନ୍ତୁ ଅନ୍ୟାନ୍ୟ ନାଟକରେ ମଧ୍ୟ ଏହି ରୀତି ପ୍ରଯୁକ୍ତ । ସାମାଜିକ ନାଟକରେ ସଂସ୍କୃତ ନାଟକ ପରି ପୂର୍ବରଙ୍ଗ ବିଧାନ ରହିଛି । ସଭାପୂଜା ପରେ ମଙ୍ଗଳା ଚରଣରେ ଗଣେଶ ଓ ସରସ୍ୱତୀ ବନ୍ଦନା କରାଯାଏ । ଏଠାରେ ଗୋଟିଏ, କଥା ଲକ୍ଷଣୀୟ ଯେ, ଗଣେଶ ଓ ସରସ୍ୱତୀ ଚରିତ୍ର ମଞ୍ଚ ଉପରେ ନିଜ ନିଜର ବନ୍ଦନା ଗାଇ ଉଦ୍ଦାମ ନୃତ୍ୟ କରନ୍ତି । ଏହା କିନ୍ତୁ ଗ୍ରାମୀଣ ଦର୍ଶକ ପକ୍ଷରେ ଅବାସ୍ତବ ନୁହେଁ । ବରଂ ଏ ଗ୍ରାମ୍ୟତା ଉପଭୋଗ୍ୟ ।

 

ନାଟକର ଆବଶ୍ୟକୀୟ ଚରିତ୍ର ବ୍ୟତୀତ କେତେକ ପରାମ୍ପରା ଗୃହୀତ ଚରିତ୍ର; ଯଥା–ନଟନାଟୀ, ସୂତ୍ରଧାର, ବିଦୂଷକ ପ୍ରଭୃତି ପ୍ରତ୍ୟେକ ନାଟକରେ ଦେଖାଯାନ୍ତି । ସୁତ୍ରଧାର ଓ ବିଦୂଷକ ଏଠାରେ ସନ୍ଧି ଓ ଦ୍ୱାରୀ ଭାବେ ରୂପାନ୍ତରିତ । ସନ୍ଧି ପ୍ରଥମେ ନାଟ୍ୟବସ୍ତୁ ସମ୍ପର୍କରେ ସୂଚନା ଦିଏ । ତାପରେ ପ୍ରତ୍ୟେକ ଚରିତ୍ରର ମଞ୍ଚ ପ୍ରବେଶ ସୂଚନା ଏବଂ ତା ସମ୍ପର୍କରେ ମନ୍ତବ୍ୟ ଦାନ କରେ । ନାଟକ ଶେଷରେ ଭାରତବାକ୍ୟ ସଦୃଶ ମଙ୍ଗଳସୂଚକ ଗୀତ ଗାଏ । ଏହି ସୂଚନାତ୍ମକ ଗୀତଟିକୁ ପାଳିଆମାନେ ଉଚ୍ଚ ସ୍ୱରରେ ଦୋହରାନ୍ତି–

 

ଆସଇ ଷଣ୍ଢାମୁହାଁ ରାଜ

ଧରିଣ ଅପୂର୍ବ ତେଜ

ଧଡ଼କେ ସେ ଆସଇ

ନିଶ ତା’ର ମୋଡ଼ଇ ହେ

 

କିମ୍ୱା

ଆସଇ ଶବରୁଣୀ, ବସୁ ଶବର ଘରଣୀ.....

 

ଏହି ପାଳି ଧରିବା ରୀତି ଗ୍ରୀକ୍‌ ନାଟକର କୋରସ୍‌ ଅନୁରୂପ । ଅବଶ୍ୟ ଏହି ରୀତି ଆମର ସମସ୍ତ ଲୋକନାଟ୍ୟରେ ବିଦ୍ୟମାନ । କେତେକ ସ୍ଥଳରେ ଦେଶିଆ ନାଟରେ ପାଲାଭଙ୍ଗୀରେ ଗୀତର ଆରମ୍ଭ ହୋଇଥାଏ । ଏହାର ଏକ ବୈଶିଷ୍ଟ୍ୟ ଯେ ପ୍ରତ୍ୟେକ ଚରିତ୍ର ଆତ୍ମପରିଚୟ ଦେଇ ମଞ୍ଚ ପ୍ରବେଶ କରନ୍ତି ଏବଂ ପ୍ରତି ଗୀତବଚନିକାର ଶେଷରେ ଉଦ୍ଦାମ ନୃତ୍ୟ କରିଥାନ୍ତି । ଗୁରୁ ଓ ସହଯୋଗୀମାନେ ସମନ୍ୱିତ ବାଦ୍ୟନାଦ ସହିତ ପାଳି ଧରନ୍ତି । ଏହି ତାଳରେ ନୃତ୍ୟ ହୁଏ । ଦ୍ୱାରୀ ଚରିତ୍ର ଏହି ନାଟକରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଚରିତ୍ରର ଗୁଣାଗୁଣ ବର୍ଣ୍ଣନା, ଚରିତ୍ର ସହ ହାସ୍ୟ ପରିହାସ, ଚରିତ୍ର ସହ ହାସ୍ୟ ପରିହାସ, ଚରିତ୍ରକୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ବ୍ୟଙ୍ଗ ବିଦ୍ରୂପ କରିବା ଓ ପରାମର୍ଶ ଦେବା ତା’ର କାର୍ଯ୍ୟ । ନାଟକ ଭିତରେ ସମସ୍ତଙ୍କୁ ପ୍ରତ୍ୟକ୍ଷ ଭାବରେ ସମାଲୋଚନା କରି ପାରୁଥିବା ଭଳି ଏପରି ଏକ ନିର୍ଭୀକ ଚରିତ୍ରର ପରିକଳ୍ପନା ଅଭିନନ୍ଦନୀୟ ।

 

ଅନ୍ୟାନ୍ୟ ଲୋକନାଟ୍ୟ ପରି ଅଭିନୟ ସ୍ଥଳଠାରୁ ବସିଥିବା ଦର୍ଶକଙ୍କୁ ସ୍ପଷ୍ଟଭାବେ ଶୁଣାଯିବା ପାଇଁ ଦେଶିଆନାଟର ଅଧିକାଂଶ ସ୍ଥଳରେ ପଦ୍ୟ ବଚନିକା ଦିଆଯାଏ । ପଦ୍ୟ ବଚନିକା ଅପେକ୍ଷା ଗଦ୍ୟ ବଚନିକାର ମାତ୍ରା ଅତି ସାମାନ୍ୟ । ଗତାନୁଗତିକ ଦର୍ଶକମାନଙ୍କ ପାଇଁ ଗୀତି ବଚନିକାର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଥାଏ । ସେମାନଙ୍କ ଉପରେ ଏହାର ଭାଷା ଅପେକ୍ଷା ସ୍ୱର ମାଧୁର୍ଯ୍ୟର ପ୍ରଭାବ ହିଁ ଅଧିକ । ଅଶିକ୍ଷିତ ଦେଶିଆ ଦର୍ଶକମାନେ ଗୀତର ଅଧିକାଂଶ ସ୍ଥଳ ବୁଝି ନପାରିଲେ ମଧ୍ୟ ବାଦ୍ୟ ସହିତ ତା’ର ତାଳ ସେମାନଙ୍କୁ ଆକର୍ଷଣ କରିଥାଏ । ଦେଶିଆ ନାଟର ଅଭିନେତାମାନେ ସାଧାରଣତଃ ଅଶିକ୍ଷିତ ଆଦିବାସୀ ଗୋଷ୍ଠୀର । ଅର୍ଦ୍ଧଶିକ୍ଷିତ ଅଭିନେତାମାନେ ନିଜ ନିଜର ବଚନିକା ଉଚ୍ଚାରଣ କରୁଥିବାବେଳେ ଅଶିକ୍ଷିତ ଅଭିନେତାମାନେ ନିଜେ ଉଚ୍ଚାରଣ କରି ପାରନ୍ତି ନାହିଁ । ସେମାନଙ୍କ ଗୀତଗୁଡ଼ିକ ଗୁରୁ ନିଜେ ଗାଇ ଦିଅନ୍ତି ଓ ଅନ୍ୟମାନେ ପାଳି ଧରନ୍ତି । ସେମାନେ କେବଳ ଗୀତର ଭାବାନୁସାରେ ରାମଳୀଳା ଅଭିନେତାମାନଙ୍କ ପରି ମୂକ ଅଭିନୟ କରନ୍ତି । ସେମାନଙ୍କର ବଚନିକା ଉଚ୍ଚାରଣରେ ସାମର୍ଥ୍ୟ ନଥିଲେ ମଧ୍ୟ ଅଭିନୟ ଓ ନୃତ୍ୟରେ ଯଥେଷ୍ଟ କୁଶଳତା ପ୍ରକାଶ ପାଇଥାଏ । ଯେଉଁମାନେ ସଂଳାପ ଉଚ୍ଚାରଣ କରିପାରନ୍ତି, ସେମାନେ ତତ୍‌ସମ ଶବ୍ଦବହୁଳ ସଂଳାପକୁ ଦେଶିଆ ଉଚ୍ଚାରଣରେ କେତେକ ପରିମାଣରେ ବିକୃତ କରିଥାଆନ୍ତି-। ଆଧିବାସୀ ରମଣୀମାନେ ସାଧାରଣତଃ ନୃତ୍ୟଗୀତ ପ୍ରବଣ : କିନ୍ତୁ ଦେଶିଆନାଟର ଅଭିନୟ କ୍ଷେତ୍ରରେ ସେମାନଙ୍କର ପ୍ରବେଶ ଘଟି ନାହିଁ । ନାରୀ ଭୂମିକାରେ ପୁରୁଷମାନେ ହିଁ ଅଭିନୟ କରିଥାନ୍ତି । ଏ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ପରମ୍ପରା ବିବର୍ଜିତ ହୋଇନାହିଁ ।

 

ନୃତ୍ୟ ସଙ୍ଗୀତରେ କିଛି ପରିମାଣରେ ଶାସ୍ତ୍ରୀୟତା ଲକ୍ଷିତ, ଅନେକ ଗୀତରେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରଭାବ ଉପଲବ୍‌ଧ । କ୍ରମବିବର୍ତ୍ତନରେ ନାଟକ ଲୋକସ୍ତରକୁ ଆସିବା ସମୟରେ ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତ ବଦଳରେ ଆଧୁନିକ ସିନେମା ଓ ଥିଏଟର ପ୍ରଭାବିତ ସଙ୍ଗୀତ ମଧ୍ୟ ସଂଯୋଜିତ କରାଯାଉଛି । ବର୍ତ୍ତମାନ କେତେକ ସ୍ଥଳରେ ଡିସ୍କୋ ନୃତ୍ୟ ଓ ସିନେମା ସଙ୍ଗୀତ ମଧ୍ୟ ପ୍ରଚଳିତ ହେଲାଣି । ଆଧୁନିକତାର ପ୍ରଭାବ ସତ୍ତ୍ୱେ ଏବେ ବି କୋରାପୁଟର ଅଧିକାଂଶ ଗାଁରେ ଗୋଟିଏ ଲେଖାଏଁ ଦେଶିଆ ନାଟଦଳ ଫସଲ ଉଠିବା ପରେ ସେମାନଙ୍କର ସ୍ୱତନ୍ତ୍ର ନାଟମାନ ଅଭିନୟ କରି ଚାଲିଛନ୍ତି । ଦେଶିଆ ନାଟରେ ଚରିତ୍ରମାନଙ୍କ ରୂପସଜ୍ଜାରେ ପରମ୍ପରାନୁକ୍ରମେ ହଳଦୀ ଗୁଣ୍ଡ, ହଳଦିଆ ମାଟି, ପୋଡ଼ା ସଢ଼େଇ, ସିନ୍ଦୂର, କଜ୍ଜ୍ୱଳ ପ୍ରଭୃତି ବ୍ୟବହାର କରାଯାଉଥିଲା । କିନ୍ତୁ ଆଜିକାଲି ଅଧିକାଂଶ ସ୍ଥାନରେ ରାସାୟନିକ ରଙ୍ଗ ବ୍ୟବହୃତ ହେଉଛି । ଏଥିରେ ମଧ୍ୟ ସ୍ୱତନ୍ତ୍ର ବେଶଘର ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ ନାହିଁ । ଦେଶିଆ ଅଭିନେତାମାନେ ଗଛ ପଛଆଡ଼େ ରହି ବେଶ-ପୋଷାକ ହୋଇ ପାରନ୍ତି । ଆଗେ ଶାଳପତ୍ରରେ ସୁନ୍ଦର ପୋଷାକ ନିର୍ମିତ ହେଉଥିଲା । କିନ୍ତୁ ବର୍ତ୍ତମାନ ବଜାରରେ ଜରି ପୋଷାକ ମିଳୁଥିବାରୁ ପୁରୁଣା ପଦ୍ଧତି ପ୍ରାୟ ପରିହୃତ । ଦେଶିଆ ନାଟରେ ମୁଖାର ବ୍ୟବହାର ଏକ ଲକ୍ଷଣୀୟ ବୈଶିଷ୍ଟ୍ୟ । ଗଣେଷ ଚରିତ୍ର ଓ ଅସୁର ଚରିତ୍ରଗୁଡ଼ିକ ଲାଗି ମୁଖାର ବ୍ୟବହାର କରାଯାଇଥାଏ । ବର୍ତ୍ତମାନ କେବଳ ରାମଲୀଳାରେ ହିଁ ମୁଖା ବ୍ୟବହୃତ । ଛଉନାଟ ବ୍ୟତୀତ ଅନ୍ୟ କୌଣସି ଲୋକନାଟ୍ୟ ଓ ନୃତ୍ୟରେ ମୁଖାର ବ୍ୟବହାର ନାହିଁ । ଗ୍ରୀକ୍‌ ନାଟକ ଆଦି ପାଶ୍ଚାତ୍ୟ ଶାସ୍ତ୍ରିୟ ନାଟକର ଅଭିନେତାମାନେ ପୂର୍ବେ ଏପରି ମୁଖାର ବ୍ୟବହାର କରୁଥିଲେ । ପୂର୍ବରୁ ଦେଶିଆ ନାଟରେ ବାଦ୍ୟଯନ୍ତ୍ର ଭାବେ ଗିନି ଓ ମର୍ଦ୍ଦଳ ବ୍ୟବହୃତ ହେଉଥିଲା । ବର୍ତ୍ତମାନ ଝୁମୁକା, ତାଳ, ଡିବିଡିବି, ହାରମୋନିୟମ ପ୍ରଭୃତି ଏଥି ସହିତ ବ୍ୟବହୃତ ।

 

ଦେଶିଆ ନାଟ ଓ ପ୍ରହ୍ଲାଦ ନାଟ ଉଭୟ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନେୟ । ସଙ୍ଗୀତ ନୃତ୍ୟ ଓ ବାଦ୍ୟ ପରି ମଞ୍ଚନିର୍ମାତା କ୍ଷେତ୍ରରେ ମଧ୍ୟ ଉଭୟ ନାଟ୍ୟର ସାମଞ୍ଜସ୍ୟ ରହିଛି । ଦେଶିଆ ନାଟର ରଙ୍ଗମଞ୍ଚ କାଷ୍ଠ ନିର୍ମିତ ସ୍ଥାୟୀ ପାବଚ୍ଛ ଶ୍ରେଣୀଯୁକ୍ତ ଓ ବହନୀୟ । ଏହି ପାବଚ୍ଛଶ୍ରେଣୀ ଉପରେ ଓ ତା ସାମନାରେ ରହିଥିବା ଖାଲି ଅଂଶରେ ଭୂମି ଉପରେ ଅଭିନୟ କରାଯାଏ । ପାବଚ୍ଛ ଶ୍ରେଣୀଟି ସାଧାରଣତଃ ରାଜାପରି ଚରିତ୍ରର ସିଂହାସନଭାବେ ବ୍ୟବହୃତ ହୁଏ । ପ୍ରହ୍ଲାଦ ନାଟରେ ଏହି ପାବଚ୍ଛଶ୍ରେଣୀ ନୃସିଂହର ସିଂହାସନଭାବେ ବ୍ୟବହୃତ । ଗ୍ରୀକ୍‌ ରଙ୍ଗମଞ୍ଜର ଚତୁଃପାର୍ଶ୍ୱକୁ ଘେରି ପାବଚ୍ଛଶ୍ରେଣୀ ରହିଥିବା ସ୍ଥଳେ ପ୍ରହ୍ଲାଦ ନାଟରେ ଗୋଟିଏ ପାର୍ଶ୍ୱରେ ଏହି କାଷ୍ଠ ନିର୍ମିତ ପାବଚ୍ଛଶ୍ରେଣୀଟିକୁ ସ୍ଥାପନ କରାଯାଇଥାଏ । ଏହାର ଅନ୍ୟ ତିନି ପାର୍ଶ୍ୱରେ ଦର୍ଶକମାନେ ବସନ୍ତି । ଯେ କୌଣସି ଖୋଲା ଜାଗାରେ ପାବଚ୍ଛଶ୍ରେଣୀଟିକୁ ପକାଇ ମଞ୍ଚ ପ୍ରସ୍ତୁତ କରାଯାଇ ପାରେ ।

 

କୋରାପୁଟ ଦେଶିଆ ଲୋକେ ସେମାନଙ୍କର ସୁଆଙ୍ଗକୁ ଦେଶିଆ ନାଟଭାବେ ଆଖ୍ୟାୟିତ କରିଥାନ୍ତି । ଆବଶ୍ୟ ସାଧାରଣ ସୁଆଙ୍ଗ ଅପେକ୍ଷା ନାଟକର ଦେଶିଆ ନାଟକର କିଛିଟା ସ୍ୱାତନ୍ତ୍ର୍ୟ ରହିଛି । ତାହା ହେଉଛି ଶାସ୍ତ୍ରୀୟ ଶୈଳୀର ଅନୁସରଣ । ବର୍ତ୍ତମାନ ଏହା ଏକ ସ୍ୱତନ୍ତ୍ର ଲୋକନାଟ୍ୟ ଆଙ୍ଗିକ ଭାବେ ଗୃହୀତ । ଆଧୁନିକ ଏପିକ୍‌ ନାଟକଗୁଡ଼ିକରେ ବିଭିନ୍ନ ଲୋକନାଟ୍ୟ ଶୈଳୀର ପ୍ରୟୋଗ କରାଯାଇଛି । ମନୋରଞ୍ଜନ ଦାସଙ୍କ ‘ନନ୍ଦିକା କେଶରୀ’ ନାଟକରେ ଦେଶିଆ ନାଟକ ଶୈଳୀର ସାର୍ଥକ ପ୍ରୟୋଗ ପରିଲକ୍ଷିତ ।

 

ମୂଳ ଦେଶିଆ ନାଟଗୁଡ଼ିକ ସଂସ୍କୃତି ଶୈଳୀ ଅନୁସାରେ ଲିଖିତ ହେଲେ ମଧ୍ୟ ସାଧାରଣ ଲୋକଙ୍କ ଅଭିନୟ ଉପଯୋଗିତା ଲାଗି ଏହା ବହୁ ପରିମାଣରେ ସରଳୀକୃତ । ଶାସ୍ତ୍ରୀୟତାର ଲୌକିକତା ସହିତ କ୍ରମନ୍ୱୟରେ ଯେଉଁ ଅପୂର୍ବ ଶିଳ୍ପ ସୌନ୍ଦର୍ଯ୍ୟ ସୃଷ୍ଟି ହୁଏ, ତାହାହିଁ ଏହାର ସାର୍ଥକତା । ଏହା ଦର୍ଶକର କଳ୍ପନା ଶକ୍ତିକୁ ଉଜ୍ଜୀବିତ କରି ତାହାକୁ ବାସ୍ତବ ଜଗତରୁ କଳ୍ପନାମୟ ଅବାସ୍ତବ ଜଗତ ଭିତରକୁ ଉନ୍ମୀତ କରାଏ । ବର୍ତ୍ତମାନର କୋରାପୁଟରେ ପ୍ରଚଳିତ ଦେଶିଆ ନାଟକଗୁଡ଼ିକର କଥାବସ୍ତୁ, ଶୈଳୀ ଓ ଭାଷା ଶାସ୍ତ୍ରୀୟ ସ୍ତରରୁ ଲୋକସ୍ତରକୁ ଓହ୍ଲାଇ ଆସିଛି । ବିଶେଷ ଭାବେ ଭାଷାର ସ୍ଥାନୀୟ ଦେଶିଆ ଭାଷାର ପ୍ରଭାବ ଉପଲବ୍‌ଧ । ଆଜିକାଲି ବହୁ ନାଟକର ଲେଖକ ଗ୍ରାମୀଣ ବା ଲୋକାୟତ ସ୍ତରର । ସେମାନଙ୍କ ଉପରେ ସମସାମୟିକତାର ପ୍ରଭାବ ଫଳରେ କଥାବସ୍ତୁ ପୌରାଣିକତାରୁ କ୍ରମେ ସାମାଜିକତା ଆଡ଼କୁ ଅଗ୍ରସର ହେଉଛି । ଦେଶିଆ ନାଟର ସଂଗୀତ ବହୁଳତା, ବିବୃତିଧର୍ମିତା, ଓଜସ୍ୱୀ ଉଦାତ୍ତ ସଂଳାପ, ମୁକ୍ତାକାଶ ଅଭିନୟ, ଗ୍ରୀକ୍‌ ଓ ସଂସ୍କୃତ ନାଟକ ଅଭିନୟର ଅନୁରୂପ । ହୁଏତ ଏହା ଏକ ଶାସ୍ତ୍ରୀୟ ପରମ୍ପରାର କ୍ରମବିବର୍ତ୍ତନ । ଲୌକିକତା ସହିତ ଏହାର ସଂପ୍ତୃକ୍ତି; ଲୌକିକ ଆଚାର, ଦୃଷ୍ଟି ଓ କଳ୍ପନାର ସ୍ପର୍ଶରେ ଏହା ଏକ ଚମତ୍‌କାର ଶିଳ୍ପ ସୃଷ୍ଟିରେ କ୍ରମରୂପାନ୍ତରିତ । କିନ୍ତୁ ଏହା ବର୍ତ୍ତମାନ ଅବକ୍ଷୟଗ୍ରସ୍ତ । କେତେକ ସ୍ଥଳରେ ଦେଶିଆ ନାଟର ପାରମ୍ପରିକ ଉପସ୍ଥାପନ ଓ ପ୍ରବେଶ ଶୈଳୀକୁ ମାର୍ଜିତ ଓ ଆଧୁନିକତା ଅଭିମୁଖୀ କରାଯିବାର ପ୍ରୟାସ ଅଥବା ବର୍ଜନ କେବଳ ଅସ୍ପୃହଣୀୟ ନୁହେଁ, କଳାବିରାଧୀ ମଧ୍ୟ । ଦୁର୍ଭାଗ୍ୟର ବିଷୟ ସିନେମାର ପ୍ରଭାବ ଆଜିକାଲି ଏହି ନାଟକଗୁଡ଼ିକରେ ଏତେ ବେଶି ପଡ଼ୁଛି ଯେ ଏହା ଶାସ୍ତ୍ରୀୟ ପରମ୍ପରାକୁ ପରିତ୍ୟାଗ କରିବାକୁ ବାଧ୍ୟ ହେଉଛି । ଅବଶ୍ୟ ଏହା ସହିତ ଅର୍ଥନୈତିକ ଦୃଷ୍ଟିକୋଣ ମଧ୍ୟ ଜଡ଼ିତ । ତଥାକଥିତ ଶିକ୍ଷିତ ଗୋଷ୍ଠୀ ଲୋକ ପରଂପରା ଉପରେ ଗୁରୁତ୍ୱ ଦେଉ ନଥିବାସ୍ଥଳେ ନିମ୍ନବର୍ଗୀୟ ତଥା ଆଦିବାସୀମାନେ ଗୁରୁତ୍ୱ ଦେଇ ଆସୁଛନ୍ତି । ଅବଶ୍ୟ ଏହି ଗୋଷ୍ଠୀର ଶିକ୍ଷିତ ଲୋକେ ବର୍ତ୍ତମାନ ଏହି ପାରମ୍ପରିକ ସଂସ୍କୃତିକୁ ରକ୍ଷା କରିବା ଦିଗରେ ବୀତସ୍ପୃହ ହେଉଛନ୍ତି । ତେଣୁ ଏହାର ଭବିଷ୍ୟତ ସଂଶୟାଚ୍ଛନ୍ନ ।

 

ଦେଶିଆ ନାଟର କଥାବସ୍ତୁର ପୌରାଣିକତା, ନାନ୍ଦୀ ଓ ଭରତ ବାକ୍ୟ, ସଂଯୋଜକ, ସୂତ୍ରଧାର, ବିଦୂଷକ ଆଦି ଚରିତ୍ର ଉପସ୍ଥାପନ, ବିବୃତିଧର୍ମିତା, ତତ୍‌ସମ ଶବ୍ଦବହୁଳ ଉଦାତ୍ତ ସଂଳାପ, ଶାସ୍ତ୍ରୀୟ ସଂଗୀତ ବହୁଳତା, କୋରସ୍‌ ରୀତି, ମୁଖା ବ୍ୟବହାର, ପାବଚ୍ଛ ଶ୍ରେଣୀଯୁକ୍ତ ମୁକ୍ତ ମଞ୍ଚ ପ୍ରଭୃତି ସମସ୍ତ ଶାସ୍ତ୍ରୀୟ ଉପାଦାନର କ୍ରମରୂପାନ୍ତର ବଡ଼ କୌତୂହଳପ୍ରଦ । ଲୋକନାଟ୍ୟରୁ ଶାସ୍ତ୍ରୀୟ ନାଟକର ଅବରୋହ ଶୈଳୀ ଏଠାରେ ଶାସ୍ତ୍ରୀୟ ନାଟକରୁ ଲୋକନାଟକର ଆରୋହ ଶୈଳୀରେ ପରିଣତ । ଏହି ବିଶିଷ୍ଟତା ଯୋଗୁଁ ହିଁ ଦେଶିଆ ନାଟକ ଏକ ସ୍ୱତନ୍ତ୍ର ଆଙ୍ଗିକର ଅଧିକାର ଦାବୀ କରିପାରେ ।

 

ଶାସ୍ତ୍ରାନୁମୋଦିତ ନାଟକ ଓ ଲୋକନାଟକ ପ୍ରାଚୀନ କାଳରୁ ଆଜିପର୍ଯ୍ୟନ୍ତ ଦୁଇଟି ସମାନ୍ତରାଳ ଧାରାରେ ପ୍ରବାହିତ ହୋଇ ଆସୁଥିବା ହେତୁ ପରସ୍ପରଦ୍ୱାରା ପ୍ରଭାବିତ । କିନ୍ତୁ ଏଇ ପ୍ରଭାବ ଅନ୍ୟାନ୍ୟ ନାଟକରେ ସାମାନ୍ୟ ହୋଇଥିବା ସ୍ଥଳେ ଦେଶିଆ ନାଟକରେ ଅତ୍ୟନ୍ତ ବେଶି । ଶାସ୍ତ୍ରୀୟ ଆନୁଗତ୍ୟକୁ ସ୍ୱୀକାର କରିଥିବା ଲୋକାୟତ ରୁଚି ନିୟନ୍ତ୍ରିତ ନାଟକଭାବେ ଦେଶି ଆନାଟକର ସ୍ଥାନ ଜାତୀୟ ସ୍ତରରେ ମଧ୍ୟ ଅନନ୍ୟ ଓ ଅସାଧାରଣ ।

 

ସହାୟକ ରଚନା -

(୧)

କାଳିକିଙ୍କର ମିଶ୍ର–କୋରାପୁଟର ଲୋକନାଟକ ଦେଶିଆନାଟ–ସହକାର–ମକର ବିଶେଷାଙ୍କ (୧୯୮୬)

(୨)

ନୀଳାଦ୍ରିଭୂଷଣ ହରିଚନ୍ଦନ–ଭିନ୍ନ ସମରେ ଭିନ୍ନ ଦୃଷ୍ଟି (୧୯୯୦)–ଶାସ୍ତ୍ରୀୟ ନାଟକରୁ ଲୋକନାଟକ : କୋରାପୁଟର ଦେଶିଆନାଟ

 

୧୫, ଆଣ୍ଡୃଜ୍‌ପଲ୍ଲୀ

ଶାନ୍ତିନିକେତନ–୭୩୧୨୩୫

ପଶ୍ଚିମବଂଗ

 

***

 

ଆଦିମ ବଣ୍ଡା ସଂସ୍କୃତି–ଓଡ଼ିଆ ସଂସ୍କୃତି, ସମନ୍ୱୟର ସ୍ୱର

ଡକ୍‌ଟର ପ୍ରତିଭା ରାୟ

 

‘‘ସର୍ବ ମଙ୍ଗଳ ଜଗନ୍ନାଥ’’ ଏଇ ବିଶ୍ୱାସ ନେଇ ବହୁ ବିାରୋଧାଭାଷ ସତ୍ତ୍ୱେ ଓଡ଼ିଆ ଅନେକ ଶୁଭକାର୍ଯ୍ୟ ଅନୁକୂଳ କରିଥାଏ । ଅର୍ଥାତ୍‌ ଜଗନ୍ନାଥ ହେଉଛନ୍ତି ବହୁ ବିରୋଧାଭାଷ, ବହୁମତ, ବହୁତତ୍ତ୍ୱ, ବହୁଧର୍ମ ଓ ସଂସ୍କୃତିର ସମନ୍ୱୟର ପ୍ରତୀକ । ଉତ୍କଳୀୟ ସଂସ୍କୃତି କହିଲେ ଜଗନ୍ନାଥ ସଂସ୍କୃତିକୁ ହିଁ ବୁଝାଏ ଯାହା ହେଉଛି ଅଣ-ଆର୍ଯ୍ୟ ଆର୍ଯ୍ୟର ସାଂସ୍କୃତିକ-ଧାର୍ମିକ ସମନ୍ୱୟ ଓ ସହାବସ୍ଥାନର ଏକ ମହାନ ସଂସ୍କୃତି ।

 

ପ୍ରାଚୀନ ଓଡ଼ିଆ ସଂସ୍କୃତି ଥିଲା ଶାବର ସଂସ୍କୃତି । ଓଡ଼ିଆ ଜାତିର ସଂସ୍କୃତି ଓ ସାହିତ୍ୟର ମୂଳ ଉତ୍ସ ଖୋଜିବାପାଇଁ ହେଲେ ଶବର ଜାତିର ମୁଣ୍ଡାରୀ ଭାଷା ଅନ୍ତର୍ଗତ ଭୂୟାଁ, ଭୂମିଜ, ଓଡ଼, କୋହ୍ଲ, ଗଦବା, ମୁଣ୍ଡା, ହୋ, ସାନ୍ତାଳ, ପରଜା, କିରାତ ଆଦି ପ୍ରଜାତିର ଭାଷା ଲୋକ-ସାହିତ୍ୟ ଧର୍ମଧାରଣା, ନୃତ୍ୟ ସଙ୍ଗୀତ ଓ ଇତିହାସ ଇତ୍ୟାଦି ସଂସ୍କୃତିର ବିଭିନ୍ନ ବିଭାବମାନଙ୍କୁ ଅଧ୍ୟୟନ ଓ ଆଲୋଚନା କରିବାକୁ ହେବ ।

 

ସଂସ୍କୃତି ହେଉଛି ଗୋଟିଏ ମାନବ ଗୋଷ୍ଠୀର ରୀତି, ନୀତି, ଆଚାର, ଅନାଚାର ସଂସ୍କାର କୁସଂସ୍କାର ଲୋକ ବିଶ୍ୱାସ–ଧର୍ମଧାରଣା ଇତ୍ୟାଦିର ମଧୁର ସମନ୍ୱୟ ବିଶିଷ୍ଟ ଏକ ବ୍ୟାପକ ଅର୍ଥ ବୋଧକ ଶବ୍ଦ ।

 

ଯେକୌଣସି ଭୂଖଣ୍ଡର ସଂସ୍କୃତିର ଆଦିନିର୍ମାତା ହେଉଛନ୍ତି ସେହି ଭୂଖଣ୍ଡର ଆଦିମ ଅଧିବାସୀ । ପରବର୍ତ୍ତୀ କାଳରେ ସ୍ଥାନାନ୍ତରଣ (Migration) ଏବଂ ଆଗନ୍ତୁକ ଗୋଷ୍ଠୀଦ୍ୱାରା ସାଂସ୍କୃତିକ ଆଦାନ ପ୍ରଦାନ ଫଳରେ ସଂସ୍କୃତି କ୍ରମଶଃ ସମୃଦ୍ଧ ହୁଏ, । ଭାରତୀୟ ସଂସ୍କୃତିକ, ତଥା ଉତ୍କଳୀୟ ସଂସ୍କୃତି ଯେପରି ପ୍ରାଚୀନ ଓ ସେହିପରି ସମୃଦ୍ଧ । ‘ଭାରତୀୟ ସଂସ୍କୃତିର ଆଦି ନିର୍ମାତା ହେଉଛନ୍ତି ଏଇ ବିଶାଳ ଭୂଖଣ୍ଡର ଆଦିମ ଅଧିବାସୀ । ଉତ୍କଳୀୟ ସଂସ୍କୃତିର ଆଦି ନିର୍ମାତା ମଧ୍ୟ ଏହି ଭୂଖଣ୍ଡର ଆଦିମ ଅଧିବାସୀ । ପରବର୍ତ୍ତୀ କାଳରେ ଦ୍ରାବିଡ଼ ଏବଂ ଆର୍ଯ୍ୟମାନଙ୍କର ଆଗମନ ଫଳରେ ସାଂସ୍କୃତିକ ଆଦାନ ପ୍ରଦାନଦ୍ୱାରା ଭାରତ ତଥା ଓଡ଼ିଶାର ସଂସ୍କୃତି ଅଧିକ ରୁଦ୍ଧିମନ୍ତ ହୋଇଛି । ତେଣୁ ଆଜି ଆମେ ଯେଉଁ ସାଂସ୍କୃତିକ ଜୀବନ ଯାପନ କରୁଛୁ ତା କେବଳ ଶାବର ସଂସ୍କୃତି ନୁହେଁ ବା ଆର୍ଯ୍ୟକୃତି ନୁହେଁ, ତାହା ଅଣଆର୍ଯ୍ୟ-ଦ୍ରାବିଡ଼ ଏବଂ ଆର୍ଯ୍ୟର ଏକ ସମନ୍ୱିତ୍ୱ ସଂସ୍କୃତି ।

 

ସଂସ୍କୃତି ଚିର ପ୍ରବହମାନ । ଜଳଧାରାପରି ସର୍ବଦା ମୂଳ ଉତ୍ସରୁ ହିଁ ସଂସ୍କୃତିର ଧାରା ଅତୀତରୁ ବର୍ତ୍ତମାନକୁ ଓ ଭବିଷ୍ୟତ ବଂଶଧରଙ୍କ ଚେତନାକୁ ବହିଆସେ । ଆଦିବାସୀ ସଂସ୍କୃତି ସେହିପରି ଓଡ଼ିଆ ସଂସ୍କୃତିର ମୂଳଉତ୍ସ ଭାବରେ ଓଡ଼ିଆ ସଂସ୍କୃତିକୁ ପ୍ରଭାବିତ କରିଛି । ଆର୍ଯ୍ୟ ଓ ଦ୍ରାବିଡ଼ ସଂସ୍କୃତିର ସମନ୍ୱୟ ସତ୍ତ୍ୱେ ଓଡ଼ିଆ ସଂସ୍କୃତି ତା’ର ମୂଳ ଉତ୍ସଠାରୁ ସମ୍ପୂର୍ଣ୍ଣ ଦୁରେଇ ଯାଇ ନାହିଁ । ଲୋକସଂସ୍କୃତିବିତ୍‌ ପଣ୍ଡିତ ନୀଳକଣ୍ଠଙ୍କ ଭାଷାରେ–‘‘ସଭ୍ୟତାରେ ଆର୍ଯ୍ୟ ଥିଲେ ଆଦିମ ଆହରଣ ପଟୁ, ତେଣୁ ସେମାନେ, ଅସୁର ଓ ଶବର ସଭ୍ୟତାକୁ ନିଜର କରି ନେଇଥିଲେ ।’’ X X X ଓଡ଼ିଶାରେ ଆର୍ଯ୍ୟାଗମ ପରେ ଭାଷାରେ ଆର୍ଯ୍ୟ ହୋଇ ବି ଓଡ଼ିଆ ନିଜ ସାହିତ୍ୟ ଓ ସଂସ୍କୃତିକୁ ଛାଡ଼ି ନାହିଁ ।’’ ଏଠାରେ ନିଜ ‘ସାହିତ୍ୟ’ ଭାବରେ ମୂଳଉତ୍ସ ଆଦିବାସୀ ସାହିତ୍ୟ ବା ସଂସ୍କୃତି କଥା ହିଁ ନୀଳକଣ୍ଠ କହିଛନ୍ତି । ତେଣୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଶବର ଓ ଦ୍ରାବିଡ଼ ପ୍ରଜାତିକ ସଂସ୍କୃତି ଅଧ୍ୟୟନର ଆବଶ୍ୟକତା ରହିଛି । ଶବର-ଦ୍ରାବିଡ଼-ଆର୍ଯ୍ୟ-ସଂସ୍କୃତିର ଆଦାନ ପ୍ରଦାନ ପକ୍ରିୟାରେ ସମୃଦ୍ଧ, ସମନ୍ୱିତ ଓଡ଼ିଆ ସଂସ୍କୃତିର କ୍ରମବିକାଶ କିପରି ହୋଇଛି ତାହା ଆଲୋଚନା କରିବା ଏତେ ସହଜସାଧ୍ୟ ନୁହେଁ । ଏହି କ୍ଷୁଦ୍ର ପ୍ରବନ୍ଧର ସୀମୀତ ଶବ୍ଦାବଳୀ ମଧ୍ୟରେ ଏହି ତ୍ରିଧାରା ସାଂସ୍କୃତିକ ସମନ୍ୱୟର ଗୋଟିଏ ସନ୍ତୋଷଜନକ ରେଖାଚିତ୍ର ଦେଇ ପାରିବା ମଧ୍ୟ ସମ୍ଭବ ମନେ ହେଉନି । ଏହି ପ୍ରବନ୍ଧରେ ମୁଖ୍ୟତ ବଣ୍ଡା ଉପଜାତିର ଲୋକ ସଂସ୍କୃତି ଉପରେ ଆଲୋକପାତ କରାଯାଇଛି ।

 

ଭାଷା ଓ ସାହିତ୍ୟ :

ଓଡ଼ିଶାର ଲୋକ ସଂଖ୍ୟାର ପ୍ରାୟ ଏକତୃତୀୟାଂଶ ହେଉଛନ୍ତି ଆଦିବାସୀ । ଓଡ଼ିଶାର ଜାତୀୟ ଜୀବନର ସେମାନେ ଏକ ଅପରିହାର୍ଯ୍ୟ ଅଂଶ । ଦ୍ରାବିଡ଼ ଏବଂ ଆର୍ଯ୍ୟମାନଙ୍କର ଆଗମନର ହଜାର ହଜାର ବର୍ଷ ପୂର୍ବରୁ ସେମାନେ ପୃଥିବୀର ବିଭିନ୍ନ ଦେଶରେ ରହି ଆସିଛନ୍ତି । ଭାଷାତତ୍ତ୍ୱ-ବିତ୍‌ଗଣ ଏହି ଆଦିବାସୀମାନଙ୍କୁ ଅଷ୍ଟ୍ରିକ ମୁଣ୍ଡା ବା କୋଲାରିଆନ ଗୋଷ୍ଠୀ ଭାବରେ ନାମିତ କରିଛନ୍ତି । ଆଦିମ ଅଧିବାସୀର ଭାଷା ଥିଲା–ଲିପି ନଥିଲା । ଏବେ ମଧ୍ୟ ମୁଣ୍ଡା ଗୋଷ୍ଠୀର ଅଧିବାସୀମାନଙ୍କର ଲିପି ନାହିଁ । –କଥିତ ଭାଷା ଅଛି । ଏହାର ଅର୍ଥ ନୁହେଁ ଯେ ଲିଖିତ ଭାଷା ନଥିବା ଯୋଗୁଁ ସେମାନଙ୍କର ସାହିତ୍ୟ ନାହିଁ । ପ୍ରାଚୀନ ବୈଦିକ ଯୁଗରେ ଆର୍ଯ୍ୟଭାଷା ବେଦର ମଧ୍ୟ କୌଣସି ଲିପି ନଥିଲା । ସେଥିପାଇଁ ଆର୍ଯ୍ୟମାନଙ୍କର ବେଦକୁ ‘ଶ୍ରୁତି’ କୁହାଯାଉଥିଲା । ତେଣୁ ଯାହାର ଭାଷା ଅଛି, ତାର ଲିପି ନଥିଲେ ମଧ୍ୟ ସାହିତ୍ୟ ଅଛି ।

 

ଅନେକ ଐତିହାସିକଙ୍କ ମତରେ ପ୍ରାଚୀନ ଓଡ଼ିଶାର କଳିଙ୍ଗ ନାମକରଣରେ ମଧ୍ୟ ଆଦିବାସୀ ପ୍ରଭାବ ନିହିତ । ‘ଙ୍ଗ’ ହେଉଛି କୁଲିଭାଷା ବା କନ୍ଧମାନଙ୍କ ଭାଷାରେ ବ୍ୟବହାର କରାଯାଉଥିବା ବହୁବଚନାତ୍ମକ ପ୍ରତ୍ୟୟ । ‘କୁଇ’ ବା ‘କୁଲି’ ଜାତିର ଆଦିବାସୀ ଲୋକ ସମୂହ (କୁଲି+ଙ୍ଗ)ରୁ କୁଳିଙ୍ଗ ବା କୁଲିଙ୍ଗ ଶବ୍ଦର ସୃଷ୍ଟି ହୋଇଛି ଓ ଏଥିରେ ଆର୍ଯ୍ୟଭାଷାର ସମ୍ବନ୍ଧ ନାହିଁ ବୋଲି ଅନେକ ବୈୟାକରଣିକ ଏବଂ ଭାଷାତତ୍ତ୍ୱବିତ୍‌ଙ୍କର ମତ । କୁଲି ବା କନ୍ଧ ଉପଜାତିଙ୍କର ଦେଶ ‘କଳିଙ୍ଗ’ ହିଁ ଆଜିର ଓଡ଼ିଶା । ପରବର୍ତ୍ତୀ କାଳରେ ଓଡ୍ରଦେଶ ଏବଂ ‘ଓଡ଼ିଆ’ ପ୍ରଭୃତି ଶବ୍ଦ ଶବର ଭାଷାର ‘ଓର’ ଶବ୍ଦରୁ ଉଦ୍ଭବ ହୋଇଛି ବୋଲି ଅନେକଙ୍କ ମତ । ‘ଚାଷ’ ଅର୍ଥରେ ଶବର ଭାଷାରେ ‘ଅର’ ବା ‘ଓରସୋନ୍‌’ ଶବ୍ଦ ବ୍ୟବହାର କରାଯାଏ । ତେଣୁ କଳିଙ୍ଗ ବା ଓଡ୍ର ଦେଶର ସଭ୍ୟତା ନିଷାଦ ବା ଶବର (ଆଦିବାସୀ) ସଭ୍ୟତା ଉପରେ ପ୍ରତିଷ୍ଠିତ ।

 

ବିଶିଷ୍ଟ ଫରାସୀ ଭାଷାତତ୍ତ୍ୱବିତ୍‌ ‘ଜିନ୍‌ ଜୁଲୁସ୍କି’ଙ୍କ ମତରେ ଆର୍ଯ୍ୟମାନଙ୍କର ଭାଷା ଅଷ୍ଟ୍ରିକ୍‌ ବା ମୁଣ୍ଡାରୀ (ନିଷାଦ)ମାନଙ୍କର ଭାଷାଦ୍ୱାରା ବହୁ ଭାବରେ ପ୍ରଭାବିତ । କଦଳୀ, ତାମ୍ବୁଳ, ବାଣ, ଲଙ୍ଗଳ, କାର୍ପାସ, କମ୍ବଳ ପ୍ରଭୃତି ଶବ୍ଦ ଅଷ୍ଟ୍ରିକ୍‌ ଭାଷାରୁ ଆର୍ଯ୍ୟମାନେ ଗ୍ରହଣ କରିଛନ୍ତି । ଆଦିବାସୀ କଥିତଭାଷା ଓଡ଼ିଆ ଶବ୍ଦ ଭଣ୍ଡାରକୁ କିପରି ସମୃଦ୍ଧ କରିଛି ତାହା ବଣ୍ଡା ଭାଷା ବା ରେମୋସାମ୍‌ ସହ ତୁଳନା କରି ଏଠାରେ ଦର୍ଶା ଯାଇଛି ।

 

ବଣ୍ଡା

ଓଡ଼ିଆ

ବା

ବାପା

ଆଂକ୍‌ଟି

ଆଁଗୁଠି

ବନ

ବଣ

ମାମୁଁଙ୍ଗ୍‌

ମାମୁଁ

ଭଗ୍‌ବାଁ

ଭଗବାନ

ସମ୍‌ଦି

ସମୁଦି

ବନ୍‌ସୋ

ବଂଶ

ଶୋରୁ (ପବିତ୍ର)

ଚରୁ(ସଂସ୍କୃତରୁ ଜାତ)

କାଥା

କଥା

ଜୀଓ (ଆତ୍ମା)

ଜୀଅ(ଜୀବନ)

ମଇତର

ମଇତ୍ର

ଦରମ୍‌ ଭାଇ (ପ୍ରେମିକ)

ଧରମଭାଇ

ଅଇକେ (ଏଇକ୍ଷଣି)

ଅବିକା (ଏହିକ୍ଷଣି)

ପାଟ୍‌ କୋଣ୍ଡା

ପାଟଖଣ୍ଡା

କନ୍ଦ

କାନ୍ଧ

ଶୁଆ

କୁଆ

 

ବିଭିନ୍ନ ଆଦିବାସୀ ପ୍ରଜାତି ଭାଷାରୁ ବହୁ ସଂଖ୍ୟକ ଶବ୍ଦ ଆର୍ଯ୍ୟ ଭାଷା ଏବଂ ଓଡ଼ିଆ ଭାଷାକୁ କାଳକ୍ରମେ ଆସିଛି । ଏ ସଂପର୍କରେ ଅଧିକ ଗବେଷଣା ହେଲ ନିଶ୍ଚିତ ଭାବରେ ଜଣା ପଡ଼ିବ ଯେ, ଅନେକ ଅନାଲୋଚିତ ଓଡ଼ିଆ ଶବ୍ଦର ସମ୍ବନ୍ଧ ଆଦିବାସୀ ଭାଷା ସମୂହ ସହ ରହିଛି । ଓଡ଼ିଆ ଭାଷା ଉପରେ ମୂଖ୍ୟତଃ ଯେଉଁ ଆଦିବାସୀ ଭାଷାମାନଙ୍କର ପ୍ରଭାବ ପଡ଼ିଛି ବୋଲି ବହୁ ଗବେଷକଙ୍କର ମତ, ସେଗୁଡ଼ିକ ହେଲା–କୋହ୍ଲ ବା ମୁଣ୍ଡାରୀ ଭାଷା ଜୁଆଙ୍ଗ ବା ପାଟୁଆ ଭାଷା, ଶବର ଭାଷା, କନ୍ଧମାନଙ୍କର କୁଇ ଏବଂ କୁଭୀ ଭାଷା । ଏହି ଭାଷାଗୁଡ଼ିକ ସ୍ଥାନୀୟ ବୋଲିଭାଷାର ବିଶେଷ ସହାୟକ ହୋଇଛି ଏହା ଅନସ୍ୱୀକାର୍ଯ୍ୟ ।

 

ଓଡ଼ିଆ ସାହିତ୍ୟ ଓ ଆଦିବାସୀ ଲୋକ-ସାହିତ୍ୟର ସଂପର୍କ :

ବିଶ୍ୱର ପ୍ରତ୍ୟେକ ମାନବ ଗୋଷ୍ଠୀର ପୁରାଣ ବା myth ରହିଛି । ମିଥ୍‌ ବା ପୁରାଣକୁ ଫ୍ରଏଡ଼୍‌ ସଂସ୍କୃତିର ‘‘ସ୍ୱପ୍ନ’’ ବୋଲି କହିଛନ୍ତି । ମିଥ୍‌ ପାଖରେ ତର୍କର ସ୍ଥାନ ନାହିଁ । ଆଦିମାନବ କଳ୍ପନାରେ ପୃଥିବୀ, ଜଳ, ଅଗ୍ନି, ବାୟୁ, ମଣିଷ, ସୂର୍ଯ୍ୟ ଚନ୍ଦ୍ର, ପାହାଡ଼, ପର୍ବତର ସୃଷ୍ଟି ଯେଉଁ ରୂପ ନେଇଛି ତାହାହିଁ ତାର ପୁରାଣ । ଏହାକୁ ଆଦିମାନବର ବଂଶଧର ପରବର୍ତ୍ତୀ କାଳରେ ସତ୍ୟ ବୋଳି ମନେ କରେ । ଏହି ମିଥ୍‌ ମଧ୍ୟ ଆଦାନ ପ୍ରଦାନ ଓ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଅନ୍ୟଆଡ଼େ ପ୍ରଚାରିତ ହୋଇ ଅନ୍ୟଗୋଷ୍ଠୀଦ୍ୱାରା ଗ୍ରହଣୀୟ ହୋଇଛି । ପୃଥିବୀର ଦୁଇଟି ମହାକାବ୍ୟ ହେଉଛି ରାମାୟଣ, ମହାଭାରତ । ଏହି ମହାକାବ୍ୟ ଦ୍ୱୟ ଭାରତର ବିଭିନ୍ନ ଆଂଚଳିକ ସଂସ୍କୃତିକୁ ବହୁଭାବରେ ପ୍ରଭାବିତ କରିଛି । ଏହି ଦୁଇ ମହାକାବ୍ୟର ଅପ୍ରତିହତ ପ୍ରଭାବ ଜାତୀୟ ଐକ୍ୟ ଓ ସଂହତି ରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ଆର୍ଯ୍ୟ, ଅଣଆର୍ଯ୍ୟ ସାହିତ୍ୟ ଓ ସଂସ୍କୃତିର ସମନ୍ୱୟର ସହାୟକ ହୋଇଛି । ଅଣଆର୍ଯ୍ୟ ସଂସ୍କୃତିର ମିଥ୍‌, କିମ୍ବଦନ୍ତୀ (Legend) ଗାଥା, ପ୍ରବଚନ, ଲୋକନାଟ୍ୟ ଇତ୍ୟାଦିରେ ରାମାୟଣର ପ୍ରଭାବ ବିଶେଷ ଭାବରେ ପରିଲକ୍ଷିତ ହୁଏ । ଗଣ୍ଡ ସୃଷ୍ଟି ମିଥ୍‌ ରାମ ରାବଣ ଯୁଦ୍ଧବେଳେ ଏକ ଗଣ୍ଡ ଦମ୍ପତି ରାବଣର ରାଜ୍ୟ ଅନ୍ତର୍ଗତ ଜଂଗଲରେ ରହୁଥିଲେ । କୌଣସି କାରଣରୁ ମହାଦେଓ (ମହାଦେବ) ସେଇ ଦମ୍ପତିକୁ ଅଭିଶାପ ଦେଇ କହିଲେ, ‘‘ଯେତେଦିନ ପର୍ଯ୍ୟନ୍ତ ରାମ ଏ ଜଂଗଲକୁ ନ ଆସିଛନ୍ତି ଓ ତୁମେମାନେ ତାଙ୍କ ପାଦଧୋଇ ପାଣି ନ ପିଇଛ ସେତେଦିନ ଯାଏ ତୁମର ସନ୍ତାନ ସନ୍ତତି ହେବେ ନାହିଁ ।’’

 

ରାମ ଲଙ୍କାକୁ ଆସିବା ସମୟରେ ଗଣ୍ଡ ଦମ୍ପତି ତାଙ୍କ ପାଦ ଧୋଇ ପାଣି ପିଇଲେ । ରାମ ଖୁସି ହୋଇ ତାଙ୍କୁ ବର ଦେଲେ । ରାମ ରାବଣ ଯୁଦ୍ଧରେ ରାମ ଲଙ୍କାର ସମସ୍ତଙ୍କୁ ମାରିଦେଲେ ମାତ୍ର ଏହି ଗଣ୍ଡ ଦମ୍ପତିକୁ ମାରିଲେ ନାହିଁ । ରାମଙ୍କ ବିଜୟ ପରେ ସୀତାଙ୍କ ସହ ଗଣ୍ଡ ଦମ୍ପତିକୁ ରାମ ତାଙ୍କ ସହ ଅଯୋଧ୍ୟା ଆଣିଲେ । ସେମାନେ ହେଲେ ସୂର୍ଯ୍ୟବଂଶୀ ଗଣ୍ଡ ।

 

ଗଦବା :

ଏ ସଂପ୍ରଦାୟ ମଧ୍ୟରେ ରାମାୟଣ ସଂପର୍କିତ କାହାଣୀ ରହିଛି । ମାତ୍ର ଏଠାରେ ରାମାୟଣ ଓ ମହାଭାରତ ଦୁଇ ମହାକାବ୍ୟର ସମନ୍ୱୟରେ ରାମ ଓ ଭୀମଙ୍କୁ ଦୁଇ ଭାଇ ଭାବରେ ବର୍ଣ୍ଣନା କରାଯାଏ । ହୁଏତ ରାମଙ୍କୁ ଆର୍ଯ୍ୟ ଓ ଭୀମଙ୍କୁ ଅଣଆର୍ଯ୍ୟ ଗୋଷ୍ଠୀର ମୁଖପାତ୍ର ଭାବରେ ଗ୍ରହଣ କରାଯାଇ ଆର୍ଯ୍ୟ ଅଣଆର୍ଯ୍ୟ ସହାବସ୍ଥାନ ଓ ସମନ୍ୱୟର କଳ୍ପନା କରାଯାଇଛି ।

 

କୋରାପୁଟର ଦଣ୍ଡକାରଣ୍ୟରେ ରାମ, ସୀତା ଓ ଲକ୍ଷ୍ମଣ ବନବାସ ସମୟରେ ବହୁ ବର୍ଷ କଟାଇଥିଲେ ଓ ସେଠାରେ କୋଲାବ ନଦୀରେ ସ୍ନାନ କରିଥିଲେ ବୋଲି କିମ୍ବଦନ୍ତୀ ଅଛି । ରାମଗିରି ପର୍ବତରେ ରାମ ଶିବଲିଂଗ ପୂଜା କରିଥିଲେ ବୋଲି ରାମାୟଣରେ ବର୍ଣ୍ଣିତ ଅଛି ଏବଂ ଏହା କୋରାପୁଟର ରାମଗିରି ପର୍ବତ ବୋଲି ଜନଶ୍ରୁତି ଅଛି । ସମ୍ବଲପୁରର ଗନ୍ଧମାର୍ଦ୍ଦନ ପର୍ବତକୁ ମୃତ ସଂଜୀବନୀ ଔଷଧ ବୃକ୍ଷ ସହ ହନୁମାନ ଧାରଣକରି ଲକ୍ଷ୍ମଣକୁ ବଂଚାଇବା ପାଇଁ ଲଂକାରେ ପହଞ୍ଚି ଥିଲେ ବୋଲି ପ୍ରବାଦ ଅଛି । କଳାହାଣ୍ଡିର ବୋଡ଼େନ୍‌ ବ୍ଲକ୍‌ର ଏକ ପର୍ବତମାଳାର ପାତାଳ ଗଙ୍ଗା ନାମକ ସ୍ଥାନରେ ଲକ୍ଷ୍ମଣ ଶରମାରି ପାତାଳରୁ ଭୂମି ଉପରକୁ ଜଳ ଆଣିଥିଲେ । ବନବାସ କାଳରେ ସୀତାଙ୍କୁ ଶୋଷ ହେବାରୁ ଅନ୍ୟ କେଉଁଠି ଜଳ ନପାଇ ଲକ୍ଷ୍ମଣ ଏପରି କରିଥିଲେ ବୋଲି ଏଠିକାର ଲୋକ ବିଶ୍ୱାସ ।

 

ବଣ୍ଡା :

କୋରାପୁଟ ମାଲକାନ୍‌ଗିରି ସବ୍‌ଡ଼ିଭିଜନର ବଣ୍ଡା ପର୍ବତ ଶ୍ରେଣୀରେ ବାସ କରୁଥିବା ବଣ୍ଡା ଉପଜାତିର ଲୋକଙ୍କ ଧାରଣା ଯେ, ସେମାନେ ପୃଥିବୀର ପ୍ରଥମ ମଣିଷ ଏବଂ ରାମାୟଣ ଯୁଗର ବାଳୀ ଏବଂ ସୁଗ୍ରୀ (ସୁଗ୍ରୀବ)ଙ୍କ ବଂଶଧର । ମହୁଲିପଡ଼ା ଗ୍ରାମଠାରୁ ପ୍ରାୟ ସାତ କିଲୋମିଟର ଦୂରରେ ଅଣ୍ଡ୍ରାହାଲ ଗାଁରୁ ବଡ଼ବେଲ ଗାଁକୁ ଯିବା ରାସ୍ତାରେ ଗୋଟିଏ ପାହାଡ଼ ଅଛି । ବଣ୍ଡା କହନ୍ତି ବାଳୀ ପର୍ବତ । ସେଇ ପାହାଡ଼ର ଉପର ଅଂଶ ତୀଖ ନ ହୋଇ ସମତଳ ଆୟତାକାର କ୍ଷେତ୍ର ପରି ହୋଇଛି । ଲୋକ ବିଶ୍ୱାସ ଅନୁଯାୟୀ ଏଇ ସ୍ଥାନରେ ବାଳୀ ସୁଗ୍ରୀବଙ୍କର ଯୁଦ୍ଧ ହୋଇଥିଲା । ବାଳୀ ସୁଗ୍ରୀବକୁ ଏତେ ଜୋରରେ କଚାଡ଼ି ଦେଲେ ଯେ, ପର୍ବତର ଅଗ୍ରଭାଗ ଦବିଯାଇ ସମତଳ ହୋଇଗଲା । ଏହି ପାହାଡ଼ର ତଳ ଅଂଶରେ ନାଲି ପଥର ଦେଖିବାକୁ ମିଳେ । ଯୁଦ୍ଧରେ ଯେଉଁ ରକ୍ତ କ୍ଷୟ ହୋଇଥିଲା ତାହା ଗଡ଼ିଯାଇ ପର୍ବତ ମୂଳରେ ଭେଦିଗଲା । ଆଶ୍ଚର୍ଯ୍ୟର କଥା ଯେ, ସେଠିକାର ମାଟି ଖୋଳିଲେ ଯେଉଁ ପାଣି ଏବେ ବାହାରେ ତାର ରଂଗ ଇଷତ୍‌ ଇଟାଳିଆ ଦିଶେ ।

 

ଆଲୋଚିକା କିଛି ବଣ୍ଡା ଲୋକଙ୍କ ସଂଗେ କଥାବାର୍ତ୍ତା ହେବା ସମୟରେ ଶୁଣିଛନ୍ତି ଯେ, କିଛି ଦିନ ତଳେ କେତେ ଜଣ ବିଦେଶୀ, ବଣ୍ଡା ପର୍ବତ ଯାଇଥିବା ସମୟରେ ତାଙ୍କୁ ଏଇ କାହାଣୀ କହି ଜଣେ ଡମ୍ବ ସେଇ ଇଟାଳିଆ ରଂଗର ଏକବୋତଲ ପାଣି ବେଶ୍‌ କିଛି ଟଙ୍କା ମୂଲ୍ୟରେ ବିକ୍ରି କରିଥିଲେ । ବିଦେଶୀ ଜଣକ ଗବେଷଣାଗାରରେ ପରୀକ୍ଷାକରି ରକ୍ତ ଅଛିକି ନାହିଁ ଜାଣିବା ପାଇଁ ପାଣି ବୋତଲଟି ନେଇଥିଲେ । ଗବେଷଣାର ଫଳାଫଳ କଣ ହେଲା ଆଲୋଚିକାଙ୍କୁ ଜଣାନାହିଁ ।

 

ବଣ୍ଡା ସ୍ତ୍ରୀ ଲାଣ୍ଡି କାହିଁକି ଓ ସ୍ୱଳ୍ପ ପରିଧାନ ବ୍ୟବହାର କରେ କାହିଁକି, ଏ ସଂପର୍କରେ ଏକ କିମ୍ବଦନ୍ତୀ ରହିଛି । ମୁଦୁଲି ଗଡ଼ାର ଏକ ଆମ୍ବତୋଟା ଛାଇରେ ଏକ ଚିରସ୍ରାବୀ ଝରଣା ବହୁଛି । ତାର ନାମ ‘‘କିଙ୍ଗୁ ବୋଡ଼କେ’’ ବଣ୍ଡା ଲୋକବିଶ୍ୱାସ ଯେ ରାମଚନ୍ଦ୍ରଙ୍କ ବନବାସ ବେଳେ ‘‘ସୀତା ମା’ ବନ୍ଧ ଉପରେ ବସ୍ତ୍ର ରଖି ଅନାବୃତ ହୋଇ ସେଇ ଝରଣାରେ ସ୍ନାନ କରୁଥିଲେ । ବଣ୍ଡାରମଣୀମାନେ ସୀତାଙ୍କୁ ଏପରି ଅବସ୍ଥାରେ ଦେଖି ହସିଦେଲେ । ସୀତା ମା’ ରାଗିଯାଇ ଅଭିଶାପ ଦେଲେ ‘‘କଳି ଯୁଗରେ ତୁମେମାନେ (ସ୍ତ୍ରୀମାନେ) ମୁଣ୍ଡ ଲାଣ୍ଡିକରି ଏବଂ ଉଲଗ୍ନ ହୋଇ ବୁଲିବ । ଯଦି ଏ କଥା ନ କରିବ ତେବେ ବଣ୍ଡା ପାହାଡ଼ରେ ଘାସ କିଅଁଳିବ ନାହିଁ ।’’

 

ବଣ୍ଡା ରମଣୀମାନେ ଏ କଥା ଶୁଣି କାନ୍ଦି କାନ୍ଦି ଶାପ ମୋଚନ ପାଇଁ ପ୍ରାର୍ଥନା କଲେ । ସୀତା ମା’ ଦୟା ପରବଶ ହୋଇ ନିଜ ଶାଢ଼ିର ଧଡ଼ିରୁ ସୁତାଟିଏ କାଢ଼ି ସେମାନଙ୍କୁ ଦେଲେ ଓ କହିଲେ–‘‘ତୁମେମାନେ କଳିଯୁଗରେ ଏତିକି ମାତ୍ର କଟିଦେଶରେ ପରିଧାନ କରି ପାରିବ’’ । ସେହି ଝରଣା କୂଳର ପଥର ଉପରେ ଏକ ଅସ୍ପଷ୍ଟ ଚିହ୍ନ ଅଛି, ଯାହାକୁ ସୀତାଙ୍କ ‘ପାଦଚିହ୍ନ’ ବୋଲି କୁହାଯାଏ ।

 

ଏହି କିମ୍ବଦନ୍ତୀକୁ ସତ୍ୟମଣି ବଣ୍ଡାନାରୀ ଆଜି ମଧ୍ୟ ମୁଣ୍ଡ ଲାଣ୍ଡି କରିଥାଏ ଏବଂ ଶରୀରରେ ଏକଫୁଟ ଓଷାର ଓ ତିନିଫୁଟ ଲମ୍ବର ଏକ ରିଂଗା (ଏକରଂଗ ତନ୍ତୁରୁ ପ୍ରସ୍ତୁତ ଏକ ବସ୍ତ୍ର) କଟି ଦେଶରେ ଗୁଡ଼ାଇଥାଏ । ମୁକ୍ତ ଶରୀରକୁ ଘୋଡ଼ାଇବା ପାଇଁ ସେ ବେକରେ ଅନେକ ସରିର ମାଳି ପିନ୍ଧିଥାଏ । ବଣ୍ଡା ରମଣୀ ଦୀର୍ଘ କେଶ ରଖିଲେ ଏବଂ ଶାଢି ପିନ୍ଧିଲେ ବଣ୍ଡା ଦେଶରେ ବିପତ୍ତି ପଡ଼ିବ ବୋଲି ଏବେବି ଲୋକ ବିଶ୍ୱାସ ଦୃଢ଼ ।

 

‘‘Myth is for him real world perhaps even move real than the physical reality he deals with in everyday life.

- Bogomolov A.S 'op.cit,' P-20.

 

ଦାସ ଅଭିନ୍ନ ଚନ୍ଦ୍ର ‘‘ବୈଦିକ ସାହିତ୍ୟ ସଂସ୍କୃତି’’

 

ଆଦିମ ବଣ୍ଡା ସଂସ୍କୃତି–ଓଡ଼ିଆ ସଂସ୍କୃତି, ସମନ୍ୱୟର ସ୍ୱର

 

ଲୋକଗଳ୍ପ :

ମିଥ୍‌ ଓ କିମ୍ବଦନ୍ତୀ ବ୍ୟତୀତ ଆଦିବାସୀ ଲୋକଗଳ୍ପ (Folk tale)ରେ ମଧ୍ୟ ଓଡ଼ିଆ ଲୋକ–ଗଳ୍ପର ବହୁ ସାମଞ୍ଜସ୍ୟ ଲକ୍ଷ୍ୟ କରିବାର କଥା ।

 

କଂଚନବତୀ କଥା, କାଠଗଣ୍ଡି ଘୋଡ଼ା ବେଇବା, କୁହୁକ ମଣ୍ଡଳ ଚଢ଼େଇ ଓ ଅମୁହାଁ ଦେଉଳ କଥା, ଚାରି ସଂଗାତ କଥା, ରାଣ୍ଡୀପୁଅ ଗୋବିନ୍ଦା କଥା, ବଅଁଶ କାଲା କଥା, ତଥା ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କାହିଁକି ହେଲା, ସୃଷ୍ଟି ପ୍ରାରମ୍ଭ କଥା ଇତ୍ୟାଦିରେ ଉଭୟ ସଂସ୍କୃତିର ସମନ୍ୱୟ ହୋଇଥିବାର ଲକ୍ଷ୍ୟ କରାଯାଏ ।

 

‘‘କଲରେଇ ଫୁଲ’’ର ଭାଇ ଭଉଣୀ ବିବାହ କଳ୍ପନା ଉଭୟ ସଂସ୍କୃତି ପାଇଁ ଅବୈଧ ହେଲେ ମଧ୍ୟ ଏଭଳି ଭାଇ ଭଉଣୀ ବିବାହ ସଂପର୍କର ଗଳ୍ପ ଆଦିବାସୀ ଲୋକକଥାରେ ପ୍ରାୟ ଦେଖିବାକୁ ମିଳେ ।

 

ବଣ୍ଡା ସୃଷ୍ଟି ମିଥ୍‌ର ଗଳ୍ପରେ ଭାଇ ଭଉଣୀଙ୍କ ମିଳନରୁ ହିଁ ବାରଜଣ ପୁତ୍ର ସନ୍ତାନ ଜନ୍ମଲାଭ କରିଥିଲେ ଏବଂ ପ୍ରଥମ ବାରକଣ୍ଡି ଗାଁରେ ବସତି ସ୍ଥାପନ କରିଥିଲେ । ଏହି ବାରଖଣ୍ଡି ଗାଁର ବଣ୍ଡା ଗୋଷ୍ଠୀଙ୍କୁ ‘‘ବାର ଜଂଗର ଦେଶ୍‌’’ର ଗୋଷ୍ଠୀ କୁହାଯାଏ । କେବଳ ଆଦିମ ଜନ ଜାତିର ମୌଖିକ ପରମ୍ପରାରେ ନୁହେଁ, ଭାରତୀୟ ବୈଦିକ ସାହିତ୍ୟ (ୠଗ୍‌ ବେଦ ଦଶମ ମଣ୍ଡଳର ଦଶମ ସୂକ୍ତରେ) ଯମଯମୀ ଉପାଖ୍ୟାନରେ ମଧ୍ୟ ଭାଇ ଭଉଣୀ ମଧ୍ୟରେ ମିଳନ କଥାରୁ ମାନବ ଜାତିର ସୃଷ୍ଟି ସଂକେତ ରହିଛି ।

 

ମୃତ୍ୟୁ ପରେ ଆତ୍ମାର ଗତି କଣ ହୁଏ, ପାପ ପୁଣ୍ୟର ଫଳ ମନୁଷ୍ୟକୁ କିପରି ଭୋଗ କରିବାକୁ ହୁଏ, ଇତ୍ୟାଦି ଧାରଣା ଏବଂ ଓଡ଼ିଆ ଲୋକ କାହାଣୀର ଅନେକ ‘ମୋଟିଫ୍‌’ ବହୁ ଭାବରେ ଉଭୟ ସଂସ୍କୃତିର ଲୋକ କଥାରେ ଦେଖିବାକୁ ମିଳିଥାଏ ।

 

ବଣ୍ଡା ଲୋକ ଗଳ୍ପ : ପ୍ରଳୟ ଏବଂ ସୃଷ୍ଟି

ଅନନ୍ତ ଭଗବାନ୍‌ ପ୍ରଳୟ ଜଳରେ ମଗ୍ନ ପୃଥିବୀକୁ ଉଦ୍ଧାର କରିବାପାଇଁ ବରାହ ଶରୀର ଧାରଣ କରିଥିଲେ । ନିଜର ଦନ୍ତାଗ୍ରରେ ଜଳମଗ୍ନ ପୃଥିବୀକୁ ଧରି ସେ ପୁନଃ ସ୍ଥାପନ କରିଥିଲେ । ଏହା ବୈଦିକ ବିଶ୍ୱାସ । ବଣ୍ଡାଲୋକ ବିଶ୍ୱାସରେ ସୃଷ୍ଟି ଆଦି କାଳରେ ସର୍ବତ୍ର ଜଳମୟ ଥିଲା । ସେହି ଜଳରେ କେବଳ ଏହ ବାରିହା ବା ବରାହ ବାସ କରୁଥିଲା । ଜଳ ଭିତରୁ ସେ କିଛି ମାଟି ତାର ଦାନ୍ତ ଏବଂ ଶୁଣ୍ଢରେ ଆଣି ଜଳ ଉପରେ ଛିଞ୍ଚି ଦେବାରୁ ତାହା ପୃଥିବୀରେ ପରିଣତ ହେଲା । ମଧ୍ୟେ ମଧ୍ୟେ ଜଳ ଭାଗ ରହିଗଲା । ସେତେବେଳେ ଆକାଶରେ ଚନ୍ଦ୍ରସୂର୍ଯ୍ୟ ନଥିଲେ । ତେଣୁ ବାରିହାଟି ଗୋଟିଏ ସଲପ ଗଛର ବାହୁଙ୍ଗାକୁ ଛୋଟ, ଛୋଟ ଦୁଇଖଣ୍ଡ କାଟି ଆକାଶକୁ ଫିଙ୍ଗି ଦେଲା । ସେ ଚନ୍ଦ୍ର ସୂର୍ଯ୍ୟ ହୋଇ ଲଟକି ରହିଲେ । ସେଇପରି ସଲପ ଗଛର ଫଳ ଧରିଥିବା କାନ୍ଦିକୁ ଉପରକୁ ଫୋପାଡ଼ି ଦେଲା ଏବଂ ଫଳଗୁଡ଼ିକୁ ଏଣେତେଣେ ଛିଞ୍ଚାଡ଼ି ହୋଇ ତାରା ଫୁଟିଗଲେ ।

 

ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ :

ସୂର୍ଯ୍ୟ ଚନ୍ଦ୍ର ଥରେ ଧାନ କରଜ ଆଣିଥିଲେ । ସୁଝି ପାରିଲେନି । ମହାଜନ ଆସି ଯେତେବେଳେ ଧାନ ମାଗେ ତାର ଛାଇ ପଡ଼େ ଓ ସେମାନେ କଳା ପଡ଼ିଯାଆନ୍ତି ।

 

ପୂର୍ଣ୍ଣ ଗ୍ରାସ ଓ ଆଂଶିକ ଗ୍ରାସ :

ସୂର୍ଯ୍ୟ ଚନ୍ଦ୍ର, କଂକଡ଼ାବିଛା ଓ ଭାଲୁ ଗୋଟିଏ ଗଛମୂଳେ ବସି ଅଲଗା ଅଲଗା ରୋଷେଇ କରୁଥିଲେ, ରୋଷେଇ ସରିବାରୁ ପତ୍ର ଆଣି ଦନା ତିଆରି କଲେ । ମାତ୍ର ସୂର୍ଯ୍ୟ ଚନ୍ଦ୍ରଙ୍କ ପାଖରେ ଦନାରେ ମାରିବା ପାଇଁ କଣ୍ଟା ନଥିବାରୁ ଭାଲୁ ଓ କଂକଡ଼ାବିଛାଠାରୁ ଧାର ଆଣିଲେ । ଆଉ ଧାର ସୁଝିଲେ ନାହିଁ । ସେମାନେ ନ ଦେବାରୁ ଭାଲୁ ମାଡ଼ିବସେ, ସେମାନେ କଳା ପଡ଼ିଯାନ୍ତି, ବିଛା କାମୁଡ଼ି ଦିଏ ଏବଂ ସେମାନେ ଲାଲ ପଡ଼ିଯାନ୍ତି । ଏହା ରାହୁ ଗ୍ରାସ, କେତୁ ଗ୍ରାସ ବିଶ୍ୱାସ ସହ ତୁଳନୀୟ । ଅଣ ଆଦିବାସୀ ଓଡ଼ିଆ ସଂସ୍କୃତିରେ ଯେପରି ପରାଗ ବା ଗ୍ରହଣ ସମୟରେ ଗର୍ଭବତୀ ନାରୀ ପଦାକୁ ବାହାରିବା ବା ଗ୍ରହଣ ଦେଖିବା ନିଷେଧ, ବଣ୍ଡା ସଂସ୍କୃତିରେ ମଧ୍ୟ ଏହି ନିୟମ କଡ଼ାକଡ଼ି ଭାବେ ପାଳିତ ହେବାର ଦେଖାଯାଏ । ଏପରି କଲେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହୋଇ ଜନ୍ମହୁଏ ବୋଲି ଉଭୟ ସଂସ୍କୃତିର ବିଶ୍ୱାସ ।

 

ଲୋକଗୀତ :

ନୃତ୍ୟ ଗୀତ ଆଦିମ ମଣିଷ ଜୀବନର ଏକ ଅଂଶ । ପ୍ରତ୍ୟେକ ସମୟରେ ବିଧଶ୍‌ଥ ସାହିତ୍ୟର ଧାରାସହ ଲୋକ ସାହିତ୍ୟର ଧାରା ସମାନ୍ତର ଭାବରେ ଚାଲିଛି । ବିଦଶ୍‌ଥ କବିତା ଏକକ କବିର କବି ମାନସର ପରିପ୍ରକାଶ ହେବାବେଳେ ଲୋକଗୀତ ସମଗ୍ର ଲୋକ ବା ଜନତାର ସ୍ୱପ୍ନ, କଳ୍ପନାର ଏବଂ ଜୀବନର ପରିପ୍ରକାଶ । ଲୋକଗୀତ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ-। ଆଦିବାସୀ ଏବଂ ଗ୍ରାମ୍ୟଜୀବନର ନାନାକାର୍ଯ୍ୟ ଯଥା, ଚାଷ, ବିବାହ, ପର୍ବ-ପର୍ବାଣୀ ଶୋକ ଖେଳ କୌତୁକ ପ୍ରେମର ପରିପ୍ରକାଶ ଲୋକଗୀତ ମାଧ୍ୟମରେ ଚିତ୍ରିତ ହୋଇଥାଏ ଓ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଜୀବନକୁ ଅଧିକ ରସମୟ କରିଥାଏ । ଲୋକଗୀତ ଓ ନୃତ୍ୟ ଆଦିବାସୀ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । ବଣ୍ଡା ଆଦିବାସୀଙ୍କର ଏକ ଲୋକକାହାଣୀ ଅନୁଯାୟୀ ବଣ୍ଡା ନର-ନାରୀ କୌଣସି ଏକ ସମୟରେ ନୃତ୍ୟ ଗୀତ ବନ୍ଦକରି ଦେବାରୁ ବଣ୍ଡା ରାଜ୍ୟକୁ ଘୋର ବିପତ୍ତି ପଡ଼ିଲା । ବଣ୍ଡାଗଣ ଭଗବାଁ ପାଖରେ ଗୁହାରୀ କରିବାରୁ ଭଗବାଁ କହିଲେ–ପର୍ବ ସମୟରେ ନୃତ୍ୟଗୀତ ବନ୍ଦ କରିଦେବା କାରଣରୁ ଏ ବିପତ୍ତି ମୁଁ ଭିଆଇଛି । ଏଣିକି ତୁମେ ପର୍ବ-ପର୍ବାଣୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଗୀତ ଗାଇବ ଓ ନୃତ୍ୟ କରିବ ।

 

ଆଦିବାସୀ ଲୋକ ଗୀତର ବହୁ ସାମଞ୍ଜସ୍ୟ ଓଡ଼ିଆ ଲୋକ ଗୀତରେ ଦେଖିବାକୁ ମିଳେ-

ଉଦାହରଣ ସ୍ୱରୂପ–ନାନାବାୟା ଗୀତ (ବଣ୍ଡା)

ବଣ୍ଡା–ବାନିଲେ ମଡ଼ା ବାନିଲେ ମକ୍‌ଲା–

ଜଂଙ୍ଗ୍ଆ ବିରି ଉଇଷିତା (କାନ୍ଦନାଇ ତୁନି ତାନି ଶୋଇପଡ଼େ, କାନ୍ଦିନି ତୋ’ମା ଜଙ୍ଗଲକୁ ଯାଇଛି)

 

ଆନ ବୁଲୁରା ରୁଙ୍ଗ ବେତ ଜଂଙ୍ଗ୍ଆଁ

(ତତେମା କୋଳି ଦବ କାନ୍ଦନା)

ଜଂଙ୍ଗଆ ଫିରି ରୁଂଙ୍ଗ ବେତ, ଆଚଗା

(ମା’ ଚଢେଇ ଆଣିବ କାନ୍ଦନି)

 

ଓଡ଼ିଆ:

ବାଇଚଢ଼େଇରେ ବାଇଚଢ଼େଇ–ତୋ ମା’ ଯାଇଛି ଗାଈ ଚରେଇ–ଗାଈ ଚରେଇରୁ ଆଣିବ ଧାନ......ଇତ୍ୟାଦି ।

 

ଓଡ଼ିଆ ସଂସ୍କୃତିରେ କୁମାର ପୂର୍ଣ୍ଣିମା, ରଜ ଇତ୍ୟାଦିରେ କେବଳ ଝିଅମାନେ ଏକତ୍ର ଗୀତ ଗାଇ ବିଭିନ୍ନ ଖେଳ ଖେଳିବା ଭଳି ବଣ୍ଡା ସଂସ୍କୃତିରେ ଚଇତପର୍ବ ବେଳେ ପୁଅମାନେ ଏକତ୍ର ବେଣ୍ଟକୁ (ଶିକାରକୁ) ଯିବାବେଳେ କେବଳ ଝିଅମାନେ ଗୀତ ଗାଇଥାନ୍ତି । ସେଇପରି ଝାଡ଼ୁ କାଟିବା ଗୀତ, ମାଛଧରା ଗୀତ, କରଡି ଆଣିବା ଗୀତ, ସିନ୍ଦ୍‌ କନ୍ଦା ଝିକିବା ଗୀତ, କନ୍ୟା ଆଣିବାକୁ ଯିବା ଗୀତ, କେବଳ ଝିଅମାନେ ହିଁ ଗାଇଥାନ୍ତି । କାରଣ ଉପରୋକ୍ତ କାର୍ଯ୍ୟଗୁଡ଼ିକ କେବଳ ବଣ୍ଡା ନାରୀ ହିଁ କରିଥାଏ । କନ୍ୟା ବିଦା ଗୀତ ଓ ଶୋକଶୀତ ମଧ୍ୟ ଓଡ଼ିଆ ଗ୍ରାମୀଣ କାନ୍ଦଣା ଲହରୀର ଆବେଗାତ୍ମକ ଭାବ ପ୍ରକାଶ ସହ ମିଶିଯାଏ । ସେହିପରି ଅନ୍ୟାନ୍ୟ ଆଦିବାସୀ ଗୋଷ୍ଠୀର ଲୋକଗୀତ ଓଡ଼ିଆ ସାହିତ୍ୟର ଲୋକଗୀତ ତଥା ଆଧୁନିକ କବିତାର ଭାବ ସହ ମିଶିଯିବାର ଉଦାହରଣ ଯଥେଷ୍ଟ । ଏହା ସ୍ୱତନ୍ତ୍ର ଭାବରେ ଆଲୋଚନା ସାପେକ୍ଷ ।

 

ଆଦିବାସୀର କରମା ଗୀତ, ଘୁମୁରା ଗୀତ, ଚାଂଗୁନାଟ ଗୀତ, ଚଇତିପର୍ବ ଶୀତ, ଶବର ଶବରୀ ଗୀତଗୁଡ଼ିକର ଓଡ଼ିଆ ଭାଷାର ପ୍ରଭାବ ମଧ୍ୟ ପରିଲିକ୍ଷିତ ହୁଏ । ଆଦିବାସୀ ସଂସ୍କୃତି ଓଡ଼ିଆ ଭାଷା ସାହିତ୍ୟର ଆଦିପର୍ବରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଦିବାସୀ ସମାଜ ଓଡ଼ିଆ ଭାଷା ସାହିତ୍ୟରୁ ବିଚ୍ଛିନ୍ନ ନୁହେଁ । ଆଦିବାସୀ ସମାଜର ଜୀବନଚିତ୍ର ଓଡ଼ିଆ ସାହତ୍ୟର ପ୍ରାଚୀନ ଗ୍ରନ୍ଥରେ ମଧ୍ୟ ଦେଖିବାକୁ ମିଳେ ।

 

ପର୍ବ-ପର୍ବାଣୀ:-

ଆଦିବାସୀର ପର୍ବ-ପର୍ବାଣୀ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ । ବିଭିନ୍ନ ଋତୁ, ଫସଲ ଆମଦାନୀ, କୃଷିକର୍ମ ଇତ୍ୟାଦି ସହ ସମ୍ପର୍କିତ । ଓଡ଼ିଆ, ପର୍ବ ପର୍ବାଣୀର ଧାରା ସହ ଏହି ଦୃଷ୍ଟିରୁ ଅନେକ ଆଦିବାସୀ ପର୍ବପର୍ବାଣୀର ସାମଞ୍ଜସ୍ୟ ଲକ୍ଷ୍ୟ କରିବାର କଥା । ବଣ୍ଡା ପର୍ବପର୍ବାଣୀକୁ ଆଲୋଚନା କରାଯାଉ । ବଣ୍ଡା ମୁଲକରେ ଓଡ଼ିଆ ଘର ପରି ବର୍ଷସାରା କିଛିନା କିଛି ପର୍ବପର୍ବାଣୀ ତା ସହ ବିରୁ (ଗ୍ରହ ପୂଜା) ଚାଲିଥାଏ । ତେବେ ମୂଖ୍ୟ ପର୍ବ ହେଉଛି ପାଞ୍ଚଟି ।

 

କୁମ୍ବଡ଼୍‌କା ଗିଗେ (ଦଶରା ପରବ)

ଏଥିରେ ପାଟ ଖଣ୍ଡା ପୂଜା ହୁଏ ଓ ବିହନ ପୂଜା ହୁଏ । ଏହା ଗୋଷ୍ଠୀଗତ ଭାବେ ହୁଏ । ଓଡ଼ିଆ ଘରର ଦଶରା ପୂଜାରେ ସପ୍ତମୀ ଦିନ କୌଳିକ ବୃତ୍ତିଗତ ଉପକରଣ ଯଥା:–ଖଣ୍ଡା, କରଣୀ, ଲଙ୍ଗଳ, ଦାଆ, କଟୁରୀ, ଲେଖନ ଇତ୍ୟାଦି ପୂଜା ହେବାପରି ଏହି ପର୍ବରେ ବଣ୍ଡାମାନଙ୍କର ଅସ୍ତ୍ର ପୂଜା ହୁଏ (ଧନୁତୀର, କାତି, ଟାଙ୍ଗିଆ) । ନୂଆ ଧାନ ପ୍ରଥମ କଖାରୁ ଏଇଦିନ ଖିଆଯାଏ । ତାଉଡ଼ା ବାଇଗଣ, ମୂଳା ଇତ୍ୟାଦି ଶୀତଦିନିଆ ପରିବା ୟା ଆଗରୁ ଖାଇବା ନିଷେଧ । ଓଡ଼ିଆ ଘରର ଦଶହରା ପର୍ବ ପରି ସମସ୍ତେ ନୂଆ ଲୁଗା ପିନ୍ଧନ୍ତି ।

 

ଦିଆଲି ପରବ ବା ଗେବୁର ସିଂ ଗିଗେ:-

କାର୍ତ୍ତିକ ମାସରେ ଦିଆଲି ପରବ–ଏଥିରେ ସଦରର ‘‘ସିନ୍ଦ୍‌ ବୋର’’ରେ ଧରତନୀ ମାଆ ବୁର୍‌ସୁଙ୍ଗ୍‌ ଓ ହୁଣ୍ଡୀଙ୍କ ପୂଜା ହୁଏ । ଗୋରୁ ଛେଳି ବଳି ପଡ଼େ । ଗାଁର ସବୁ ନିର୍ବାଚିତ ବର କନ୍ୟାଙ୍କର ନିର୍ବନ୍ଧ ହୁଏ । ପର୍ବ ଦୁଇଦିନ ଚାଲେ । ଭୋଜିକରି ପ୍ରଧାନ କଥା ।

 

ପୁଷ୍‌ ପରବ ବା ପୁଷ୍‌ ଆର୍‌କି-

ପହଲି ଶିମ ଖାଇବା ଏ ପରବର ବଡ଼ କଥା । ସେଥିପାଇଁ ଏ ପରବକୁ ଶିମଖିଆ ପରବ୍‌ ବି କୁହାଯାଏ । ଓଡ଼ିଆ ଘର ପୌଷମାସ ସାମ୍ବ ଦଶମୀରେ ପ୍ରଥମ ଶିମ୍ୱ ଖିଆଯାଏ । ଏ ପର୍ବରେ ପାଟଖଣ୍ଡା (ସୂର୍ଯ୍ୟ ଦେବତାଙ୍କ ଖଣ୍ଡା)ଙ୍କ ପୂଜା ହୁଏ ଓ ସିନ୍ଦ୍‌ ବୋର୍‌ରେ ପୂଜାହୁଏ । ଡୁମାର ପୂଜା ହୁଏ । ଶିମ୍ବ ଏବଂ ଅନ୍ୟାନ୍ୟ ପରିବା ସାଥିରେ ବଳି କୁକୁଡ଼ା ପଡ଼ି ତରକାରୀ ରନ୍ଧାଯାଏ ଓ ଦେବତାମାନଙ୍କୁ ଅର୍ପଣ କରାଯାଏ । ଓଡ଼ିଆ ଘରର ଶାମ୍ୱ ଦଶମୀରେ ବିଭିନ୍ନ ପ୍ରକାର ପିଠାପଣା ସହ ଶିମ୍ୱ ତରକାରୀ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରାଯାଏ । ପର୍ବର ଦ୍ୱିତୀୟ ଦିନ କିରିମ୍‌ ତର (ଅଣ୍ଡରାପିଠା) କରି ଭୋଗ ଦେବେ, ଯାହା ଆମର ମାର୍ଗଶୀର ମାସ ପ୍ରଥମାଷ୍ଟମୀରେ ହୁଏ ।

 

ମାଘ ପରବ ବା ସୁସୁଗି ଗେ:-

ଏଥିରେ ପାଟ ଖଣ୍ଡାଙ୍କ ପାଖରେ ବିହନ ପୂଜା ହୁଏ । ସମସ୍ତଙ୍କ ବିହନକୁ ଏକତ୍ର ମିଶାଇ ଦେଇ ପୂଜା କରିବେ ଓ ପୂଜାପରେ ସମସ୍ତେ ବାଣ୍ଟିନେବେ । ସେଇ ବିହନରେ ଆଉ ବିହନ ମିଶାଇ ଜମିରେ ବୁଣିବେ । ଏହା ଓଡ଼ିଆ ଘରର ଅକ୍ଷୟ ତୃତୀୟା ସହ ତୁଳନୀୟ ।

 

ଚଇତ୍‌ ପରବ ବା ଗିଏଗ୍‌ ଗିଗେ-

ଏ ପର୍ବର ପ୍ରଧାନ କଥା ହେଉଛି । ପ୍ରଥମ ପାଚିଲା ଆମ୍ୱ ଖାଇବା । ଘରେ ଡୁମାକୁ ପୂଜାକରି ଆମ୍ବ ଭୋଗ ଦେବେ । ସିନ୍ଦ୍‌ ବୋର୍‌ରେ ପୂଜା ଦେବେ । ଏ ପର୍ବରେ କେହି କାମ କରିବେନି । ମାଟି ହାଣିବେନି, ତେଲ ଲଗାଇବେନି, ଗୋବର ଛୁଇଁବେନି, ସ୍ତ୍ରୀମାନେ ଅଲଗା ଘରେ ଶୋଇବେ । ଓଡ଼ିଆ ଘରର ପଣାସଂକ୍ରାନ୍ତିରେ ପ୍ରଥମ ପାଚିଲା ଆମ୍ବ ଭୋଗ ଦିଆଯାଇ ଖିଆଯାଏ । ଦୋଳପର୍ବରୁ ଆମ୍ବ ଖିଆଯାଏନି । ରଜ ପର୍ବରେ କେହି କାମ କରନ୍ତିନି । ମାଟି ହାଣନ୍ତିନି । ଝିଅମାନେ ଅଲଗା ଘରେ ଶୁଅନ୍ତି । ବଣ୍ଡା ସମାଜରେ ଏ ପର୍ବର ସବୁଠୁ ବଡ଼ କଥା ହେଲା ସମସ୍ତେ ମିଶି ଶିକାରକୁ ଯିବା ଓ ଶିକାର ମାଂସ ଗାଁ ସାରା ବାଣ୍ଟିନେଇ ଭୋଜି କରିବା । ଶିକାର ଆଣି ଫେରିଲେ ସ୍ତ୍ରୀମାନେ ଅଭିନନ୍ଦନ ଗୀତ ଗାଇବେ । ଶିକାର ନ ପାଇଲେ ଛିଗୁଲେଇ ଗୀତ ଗାଇବେ-। ଓଡ଼ିଆ ସଂସ୍କୃତିରେ ରଜରେ ପୁଅମାନେ ଏକତ୍ର ମିଶି ବାଗୁଡ଼ ଖେଳିବା ଓ ଭୋଜିକରି ଖାଇବା ସହ ଏହା ତୁଳନୀୟ ।

 

ଏଇ ପ୍ରଧାନ ପାଞ୍ଚଟି ପର୍ବଛଡ଼ା ବହୁ ମାନସିକ ପୂଜା ଗ୍ରହପୂଜା (ବୀରୁ) ଇତ୍ୟାଦି ବଣ୍ଡା କରିଥାଏ । ପିଲାର ଜନ୍ମ ପୂଜା, ନାମଦିଆ ପୂଜା, ଶୁଭ କାର୍ଯ୍ୟଟିଏ ହେଲେ ଗୃହଦେବତା ଗୁପ୍‌ପା ସିଂଗ୍‌ ପୂଜା, ଗ୍ରାମ ଦେବତୀ ଅଣ୍ଡିପୂଜା, ବୁରୁସୁଙ୍ଗ ମାଆର ପୂଜା, ମୃତାହ କର୍ମରେ ଶୁଦ୍ଧିଘର, ଚିତାଭସ୍ମ ସଂରକ୍ଷଣ, ମୃତବ୍ୟକ୍ତି ପାଇଁ ସ୍କୃତି ପ୍ରସ୍ତର ସ୍ଥାପନ ଇତ୍ୟାଦିରେ ଓଡ଼ିଆ ହିନ୍ଦୁ ଘରର ପୂଜାପଦ୍ଧତି ଓ ମୃତାହ କର୍ମସହ ଅନେକ ସାମଞ୍ଜସ୍ୟ ଥିବାର ଲକ୍ଷ୍ୟ କରାଯାଏ । ଭେରିଅର ଏଲ୍‌ଓ୍ୱିନ୍‌ଙ୍କ ମତରେ ସମତଳ ଅଞ୍ଚଳ ଲୋକଙ୍କ ସଂସ୍ପର୍ଶରେ ଆସିବା ଫଳରେ ବଣ୍ଡା ସଂସ୍କୃତିରେ ଓଡ଼ିଆ ସଂସ୍କୃତିର ସମନ୍ୱୟ ଘଟିଛି ।

 

ଲୋକଧର୍ମ :

ସଂସ୍କୃତିର ଅନ୍ୟାନ୍ୟ ବିଭାବ ପରି ଲୋକଧର୍ମ ମଧ୍ୟ ସମୟକ୍ରମେ ସାର୍ବଜନୀନଧର୍ମ ରୂପେ ଗ୍ରହଣୀୟ ହୋଇଛି । ଆର୍ଯ୍ୟଧର୍ମ ଶବର ଓ ଦ୍ରାବିଡ଼ ଧର୍ମ ଧାରଣାକୁ ଅନେକାଂଶରେ ଆତ୍ମସ୍ଥ କରିଛି-। କାହିଁ କେତେ ଯୁଗର କ୍ରମବିବର୍ତ୍ତନ ଭିତରେ ଶବର, ଦ୍ରାବିଡ଼ ଓ ଆର୍ଯ୍ୟ ଧର୍ମ ଧାରଣାର ସଂଶ୍ଳେଷଣ ଓ ସମନ୍ୱୟ ହୋଇଛି । ଅଣଆର୍ଯ୍ୟ ସଂସ୍କୃତିରୁ ଆର୍ଯ୍ୟ ସଂସ୍କୃତି ଅନେକ ଦେବ ଦେବୀଙ୍କୁ ଆପଣାର କରିନେବାବେଳେ ଆର୍ଯ୍ୟମାନଙ୍କର ଅନେକ ଦେବଦେବୀଙ୍କୁ ଅଣଆର୍ଯ୍ୟମାନେ ମଧ୍ୟ ଉପାସ୍ୟ ଭାବରେ ଗ୍ରହଣ କରିଛନ୍ତି ।

 

ଶବର ସଭ୍ୟତାରେ ‘ଆତ୍ମା’ ଓ ‘‘ଆତ୍ମାର ଘଟ ପରିବର୍ତ୍ତନ’’ ଗୋଟିଏ ଆତ୍ମା ଉପରେ ଅନ୍ୟ ଆତ୍ମାର ଅବତରିବା’ ପ୍ରକ୍ରିୟା ଇତ୍ୟାଦି ବିଶ୍ୱାସ ରହିଛି । ଏହା କାଳସୀ ଭାବରେ ଜନପ୍ରିୟ । ପରବର୍ତ୍ତୀ କାଳରେ ହିନ୍ଦୁ ଧର୍ମରେ ମଧ୍ୟ ଏହାର ପ୍ରଭାବ ବିସ୍ତାର କରିଛି । ସେହିପରି ଶବରମାନଙ୍କର ଯାଦୁବିଦ୍ୟା ( Magic and witchcraft) ଆର୍ଯ୍ୟମାନଙ୍କ ସାମାଜିକ ଚଳଣୀରେ ପ୍ରବେଶ କରିଛି ।

 

ଏହା କୁସଂସ୍କାର ହେଲେ ମଧ୍ୟ ସଂସ୍କୃତିର ଏକ ଦିଗ ଏହା ଶବରୀ ବିଦ୍ୟା ନାମରେ ଖ୍ୟାତ-। ଓଡ଼ିଆ ଲୋକକଥାରେ ଶାବରୀ ବିଦ୍ୟାର ଅପ୍ରତିହତ ପ୍ରଭାବ ଅସ୍ୱୀକାର କରାଯାଇ ନପାରେ । ନିଆଁରେ ଚାଲିବା ମଧ୍ୟ ଶାବରୀ ବିଦ୍ୟା ଅନ୍ତର୍ଗତ । ଏହା ଆଦିମ ମାନବର ଏକ ଧର୍ମାଚାର । ପରବର୍ତ୍ତୀ କାଳରେ ଏହା ଓଡ଼ିଆ ଲୋକ ସଂସ୍କୃତିର ଝାମୁଚଲା ଭାବରେ ଅଙ୍ଗୀଭୂତ ହୋଇଚି । ଓଡ଼ିଆ ଲୋକ-ଗଳ୍ପରେ ଏହି ‘କାଳିସୀ’ ଲାଗିବା ମନ୍ତ୍ର ବଳରେ ମଣିଷକୁ ମେଣ୍ଢା କରିଦେବା ଓ ନିଆଁରେ ଚାଲିବା ଭଳି ଅଲୌକିକ କାର୍ଯ୍ୟ ଇତ୍ୟାଦିର ମୋଟିଫି ଦେଖିବାକୁ ମିଳେ ।

 

ଆଦିମ ଧର୍ମ ଧାରଣାରେ ଜୀବବାଦ animism ହେଉଛି ଏକ ପ୍ରାଚୀନ ପରମ୍ପରା । ପ୍ରାଣୀ ବା ବସ୍ତୁରେ ଶକ୍ତି ଆରୋପଣ ଏହାର ମୂଳତତ୍ତ୍ୱ । ଏହା ପ୍ରତିକାତ୍ମକ । ଆଦିମ ମାନବର ଏହି ଧର୍ମୀୟ ପ୍ରତୀକାତ୍ମକ ବିଶ୍ୱାସରେ କାଷ୍ଠ, ପଥର, ଅସ୍ତ୍ର ଇତ୍ୟାଦି ଦେବତା ଭାବରେ ପୂଜିତ । ଯେପରି ବଣ୍ଡା ଜନଜାତିର ପରମ ଆରାଧ୍ୟ ଦେବତା ହେଉଛନ୍ତି ମୁଦୁଲିପଡ଼ା ଗ୍ରାମର ଏକ ପ୍ରାଚୀନ ବରଗଛ କୋରଡ଼ରେ ଅଦୃଶ୍ୟ କରି ରଖାଯାଇଥିବା ଏବ ପାଟ ଖଣ୍ଡା (ପାଟକୋଣ୍ଡା ମହାପ୍ରୁ) । ଏହା ସୂର୍ଯ୍ୟ ଦେବତା (ସିଂଙ୍ଗି ମହାପ୍ରୁ)ଙ୍କର ପାଟ୍‌କୋଣ୍ଡା ବୋଲି ଲୋକ ବିଶ୍ୱାସ । ବଣ୍ଡା ଜାତିକୁ ସବୁ ବିପଦ ଆପଦରୁ ରକ୍ଷା କରନ୍ତି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର କାଷ୍ଠ ନିର୍ମିତ ମୂର୍ତ୍ତି ପଛରେ ଏହି ତତ୍ତ୍ୱ ନିହିତ ବୋଲି ଲୋକ ସଂସ୍କୃତିବିତ୍‌ ପଣ୍ଡିତ ନୀଳକଣ୍ଠଙ୍କର ମତ । ଶ୍ରୀଜଗନ୍ନାଥ ଦାରୁ ବିଗ୍ରହ । ଜଗନ୍ନାଥ ଶବ୍ଦଟି ପାଲି ମୂଳ ନୁହେଁ କିମ୍ବା ସଂସ୍କୃତ ମୂଳ ବି ନୁହେଁ । ଏହାକୁ ଶାବର ମୂଳ କହିବାର ଅଧିକ ଯୁକ୍ତି ରହିଛି । ମନେହୁଏ ଏହା ଶବର ଭାଷାରେ ବ୍ୟବହୃତ ‘ଜଗନ୍ତ’ ଶବ୍ଦର ସଂସ୍କୃତ ରୂପ । ଶବର ଦେବତା ‘କିତୁଙ୍ଗ’ ଙ୍କର ଅନ୍ୟ ଏକ ନାମ ହେଉଛି ‘ଜଗନ୍ତ’ ଯାହାର ଅର୍ଥ ହେଉଛି ଜଗତରନାଥ । ଡଃ. ବେଣୀ ମାଧବ ପାଢ଼ୀ ଦାରୁଦେବତା ଗ୍ରନ୍ଥର ଏହି ମତ ପ୍ରଦାନ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ସେବକ ଦଇତାମାନେ ଶବର ଗୋଷ୍ଠୀର ଅନ୍ତର୍ଗତ ବୋଲି ସେମାନଙ୍କର ବିଶ୍ୱାସ । ସ୍ନାନପର୍ଣ୍ଣିମାଠାରୁ ପୁନର୍ବାର ଦିଅଁମାନେ ଶ୍ରୀମନ୍ଦିରକୁ ଫେରିବା ପର୍ଯ୍ୟନ୍ତ ଏହି ଶବର ବଂଶଧର ଦଇତାମାନଙ୍କଦ୍ୱାରା ପୂଜିତ ହୁଅନ୍ତି । ଶ୍ରୀଜଗନ୍ନାଥ ଯେ ଶବର ଦେବତା ‘ନୀଳ ମାଧବ’ ଏହା ପଦ୍ମପୁରାଣରେ ବର୍ଣ୍ଣିତ ଅଛି ।

 

ଶ୍ରୀକୃଷ୍ଣଙ୍କୁ ଆଦିବାସୀ ସଂସ୍କୃତିର ପ୍ରତିନିଧି ଭାବରେ ବହୁ ପଣ୍ଡିତ ଗ୍ରହଣ କରିଛନ୍ତି । ହିନ୍ଦୁମାନଙ୍କର ଦେବୀ ଲକ୍ଷ୍ମୀ, ମନସା, ଦୁର୍ଗା ହେଉଛନ୍ତି ଆଦିବାସୀର ଦେବତା । ଦୁର୍ଗାପୂଜା, ମଙ୍ଗଳା, ହିଂଗୁଳା, ବାଉନ୍ତି, ସ୍ତମ୍ଭେଶ୍ୱରୀ ଦେବୀମାନଙ୍କର ପୂଜା, ଆଦିବାସୀ ସଂସ୍କୃତିରୁ ଆର୍ଯ୍ୟ ସଂସ୍କୃତିକୁ ଆସିଛି ବୋଲି ଗବେଷକମାନେ ବିଶ୍ୱାସ କରନ୍ତି । ଏପରିକି ଆଦିବାସୀର ମନ୍ତ୍ର ସ୍ତ୍ରୋତ୍ରର ପ୍ରଭାବ ଆର୍ଯ୍ୟ ମନ୍ତ୍ରରେ ପ୍ରତିଧ୍ୱନିତ ହୁଏ । ତୁଳସୀ, ବେଲ, ଅଶ୍ୱତ୍‌ଥ ବଟ ପ୍ରଭୃତି ବୃକ୍ଷ ପୂଜାର ପରମ୍ପରା ଶିଳା ପୂଜକ ସର୍ଗପୂଜା ଇତ୍ୟାଦି ଆଦିବାସୀ ସଂସ୍କୃତିର ଦାନ । ଶିବ ଆଦିବାସୀର ଦେବତା, ପର୍ବତ କନ୍ୟା ପାର୍ବତୀ ମଧ୍ୟ ଆଦିବାସୀର ନମସ୍ୟା-ଆଦିବାସୀ କନ୍ୟା । ବୈଦିକ ସଭ୍ୟତାରେ ମୂର୍ତ୍ତି ପୂଜା ନଥିଲା । ଏହା ବୌଦ୍ଧମାନଙ୍କଠାରୁ ଆରମ୍ଭ । ବୌଦ୍ଧମାନେ ମୂର୍ତ୍ତି ପୂଜାର ପରମ୍ପରା ଆଦିବାସୀ ଶବର ଗୋଷ୍ଠୀରୁ ଗ୍ରହଣ କରିଛନ୍ତି ବୋଲି ଅନେକ ମତ ଦିଅନ୍ତି । ଓଡ଼ିଶାର ଗ୍ରାମ୍ୟ ପରମ୍ପରାରେ ଗ୍ରାମ ଦେବଦେବତୀଙ୍କୁ ପୂଜା କରିବା ପରି ଭୂୟାଁ ଜୁଆଙ୍ଗ, ଗଣ୍ଡ, ଝାଙ୍କର ଇତ୍ୟାଦି ଗ୍ରାମଦେବତୀ ଭାବରେ ପୂଜିତ ହୁଅନ୍ତି । ସୂର୍ଯ୍ୟ ପୂଜା, ପିତୃପୁରୁଷଙ୍କ ପୂଜା ଆରାଧନା ଓଡ଼ିଆ ଏବଂ ଆଦିବାସୀ ଉଭୟ ଧର୍ମଧାରାରେ ଅଙ୍ଗୀଭୂତ ।

 

ଦେବଦେବୀ :

ଆର୍ଯ୍ୟ ସଂସ୍କୃତିରେ ଯେପରି ସର୍ବନିୟନ୍ତା ଜଗତକର୍ତ୍ତାଙ୍କ ବ୍ୟତୀତ ଅନ୍ୟାନ୍ୟ ଦେବଦେବୀ (Demigods)ର ବିଶ୍ୱାସ ରହିଛି, ଆଦିବାସୀ ସଂସ୍କୃତିରେ ମଧ୍ୟ ସେହିପରି ଜଗତ୍‌କର୍ତ୍ତା ମହାପ୍ରୁଙ୍କ ତଳେ ଅନେକ ଦେବଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ । ବଣ୍ଡା ସଂସ୍କୃତିରେ ସର୍ବନିୟନ୍ତା ମହାପ୍ରୁ ହେଉଛନ୍ତି ସିଙ୍ଗି-ଆର୍କେ ବା ସୂର୍ଯ୍ୟ ଦେବତା ବା ସିଙ୍ଗି ମହାପ୍ରୂ ରେମା ସାସ୍‌ ବା ବଣ୍ଡା ଭାଷାରେ ସିଂଗି-ଅର୍ଥ ସୂର୍ଯ୍ୟ ଏବଂ ଆର୍କେ ଅର୍ଥ ଚନ୍ଦ୍ର ଏବଂ ମାସ । ମାତ୍ର ସୂର୍ଯ୍ୟଦେବତା ଅର୍ଥରେ ଉଭୟ ଶବ୍ଦ ସିଙ୍ଗି-ଆର୍କେର ବ୍ୟବହାର କରାଯାଏ । ପୁରାଣର ‘ଅର୍କ (ସୂର୍ଯ୍ୟ) ଶବ୍ଦରୁ ଆର୍କେ ଶବ୍ଦ ଆସିଥିବା ସମ୍ଭବ । ସୂର୍ଯ ଦେବତାଙ୍କୁ ସେମାନେ ଦରମ୍‌ ଦେବତା ବା ଧରମ ଦେବତା ବୋଲି ମଧ୍ୟ କହିଥାନ୍ତି । ମହାପ୍ରୁ ଶବ୍ଦ ପୁରୀ ଜଗନ୍ନାଥ କ୍ଷେତ୍ରରୁ ଜଗନ୍ନାଥ ମହାପ୍ରୂରୁ ଆସିଥାଇପାରେ ବୋଲି ଭେରିଅର ଏଲଓ୍ୱିନ୍‌ଙ୍କର ମତ ।

 

ସର୍ବନିୟନ୍ତା ସିଂଙ୍ଗି-ଆର୍କେ ମହାପ୍ରୁ ମଣିଷ ସୃଷ୍ଟି କରିବା ପରେ ବିଭିନ୍ନ ଦେବଦେବୀଙ୍କୁ ସୃଷ୍ଟି କଲେ । ଏହି ଦେବଦେବୀଙ୍କର ପ୍ରଧାନ କାମ ହେଲା ମଣିଷର ଗତିବିଧି ଓ ଆଚରଣକୁ ନିୟନ୍ତ୍ରଣ କରିବା । ମୋଟ ଉପରେ ଏମାନେ ମଣିଷକୁ ବିପତ୍ତିରେ ପକାଇବା ପାଇଁ ସଜାଗ ରହିଥାନ୍ତି । ଯେପରି ଟାକୁରାନୀ-ବାକୁରାନୀ ବସନ୍ତ ରୋଗ ସୃଷ୍ଟି କରନ୍ତି । ଗୁରାଙ୍ଗପୋଇ ପେଟମରା ରୋଗର ଦେବୀ ଗଙ୍ଗା-ସାବୋଣ ଦେବୀ ଜର ବାନ୍ତିର କାରଣ । ହଇଜା ରୋଗର ଠାକୁରାଣୀ ହେଉଛନ୍ତି ମାତା-ବାଙ୍ଗ୍ ତା । ଏମାନେ ସମସ୍ତେ ହେଉଛନ୍ତି ଦେବୀ ବା ଟାକ୍‌ରାନୀ, ଯଦିଓ ସମସ୍ତଙ୍କ ପ୍ରତି ଦେବତା ଶବ୍ଦ ପ୍ରୟୋଗ କରାଯାଏ ।

 

ଓଡ଼ିଆ ଗ୍ରାମ୍ୟ ବିଶ୍ୱାସରେ ଠାକୁରାଣୀମାନେ ଏହିପରି ରୋଗସବୁ ସୃଷ୍ଟି କରିଥାନ୍ତି । ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଣାପାଣି ଭୋଗରାଗର ବ୍ୟବସ୍ଥା କରିବାକୁ ହୋଇଥାଏ ।

 

ଗ୍ରହପୂଜା ଓ ବୀରୁ :

ଦେବଦେବୀମାନେ ସାଧାରଣତଃ ଅସନ୍ତୁଷ୍ଟ ହେଲେ ରୋଗ ବା ବିପତ୍ତି ସୃଷ୍ଟି କରିଥାନ୍ତି ବୋଲି ଉଭୟ ସଂସ୍କୃତିର ବିଶ୍ୱାସ । ତେଣୁ ଏହି ଦେବଦେବୀଙ୍କୁ ସନ୍ତୁଷ୍ଟକରି ରଖିବାପାଇଁ ବହୁପ୍ରକାର ପ୍ରକାର ପ୍ରଚଳନ ଅଛି । ବଣ୍ଡା ସମାଜରୁ ଉଦାହରଣ ଭାବେ ନିଆଯାଉ ।

 

ରୋଗର ଉପଶମ ପାଇଁ ଗାଂଗଣ ବୀରୁ, ବିବାହ ପରେ ପ୍ରଥମଥର ପାଇଁ ବୋହୁ ଘରକୁ ଆସିବାବେଳେ ଗୃହ ଦେବତା ଗୁଗ୍‌ପା ସିଂ ବୀରୁ, ସନ୍ତାନ ଜନ୍ମ ପରେ ମା’ ହାଣ୍ଡିଧରା ବୀରୁ କରିବା ପରେ ହିଁ ପୁନଶ୍ଚ ରୋଷେଇ କରିବାର ବିଧାନ ଅଛି । ଅନେକ ଦିନ ଧରି ରୋଗ ଉପଶମ ନ ହେଲେ ଶନିପୂଜା ବା ବିକାନି ବୀରୁ ଚଇତ୍ର ମାସର କୌଣସି ଏକ ଶନିବାର ଦିନ କରାଯାଏ । ସର୍ବଦା ମୁଣ୍ଡ ବ୍ୟଥା ହେଲେ କୁଣ୍ଡାବୀରୁ, ପରିବାରର ସର୍ବ ସୁଖ ପାଇଁ ତିନିଥର ଡାଗୋଇ ବୀରୁ, ଜ୍ୱର, ଝାଡ଼ା ବାନ୍ତି ହେଲେ ଗୁରାଅବୀରୁ, ନୂତନ ଗୃହରେ ପ୍ରବେଶ ପୂର୍ବରୁ ଡିଅ ବୀରୁ ବା ଗୃହପୂଜା ସନ୍ତାନ କାମନାରେ କିମ୍ବା ବାରମ୍ବାର ମୃତ ସନ୍ତାନ ଜନ୍ମ ହେଉଥିଲେ ବାଟ୍‌ବୀରୁ ବା ବାଟ ପୂଜା (ଓଡ଼ିଆ ସଂସ୍କୃତିରେ ବାଟ ଓଷା) ଏହିପରି ଅନେକ ଅନ୍ଧ ବିଶ୍ୱାସ ଜନିତ ପୂଜା ବା ବୀରୁକରି ବଣ୍ଡା ସମାଜ ତଥା ଆଦିବାସୀ ସମାଜ ତଳିତଳାନ୍ତ ହୁଏ । କାରଣ ଆଦିବାସୀ ସମାଜର ସ୍ୱାତନ୍ତ୍ର୍ୟ ଏତିକି ଯେ ଯେକୌଣସି ଉତ୍ସବ ବା ପୂଜାରେ ସାରା ଗାଁକୁ ଭୋଜି ଦେବାକୁ ହୁଏ । ମହିଷ ବା ଗୋରୁ ବଳି ଦେବାକୁ ପଡ଼େ । କିଛି ନହେଲେ କୁକୁଡ଼ାଟିଏ ଅନ୍ତତଃ ବଳି ଦେବାକୁ ହୁଏ । ଅଣଆଦିବାସୀ ସଂସ୍କୃତିରେ ମଧ୍ୟ ବୋଦା ବଳି,କୁକୁଡା ବଳି ଦେଇ ମାନସିକ ପୂଜାର ପ୍ରଚଳନ ଏଯାବତ୍‌ ବଳବତ୍ତର ରହିଛି । ଏସଂକ୍ରାନ୍ତରେ କିଏ କାହାକୁ ପ୍ରଭାବିତ କରିଛି କହିବା କଷ୍ଟ, ମାତ୍ର ଏକଥା ସ୍ପଷ୍ଟ ଯେ, ଅଣ ଆର୍ଯ୍ୟ-ଆର୍ଯ୍ୟ ସଂସ୍କୃତିର-ସମନ୍ୱୟ ଫଳରେ ଧର୍ମାଚାର ଏବଂ ସାମାଜିକ ଚଳଣୀର ଉଭୟ ସଂସ୍କୃତିରେ ଏତେ ସାମ୍ୟ ପରିଲିକ୍ଷିତ ହୁଏ ।

 

ଆଙ୍ଗ୍ ଟୋ :(Taboo)

‘ଆଙ୍ଗ୍ ଟୋ’ର ଅର୍ଥ ବଣ୍ଡାଭାଷାରେ ନିଷେଧାଜ୍ଞା । କେତେଗୁଡ଼ିଏ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ କରିବାକୁ ମନା । ଏହି ନିୟମ ଭଂଗ କରିବା ଆଙ୍ଗ୍ ଟୋ (ମନା) ଯଦି କେହି ସେପରି ନିଷେଧାଜ୍ଞା ଭଙ୍ଗ କରେ ତା ‘ବିଶାସ୍‌’ ହୁଏ ଅର୍ଥାତ୍‌ ଭୟଙ୍ଗର ପାଗହୁଏ । (ବିଶାସ୍‌) କେଉଁ ‘ବିଶାସ୍‌’ରୁ କି ଦଣ୍ଡ ମିଳେ ତାହା ମଧ୍ୟ ନିର୍ଦ୍ଦିଷ୍ଟ । ବଣ୍ଡା ସମାଜରେ ତିନିଗୋଟି ଆଙ୍ଗ୍ ଟୋ ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ । (୧) ସୋରୁ-ଭାଇ ଭଉଣୀ ମଧ୍ୟରେ ବିବାହ । ଏପରି ‘ବିଶାସ୍‌’ର ଫଳ ଅନ୍ଧତ୍ୱ । (୨) ନରହତ୍ୟା । ନରହତ୍ୟାର ଦଣ୍ଡ ହେଉଛି ଆଣ୍ଠୁ-ଗଣ୍ଠି ବାତ (୩) ଗୁଣି ଗାରେଡ଼ି (ଇଲୋଟା) । ଏହାର ଦଣ୍ଡ ବଡ଼ରୋଗ ବା କୁଷ୍ଠରୋଗ । ଏସବୁ ବ୍ୟତିରେକ ଆଉରି ଅନେକ ‘ଆଙ୍ଗ୍ ଟୋ ବଣ୍ଡା ସମାଜରେ ମାନିବାକୁ ପଡ଼େ ।

 

ଓଡ଼ିଆ ସଂସ୍କୃତିରେ ମଧ୍ୟ ଅନ୍ଧ ବିଶ୍ୱାସ ଜନିତ ଅନେକ କଥାର ନିଷେଧାଜ୍ଞା ଅଛି । ଅନୁକୂଳ କରି ବାହାରିବା ସମୟରେ ଶୁଭ ସଂଙ୍କେତ ଓ ଅଶୁଭ ସଂକେତ । ଗର୍ଭବତୀ ନାରୀର ଖାଦ୍ୟ, ଆଚରଣ ଇତ୍ୟାଦି ସଂପର୍କରେ ନିଷେଧାଜ୍ଞା, ରୋଗ ବୈରାଗ, ପ୍ରେତ, କାଳିସୀ ଇତ୍ୟାଦି ସମ୍ପର୍କରେ ଅନେକ ଅନ୍ଧବିଶ୍ୱାସ ରହିଛି ।

 

ବିବାହ ଓ ଛାଡ଼ପତ୍ର :

ବଣ୍ଡା ସମାଜରେ ଏକା ଗାଁର ଯୁବକ ଯୁବତୀଙ୍କ ଭିତରେ ବିବାହ ନିଷେଧ । ଏକା ଗାଁର ଲୋକ ପରସ୍ପରକୁ ସୋରୁ ଭାଇ (ପବିତ୍ର ଭାଇ) ମନେ କରନ୍ତି ଓ ଏକା ଗାଁରେ ବିବାହକୁ କୁଟୁମ୍ୱ ଭିତରେ ଅର୍ଥାତ୍‌ ଭାଇ ଭଉଣୀ ଭିତର ବିବାହ ବୋଲି ମନେ କରାଯାଏ । ଓଡ଼ିଆ ସଂସ୍କୃତରେ କେତେକ ସ୍ଥଳେ ସମଗୋତ୍ରୀ ବିବାହ ନିଷେଧ ସଂଗେ ଏହା ତୁଳନୀୟ ।

 

ପୂର୍ବେ ଯେପରି ଓଡ଼ିଆ ସଂସ୍କୃତିରେ ‘‘କନିଆଁ ଦଶା ବର ତିରିଶା’’ ଚଳୁଥିଲା, ଏବେ ମଧ୍ୟ ବଣ୍ଡା ସଂସ୍କୃତିରେ ‘‘ବର ଦଶା କନିଆ ତିରିଶା’’ ନିୟମ କଡ଼ାକଡ଼ି ଭାବରେ ପାଳନ କରାଯାଉଛି । ଅର୍ଥାତ୍‌ କନ୍ୟାର ବୟସ ବର ବୟସଠାରୁ ସର୍ବଦା ଦଶ ବାର ବର୍ଷ ଅଧିକ ହୋଇଥାଏ । ମାତ୍ର ଯେଉଁ ବଣ୍ଡାମାନେ ପାହାଡ଼ ଉପରୁ ତଳକୁ ଓହ୍ଳାଇ ଆସି ସମତଳ ଅଣ ଆଦିବାସୀ ତଥା ଅନ୍ୟ ଆଦିବାସୀଙ୍କ ସହ ରହିଗଲେଣି ସେମାନେ ସମତଳ ଅଞ୍ଚଳର ପ୍ରଭାବରେ କମ୍‌ ବୟସର କନ୍ୟା ବିବାହ କରିବାକୁ ପସନ୍ଦ କରୁଛନ୍ତି ।

 

ବଣ୍ଡା ସଂପ୍ରଦାୟରେ ବିଧବା ବିବାହାର ପ୍ରଚଳନ ଅଛି । ସାଧାରଣତଃ ମୃତ ସ୍ୱାମୀର ବଡ଼ଭାଇ (ଦେଢ଼ଶୂର) କୁ ବିବାହ କରାଯାଏ । ଏହା ଓଡ଼ିଆ ସଂସ୍କୃତିର ସଂପୂର୍ଣ୍ଣ ବିରୋଧୀ । ଓଡ଼ିଆ ସଂସ୍କୃତିରେ କେତେକ ସ୍ଥଳେ ମୃତ ସ୍ୱାମୀର ସାନଭାଇ (ଦିଅରକୁ) ବିବାହ କରାଯାଏ । ବଣ୍ଡା ସଂସ୍କୃତିରେ ଏପରି ହେବାର କାରଣ ହେଉଛି । ମୃତ ସ୍ୱାମୀ ଯିଏକି ସ୍ତ୍ରୀଠାରୁ ଦଶ ବାର ବର୍ଷ ସାନଥାଏ, ତାର ସାନଭାଇ ଅଧିକ ସାନ ହୋଇଯିବା ଦୃଷ୍ଟିରୁ ବଡ଼ ଭାଇକୁ ବିବାହ କରାଯାଇଥାଏ । ଉଭୟ ସ୍ଥଳରେ ଉଦ୍ଦେଶ୍ୟ ଏକ । ଘରର ବୋହୁକୁ ଅନ୍ୟ ଏକ ପୁରୁଷ ବିବାହ କରିବା ଅପେକ୍ଷା ନିଜ ଘରର ପୁଅ ବିବାହ କରିବାଦ୍ୱାରା ସେ ପରିବାରରେ ପୂର୍ବ ସ୍ଥାନରେ ରହେ ଓ ସନ୍ତାନଥିଲେ ମା’ର ଦ୍ୱିତୀୟ ବିବାହରେ ସନ୍ତାନର ସୁରକ୍ଷା ଏବଂ ପାରିବାରିକ ପରିବେଶରେ କିଛି ବ୍ୟତିକ୍ରମ ହୁଏ ନାହିଁ ।

 

ଛାଡ଼ପତ୍ର :

ବଣ୍ଡା ସମାଜରେ ଛାଡ଼ପତ୍ର (ଲଂଙ୍ଗସି) ଚଳେ । ଛାଡ଼ପତ୍ରର କାରଣଗୁଡ଼ିକ ଓଡ଼ିଆ ସମାଜରେ ଛାଡ଼ପତ୍ରର କାରଣ ସଂଗେ ତୁଳନୀୟ ।

 

(୧) ସ୍ତ୍ରୀର ଆଳସ୍ୟ (୨) ସ୍ତ୍ରୀର ଉଗ୍ର ସ୍ୱଭାବ (୩) ସ୍ତ୍ରୀର ଗର୍ଭଧାରଣରେ ଅକ୍ଷମତା (୪) ସ୍ତ୍ରୀଠାରେ ଡାହାଣୀ କଳା ସନ୍ଦେହ (୫) ସ୍ତ୍ରୀର ଚରିତ୍ର ପ୍ରତି ସନ୍ଦେହ ଇତ୍ୟାଦି ହେଉଛି ଛାଡ଼ ପତ୍ରର ମୁଖ୍ୟ କାରଣ । ସ୍ତ୍ରୀ ମଧ୍ୟ ସ୍ୱାମୀକୁ ଛାଡପତ୍ର ଦେଇପାରେ ଏବଂ ଅନ୍ୟତ୍ର ବିବାହ କରିପାରେ । ମାତ୍ର ସ୍ତ୍ରୀ ଯଦି ଛାଡ଼ପତ୍ର ଦିଏ ତେବେ ସାଗୁର ଟଙ୍କା ବା ଜଲା ଟଙ୍କା ସ୍ୱାମୀକୁ କନ୍ୟାପିତା ଫେରସ୍ତ ଦିଏ, ନଚେତ୍‌ କନ୍ୟାର ନୂତନ ସ୍ୱାମୀ ଦିଏ । ଯଦି ସ୍ୱାମୀ ସ୍ତ୍ରୀକୁ ଛାଡ଼ପତ୍ର ଦିଏ ତେବେ ସେ ଗାଈ, ଗୋରୁ, ଛେଳି, ମଦ୍ୟ ଇତ୍ୟାଦି କନ୍ୟା ପିତାକୁ ଦିଏ ।

 

ସମନ୍ୱୟର ଶେଷକଥା :

ଆଦିବାସୀ ସଂସ୍କୃତିରେ କିମ୍ୱଦନ୍ତୀ, କାହାଣୀ, ନୃତ୍ୟ ଗୀତ, ଢଗଢ଼ମାଳୀ, ସବୁ ରହିଛି । ମାତ୍ର ଅଧିକାଂଶ ଆଦିବାସୀ ଭାଷାର ସ୍ୱତନ୍ତ୍ର ଲିପି ନଥିବାରୁ ସେଗୁଡ଼ିକ ଲିଖିତ ସାହିତ୍ୟ ଭାବରେ ପ୍ରକାଶିତ, ପ୍ରଚାରିତ, ତଥା ଅଧିକ ବିକଶିତ ହୋଇ ପାରୁନାହିଁ । ଆଦିବାସୀ ସମାଜରେ ବହୁ ସାରସ୍ୱତ ପ୍ରତିଭା ଜନ୍ମ ହୁଅନ୍ତି-ମାତ୍ର ତାର ବିକାଶ ହୋଇପାରେ ନାହିଁ । ଆଦିବାସୀର ଭାବନା, କଳ୍ପନା, ସ୍ୱପ୍ନ, ଜୀବନଦର୍ଶନ, ବ୍ୟଥା, ବେଦନା, ସବୁ ରହିଯାଏ ବଣ ପାହାଡ଼ ଘେରା ଉପତ୍ୟକା ଅଧିତ୍ୟକା ଭିତରେ । ତା ହୃଦୟର ଭାବ ନିରକ୍ଷରତାର ପ୍ରାଚୀରରେ ଧକ୍‌କା ଖାଇ ଫେରିଯାଏ ତାରି ପାଖକୁ । ସଭ୍ୟ ଜଗତ ଏହି ବିଶାଳ ତଥା ପ୍ରାଚୀନ ସଂସ୍କୃତିର ଅମୃତ ପାନରୁ ବଞ୍ଚିତ ହେଉଛି-। ଏହା ସଭ୍ୟ ସମାଜ ପକ୍ଷେ କ୍ଷୋଭର ବିଷୟ ହେବା ଉଚିତ ।

 

ଆଦିବାସୀ ଅସଭ୍ୟ ନୁହେଁ-ଅପାଠୁଆ । ଅସଂସ୍କୃତ ନୁହେଁ–ନିରକ୍ଷର । ତାର ନିଜସ୍ୱ ସଭ୍ୟତା, ସଂସ୍କୃତି ଓ ପରମ୍ପରା ଅନେକ ମହନୀୟତା ଓ ଉଦାରତାରେ ରୁଦ୍ଧିମନ୍ତ । ତାର ସଂସ୍କୃତିର ସ୍ୱର ପ୍ରତି ସଭ୍ୟ ସମାଜ ଏବେବି ସଜାଗ ନୁହେଁ । କିନ୍ତୁ ଏକଥା ସ୍ୱୀକାର କରିବାକୁ ହେବ ଯେ ଆଦିବାସୀ ନିରକ୍ଷର ରହିଲେ ଏବଂ ତାର କଥିତ ସାହିତ୍ୟର ବିକାଶ ନହେଲେ ଆଦିବାସୀ ସମାଜର ଯେତିକି କ୍ଷତି, ସଭ୍ୟସମାଜର ମଧ୍ୟ ସେତିକି କ୍ଷତି । ସାଂସ୍କୃତିକ ଆଦାନ ପ୍ରଦାନ ବିନା କୌଣସି ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରବାହ ଓ ପ୍ରସାର ସ୍ୱଚ୍ଛନ୍ଦ ଓ ରୁଦ୍ଧିମନ୍ତ ହୁଏ ନାହିଁ । ଆଦିବାସୀ ତାର ନିଜ କାହାଣୀ, ନିଜ କଥା, ନିଜ ସ୍ୱପ୍ନ ଓ ହତାଶାର କଥା ଲେଖିପାରିଲେ ଓଡ଼ିଆ ସାହିତ୍ୟ ଅଧିକ ରୁଦ୍ଧିମନ୍ତ ହେବା ସଙ୍ଗେ ସଙ୍ଗେ ସମାଜର ସର୍ବାଙ୍ଗୀନ ଉନ୍ନତ ସାଧିତ ହୁଅନ୍ତା । କାରଣ ସମାଜର ଏକ ଅବିଚ୍ଛନ୍ନ ଅଙ୍ଗକୁ ବାଦ୍‍ଦେଇ ସାଂସ୍କୃତିକ ସମନ୍ୱୟର କଳ୍ପନା କରିବା ସମ୍ଭବ ନୁହେଁ ।

 

ସହାୟକ ପୁସ୍ତକ-

ଦାରୁ ଦେବତା–ଡକ୍ଟର ବେଣୀମାଧବ ପାଢ଼ୀ

ସଭ୍ୟତାର ଗ୍ରାସ–(ଗଳ୍ପ) ସୁରେନ୍ଦ୍ର ମହାନ୍ତି, ବନଫୁଲରେ ପ୍ରକାଶିତ ।

ବିଦଗ୍‌ଧ ପାଠକ–(୧୯୭୫) ଶ୍ରୀ ଚିନ୍ତାମଣି ବେହେରା ।

ଓଡ଼ିଆ ଲୋକଗୀତ ଓ କାହାଣୀ–ଡକ୍ଟର କୁଞ୍ଜବିହାରୀ ଦାଶ ।

ପ୍ରାଚୀନ ଓଡ଼ିଆ ଲିପି, ଭାଷା ଓ ସାହିତ୍ୟ ।

ଓଡ଼ିଆ ସାହିତ୍ୟର ଆଦିପର୍ବ (୧୯୭୧) ଶ୍ରୀ ସୁରେନ୍ଦ୍ର ମହାନ୍ତି ।

ଓଡ଼ିଶାର ଆଦିବାସୀ ସଂସ୍କୃତି–ଡକ୍‌ଟର ବଂଶୀଧର ମହାନ୍ତି ।

ବିଶ୍ୱଭାରତୀ ଦୀପିକା–୧୦ମ ସଂଖ୍ୟା–୧୯୮୯ ।

ନୀଳକଣ୍ଠ ସ୍ମାରକୀ–୬ଷ୍ଠ ଖଣ୍ଡ, ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି ।

୧୦

ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି–ଡକ୍‌ଟର ହେମନ୍ତକୁମାର ମିଶ୍ର,୧୯୯୦ ।

୧୧

Bondo High Lander–Verrier Elwin.

୧୨

ଓଡ଼ିଆ ସାହିତ୍ୟ ଓ ଆଦିବାସୀ ସଂସ୍କୃତି, ସଂକଳନ ଓ ପ୍ରକାଶକ–ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୮୧ ।

୧୩

ଶ୍ରୀ ଜଗନ୍ନାଥ–ଡଃ ବଂଶୀଧର ମହାନ୍ତି ।

୧୪

ଭୀମଭୋଇ ଗ୍ରନ୍ଥାବଳୀ ।

୧୫

ଓଡ଼ିଆ ସାହିତ୍ୟର ଇତିହାସ–ମାୟାଧର ମାନସିଂହ ।

 

ଆଖ୍ୟୟିକା, ତୁଳସୀପୁର, କଟକ

 

***

 

ଶାବରଭୂମି କୋରାପୁଟର ସଂସ୍କୃତି ଓ ସାହିତ୍ୟ

ଶ୍ରୀ ଗଣେଷ ପ୍ରସାଦ ପରିଜା

 

ଓଡ଼ିଶାର ସର୍ବଶେଷ ଦକ୍ଷିଣ ଜିଲ୍ଲାର ନାମ କୋରାପୁଟ । ଏହି ଜିଲ୍ଲାର ଦକ୍ଷିଣ ସୀମାରୁ ପ୍ରାୟ କୋଡ଼ିଏ ମାଇଲ ଦକ୍ଷିଣରେ ପ୍ରସିଦ୍ଧ ଗୋଦାବରୀ ନଦୀ । କୋରାପୁଟର ଶାବେରୀ ନଦୀ ଗୋଦାବରୀ ମିଶିଛି । ଏହି ଜିଲ୍ଲାର ଉତ୍ତର ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମରେ ମଧ୍ୟପ୍ରଦେଶର ବସ୍ତର ଜିଲ୍ଲା । ପ୍ରାୟ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀଠାରୁ ରାଜମାହେନ୍ଦ୍ରୀକୁ ଆଫଗାନମାନେ ଅଧିକାର କରିଥିଲେ । ବିଭିନ୍ନ ସମୟରେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ କଳିଙ୍ଗ ଭୁଖଣ୍ଡକୁ ଭିନ୍ନ ଭିନ୍ନ ଶାସକ ଅଧିକାର କରିଥିବା ହେତୁ ଧାରଣା କରାଯାଏ, ଇଂରେଜ ଓଡ଼ିଶା ଅଧିକାର କରିବା ପର୍ଯ୍ୟନ୍ତ ରାଜମାହେନ୍ଦ୍ରୀ ପର୍ଯ୍ୟନ୍ତ କଳିଙ୍ଗ ଥିଲା । ୧୯୩୬ ଅପ୍ରେଲରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବାଦ୍ୱାରା ପୂର୍ବ କଳିଙ୍ଗର ରାଜମାହେନ୍ଦ୍ରୀ, ବିଶାଖାପାଟଣା, ଶ୍ରୀକାକୁଲମ ଓଡ଼ିଶାଠାରୁ ବିଛିନ୍ନ ହେଲା । ସେହିପରି ବସ୍ତର ଜିଲ୍ଲା ମଧ୍ୟ ମଧ୍ୟପ୍ରଦେଶରେ ମିଶିଗଲା । ଏହାଦ୍ୱାରା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ବିଶାଳ କଳିଙ୍ଗ କ୍ଷୁଦ୍ର ହୋଇ ଓଡ଼ିଶା ନାମରେ ନାମିତ ହେଲା । କଳିଙ୍ଗ ଶବ୍ଦ ‘କୁଲିଙ୍ଗ’ର ଅପ୍ରଭଂଶ । ବାଲ୍ମୀକି ରାମାୟଣ କିସ୍କିନ୍ଧାକାଣ୍ଡ ୫୮।୨୪ରେ କୁଲିଙ୍ଗ ଶବ୍ଦ ରହିଛି । ବାଲ୍ମୀକି କହିଛନ୍ତି ଆକାଶର ପ୍ରଥମ ମାର୍ଗ କୁଲିଙ୍ଗ ପକ୍ଷୀମାନଙ୍କର । ଏମାନେ ଧାନ୍ୟାସୀ । ମହାଭାରତରେ ଏହି କୁଲିଙ୍ଗ କଳିଙ୍ଗ ନାମରେ ନାମିତ ହୋଇଥିବା ଦେଖାଯାଏ । କଳିଙ୍ଗରାଜ ଶ୍ରୁତାୟୁ ମହାଭାରତ ଯୁଦ୍ଧରେ ଦୁର୍ଯୋଧନଙ୍କ ସପକ୍ଷରେ ପାଣ୍ଡବମାନଙ୍କ ସହିତ ଯୁଦ୍ଧ କରିଥିଲେ । ପୁରାତନ ଉଡ୍ର ଶବ୍ଦରୁ ଓଡ଼ିଶା ଶବ୍ଦ ଉତ୍ପତ୍ତି । ଓଡ଼ିଶାରେ ଓଡ଼ ନାମରେ ଏକ ଜାତି ଅଛନ୍ତି । ଦ୍ରାବିଡ଼ ଭାଷାରେ ଓକ୍‌କଲ ଓ ଓଡ଼ିସୁ ଶବ୍ଦର ଅର୍ଥ ଚଷା । ପଣ୍ଡିତମାନେ ଧାରଣା କରନ୍ତି ଏ ଦେଶରେ ଓଡ଼ମାନେ ରହିଥିବାରୁ ଏହାକୁ ଓଡ଼ିଶା କୁହାଯାଏ ।

 

ବାଲ୍ମୀକି ରାମାୟଣର ଉତ୍ତର କାଣ୍ଡରେ ଦଣ୍ଡ ମହାରାଜଙ୍କ ବୃତ୍ତାନ୍ତ ରହିଛି । ଶୁକ୍ରଙ୍କ ଅଭିଶାପ ଫଳରେ ଦଣ୍ଡଙ୍କ ରାଜ୍ୟ ଧ୍ୱଂସ ହୋଇଗଲା । କୋରାପୁଟରେ ଦଣ୍ଡକାରଣ୍ୟ ଥିବାରୁ ତାହା ଥିଲା ମହାରଜା ଦଣ୍ଡଙ୍କ ଶାସନାଧୀନ ରାଜ୍ୟ । ଉତ୍ତରାକାଣ୍ଡରେ ଉଲ୍ଲେଖ ହୋଇଛି ତାହା ଥିଲା ସତ୍ୟଯୁଗ । ପରେ ତାହା ଦଣ୍ଡକାରଣ୍ୟ ନାମରେ ପ୍ରସିଦ୍ଧ ହେଲା (ତତଃ ପ୍ରଭୃତି କାକୁତ୍‌ସ୍ଥ ଦଣ୍ଡକାରଣ୍ୟମୃଚ୍ୟତେ) । (୮୧।୧୯) ପରେ ସେଠାରେ ତପସ୍ୱୀମାନେ ବାସ କରିବାରୁ ତାହାକୁ ଜନସ୍ଥାନ କୁହାଗଲା । ରାମାୟଣ ଯୁଗରେ ରାମଚନ୍ଦ୍ର ସେଠାକୁ ଯାଇଥିଲେ ଓ ତାଙ୍କ ପତ୍ନୀ ସୀତାଙ୍କୁ ରାବଣ ହରଣ କରି ନେଇଥିଲା । ଏବେ ବି କୋରାପୁଟର ବହୁ ଅଞ୍ଚଳ ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ହୋଇଥିବା ଚିହ୍ନଟ କରାଯାଏ । ପଣ୍ଡିତମାନେ ଧାରଣା କରନ୍ତି ରାବଣଙ୍କ ମାତା ଥିଲେ ଦ୍ରାବିଡ଼ ବଂଶଜା । ରାକ୍ଷସ ରାଜ ସୁମାଳୀ ନିଜ କନ୍ୟା କୈକେୟୀକୁ ନେଇ ପୁଲସ୍ତ୍ୟଙ୍କ ପୁତ୍ର ବିଶ୍ରବାଙ୍କୁ ଦେଖାଇ କହିଲେ ଏହାଙ୍କୁ ତୁ ସ୍ୱାମୀ ପଦରେ ବରଣ କର । କୈକେସୀ ତାହାହିଁ କରିଥିଲେ । ସେ ସମୟରେ ଲଙ୍କା ଥିଲା କୁବେରଙ୍କ ବାସସ୍ଥାନ । ରାବଣ ବ୍ରାହ୍ମଙ୍କଠାରୁ ବର ପାଇଲା ପରେ ସେ ଲଙ୍କାକୁ ଅଧିକାର କରିଗଲା । ଏକଦା ସେ ରାଜ୍ୟ ଜୟ କରିବାକୁ ଯାଇ ବିଜୟ ଉଲ୍ଲାସରେ ମତ୍ତ ହୋଇ ସୂର୍ପଣଖାର ସ୍ୱାମୀ ବିଦ୍ୟୁଜ୍ଜିହ୍ୱକୁ ମାରିଦେଇ ଆସିଲା । ସୂର୍ପଣଖା ରାବଣକୁ ତା ସ୍ୱାମୀକୁ ବଧ କରି ଆସିଥିବା କହିବାରୁ ସେ ବଡ଼ ଦୁଃଖିତ ହେଲା । ତାପରେ ସେ କହିଲା ତୋର ମାଉସୀ ପୁଅ ଭାଇ ଖର ସହିତ ତୁ ଦଣ୍ଡକାରଣ୍ୟରେ ବାସ କର । ଖର ଚଉଦ ହଜାର ସୈନ୍ୟ ସହିତ ସେନାପତି ଦୂଷଣ ତୋତେ ରକ୍ଷା କରିବ । (ଉତ୍ତରା କା-୨୪ଅ) । ତେଣୁ ଦ୍ରାବିଡ଼ ତେଲ୍‌ ଗୁମାନେ ଦଣ୍ଡକାରଣ୍ୟରେ ବାସ କରୁଥିଲେ, ଏହିଭଳି ମନେ ହୋଇଥାଏ । ମାତ୍ର ଐତିହାସିକମାନେ ଧାରଣା କରନ୍ତି ଦ୍ରାବିଡ଼ମାନେ ଗୋଦାବରୀ ପରିପାରିରେ ଥିଲେ ।

 

କୋରାପୁଟରେ ବାଲ୍ମୀକି ନାମରେ ଗୋଟିଏ ଜାତି ଦୃଷ୍ଟିଗୋଚର ହୁଅନ୍ତି । ବାଲ୍ମୀକି ମଧ୍ୟ ସେହି ବାଲ୍ମିକିଙ୍କ କଥା ଉଲ୍ଲେଖ କରିଛନ୍ତି । ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ବହୁ ସ୍ଥାନ କୋରାପୁଟରେ ଦେଖିବାକୁ ମିଳେ । ଶ୍ରୀ ରାମ ଯେଉଁ ଅଞ୍ଚଳରେ ବାଳୀକୁ ବଧ କରିଥିଲେ ସେହି ଅଞ୍ଚଳ ବାଳୀମଲାରୁ ବାଲିମେଳା ନାମରେ ନାମିତ । ରାମଚନ୍ଦ୍ର ବାଳିକୁ ବଧ କରିପାରିବେ କି ନାହିଁ, ସେ ବିଷୟରେ ସନ୍ଦେହ ହେବାରୁ ସୁଗ୍ରୀବ ତାଙ୍କୁ ସପ୍ତଶାଳ ଭେଦ କରିବାକୁ କହିଥିଲେ । ରାମଚନ୍ଦ୍ର ଗୋଟିଏ ଶରରେ ସପ୍ତଶାଳ ବିଦ୍ଧି କରିଥିଲେ । ତେଣୁ ସେହି ସମୟରୁ ବାଲିମେଳାରେ ଶାଳଗଛ ଦେଖାଯାଏ ନାହିଁ । କେତେକ ଧାରଣା କରନ୍ତି କୋରାପୁଟର ଚିତ୍ରକୋଣ୍ଡା ହେଉଛି ବାଲ୍ମୀକି ବର୍ଣ୍ଣିତ ଚିତ୍ରକୂଟ । ମାତ୍ର ଜଗଦ୍ଦଲପୁର ପଶ୍ଚିମକୁ କେତେ ମାଇଲ ଦୂରରେ ଚିତ୍ରକୂଟ ବା ଚିତ୍ରକୂଟ ବୋଲି ଗୋଟିଏ ସ୍ଥାନ ରହିଛି । ତାହା ଇନ୍ଦ୍ରାବତୀ ନଦୀର ନିକଟବର୍ତ୍ତୀ । ଇନ୍ଦ୍ରାବତୀ କୋରାପୁଟ ଜିଲ୍ଲାରୁ ବାହାରି ବସ୍ତର ମଧ୍ୟରେ ପ୍ରବାହିତ ହୋଇ ମହାରାଷ୍ଟ୍ରଦେଶ ଓ ବସ୍ତର ସୀମାଦେଇ ଯାଇ ଗୋଦାବରୀରେ ମିଶିଛି । ଏହି ଚିତ୍ରକୂଟରେ ଶ୍ରୀରାମ ପର୍ଣ୍ଣଶାଳା ନିର୍ମାଣକରି ବାସ କରୁଥିଲେ । ସେହି ଚିତ୍ରକୂଟଠାରୁ ଗୋଦାବରୀ ନିକଟର ପଞ୍ଚବଟିକୁ ଯାଇ ଶ୍ରୀରାମ ବାସ କରୁଥିବା ସମୟରେ ସୂର୍ପଣଖା ସେଠାରେ ପହଞ୍ଚିଲା ।

 

କୋରାପୁଟଜିଲ୍ଲା ଶାବରୀୟ ଅଞ୍ଚଳ । ବିଭିନ୍ନ ଶାବରୀୟ ଗୋଷ୍ଠୀ ରାମ, ଲକ୍ଷ୍ମଣ, ସୀତାଙ୍କ ବିଷୟରେ ବିଭିନ୍ନ କଥା କହିଥାନ୍ତି । ମାଲକାନଗିରି ନିକଟର ବଣ୍ଡାପାହାଡ଼ ଉପରେ ଯେଉଁ ଉପର ବଣ୍ଡା ଅଛନ୍ତି ସେମାନଙ୍କ ସ୍ତ୍ରୀ ଲୋକମାନେ ଏବେବି ଉଲଗ୍ନା । ସେମାନେ କହିଥାନ୍ତି ସୀତା ତାଙ୍କୁ ଅଭିଶାପ ଦେଇଛନ୍ତି ଉଲଗ୍ନା ରହିବାକୁ । ଏହିଭଳି ବିଭିନ୍ନ ଶାବରୀୟ ସଂପ୍ରଦାୟଙ୍କଠାରୁ ବହୁ କଥା ଶୁଣିଲା ପରେ ସ୍ୱତଃ ଧାରଣା ହୋଇଥାଏ ତ୍ରେତୟାଯୁଗର ପରମପୁରୁଷ ଶ୍ରୀରାମ ଓ ଦେବୀ ସୀତାଙ୍କ ବହୁ ସଂକେତ ଧରି କୋରାପୁଟର ସଂସ୍କୃତି ଋଦ୍ଧିମନ୍ତ । ଧାରଣା କରାଯାଏ ବାଲ୍ମୀକିଙ୍କ ବାନର ହେଉଛନ୍ତି ଶାବରୀୟମାନେ । କୋଙ୍ଗଦ ମଣ୍ଡଳ ଗ୍ରନ୍ଥମାଳାର ରାମ କଥାରେ ଅଜ୍ଞାତ କୋଙ୍ଗଦକ ଲେଖିଛନ୍ତି, ‘‘ଉରାଓଁ ଓ ମୁଣ୍ଡା ଜାତିର ଗୋତ୍ର ତିଗ୍ନା, ହଳମାନ, ବଜରଙ୍ଗ, ଖଡ଼ୀ । ଏ ସବୁର ଅର୍ଥ ହେଉଛନ୍ତି ହେଉଛି ବାନର । ଭୂୟାଁମାନେ ନିଭକୁ ବାନରବଂଶୀ ବୋଲି କହନ୍ତି । ସେହିଭଳି ଗଦବାମାନଙ୍କର ଗୋତ୍ର ଚାକ୍ଷ ।’’ ତେଣୁ ଚାକ୍ଷ ବାନର କୋରାପୁଟର ଶାବରୀୟମାନେ । ସେହିମାନେ ଶ୍ରୀରାମଙ୍କ ସହିତ ରାବଣର ଲଙ୍କାପୁରୀକୁ ଯାଇଥିଲେ । ସେଥିପାଇଁ ରାମାୟଣର ସଂସ୍କୃତି କୋରାପୁଟରେ ଭରପୁର । କେଉଁଠି ସୀତାକୁଣ୍ଡ ରହିଛିତ କେଉଁଠି ଗେରୁ ବୋଳା ହୋଇଥିବା ପଥର ଖଣ୍ଡକୁ ଦେଖାଇ ବନବାସୀ କହିଥାନ୍ତି, ରାମ ଲକ୍ଷ୍ମଣ ଏହିଠାରେ ଗେରୁ ଘୋରି ମୁଣ୍ଡରେ ଲଗାଇ ଥିଲେ । କେଉଁଠି ବା ବନବାସୀ ରମଣୀଙ୍କ ସହିତ ସୀତା ଗୀତ ବୋଲି ନାଚୁଥିବା କେହି କେହି କହିଥାନ୍ତି । କିଏ ନାହିଁ କରିବ ତ୍ରେତୟାଯୁଗର ସେହି ପରମପୁରୁଷ ଅଙ୍ଗ ସ୍ପର୍ଶରେ କୋରାପୁଟର ମାଟି ପବିତ୍ର ନ ହୋଇଛି ବୋଲି ?

 

ବିଦେଶୀ ଗବେଷକ ପାର୍ଜିଟାର (Pargiter) ତାଙ୍କ ଲିଖିତ ‘Dynasties of the kali age’, P.51ରେ, ବାୟୁ ଓ ବ୍ରହ୍ମାଣ୍ଡ ପୁରାଣ ନଜିର ଦେଇ ଉଲ୍ଲେଖ କରିଛନ୍ତି । ନଳମାନେ କୋଶଳର ରାଜବଂଶୀୟ । ନଳ ରାଜବଂଶର ଅଭିଲେଖ ଓ ସେମାନଙ୍କ ନାମାଙ୍କିତ ମୁଦ୍ରାଗୁଡ଼ିକ ଉପରେ ନିର୍ଭର କରି ‘ଭବରାଜୁ ଭେଙ୍କଟ କୃଷ୍ଣ ରାଓ’ ତାଙ୍କ ଲିଖିତ ‘Early Dynasties of Andhrade’s P.658ରେ କହନ୍ତି, ନଳରାଜାମାନଙ୍କର ରାଜ୍ୟ ପୂର୍ବରେ ପୂର୍ବଘାଟ ପର୍ବତ ମାଳାଠାରୁ ପଶ୍ଚିମରେ ଓ୍ୱେନଗଙ୍ଗା ପର୍ଯ୍ୟନ୍ତ ଓ ଉତ୍ତରରେ ମେକଳଠାରୁ ଦକ୍ଷିଣରେ ଇନ୍ଦ୍ରାବତୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଐତିହାସିକ ଡକ୍ଟର ନବୀନକୁମାର ସାହୁ ଦୃଢ଼ ଭାବରେ କୁହନ୍ତି, ‘‘ନଳମାନଙ୍କର ଶକ୍ତି ଓ ସମୃଦ୍ଧି ର ଚରମ ବିକାଶ କାଳରେ ସେମାନଙ୍କ ରାଜ୍ୟ ଉପରେ ବର୍ଣ୍ଣିତ ଅଞ୍ଚଳରେ ବିସ୍ତୃତ ହୋଇଥିବାରୁ ସେହି ଭିତ୍ତିରେ ପ୍ରଚୀନ ପୁରାଣକାରମାନେ ନଳମାନଙ୍କୁ କୋଶଳର ରାଜବଂଶରୂପେ ପ୍ରତିପାଦନ କରିଛନ୍ତି । ମାତ୍ର ନଳମାନେ ପ୍ରଥମେ ଆଧୁନିକ ବସ୍ତର-କୋରାପୁଟ ଅଞ୍ଚଳରେ ରାଜତ୍ୱ ଆରମ୍ଭ କରିଥିଲେ ଏବଂ ଅଞ୍ଚଳରେ ବହୁକାଳ ସେମାନଙ୍କ ରାଜ୍ୟ ସୀମାବଦ୍ଧ ଥିଲା । ତେଣୁ ସେମାନେ ତ୍ରିକଳିଙ୍ଗ ରାଜ୍ୟର ରାଜବଂଶ ରୂପେ ଖ୍ରୀଷ୍ଟ୍ରିୟ ପଞ୍ଚମ-ଷଷ୍ଠ ଶତାବ୍ଦୀ ଥିବା ନିଶ୍ଚିତ ରୂପେ କୁହାଯିବ ।’’ ଐତିହାସିକ ଡଃ ହରେକୃଷ୍ଣ ମହତାବ ତାଙ୍କ ଲିଖିତ ଓଡ଼ିଶା ଇତିହାସରେ ଉଲ୍ଲେଖ କରିଛନ୍ତି, ‘‘ନଳବଂଶର ସ୍କନ୍ଦବର୍ମା ନାମକ ଜଣେ ରାଜା କୋରାପୁଟ ଜିଲ୍ଲାର ନବରଙ୍ଗପୁର ତାଲୁକ ଅନ୍ତର୍ଗତ ପୋଡ଼ାଗଡ଼ଠାରେ ଏକ ପର୍ବତ-ଲିପି ଉତ୍‌କୀର୍ଣ୍ଣ କରାଇଥିଲେ । ସେହି ଲିପିରୁ ଜଣାଯାଏ, ସ୍କନ୍ଦବର୍ମା ନିଜ ବଂଶ ଓ ରାଜ୍ୟର ସମ୍ମାନ ପୁନରୁଦ୍ଧାର କରିଥିଲେ । ଏହି ସମୟରେ ବାକାଟକ ସମ୍ରାଜ୍ୟର ରାଜା ଦେବସେନ୍‌ ଜଣେ କ୍ଷୀଣବୀର୍ଯ୍ୟ ଲୋକଥିଲେ । ସେହି ସମୟର ସୁବିଧା ନେଇ ସ୍କନ୍ଦବର୍ମା କଳିଙ୍ଗର କେତେକାଂଶ ଅଧିକାର କରିଯାଇଥିଲେ ।’’

 

ଖ୍ରୀଷ୍ଟ୍ରୀୟ ସପ୍ତମ ଶତାବ୍ଦୀରେ ପଶ୍ଚିମ ଚାଲୁକ୍ୟ ରାଜା ବିକ୍ରମାଦିତ୍ୟଙ୍କର କୁର୍ଣ୍ଣଲ ତାମ୍ର-ଶାସନରେ ଯେଉଁ ନଳବାଡ଼ି ବିଷୟ ଉଲ୍ଲେଖ ଥିବା ଦେଖାଯାଏ ତାହା ସେହି ବସ୍ତର କୋରାପୁଟର ନଲ ଶାଶିତ ରାଜ୍ୟ ହୋଇ ପାରେ ବୋଲି ଧାରଣା କରାଯାଏ । ମହାରାଜା ନଳ ଦମୟନ୍ତିଙ୍କ ବିଷୟରେ ଶ୍ରୀହର୍ଷ ନୈଷଧ କାବ୍ୟ ରଚନା କରିଛନ୍ତି । ଶ୍ରୀହର୍ଷ କେଉଁ ଅଞ୍ଚଳର ଲୋକଥିଲେ ତାହା ଏପର୍ଯ୍ୟନ୍ତ ନିରୂପଣ ହୋଇନାହିଁ । ସେହି କାବ୍ୟରେ ନଳ ଦମୟନ୍ତୀଙ୍କର ଯେଉଁ ବିବାହ ବର୍ଣ୍ଣିତ ହୋଇଛି ତାହା ଓଡ଼ିଆ ଘରର ବିଭାଘରଠାରୁ ଭିନ୍ନ ନୁହେଁ । ବ୍ୟାସ ତାଙ୍କ ମହାଭାରତ ବନପର୍ବ ୫୩ ଅଧ୍ୟାୟରୁ ନଳଙ୍କ ବିଷୟ ଉଲ୍ଲେଖ କରିଛନ୍ତି । ଏହା ଅତ୍ୟନ୍ତ ଚିତାକର୍ଷକ । ବିଦର୍ଭଦେଶର ରାଜକନ୍ୟା ଦମୟନ୍ତୀ ନଳଙ୍କ ରୁପଗୁଣ ପ୍ରଶଂସା ଲୋକମାନଙ୍କ ମୁଖରୁ ଓ ହଂସ ମୁଖରୁ ଶୁଣି ତାଙ୍କୁ ବିବାହ ପାଇଁ ମନସ୍ଥ କଲେ । ନଳ ମଧ୍ୟ ବିଦର୍ଭ ରାଜକନ୍ୟାଙ୍କ ରୁପଗୁଣ ଶୁଣିଥିଲେ । ବିଦର୍ଭରାଜ ଭୀମ କନ୍ୟାର ସ୍ୱୟମ୍ୱର ବ୍ୟବସ୍ଥା କଲେ । ସେହି ସ୍ୱୟଂବରକୁ ଆଗମନ କଲେ ନିଷେଧପତି ନଳ । ଦମୟନ୍ତୀଙ୍କ ରୂପ ଗୁଣର ପ୍ରଶଂସା ଦେବତାମାନେ ଶୁଣି ସ୍ୱୟମ୍ୱରକୁ ବାହାରିଲେ ବାଟରେ ସେମାନେ ନଳଙ୍କ ସୁନ୍ଦର ରୂପ ଦେଖି ଜାଣିଲେ ଦମୟନ୍ତୀ ନିଶ୍ଚୟ ନଳଙ୍କୁ ବରଣ କରିବେ । ତେଣୁ ସେମାନେ ନଳଙ୍କୁ ସେମାନଙ୍କ ଦୂତରୂପେ ଦମୟନ୍ତୀଙ୍କ ପାଖକୁ ପଠାଇଲେ । ମାତ୍ର ଦମୟନ୍ତୀ ନଳଙ୍କ ବ୍ୟତୀତ ଅନ୍ୟ କାହାକୁ ସ୍ୱାମୀ ପଦରେ ବରଣ କରିବେ ନାହିଁ ବୋଲି କହିଥିଲେ । ଶେଷରେ ଦମୟନ୍ତୀ ଦେବତାମାନଙ୍କ ଆଶୀର୍ବାଦରେ ନଳଙ୍କୁ ପତି ପଦରେ ବରଣ କଲେ । ମାତ୍ର ହିଂସା କଲେ କଳି ଓ ଦ୍ୱାପର । କଳିଦ୍ୱାରା ପ୍ରଭାବିତ ହୋଇ ନଳ ତାଙ୍କ ଭାଇ ପୁଷ୍କରଙ୍କ ସହିତ ଦ୍ୟୁତକ୍ରୀଡ଼ା କରି ସର୍ବସ୍ୱ ହାରିଲେ ଇତ୍ୟାଦି ।

 

ସେହି ବଂଶ କୋରାପୁଟରେ ରାଜତ୍ୱ କରୁଥିବା କମ୍‌ ଗର୍ବର ବିଷୟ ନୁହେଁ । ଐତିହାସିକମାନେ ଧାରଣା କରନ୍ତି ସମୁଦ୍ରଗୁପ୍ତଙ୍କ ସମୟରେ କୋଶଳରେ ରାଜତ୍ୱ କରୁଥିବା ରାଜା ମହେନ୍ଦ୍ର ହେଉଛନ୍ତି ସେହି ନଳ ନରପତି । ମାତ୍ର ଏହା ସତ୍ୟ ନୁହେଁ ବୋଲି ଅନ୍ୟ ଐତିହାସିକମାନେ ଯୁକ୍ତି କରିଥାନ୍ତି । ଗୁପ୍ତବଂଶୀ ରାଜା ପ୍ରଥମ କୁମାର ଗୁପ୍ତ ତାଙ୍କର ମୁଦ୍ରାଗୁଡ଼ିକରେ ନିଜକୁ ମହେନ୍ଦ୍ରାଦିତ୍ୟ ବୋଲି ପରିଚୟ ଦେଇଛନ୍ତି । ତେଣୁ ମହେନ୍ଦ୍ରାଦିତ୍ୟଙ୍କ ନାମୋଲ୍ଲେଖ ଥିବା ଗରୁଡ଼ ଲାଞ୍ଛନଯୁକ୍ତ ଖୈରତାଲ ମୁଦ୍ରା କୁମାର ଗୁପ୍ତଙ୍କର । ଏଲାହାବାଦ ଜିଲାର ଭିଟା ଗ୍ରାମରୁ ଶ୍ରୀ ବିନ୍ଧ୍ୟଦେବ ନାମକ ଜଣେ ରାଜାଙ୍କ ସିଲ୍‌ ମୋହର ମିଳିଛି । ତାଙ୍କୁ ଜଣେ ନଳ ରାଜବଂଶୀ ବୋଲି ପ୍ରତିପାଦନ କରାଯାଏ । ଜନ୍‌ ମାର୍ଶାଲ ଏହି ସିଲ୍‌ ମୋହରଟିକୁ ଚତୁର୍ଥ ଶତାବ୍ଦୀ ବୋଲି କହିଛନ୍ତି । ଏହି ବିନ୍ଧ୍ୟାଦେବ ବସ୍ତର କୋରାପୁଟ ଅଞ୍ଚଳରେ ରାଜତ୍ୱ କରୁଥିବା ଧାରଣା କରାଯାଏ । ଏମାନେ ଶିବ ଭକ୍ତ । ନଳମାନେ ନାଗବଂଶୀ ବୋଲି ଧାରଣା କରାଯାଇ ପାରେ । ଡଃ ମହତାବ ଏମାନଙ୍କୁ ନିଷାଦ ବୋଲି ଉଲ୍ଲେଖ କରିଛନ୍ତି । ଶାବରୀୟମାନଙ୍କ ମଧ୍ୟରେ ନିଷାଦ ହେଉଛନ୍ତି ଏକ ଗୋଷ୍ଠୀ । ବସ୍ତର ଜିଲାର ୧୯୩୯ ମସିହାରେ ଏଡ଼େଙ୍ଗ ଗ୍ରାମରୁ ନଳରାଜାମାନଙ୍କରେ ୩୨ଟି ସ୍ୱର୍ଣ୍ଣମୁଦ୍ରା ଆବିଷ୍କୃତ ହୋଇଥିଲା । ଏହି ୩୨ଟି ମଧ୍ୟରୁ ୨୯ଟି ବରାହରାଜଙ୍କର, ଗୋଟିଏ ଭଗଦତ୍ତ ବର୍ମାଙ୍କର ଓ ଅନ୍ୟ ଦୁଇଟି ଅର୍ଥପତି ରାଜାଙ୍କର । ଏହି ସ୍ୱର୍ଣ୍ଣମୁଦ୍ରାଗୁଡ଼ିକରେ ବୃଷଭ ଓ ଅର୍ଦ୍ଧଚନ୍ଦ୍ର ଲାଞ୍ଛନ ଅଙ୍କିତ-। ପୋଡ଼ାଗଡ଼ ଅଭିଲେଖରୁ ଜଣାଯାଏ, ସ୍କନ୍ଦବର୍ମା ରାଜସ୍ଥାନୀ ପୁଷ୍କରୀର ପୁନରୁଦ୍ଧାର କରି ତାହାକୁ ଅଧିକ ସମୃଦ୍ଧିଶାଳୀ କରି ଗଢ଼ିଥିଲେ । ଡଃ ନବୀନକୁମାର ସାହୁ କୁହନ୍ତି, ଆମ୍ଭେ କୋରାପୁଟ ଜିଲାର ଉମରକୋଟ ନିକଟସ୍ଥ ପୋଡ଼ାଗଡ଼ ସହିତ ପୁଷ୍କରୀକୁ ଚିହ୍ନିତ କରିଅଛୁ । ସେହି ସ୍ଥାନର ପ୍ରତ୍ନତାତ୍ତ୍ୱିକ ଭଗ୍ନାବଶେଷ ଏକ ଉନ୍ମତ୍ତ ସମୃଦ୍ଧଶାଳୀ ନଗରୀର ସ୍ପଷ୍ଟ ସୂଚନା ପ୍ରଦାନ କରେ-। ତେଣୁ ନଳଙ୍କ ରାଜଧାନୀ ପୋଡ଼ାଗଡ଼।

 

କୋରାପୁଟ ଜିଲାର କୋଟପାଡ଼ରେ ଦମୟନ୍ତୀ ସାଗର ନାମରେ ଏକ ବଡ଼ ପୁଷ୍କରିଣୀ ଅଛି । ଏହି ଦମୟନ୍ତୀ ଯେ ପୁରାଣ ପ୍ରସିଦ୍ଧ ନିଷଦରାଜାଙ୍କ ରାଣୀ ଥିଲେ ଏଥିରେ ସନ୍ଦେହ ନାହିଁ । ସେହିଭଳି ମାଲକାନଗିରିରେ ବାଳି ସାଗର ରହିଛି । ଏହି ବାଳି ସୁଗ୍ରୀବଙ୍କ ବଡ଼ ଭାଇ ବାଳି ହେବା ସମ୍ଭବ । କର୍ଣ୍ଣାଟକର ବେଲାରି ଜିଲାରେ ବାନରମାନଙ୍କ ରାଜଧାନୀ କିସ୍କିନ୍ଧା ଥିଲାବୋଲି ଐତିହାସିକମାନେ ଧାରଣ କରନ୍ତି । ଓଡ଼ିଶାର ଐତିହାସିକମାନେ ଏ ସବୁରେ ମୁଣ୍ଡ ଖେଳାନ୍ତି ନାହିଁ ବୋଲି ପୌରାଣିକର ବହୁ ବିଭବ ଓଡ଼ିଶାରେ ଥିଲେ ମଧ୍ୟ ଆବିଷ୍କୃତ ହୋଇପାରି ନାହିଁ । ଗଞ୍ଜାମରୁ ଆବିଷ୍କୃତ ହୋଇଥିବା ଏକ ଶିଳାଲେଖରୁ ଜଣାଯାଏ ପମ୍ପାତୀରବାସୀ ଜଣେ ବ୍ରାହ୍ମଣକୁ ରାଜା ଭୂମିଦାନ କରିଥିଲେ । ତେଣୁ ରାମାୟଣ ପ୍ରସିଦ୍ଧ ପମ୍ପା ଗଞ୍ଜାମର ନିକଟବର୍ତ୍ତୀ । କେତେକ ଫୁଲବାଣୀ ଜିଲାରେ ପମ୍ପା ଥିବା ପ୍ରକାଶ କରନ୍ତି । ମାତ୍ର ନିର୍ଦ୍ଦିଷ୍ଟ ଭାବରେ ତାହା ଆବିଷ୍କାର ହୋଇ ନାହିଁ । ବାଳି ମଲାର ନିକଟବର୍ତ୍ତୀ ବାଳିସାଗର । ତେଣୁ ସେହି ମାଲକାନାଗିରି ନିକଟବର୍ତ୍ତୀ ପାହାଡ଼ର ଗୁମ୍ଫାବି ଖୋଜିଲେ ସତ୍ୟ ଉଦ୍‌ଘାଟିତ ହୋଇ ପାରନ୍ତା ।

 

କୋରାପୁଟଜିଲ୍ଲା ପାହାଡ଼, ପର୍ବତ, ବଣ, ଜଙ୍ଗଲରେ ପୂର୍ଣ୍ଣ ହେଲେ ମଧ୍ୟ ସାଂସ୍କୃତିକ ବିଭବରେ ସାରାଜିଲ୍ଲା ଭରପୁର । ବିଭିନ୍ନ କଥା ଓ କାହାଣୀରେ ଯେଉଁ ମହାରାଜା ବିକ୍ରମାଦିତ୍ୟଙ୍କ ନାମ ବାରମ୍ବାର ଶୁଣାଯାଏ ତାଙ୍କର ବତିଶି ସିଂହାସନ ନନ୍ଦପୁରରେ ଅଛି । ଯେଉଁ ବତିଶ ସିଂହାସନ ଉପରକୁ ମହାରାଜ ଭୋଜ ଉଠିବା ମାତ୍ରେ ପ୍ରତି ପାହାଚରେ ଥିବା ପିତୁଳାମାନେ ପ୍ରଶ୍ନ କରୁଥିଲେ, ମହାରାଜ ଭୋଜ ! ଏ ସିଂହାସନରେ ବିକ୍ରମାଦିତ୍ୟ ବସୁଥିଲେ । ଆପଣ କ’ଣ ତାଙ୍କରି ଭଳି ଗୁଣସମ୍ପନ୍ନ ? ଉତ୍ତରରେ ଭୋଜରାଜ ପଚାରୁଥିଲେ ବିକ୍ରମାଦିତ୍ୟଙ୍କର କେଉଁ ଗୁଣ ଥିଲା ଯାହାକି ମୋ ମଧ୍ୟରେ ନାହିଁ ? ପ୍ରତି ପିତୁଳା ବିକ୍ରମାଦିତ୍ୟଙ୍କ ବିଷୟରେ ଗୋଟିଏ ଲେଖା ଗପ କହି ଶୂନ୍ୟ ହୋଇ ଯାଉଥିଲେ । ସେହି ବତିଶିସିଂହାସନ କୋରାପୁଟର ନନ୍ଦପୁରରେ ଅଛି । ତାହା ମରାମତ ଅଭାବରୁ ବିଶ୍ରୀ ହୋଇ ଯାଇଥିଲା । ଶ୍ରୀ ରଘୁନାଥ ପଟ୍ଟନାୟକ ଅର୍ଥମନ୍ତ୍ରୀ ଥିଲାବେଳେ ତାହାକୁ ମରାମତ କରାଇଛନ୍ତି । ଐତିହାସିକ ଡଃ ନବୀନ କୁମାର ସାହୁ ଉଲ୍ଲେଖ କରିଛନ୍ତି, ‘‘ସପ୍ତମ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ବିକ୍ରମାଦିତ୍ୟ ନଳମାନଙ୍କୁ ପରାସ୍ତ କରିଥିଲେ । ତେଣୁ ନଳମାନେ କୋଶଳ ଅଞ୍ଚଳକୁ ଚାଲିଯାଇଥିଲେ ।’’ ପ୍ରଥମ ବିକ୍ରମାଦିତ୍ୟ ନଳମାନଙ୍କୁ ପରାସ୍ତ କରିଥିବା କୁର୍ଣ୍ଣୁଲ ତାମ୍ରଶାସନରେ ଉଲ୍ଲେଖ ହୋଇଛି । ସପ୍ତମ ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ଉଡ୍ରଦେଶରେ ବିଜୟ ଢକା ବଜାଇ ବୀରଦର୍ପରେ ଆଗେଇ ଯାଇଥିଲା । ସେହି ସମୟରେ ବହୁ ତନ୍ତ୍ରଦେବତା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିଲେ । କିଏ ନାହିଁ କରିବ ବିକ୍ରମାଦିତ୍ୟ ଓଡ଼ିଶାର ଦକ୍ଷିଣ ଭାଗକୁ ଆସି ସେଥିରୁ କିଛି ଆୟତ ନ କରିଥିଲେ ବୋଲି । ସେ ଶବସାଧନ, ବେତାଳ ସାଧନା ଆଦିରେ ସିଦ୍ଧିଲାଭ କରିଥିଲେ ବୋଲି ଗଳ୍ପମାନଙ୍କରେ କୁହା ହୋଇଛି । ଭୁବନେଶ୍ୱରରେ ବୈତାଳ ମନ୍ଦିରରେ ବେତାଳୀ ଦେବୀ ଆରାଧିତା, ସେ ଚାମୁଣ୍ଡା ସ୍ୱରୂପା । ବୌଦ୍ଧମାନେ ତାଙ୍କୁ ଚର୍ଚ୍ଚିକା ନାମରେ ଆରାଧନା କରନ୍ତି । ଓଡ଼ିଶାର ପ୍ରାୟ ସବୁ ତନ୍ତ୍ରପୀଠରେ ଚାମୁଣ୍ଡା ଆରାଧିତା ।

 

କୋରାପୁଟଜିଲ୍ଲାରେ ଜୈନ, ବୌଦ୍ଧ, ହିନ୍ଦୁମାନଙ୍କର ବହୁ ଦେବତା ଲୋକମାନଙ୍କଦ୍ୱାରା ଆରାଧିତା ହେଉଛନ୍ତି । କୋରାପୁଟ ଶାବରୀୟ ଭୂମି ଭାବେ ପ୍ରସିଦ୍ଧ । ଶଉରା, କୋୟା, ବଣ୍ଡା, ପରଜା, ଗଣ୍ଡ, କନ୍ଧାଦି ଶାବରୀୟ ସଂପ୍ରଦାୟ ଏ ଭୂମିରେ ପୁରାତନ ପ୍ରସ୍ତର ଯୁଗରୁ ବସବାସ କରି ଆସୁଛନ୍ତି । ବଂଶଧାରା ଓ ଇନ୍ଦ୍ରାବତୀ ଉପତ୍ୟକାରୁ ପୁରାତନ ଓ ନୂତନ ପ୍ରସ୍ତର ଯୁଗର ବହୁ ବିଭବ ମିଳିଛି । ପ୍ରସ୍ତର ଯୁଗୀୟ ପୋଡ଼ୁଚାଷ ସଂସ୍କୃତି ଏବେ ବି ସେମାନଙ୍କ ଅଞ୍ଚଳରେ ଦେଖିବାକୁ ମିଳେ । କୃଷିବିଦ୍‌ମାନେ ପ୍ରକାଶ କରିଥାନ୍ତି, କୋରାପୁଟରେ ପ୍ରଥମେ ଧାନ ଚାଷ କେତେ ହଜାର ବର୍ଷତଳେ ଆରମ୍ଭ ହୋଇଥିଲା । ରାମଗିରିର ସାତମାଇଲି ପୂର୍ବକୁ ଗୁପ୍ତେଶ୍ୱରଠାରେ କେଦାରେଶ୍ୱରଙ୍କ ବିରାଟ ଲିଙ୍ଗ ଦେଖିବାକୁ ମିଳେ । କିମ୍ବଦନ୍ତୀରେ ଅଛି, ଏହି ଲିଙ୍ଗଙ୍କୁ ତ୍ରେତୟା ଯୁଗର ପରମପୁରୁଷ ରାମଚନ୍ଦ୍ର ଆରାଧନା କରିଥିଲେ ଦେଖିବାକୁ ମିଳେ । ସେହିଭଳି ଆଜି ଯେଉଁ ଶ୍ରୀଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ୱକୁ ଆଚ୍ଛନ୍ନ କରୁଛି, ତାହାର ମୂଳଭିତ୍ତି କୋରାପୁଟରେ ଦେଖିବାକୁ ମିଳେ । ବୋରିଗୁମା ବ୍ଲକରେ ଶାବରୀୟମାନେ କାହିଁକି କୋରାପୁଟର ବହୁ ଅଞ୍ଚଳରେ ଶାବରୀୟମାନେ ଦୁଇଟି ମହୁଲଗଛ କାଟନ୍ତି । ତା ମଧ୍ୟରୁ ନିଜ ଗ୍ରାମରୁ ଗୋଟିଏ ଓ ଅପର ଗ୍ରାମରୁ ଆଉ ଗୋଟିଏ କାଟି ସେହି ଦାରୁରୁ ତିନୋଟି ଗଣ୍ଡି ବାହାର କରନ୍ତି । ସେହି ଗଣ୍ଡିଗୁଡ଼ିକ ତାଙ୍କ ଦେବସ୍ଥଳୀରେ ପୋତିଥାନ୍ତି-। ଦୁଇପଟରେ ଦୁଇଟି ଏବଂ ମଝିରେ ଗୋଟିଏ ଛୋଟ ଗଣ୍ଡି ଥାଏ ତାହାକୁ ଏଭଳି ପୋତନ୍ତି ଉଭୟ ପାର୍ଶ୍ୱର ଦୁଈଟି ବଡ଼ ଦାରୁର ମୁଣ୍ଡ ଧୀରେ ଧୀରେ ବାଙ୍କି ଯାଇ ଲାଗିଯାଏ । ଏହା ପ୍ରାୟ ବାରବର୍ଷରେ ଥରେ ହୋଇଥାଏ ବୋଲି ସେମାନେ କୁହନ୍ତି । ସେହି ଦାରୁଗୁଡ଼ିକର ଉପରିଭାଗରେ ଯେଉଁ ମୁଖ ଖୋଦିତ ହୋଇଥାଏ ତାହା ପ୍ରାୟ ଶ୍ରୀଜଗନ୍ନାଥ-ବଳଭଦ୍ର-ସୁଭଦ୍ରାଙ୍କ ମୁଖ ପରି । ଏହି ସଂସ୍କୃତିରୁ ଶ୍ରୀଜଗନ୍ନାଥଙ୍କର ଉଦ୍‌ଭବ, ଏହା କହିଲେ ଭୁଲ ହେବ ନାହିଁ ।

 

ଶାବରୀୟ ଭୂମି କୋରାପୁଟରେ କେବେ ଆର୍ଯ୍ୟ ସଂସ୍କୃତି ପ୍ରବେଶ କଲା ତାହାର ପ୍ରକୃତ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ । ଭାରତ ବର୍ଷରେ ଶାବରୀୟଙ୍କ ପରେ ପ୍ରଥମେ ବୈଦିକ, ତା’ପରେ ଜୈନ ଓ ତା’ପରେ ବୌଦ୍ଧ ଧର୍ମ ସଂସ୍କୃତିର ଅଭ୍ୟୁଦୟ ଘଟିଥିଲା । କୋରାପୁଟର ଭୈରବସିଂହପୁରରେ ଜୈନତୀର୍ଥଙ୍କର ଋଷଭନାଥଙ୍କ ମୂର୍ତ୍ତି ଉପାସିତ । ସେହିଭଳି କୋଲାବ ନଦୀକୂଳରେ କେଚଲାଠାରେ ଜୈନ ମନ୍ଦିର ଦେଖିବାକୁ ମିଳେ । ଏଠାରେ ଜୈନ ଅମ୍ବିକାଙ୍କର ଗୋଟିଏ ମୂର୍ତ୍ତି ରହିଛି । ଅମ୍ବିକା ତାଙ୍କ ବାହୁରେ ପିଲାଟିଏ ଧରି ଛିଡ଼ା ହୋଇଛନ୍ତି । ଏହା ଛଡ଼ା ସେଠାରେ ଯକ୍ଷ ଯକ୍ଷୀଙ୍କ ମୁର୍ତ୍ତି ରହିଛି । ଏକ ମୂର୍ତ୍ତିରେ ଦେଖାଯାଏ ଯକ୍ଷ ପକ୍ଷୀ ଏକତ୍ର ବସିଛନ୍ତି । ଏହି ସ୍ଥାନ ବ୍ୟତୀତ ଶୁଆଇଠାରେ ଜୈନ ଋଷଭନାଥଙ୍କ ମୂର୍ତ୍ତି ସହିତ ଚତୁର୍ହସ୍ତା ତାରାଙ୍କର ଗୋଟିଏ ମୂର୍ତ୍ତି ରହିଛି । ଚୋରମାଳ ଓ ନରିଗାରେ ବହୁ ଜୈନ ମୂର୍ତ୍ତି ଦେଖିବାକୁ ମିଳେ ।

 

ପଦ୍ମପୁରର ଜଗମୁଣ୍ଡା ପାହାଡ଼ ଉପରେ ଖଣ୍ଡିଏ ପଥରରେ ତିନୋଟି ବୌଦ୍ଧଗୁରୁଙ୍କ ନାମ ଲେଖା ରହିଛି । ଏହୀ ତିନୋଟି ଧର୍ମଗୁରୁ ହେଉଛନ୍ତି ଶ୍ରୀଚନ୍ଦ୍ରଲେଖ–ଶ୍ରୀ ଭଦ୍ରଖଂ–ଶ୍ରୀ ଧର୍ମକୀର୍ତ୍ତି ଏହି ଲେଖଟି ସପ୍ତମ ଶତାବ୍ଦୀର ଓ ଏହି ତିନିଜଣ ଗୁରୁ ପରଂପରା କିମ୍ବା ଗୁରୁଭାଇ ତାହା କହି ହେବ ନାହିଁ । ଖୁବ୍‌ ସମ୍ଭବ ଶ୍ରୀଭଦ୍ରଖ ଶାଳନ୍ଦୀ କୂଳରେ ବିହାର ସ୍ଥାପନ କରି ରହିଥିଲେ । ତେଣୁ ପରବର୍ତ୍ତୀ କାଳରେ ସେହି ଅଞ୍ଚଳ ଭଦ୍ରଖ ନାମରେ ନାମିତ ହୋଇଛି । ଧର୍ମକୀର୍ତ୍ତି ସେତେବେଳେ ଜଣେ ବଡ଼ ନ୍ୟାୟିକ ଥିଲେ । ତାଙ୍କଠାରୁ ବୟୋଜ୍ୟେଷ୍ଠ କାଞ୍ଚିପୁରମ୍‌ର ପ୍ରସିଦ୍ଧ ନ୍ୟାୟିକ କୁମାରିଲ ଭଟ୍ଟଙ୍କୁ ସେ ଯୁକ୍ତିରେ ପରାସ୍ତ କରିଥିଲେ । ସେଠାରେ ଯେ ପୂର୍ବେ ବୌଦ୍ଧ ବିହାର ସ୍ତୂପ ଥିଲା ଏହା ଧାରଣା କରାଯାଏ । ରାୟଗଡ଼ା ସବ୍‌ଡ଼ିଭିଜନର ‘ଥେରୁବାଲି’ଠାରେ ପୂର୍ବେ ବୌଦ୍ଧ ବିହାର ଓ ସ୍ତୂପ ଥିଲା । ଯେତେବେଳେ ସେ ଅଞ୍ଚଳ ଦେଇ ରେଳପଥ ଗଲା ସେତେବେଳେ ବହୁ ବୌଦ୍ଧ ମୂର୍ତ୍ତି ମାଟିତଳୁ ବାହାରିଥିବା ବର୍ତ୍ତମାନର ରାଜ୍ୟସଭା ସଦସ୍ୟା ଶ୍ରୀମତୀ ଇଲାପଣ୍ଡା କହିଥାନ୍ତି । ସେଥିପାଇଁ ସେ ସ୍ଥାନର ନାମ ‘ଥେରୀ’ ରହିଛି । ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀଙ୍କୁ ‘ଥେର’ ଓ ‘ଥେରୀ’ କୁହାଯାଏ ।

 

ଲିଙ୍ଗ ଉପାସନା ପ୍ରସ୍ତରୀୟ ଯୁଗରୁ ଆରମ୍ଭ ହେଲେ ମଧ୍ୟ ବର୍ତ୍ତମାନର ଶିବଲିଙ୍ଗର ଗଠନ ବୌଦ୍ଧସ୍ତୂପ ଭଳି ହୋଇଛି । ନାଥ ଧର୍ମର ଆଦି ପ୍ରବକ୍ତା ଗୋରକ୍ଷ ନାଥଙ୍କ ନାମ ବୌଦ୍ଧ ସଂପ୍ରଦାୟଙ୍କ ମଧ୍ୟରେ ଦେଖିବାକୁ ମିଳେ । ସେ ଥିଲେ ମତ୍ସେନ୍ଦ୍ରଙ୍କ ଶିଷ୍ୟ । ମତ୍ସେନ୍ଦ୍ର ଜଣେ ବୌଦ୍ଧଗୁରୁ, ତେଣୁ ଧାରଣା ହୁଏ ଗୋରକ୍ଷସ୍ତୂପକୁ କ୍ଷୁଦ୍ର କରି ଲିଙ୍ଗପୂଜା କରିଥିଲେ । ସେ ଯାହା ହେଉ ପରବର୍ତ୍ତୀ କାଳରେ ବୌଦ୍ଧପୀଠଗୁଡ଼ିକ ଉପରେ ବା ନିକଟରେ ଶୈବପୀଠ ଗଢ଼ି ଉଠିଥିଲା । କୋରାପୁଟର ଅଲମନ୍ଦା, ବୋରିଗୁମା, ଚାଟିକଣା, ଦେବଗିରି, ଗୁପ୍ତେଶ୍ୱର, ନାରାୟଣ ପାଟଣା, ପଦ୍ମପୁର, ପାପଡ଼ାହାଣ୍ଡି ଓ ଥେରିବାଲିଠାରେ ଶିବଲିଙ୍ଗ ଓ ମନ୍ଦିର ଦେଖିବାକୁ ମିଳେ ।

 

ଶୈବ ସଂସ୍କୃତି ଭଳି ଶାକ୍ତ ସଂସ୍କୃତି କୋରାପୁଟର ବିଭିନ୍ନ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଛି । ପଦ୍ମପୁରର ଜଗମୁଣ୍ଡା ପାହାଡ଼ ଉପରେ ଦଶ ଭୁଜା ଦୁର୍ଗାଙ୍କ ମୂର୍ତ୍ତି ଆରାଧିତା । ସେହିଭଳି ଥେରିବାଲିରେ ଆଉ ଏକ ଦୁର୍ଗା ଆରାଧିତା ହେବା ଦେଖାଯାଏ । ଜୟପୁରରେ ଯେଉଁ କନକଦୁର୍ଗା ଉପାସିତା ତାଙ୍କୁ ପଞ୍ଚଦଶ ଶତାବ୍ଦୀରେ ଗଜପତି ପୁରୁଷୋତ୍ତମଦେବ ନନ୍ଦପୁରରେ ପ୍ରତିଷ୍ଠା କରିଥିଲେ । ନାରାୟଣ ପାଟଣାରେ ଗଡ଼ଚଣ୍ଡୀ ଉପାସିତା ହେଉଛନ୍ତି । ଦେବଗିରିଠାରେ ପାହାଡ଼ର ଚତୁର୍ଥ ପାହାଚରେ ମହାଲକ୍ଷ୍ମୀ ଆରାଧିତା । ମହାଲକ୍ଷ୍ମୀ ପ୍ରଥମେ ଭୁବନେଶ୍ୱର ନିକଟରେ ଉଦୟଗିରିଠାରେ ଖ୍ରୀଷ୍ଟ ପୂର୍ବରୁ ଆରାଧିତା । କଟକ ଜିଲାର ରତ୍ନଗିରି ମୁଖଶାଳାରେ ଗଜଲକ୍ଷ୍ମୀଙ୍କ ଖୋଦିତ ଚିତ୍ର ଦେଖିବାକୁ ମିଳେ । ସେହିଭଳି ଲକ୍ଷ୍ମୀ ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଦ୍ୱାଦଶ ଶତାବ୍ଦୀର ଆରଧିତା ଶାବର ଭୂମିରୁ ପ୍ରଥମେ ଶ୍ରୀଜଗନ୍ନାଥ ଆତ୍ମ ପ୍ରକାଶ କଲେ ମଧ୍ୟ କୋରାପୁଟର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି । ତନ୍ମଧ୍ୟରୁ ଭୈରବସିଂହପୁର, ନାରାୟଣ ପାଟଣା, କୋରାପୁଟ, ଜୟପୁର, ଥେରିବାଲି ପ୍ରଧାନ ।

 

କୋରାପୁଟର ଏହି ସାଂସ୍କୃତିକ ପରିବେଶ ମଧ୍ୟରେ ବହୁ କବି ଲେଖନୀ ଧରି ଧର୍ମ, ସଂସ୍କୃତି ବିଷୟରେ ଗ୍ରନ୍ଥମାନ ରଚନା କରି ଲେଖିଛନ୍ତି । ସେହି ସବୁ ଗ୍ରନ୍ଥ ସଂପୂର୍ଣ୍ଣଭାବେ ଏପର୍ଯ୍ୟନ୍ତ ମିଳି ନାହିଁ । ଅଷ୍ଟାଦଶ ଶତାବ୍ଦୀରେ ନନ୍ଦପୁରର ରାଜା ବିକ୍ରମଙ୍କ ପାଟରାଣୀଙ୍କ ଗୁରୁ ଯୋଗୀ ପ୍ରହରାଜ ସଂସ୍କୃତରେ ବୈଦ୍ୟ ହୃଦୟାନନ୍ଦ ଓ ବୈଦ୍ୟାଳଙ୍କାର ନାମରେ ଦୁଇ ଗ୍ରନ୍ଥ ରଚନା କରି ଆୟୁର୍ବେଦ ଜଗତକୁ ବିରାଟଦାନ ଦେଇ ଯାଇଛନ୍ତି । ଏହି ଶତାବ୍ଦୀରେ ବିପ୍ର ଭାଗୀରଥୀ ଶୈବୋତ୍ତର ପୁରାଣ ରଚନା କରିଥିଲେ । ସେ ଥିଲେ ରଘୁନାଥ ସାମନ୍ତରାୟଙ୍କ ପୁତ୍ର ଓ ସେ ପରମ ବୈଷ୍ଣବ ଭାବେ ବୈଷ୍ଣବ ସମାଜରେ ଗୃହୀତ । ବଲ୍ଲଭ ନାରାୟଣ ବେହେରା ମହାପାତ୍ର ବିଷ୍ଣୁ ପୁରାଣ, ଶିବ ଗୀତା, ଓ ତୀର୍ଥ ଚିନ୍ତାମଣି ଆଦି କେତେ ଉପାଦେୟ ଗ୍ରନ୍ଥ ରଚନା କରିଯାଇଛନ୍ତି । ଊନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାରେ ଗ୍ରନ୍ଥ ରଚନା କରିବାକୁ ଆଗେଇ ଆସିଲେ ବ୍ରଜସୁନ୍ଦର ଦାସ ମହାରଥୀ ମହାପାତ୍ର । ସେ ତ୍ରିଗୁଣ ଭାରତ ବା ତ୍ରିଗୁଣ ମହାଭାରତର ରଚନା କଲେ । ଏହି ଊନବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ ଜୟପୁରର ରାଜା ବିକ୍ରମଦେବ । ସେ ରାଧାମାଧବ ନାଟକ, ତୁଳସୀ, ବିକ୍ରମ ନାରାୟଣ, ସରସ ସଙ୍ଗୀତାବଳୀ, ଭକ୍ତି ରତ୍ନମାଳିକା, ଉତ୍କଳ କୁନ୍ଦମାଳା, ବୁଦ୍ଧଦେବ ଚରିତାଦି ରଚନା କରିଛନ୍ତି । କୋରାପୁଟରେ ବହୁ ତେଲ୍‌ଗୁ ବସବାସ କରନ୍ତି । ତେଣୁ ପର୍ଶୁରାମଙ୍କ ପୁତ୍ର ଦୀନବନ୍ଧୁ ତେଲ୍‌ଗୁ ଭାଷାର ଧର୍ମଙ୍ଗଦା ଗ୍ରନ୍ଥକୁ ପ୍ରତିଭକ୍ତି ପୁରାଣ ନାମ ଦେଇ ଓଡ଼ିଆରେ ଏକ ଉପାଦେୟ ଗ୍ରନ୍ଥ ଅନୁବାଦ କଲେ । ବିଂଶ ଶତାବ୍ଦୀରେ କୋରାପୁଟରେ ବହୁ ଲେଖକ ଉପନ୍ୟାସ, ଗଳ୍ପ, କବିତା, ପ୍ରବନ୍ଧାଦି ରଚନା କରିବାକୁ ଆଗେଇ ଆସିଛନ୍ତି । ଶ୍ରୀ ରାମନାଥ ପଣ୍ଡା ଏକ ପ୍ରତିଷ୍ଠାନ ଖୋଲି ନିଜେ ଲେଖି, ଅନ୍ୟମାନଙ୍କଦ୍ୱାରା ଲେଖାଇ ବହୁ ବହି ପ୍ରକାଶ କରିଛନ୍ତି । ରାୟଗଡ଼ାର ନାଟ୍ୟକାର ବଳରାମ ମିଶ୍ର ଶଙ୍ଖ ମହୁରି, ବିଷପିୟୂଷ ଓ ଜୀବନର ଝଡ଼ ଆଦି କେତେକ ନାଟକ ରଚନା କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଲେଖକ ସାମ୍ମୁଖ୍ୟାଦି ସାହିତ୍ୟାନୁଷ୍ଠାନ କୋରାପୁଟ, ସୁନାବେଢ଼ା ଆଦିରେ ସାହିତ୍ୟ ସଭାମାନ କରିବାଦ୍ୱାରା ବହୁ ବ୍ୟକ୍ତି ଆଗେଇ ଆସିଛନ୍ତି ଲେଖନ ଧରିବାକୁ । ମହାପ୍ରଭୁ ଜଗନ୍ନାଥ ଆଶୀର୍ବାଦ ଦିଅନ୍ତୁ; ସେମାନେ ଲେଖନୀ ଧରି ଆଗେଇ ଚାଲନ୍ତୁ ଓ ବିଭିନ୍ନ ସାହିତ୍ୟାନୁଷ୍ଠାନ ଗଢ଼ି ବିରାଟ ସାଂସ୍କୃତିକ ଅଞ୍ଚଳର ନାମକୁ ଉଜ୍ଜ୍ୱଳ କରନ୍ତୁ ।

 

 

କ୍ୱାଟର ନଂ- ୭୭ ଟାଇପ- ୪

ଡେଲ୍‌ଟା କଲୋନି

ଭୁବନେଶ୍ୱର- ୧୨

 

***

 

Unknown

ଆଦିବାସୀ ଲୋକ-ସାହିତ୍ୟ ।।

(ପ୍ରସଙ୍ଗ- ସାନ୍ତାଳୀ)

ଡକ୍‌ଟର ଶ୍ୟାମସୁନ୍ଦର ମହାପାତ୍ର

 

ଭାରତୀୟ ସାହିତ୍ୟର ତିନୋଟି ଧାରା–ଆଦିବାସୀ ଲୋକସାହିତ୍ୟ, ଅଣଆଦିବାସୀ ଲୋକସାହିତ୍ୟ ଓ ଅଣଆଦିବାସୀ ବିଦଗ୍‌ଧ ସାହିତ୍ୟ । ଆଦିବାସୀ ଲୋକସାହିତ୍ୟ ଏକ ବିଶାଳ ଜନଗୋଷ୍ଠୀର ଆତ୍ମଲିପି; ପ୍ରାୟ ପାଞ୍ଚକୋଟି ମନର ମାନଚିତ୍ର । ଆଦିବାସୀଙ୍କ ସଂଖ୍ୟା ସମଗ୍ର ଭାରତୀୟ ଅଧିବାସୀଙ୍କର ପ୍ରାୟ ଆଠ ଶତାଂଶ । ଏଇ ଜନ ଗୋଷ୍ଠୀର ଲିଖିତ ସାହିତ୍ୟ ଏବେ ଉନ୍ମେଷମୁଖୀ । ବସ୍ତୁତଃ ଲୋକସାହିତ୍ୟ ମାଧ୍ୟମରେ ହିଁ ତାର ସୁଖ, ଦୁଃଖ, ଆଶା, ଆକାଙ୍‌କ୍ଷା, କଳ୍ପନା ଓ ଆବେଗ ପ୍ରକାଶିତ । ଲୋକସାହିତ୍ୟ ହିଁ ତାର ଇତିହାସ, ତାର ପୁରାଣ, ତାର ଧର୍ମଶାସ୍ତ୍ର–ମୋଟ ଉପରେ ତାର ନିତ୍ୟ ନବୀନ ଜ୍ଞାନକୋଷ । ଲିଖିତ ସାହିତ୍ୟ ବିହୀନ ଏଇ ବିଶାଳ ଜନଗୋଷ୍ଠୀକୁ ଲୋକସାହିତ୍ୟ ହିଁ ଶତାବ୍ଦୀ ଶତାବ୍ଦୀ ଧରି ନାନା ରାଜନୈତିକ ଓ ଧର୍ମୀୟ ଘନଘଟା ମଧ୍ୟରେ ତାର ସ୍ୱକୀୟ ବୈଶିଷ୍ଟ୍ୟ ବଜାୟ ରଖି ତିଷ୍ଠି ରହିବାରେ ସାହାଯ୍ୟ କରିଛି । ପ୍ରତ୍ୟେକ ଜାତିର ଲିଖିତ ସାହିତ୍ୟ ବିକାଶ ଲାଭ କରିବା ପୂର୍ବରୁ ଲୋକସାହିତ୍ୟ ଏହି ଭୂମିକା ପାଳନ କରିଥାଏ । କିନ୍ତୁ ବିଂଶ ଶତାବ୍ଦୀର ଶେଷ ପାଦରେ ମଧ୍ୟ ଏକ ବିଶାଳ ଜନଗୋଷ୍ଠୀର ଲିଖିତ ସାହିତ୍ୟ ବିକାଶ ପାଇନଥିବା ବିଷୟଟି ସେଇ ଗୋଷ୍ଠୀ ଓ ତାର ଦେଶ ପକ୍ଷରେ ଅବଶ୍ୟ ଦୁର୍ବଳତାର ଚିହ୍ନ । ଅନ୍ୟ ପକ୍ଷରେ ଲୋକସାହିତ୍ୟ ମାଧ୍ୟମରେ ଏଇ ସମାଜକୁ ଚିହ୍ନିବାପାଇଁ ଏହା ଏକ ପରମ ସୁଯୋଗ ଯୋଗାଇଛି ।

 

ଆଦିବାସୀ ଲୋକସାହିତ୍ୟ ତାର ପରିବେଶ ଓ ଜୀବନଧାରା ସହ ଓତପ୍ରୋତ ଭାବରେ ଜଡ଼ିତ । ବର୍ତ୍ତମାନ ବହୁ ଆଦିବାସୀ ଗୋଷ୍ଠୀ କୃଷିଦ୍ୱାରା ଜୀବିକା ନିର୍ବାହ କରିବାକୁ ପ୍ରୟାସୀ ହେଲେଣି । ତଥାପି ଶିକାର ସେମାନଙ୍କର ଅନ୍ୟତମ ମୁଖ୍ୟ ଆକର୍ଷଣ ହୋଇ ରହିଛି । ଅନେକ କ୍ଷେତ୍ରରେ ଶିକାର ଧର୍ମାଚାର ସହ ଜଡ଼ିତ । ଏଣୁ ବଣୁଆଁ ବା ପାହାଡ଼ିଆ ଅଞ୍ଚଳକୁ ଏବେ ବି ଏମାନେ ନିଜର ବାସଭୂମି ଭାବରେ ଗ୍ରହଣ କରିଥାନ୍ତି । ତଥାକଥିତ ସଭ୍ୟଜଗତର ଦାଉରୁ ଆତ୍ମରକ୍ଷା କରିବାପାଇଁ ମଧ୍ୟ ଏମାନେ ପାହାଡ଼ ଜଙ୍ଗଲ ଅଞ୍ଚଳକୁ ଅପସରି ଯାଉଥିବାର ଦେଖାଯାଏ-। ଜନୈକ ଆଲୋଚକଙ୍କ ଭାଷାରେ ‘‘ଆମକୁ ଏକୁଟିଆ ଛାଡ଼ିଦିଅ’’–ଏହିପରି ଏକ ମନୋବୃତ୍ତି ଆଗ୍ରାସୀ ସଭ୍ୟତାପ୍ରତି ଏମାନଙ୍କର ରହିଥିବାପରି ଅନୁଭୂତି ହୁଏ । ବର୍ତ୍ତମାନ ଅବଶ୍ୟ ନିଜ ବାସସ୍ଥାନ ଛାଡ଼ି ପାହାଡ଼ ଜଙ୍ଗଲ ଆଡ଼କୁ ପଳାଇବା ଅପେକ୍ଷା ସହର ବଜାର ଆଡ଼କୁ ଯାଇ ଶ୍ରମଜୀବୀ ଭାବରେ ପେଟ ପୋଷିବାର ପ୍ରବଣତା ଏମାନଙ୍କର ଦେଖା ଦେଲାଣି; ଶୋଷକ ଜଗତ ସହ ବ୍ୟାବସାୟିକ ଧନ୍ଦା ବଢ଼ାଇବାରେ ଏମାନେ ଅଧିକ ସାହସୀ ହେଲେଣି । ଆଦିବାସୀ ପଲ୍ଲୀ ଅଞ୍ଚଳର ମଧ୍ୟ ଦ୍ରୁତ ପରିବର୍ତ୍ତନ ଘଟୁଛି । ତଥାପି ଏମାନଙ୍କର ଜୀବନଧାରା ଅନେକାଂଶରେ ଅବ୍ୟାହତ । ବିଭିନ୍ନ ପର୍ବପର୍ବାଣୀରେ, ଉତ୍ସବ ଅନୁଷ୍ଠାନରେ ସାମୂହିକ ନୃତ୍ୟଗୀତ ଏବେ ମଧ୍ୟ ଦୃଷ୍ଟି ଆକର୍ଷଣ କରେ । ଆଦିବାସୀ ମହିଳାମାନଙ୍କର ଦଳବଦ୍ଧ ଭାବରେ ଜାଳେଣି ସଂଗ୍ରହ କରିବାକୁ ଯିବା, ଧାନ ପୋତା ଓ ଧାନକଟାରେ ଅଂଶ ଗ୍ରହଣ କରିବା, ବୟସ୍କ ଆଦିବାସୀମାନଙ୍କର ଶିକାରକୁ ଯିବା ଭଳି କର୍ମପ୍ରବାହ ଲୋକ ସାହିତ୍ୟ ସୃଷ୍ଟି ଓ ପ୍ରସାରରେ ସହାୟକ ।

 

ଆଦିବାସୀମାନେ ଅଳ୍ପରେ ସନ୍ତୁଷ୍ଟ । ଆଗାମୀ କାଲି ପାଇଁ ଘରେ ଖାଦ୍ୟ ଥିଲେ ସେମାନେ କାମକୁ ବାହାରିବା ପାଇଁ କୁଣ୍ଠିତ; ଜୀବିକାର୍ଜନର ପ୍ରଧାନ ଅବଲମ୍ବନ ଛଡ଼ା ଅନ୍ୟ କିଛି କାମ କରି ଅଧିକ ଉପାର୍ଜନ କରିବା ପ୍ରତି ବିତସ୍ପୃହ । ଏଣୁ ଶସ୍ୟ ଅମଳ ପରେ ପରେ ଏମାନେ କର୍ମ ବନ୍ଧନରୁ ନିଜକୁ ମୁକ୍ତବୋଲି ମନେ କରନ୍ତି । ସଂଗୃହୀତ ଖାଦ୍ୟ ଶସ୍ୟ ଶେଷ ନ ହେବାଯାଏ ଚାଲେ ନାଚଗୀତ, ଶିକାର, ମାଛଧରା ବା ଗଞ୍ଜା ଲଢ଼େଇ । ଆଦିବାସୀମାନେ ଏବେ ସରକାରୀ ପ୍ରୟାସରେ କେତେକ ଅର୍ଥକରୀ କାମରେ ମନ ଦେଲେଣି; କିନ୍ତୁ ଏମାନଙ୍କ ସଂଖ୍ୟା ନଗଣ୍ୟ ।

 

ଉପରୋକ୍ତ ଜୀବନଧାରାରୁ ଆଦିବାସୀଙ୍କର ଜୀବନ ଦର୍ଶନ ସହଜରେ ଅନୁମେୟ । କେବଳ ସାମାନ୍ୟ ଅନ୍ନ ବସ୍ତ୍ର ପାଇଁ ଯେତିକି ଲୋଡ଼ା ତାଠାରୁ ଅଧିକ ଶ୍ରମ ସେ କରିବାକୁ ଅନିଚ୍ଛୁକ । ଜୀବନର ଚରମ ଲକ୍ଷ୍ୟ ସତେ ଅବା ଆନନ୍ଦ-ଉତ୍ସବ । ଗୋଟିଏ ସାନ୍ତାଳ ଗୀତରେ ଏଇ ଅଭିଳାଷ ସ୍ପଷ୍ଟ । ଏଥିରେ କୁହାଯାଇଛି–

 

ଜମ୍‌ ଆବନ୍‌, ଞ୍ଜୁ ଆବନ୍‌

ରାସ୍‌ କାତେବନ୍‌ ତାହେନ୍‌ ।

 

ଅର୍ଥାତ୍‌ ଖାଇବୁ, ପିଇବୁ, ଆନନ୍ଦରେ ରହିବୁ । ଅନ୍ୟ ଗୋଟିଏ ଗୀତରେ ମଧ୍ୟ ଏଇ ଚିନ୍ତାଧାରା ବ୍ୟକ୍ତ -

 

ପରବ୍‌ ଟାଣ୍ଡି ରାସ୍‌କା ଜିଓ୍ୱିରେଓ୍ୱାଃ ରାସ୍‌କା

ଜିଓ୍ୱିରେଓ୍ୱାଃ ରାସ୍‌କା ଜିଓ୍ୱିତ୍‌ଭୁର୍‌ଗେ

ଜିଓ୍ୱିରେନାଃ ରାସ୍‌କା ସାରି ଜିଓ୍ୱି ରାସ୍‌କା

ଜିଓ୍ୱିରେନାଃ ରାସ୍‌କା ଜିଓ୍ୱିତ୍‌ଭୁର୍‌ଗେ ।

 

ଅର୍ଥାତ୍‌

ପର୍ବ ପର୍ବାଣୀର ଆନନ୍ଦ ଜୀବନର ଆନନ୍ଦ

ଜୀବନ କାଳର ଆନନ୍ଦ ହିଁ ଜୀବନର ଆନନ୍ଦ

ଜୀବନର ଆନନ୍ଦ ହିଁ ପ୍ରକୃତ ଆନନ୍ଦ

ଜୀବନର ଆନନ୍ଦ ଜୀବନ କାଳରେ ହିଁ ମିଳିଥାଏ ।

 

ଏଥିରୁ ବୁଝିବାକୁ ହେବ ଯେ ଏଇ ଆନନ୍ଦପାଇଁ ହିଁ ଏତେ ନାଚ, ଗୀତ, ଓ ନିଶା ସେବନ । ଏଇ ଆନନ୍ଦରୁ ହିଁ ଜାତ ଆଦିବାସୀ ସମାଜର ବିପୁଳ ଲୋକସାହିତ୍ୟ । ଜଣେ ନୃତତ୍ତ୍ୱବିଦ୍‌ଙ୍କ ମତରେ ଆଦିବାସୀଙ୍କ କଳା ଓ ହସ୍ତ ଶିଳ୍ପରେ ମୁକ୍ତ ଜୀବନର ଆନନ୍ଦ ପ୍ରକାଶ ପାଇଥାଏ (ମହାନ୍ତି, ବି ବି ୧୯୯୦ : ୨୬) । ଏ ଉକ୍ତି ଲୋକଗୀତ କ୍ଷେତ୍ରରେ ମଧ୍ୟ ସତ୍ୟ ।

 

ଆଦିବାସୀ ସମାଜରେ ସଙ୍ଗୀତର ସ୍ଥାନ ସର୍ବୋଚ୍ଚ । ଉକ୍ତ ସମାଜର ଆବାଳବୃଦ୍ଧ ବନିତା ଗୀତ ବୋଲିପାରନ୍ତି । ଗୀତ ବୋଲିବାରେ ସମସ୍ତେ ଏଭଳି ପଟୁ ଯେ ଗାଁରେ କିଏ ଭଲ ଗୀତ ବୋଲିପାରେ ବୋଲି ପ୍ରଶ୍ନକଲେ ଉତ୍ତରଟାଏ ସହଜରେ ମିଳେ ନାହିଁ । ଅଧିକାଂଶ ଗୀତ ସାମୂହିକ ନୃତ୍ୟ ସମୟରେ ବୋଲା ହେଉଥିବାରୁ ଏହାର ଅନ୍ତର୍ନିହିତ ଅନୁଭୂତି ଓ ଆବେଦନ ସାର୍ବଜନୀନ । ପରିଚିତ ପରିବେଶ, ବନ୍ୟ ପ୍ରକୃତି, ନିତିଦିନିଆଁ ଜୀବନ ଚିତ୍ର, ସାମାଜିକ ସମସ୍ୟା, ରାଜନୈତିକ ଉନ୍‌ମାଦନା–ମୋଟ ଉପରେ ଆଦିବାସୀର ଅନ୍ତର୍ଜଗତ ଓ ବହିର୍ଜଗତର ଚିତ୍ର ଏଥିରେ ଅଙ୍କିତ । ନିମ୍ନରେ କେତୋଟି ଉଦାହରଣ ଦିଆଗଲା–

 

ପାରିପାର୍ଶ୍ୱିକ ପରିବେଶ, ପ୍ରକୃତି ପ୍ରାଣତା ଓ ଜୀବନ ଦର୍ଶନର ପରିପ୍ରକାଶ ଗୋଟିଏ ସାନ୍ତାଳୀ ‘ଲାଗ୍‌ଣେ’ ଗୀତରେ ଲକ୍ଷ୍ୟ କରିବାର କଥା । ଗୀତଟି ଓ ତାର ଅନୁବାଦ ଏଠାରେ ଦିଆ ଯାଉଛି–

 

ନାଲେ ଛାଟକା ଜଜଦାରେ ଜ’ଦ କାଳ୍‌ବୁଂ ଗେୟା

ଡାର୍‌ଦ ଲିକିତ୍‌ ଲିକିତ୍‌ ଦାୟ୍‌ନା ଜ’ଦ କାଳ୍‌ବୁଂ ଗେୟା

ନାଲେ ଛାଟ୍‌କା ଜଜ ଦାରେ ଜିହୁ ଚେଣେ ହପନ୍‌

      ଦାୟ୍‌ନା, ଦାୟୋଗେକିନ୍‌ ରାଗ୍‌ ।

ସନା ଥାରିତେ ଦାକାଇଞ୍ଜ ଜମା, ସନା ଗିଲାସ୍‌ତେ

      ଦାଃ ଇଞ୍ଜ୍‌ ଞ୍ଜୁୟାଁ

ଜିହୁ ଚେଣେ ହପନ୍‌ ଦାୟ୍‌ନା

      ଦାୟାଗେ କିନ୍‌ ରାଗ୍‌ ।

 

ଅନୁବାଦ–

ଆମ ଅଗଣାର ତେନ୍ତୁଳିଗଛ

ଫଳ ତାର ଗଣ୍ଠି ଗଣ୍ଡିକା

ନହକା ନହକା ଡାଳ

ଫଳ ତାର ଗଣ୍ଠି ଗଣ୍ଠିକା

ଆମ ଅଗଣା ତେନ୍ତୁଳି ଗଛରେ, ଭଉଣୀ ଲୋ,

କୁଣ୍ଡା ଭୁଷୁଣ୍ଡି ଚଢ଼େଇ ଛୁଆ ଗୁଡ଼ିକ

ବଡ଼ କରୁଣ ଭାବରେ ବୋବାଉଛନ୍ତି ।

ସୁନା ଥାଳିରେ ଭାତ ଖାଇବି

ସୁନା ଗିଲାସରେ ପାଣି ପିଇବି ।

କୁଣ୍ଡା ଭୁଷୁଣ୍ଡି ଚଢ଼େଇ ଛୁଆ ଗୁଡ଼ିକ

ବଡ଼ କରୁଣ ସ୍ୱରରେ ବୋବାଉଛନ୍ତି ।

 

ପ୍ରାକୃତିକ ପରିବେଶ ମଧ୍ୟରେ ନିଜକୁ ସାମିଲ କରିଦେବା ଆଦିବାସୀର ଶାନ୍ତ, ସରଳ, ଉଜ୍ଜ୍ୱଳ ମୁହେଁ ଏଥିରୁ ବାରି ହୋଇପଡ଼େ । ଏଥିରୁ ମଧ୍ୟ ବୁଝାଯାଏ ତାର ଚରମ ଲକ୍ଷ୍ୟ–ଆନନ୍ଦରେ ଜୀବନ ବିତାଇବା–ସନା ଥାରିରେ ଦାକାଇଞ୍ଜ୍‌ ଜମା, ସନା ଗିଲାସ୍‌ରେ ଦାଃଇଞ୍ଜ୍‌ ଞ୍ଜୁୟାଁ ।

 

ଜଙ୍ଗଲ ପାହାଡ଼ରେ ଫୁଲ ଫୁଟିଲେ ଆଦିବାସୀ ପ୍ରାଣରେ ପୁଲକ ଖେଳିଯାଏ । ତାର ଆବେଗ ପ୍ରକାଶ ପାଏ ଗୀତରେ–

 

ଚନ୍ଦନ୍‌ ବୁରୁରେଆଃ ଚନ୍ଦନ୍‌ ଚାମ୍ପା ବାହା

ରହଳ୍‌ ଗାଡ଼ାରେକ ରହୟ୍‌ ଆକାଃ

ଦାରେ ହାରାଏନା, ଡାର୍‌ ବେନାଅଁ ଏନା, ବାହା ମଁ ହେଁ ଏନା

ବାହା ଞ୍ଜେଲ୍‌ତେ ହଳ୍‌କ ନାଚୁରଃ କାନ୍‌ ।

 

ଅନୁବାଦ-

ଚନ୍ଦନ ପର୍ବତର ଚନ୍ଦନ ଚମ୍ପାଫୁଲ

ଶୁଖିଲା ନଦୀରେ ଲଗା ସେଇ ଗଛ

ଗଛ ବଡ଼ ହେଲା, ଶାଖା ମେଲେଇଲା, କଢ଼ି ଫୁଟିଲା

ଫୁଲ ଦେଖି ଲୋକେ ଘୂରିବୁଲୁଛନ୍ତି ।

 

ଗୀତଟି ପ୍ରତୀକାତ୍ମକ ହୋଇଥିବା ସମ୍ଭବ । ଏଠାରେ ଶୁଖିଲା ନଦୀରେ ଫୁଲ ଚାରା ରୋପଣ ହୁଏତ ଗୋଟିଏ ଯୌନ ପ୍ରତୀକ । ଚନ୍ଦନ ଚମ୍ପାଫୁଲ ହୁଏତ କୌଣସି ଆଦିବାସୀ ସୁନ୍ଦରୀ-। ଗୀତଟି ବିବାହ ଗୀତ ବା ଦଂ ସେରେଞ୍ଜ୍‌ ହୋଇଥିବାରୁ ଏଭଳି କଳ୍ପନା ଅବାନ୍ତର ହୋଇନପାରେ-। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାନ୍ତାଳ ବିବାହ ଗୀତ ସାଧାରଣତଃ ପ୍ରତୀକାତ୍ମକ ନୁହେଁ । ବିବାହ ଗୀତ ଭିତରେ ଦେଶ ଓ ଜାତିର ସମସ୍ୟା ମଧ୍ୟ ସ୍ଥାନ ପାଇପାରେ । ଗୋଟିଏ ଗୀତରେ ଝାଡ଼ଖଣ୍ଡ ଧୂମ୍‌ଷା ବାଜୁଥିବା କଥା କୁହାଯାଏ–

 

ଅତେ ଦୁହୁଳ୍‌ ଦୁହୁଳ୍‌

ସେମାଁ ରୁହୁଳ୍‌ ରୁହୁଳ୍‌

ଝାଡ଼୍‌ଖଣ୍ଡ୍‌ ଟାମାକ୍‌ ସାଡ଼େ

ଗୁହୁଡ଼୍‌ ଗୁହୁଡ଼୍‌

 

ଅନୁବାଦ-

ଶୁଣ, ଦୁଲ୍‌ ଦୁଲ୍‌ ଶୁଭୁଛି

ଆକାଶ ପବନ ମୁଖରିତ ହେଉଛି

ଝାଡ଼ଖଣ୍ଡ ଧୂମ୍‌ଷା

ଗୁହୁଡ଼୍‌ ଗୁହୁଡ଼୍‌ ଶବ୍ଦ କରୁଛି ।

 

ଗୀତରେ ପ୍ରକାଶ ପାଉଥିବା ଜୀବନ ଦର୍ଶନ କଥାତ ଆଗରୁ କୁହାଯାଇଛି । ଏଠାରେ ଆଉ ଗୋଟିଏ ଉଦାହରଣ ଦିଆଗଲା । ଏହାର ଭାଷା ଓଡ଼ିଆ ବା ବଙ୍ଗଳାର ଅତି ନିକଟବର୍ତ୍ତୀ–

 

ଇ ମଞ୍ଚୁପୁରେ ଭାଇ ନାଚିତେ ହବେ ଗ

ଖେଲିତେ ହବେ ନାୟଁଗ

ୟାର୍‌ ମୁଞ୍ଚୁପୁରେ ଭାୟ

କିବା ଜନମ୍‌ କେମନ୍‌ ରସିକା

ନାଚିତେ ହବେ ଗ

ଖେଲିତେ ହବେ ନାୟଁ ଗ ।

 

ଗୀତଟି ‘ଲାଗ୍‌ଣେ’ ଶ୍ରେଣୀର । ଏହା ଯେ କୌଣସି ସମୟରେ ଗୀତ ହୋଇପାରେ । ଗୀତଟିରେ ନାୟଁ ବା ‘ମା’କୁ ସମ୍ବୋଧନ କରାଯାଇଛି ।

 

ଏପରିକି ଧର୍ମୀୟ ଗୀତରେ ବି ଏଇ ଆନନ୍ଦ ସନ୍ଧାନୀ ସରସ ମାନସିକତାର ପରିଚୟ ମିଳେ । ଗୋଟିଏ ମାଃ ମଣେ ବା ଶସ୍ୟ ଅମଳର ଗୀତରୁ ଏହା ଲକ୍ଷ୍ୟ କରାଯାଇପାରେ । ‘ବଙ୍ଗା ଡାକାଅ’ ବା ଦେବତା ଆହ୍ୱାନ ଗୀତରେ ମଣେକ ତୁରୁୟ୍‌କ, ଛିତା, କାପୁରା ଆଦି ଦେବଦେବୀଙ୍କୁ ଆହ୍ୱାନ କରାଯାଇଛି । ତା ଭିତରେ ଦେବୀ ଛିତା ଓ କାପୁରାଙ୍କର ଆସିବାରେ ଡେରି ହୋଇଯାଇଛି ବୋଲି କଳ୍ପନା କରାଯାଇଛି । ଆହ୍ୱାନକାରୀ ପଚାରୁଛନ୍ତି, ‘‘ହେ ଛିତା ଦେବୀ, ତମର କାହିଁକି ଡେରି ହେଲା ? ହେ କାପୁରାଦେବୀ ତମର କାହିଁକି ବିଳମ୍ବ ହେଲା ?’’ ପରମୁହୂର୍ତ୍ତରେ ଆହ୍ୱାନକାରୀ ନିଜେ ହିଁ ତାର ଉତ୍ତର ଦେଉଛନ୍ତି, ‘‘ମଣେକ ଦେବତାଙ୍କ ଫୁଲ ଗୁନ୍ଥୁ ଗୁନ୍ଥୁ ଡେରି ହେଲା, ତୁରୁୟ୍‌କ ଦେବତାଙ୍କୁ ଫୁଲହାର ପିନ୍ଧଉ ପିନ୍ଧଉ ଡେରିହେଲା ।’’

 

କେବେ କେବେ ସାନ୍ତାଳୀ ବ୍ୟକ୍ତିନିଷ୍ଠ କବିତାରେ କାରୁଣ୍ୟର ସ୍ୱର ଶୁଣିବାକୁ ମିଳିଥାଏ । ଗୋଟିଏ ଗୀତରେ କୁହାଯାଉଛି :

 

ହେସାଃ ଶାକାମ୍‌ ହିପିଳ୍‌ ହିପିଳ୍‌

ଇଜ୍ଞାଃ ମନେ ଜିଓ୍ୱି ହାଲାୟ୍‌ ହାଲାୟ୍‌ ।

(ଅନୁବାଦ)

ଅଶ୍ୱତ୍‌ଥ ପତ୍ର ଖସ୍‌ ଖସ୍‌ କରୁଛି

ମୋର ମନ, ପ୍ରାଣ ବଡ଼ ଅସହାୟ ବୋଧ କରୁଛି ।

 

ଅନ୍ୟ ଗୋଟିଏ ଗୀତରେ କୁହାଯାଉଛି :

ବାଇଗଣ୍‌ ବାଳି ଭିତରେ ଟିପ୍‌ଟିପି ଚଳୟା

ଟିପି ଟିପି ଚଳୟା ଜୟ୍‌ କାନ୍ଦେ ବିକଳେ ।

 

ଏଇପରି କରୁଣ ରସାତ୍ମକ ଗୀତ କୌଣସି ବ୍ୟକ୍ତିର ନିଜସ୍ୱ ଦୁଃଖାନୁଭୂତିର ପରିପ୍ରକାଶ ହୋଇଥାଇ ପାରେ । କିନ୍ତୁ ସାମୂହିକ ଗୀତ ସମୟରେ ଏହା ବ୍ୟକ୍ତିଗତ ଦୁଃଖାନୁଭୂତିର ଊର୍ଦ୍ଧ୍ୱକୁ ଉଠି ଆନନ୍ଦ ହିଁ ପ୍ରଦାନ କରିଥାଏ । ଏହିପରି ଭାବରେ ବିଭିନ୍ନ ପ୍ରକାରର ସାନ୍ତାଳ ଗୀତ ଯଥା–ଦାସାୟଁ ବା ଦୁର୍ଗାପୂଜାର ଗୀତ, ସହରାୟ ବା କାଳୀପୂଜାର ଗୀତ, ମାଃମଣେ ବା ଶସ୍ୟ ଅମଳର ଗୀତ, ବାହା ବା ଫୁଲ ପର୍ବର ଗୀତ, ଦଂ ବା ବିବାହ ଗୀତ ଓ ଲାଗ୍‌ଣେ ବା ସର୍ବକାଳୀନ ଗୀତକୁ ଅନୁଧ୍ୟାନ କଲେ ଦେଖାଯିବ ସବୁଥିରେ ସେଇ ଆଦିବାସୀ ଜୀବନ ଦର୍ଶନର ଆନନ୍ଦ ବା ‘ରାସ୍‌କା’ର ସନ୍ଧାନ ।

 

ଆଦିବାସୀ ଲୋକଗୀତର ନିଜସ୍ୱ ସୌନ୍ଦର୍ଯ୍ୟ ଅଛି । ତଥାକଥିତ ସଭ୍ୟ ସମାଜର ରୁଚି ଓ ସାହିତ୍ୟିକ ମାନଦଣ୍ଡ ସାହାଯ୍ୟରେ ଏହାକୁ ନ ତଉଲି ଏହାର ଅନ୍ତର୍ନିହିତ କଳାକୌଶଳ ଓ ସୌନ୍ଦର୍ଯ୍ୟ ଦୃଷ୍ଟିର ସନ୍ଧାନ ନେବା ଉଚିତ ବୋଲି ମୁଣ୍ଡାରୀ ଲୋକଗୀତ ଆଲୋଚନା ପ୍ରସଙ୍ଗରେ ଜନ୍‌ ହଫ୍‌ ମ୍ୟାନ୍‌ କହନ୍ତି । ତାଙ୍କ ମତରେ ମୁଣ୍ଡାରୀ ଲୋକଗୀତ ଡ୍ରଇଂରୁମ୍‌ର କବିତା ନୁହେଁ, କେତେ ଜଣ ମାତ୍ର ଶିକ୍ଷିତ ଲୋକଙ୍କ ମଧ୍ୟରେ ସୀମିତି ନୁହେଁ, ସମଗ୍ର ସମାଜକୁ ଏହା ତାର ପରିଧି ମଧ୍ୟକୁ ଆଣେ-। ସମାଜ ଚେତନା ମଧ୍ୟରେ ବ୍ୟକ୍ତି ଚେତନା ଉଭେଇ ଯାଏ । (ପ୍ରସାଦ୍‌, ଡି. ୧୯୭୯ : ୭୦) । ସୂକ୍ଷ୍ମ ଚିନ୍ତା ପ୍ରକାଶ କରିବା ଭଳି ବଳିଷ୍ଠ ବାକ୍‌ଭଙ୍ଗୀର ବିକାଶ ଏ କବିତାରେ ଘଟିନାହିଁ । କିନ୍ତୁ ଖୁବ୍‌ ସରଳ ଉପାୟରେ ମଣିଷର ଚରମ ଲକ୍ଷ୍ୟ ହାସଲ କରିବାର ମାନସିକତା ଆଦିବାସୀର ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

 

ହଫ୍‌ମ୍ୟାନ୍‌ ମୁଣ୍ଡାରୀ ଲୋକଗୀତର କେତେକ ଶୈଳୀଗତ ବୈଶିଷ୍ଟ୍ୟ ଦର୍ଶାଇଛନ୍ତି । ତାଙ୍କର ଉକ୍ତ ମତ କେବଳ ମୁଣ୍ଡାରୀ ଗୀତ ନୁହେଁ, ଅନ୍ୟାନ୍ୟ ଆଦିବାସୀ ଲୋକଗୀତ କ୍ଷେତ୍ରରେ ମଧ୍ୟ ପ୍ରଯୋଜ୍ୟ ହୋଇପାରେ । ଏଣୁ ଏହି ଗୀତର କେତୋଟି ବୈଶିଷ୍ଟ୍ୟ ଏଠାରେ ଉଲ୍ଲେଖ କରାଗଲା ।

 

ହଫ୍‌ମ୍ୟାନ୍‌ କହନ୍ତି, ମୁଣ୍ଡା ଲୋକକବି ସମାନ ସଂଖ୍ୟକ ଅକ୍ଷର ବା ଧ୍ୱନି ବିଶିଷ୍ଟ ପଙ୍‌କ୍ତି ରଚନା କରେ । କିନ୍ତୁ ଅନ୍ତ୍ୟମେଳ ସୃଷ୍ଟିର ପ୍ରୟାସ କରେ ନାହିଁ । ହିବୃ କବିତା ଏହି ଜାତୀୟ ବୋଲି ସେ କହନ୍ତି । କିନ୍ତୁ ଅନ୍ତ୍ୟମେଳ ସୃଷ୍ଟିର ପ୍ରୟାସ କରେ ନାହିଁ । ହିବୃ କବିତା ଏହି ଜାତୀୟ ବୋଲି ସେ କହନ୍ତି । କିନ୍ତୁ ସଂସ୍କୃତରେ ବି ଅନ୍ତ୍ୟାନୁପ୍ରାସ ବା ଅନ୍ତ୍ୟମେଳହୀନ ଶ୍ଳୋକ ରଚନା କରାଯାଇଥିବା ବେଳେ ହିବୃଯାଏ ଯିବାର ଆବଶ୍ୟକତା ନାହିଁ । ସାନ୍ତାଳୀ ଲୋକଗୀତରେ ମଧ୍ୟ ଏହି ରୀତି ପ୍ରଚଳିତ । ଏହି ପ୍ରବନ୍ଧରେ ଉଦାହରଣ ଭାବରେ ପ୍ରଦତ୍ତ ସମସ୍ତ ଗୀତରେ ତାହା ଲକ୍ଷ୍ୟ କରିହେବ ।

 

ମୁଣ୍ଡାରୀ ଗୀତର ଅନ୍ୟ ଗୋଟିଏ ବୈଶିଷ୍ଟ୍ୟ ଅବଶ୍ୟ ଉଲ୍ଲେଖଯୋଗ୍ୟ । ଗୀତର ପ୍ରଥମ ପଙ୍‌କ୍ତିରେ କୌଣସି ଭାବଧାରା ଯଥାଯଥ ଭାବରେ ପ୍ରକାଶିତ ହୋଇଥିଲେ ବି ଦ୍ୱିତୀୟ ପଙ୍‌କ୍ତିରେ ତାହା ପୁନରାବୃତ୍ତ ହୁଏ । କିନ୍ତୁ ଏ ପୁନରାବୃତ୍ତିରେ କିଛି ପାର୍ଥକ୍ୟ ଥାଏ । ଏଥିପାଇଁ ପ୍ରଥମ ପଙ୍‌କ୍ତିର ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକର ପ୍ରତିଶବ୍ଦ ବା ତତ୍‍ସଂପୃକ୍ତ ଶବ୍ଦ ବ୍ୟବହାର କରାଯାଇଥାଏ । (ପ୍ରସାଦ, ଡି. ୧୯୭୯, ପୃ : ୨୫) । ଗୋଟିଏ ମୁଣ୍ଡାରୀ ଗୀତର ଦୁଇଟି ପଙ୍‌କ୍ତି ଉଦାହରଣ ସ୍ୱରୂପ ସେ ଉଲ୍ଲେଖ କରିଛନ୍ତି । ଗୁରୁଜନମାନେ ଥିବାରୁ ବୋହୂଟିଏ ଘରକୁ ପଶିପାରୁନି । ତା ସ୍ୱାମୀ ତାକୁ ଡାକୁଛି :

 

ବଳ୍‌ମେ ନୁରୁ ବଲମେ ! ରାବାଂଆଁ ନୁରୁ ରାବାଂଆଁ

ସୋରୋମେ ନୁରୁ ସୋରୋମେ ! ରିଆଳ୍‌ଆ ନୁରୁ ରିଆଳ୍‌ଆ ।

 

(ଅନୁବାଦ)

ପଶିଆ ନୁରୁ ପଶିଆ ! ଶୀତ ଲାଗିବ ନୁରୁ ଶୀତ ଲାଗିବ ।

କତିକି ଆ ନୁରୁ କତିକି ଆ ! ଥଣ୍ଡା ଲାଗିବ ନୁରୁ ଥଣ୍ଡା ଲାଗିବ ।

 

ଏଠାରେ ପ୍ରଥମ ପଙ୍‌କ୍ତିର ‘ପଶିଆ’ ସ୍ଥାନରେ ଦ୍ୱିତୀୟ ପଙ୍‌କ୍ତିରେ ‘କତିକି ଆ’ ଓ ପ୍ରଥମ ପଙ୍‌କ୍ତିର ‘ଶୀତ ଲାଗିବ’ ସ୍ଥାନରେ ଦ୍ୱିତୀୟ ପଙ୍‌କ୍ତିରେ ‘ଥଣ୍ଡା ଲାଗିବ’ ବ୍ୟବହୃତ । ସାନ୍ତାଳ ଗୀତରେ ମଧ୍ୟ ଏହିପରି ପୁନରାବୃତ୍ତି ହୋଇଥାଏ । ଏଠାରେ ଗୋଟିଏ ଉଦାହରଣ ଦିଆଯାଉଛି । ଶସ୍ୟ ଅମଳ ବା ‘ମାଃ ମଣେ’ ପୂଜା ପାଇଁ ପୂଜକ ଶୂଚିପୂତ ହୋଇ ପ୍ରସ୍ତୁତ ହୋଇଛନ୍ତି । ତାଙ୍କରି ଉଦ୍ଦେଶ୍ୟରେ କୁହାଯାଉଛି :

 

ତଆତେଦ ହ ନାଇକେମ୍‌ ନୁମ୍‌ ଏନା ହ, ନାଇକେ

ଦାହେ ତଦ ହ ନାଇକେମ୍‌ ନାଳ୍‌କା ହସର୍‌ ଏନ୍‌ ।

(ଅନୁବାଦ)

ଦୁଧରେ ତୁମେ ସ୍ନାନ କଲ, ହୋ ନାଇକେ

ଦହିରେ ତୁମେ ମଥା ଧୋଇଲ ।

 

ଏଠାରେ ପଙ୍‌କ୍ତିର ‘ଦୁଧ’ ଓ ସ୍ନାନ କଲ’ ସାମାନ୍ୟ ପରିବର୍ତ୍ତିତ ହୋଇ ‘ଦହି’ ଓ ‘ମଥା ଧୋଇଲ’ ରୂପରେ ଦ୍ୱିତୀୟ ପଙ୍‌କ୍ତିରେ ପୁନରାବୃତ୍ତ ହୋଇଛି । ଏଭଳି ପୁନରୁକ୍ତି କ୍ରମଶଃ ଭାବ ସଂପ୍ରସାରଣ ଓ ଅନୁଭୂତିର ସାଧାରଣୀକରଣରେ ସହାୟକ ହୁଏ ବୋଲି ହଫ୍‌ମ୍ୟାନ ମତବ୍ୟକ୍ତ କରନ୍ତି । ମୁଣ୍ଡାରୀ ଗୀତର ଅନ୍ୟାନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଆଦର ସୂଚକ ଶବ୍ଦର ବ୍ୟବହାର, ‘ଆଲେ’ ସ୍ଥାନରେ ‘ନାଲେ’ କହିବା ପରି ଶବ୍ଦକୁ କୋମଳ କରିବାର ପ୍ରବୃତ୍ତି, ରୂପକ ବା ପ୍ରତୀକର ବ୍ୟବହାର ଆଦି ହଫ୍‌ମ୍ୟାନ୍‌ ଉଲ୍ଲେଖ କରିଛନ୍ତି । ଏ ସମସ୍ତ ବୈଶିଷ୍ଟ୍ୟ ସାନ୍ତାଳୀ ଗୀତରେ ମଧ୍ୟ ଦେଖାଯାଏ । ଅନ୍ୟାନ୍ୟ ଆଦିବାସୀ ଗୀତରେ ଏହା ଅନୁସନ୍ଧେୟ ।

 

ଆଦିବାସୀ ଗୀତ ସହ ନୃତ୍ୟର ସମ୍ପର୍କକୁ ନେଇ ଜଣେ ନୃତତ୍ତ୍ୱବିଦ୍‌ କିନ୍ତୁ ବଡ଼ ଅଦ୍‌ଭୁତ ମତ ବ୍ୟକ୍ତ କରିଛନ୍ତି । (ଚଟ୍ଟୋପାଧ୍ୟାୟ, କେ, ୧୯୭୮ : ୨୭୯) । ସେ କହନ୍ତି, ଖଡ଼ିଆମାନଙ୍କର ଭାଷା ଅପରିଣତ ଓ ଶବ୍ଦ ଭଣ୍ଡାର ଅସମୃଦ୍ଧ ହୋଇଥିବାରୁ ଗୀତ ମାଧ୍ୟମରେ ସେମାନଙ୍କ ଆବେଗ ଯଥାଯଥ ଭାବରେ ପ୍ରକାଶ ପାଇପାରେ ନାହିଁ । ଏଣୁ ଗୀତର ଭାଷାକୁ ସାହାଯ୍ୟ କରିବାପାଇଁ ଛନ୍ଦାୟିତ ପାଦର ଗତି ବା ନୃତ୍ୟର ସହାୟତା ଦରକାର ହୁଏ । କିନ୍ତୁ ଖଡ଼ିଆମାନଙ୍କର ଭାଷା ଏତେ ଦୁର୍ବଳ ହୋଇଥିଲେ ସେମାନେ ସାଧାରଣ କଥା ଭାଷାରେ ମଧ୍ୟ ନୃତ୍ୟର ଗୋଟିଏ ଗୋଟିଏ ଭଙ୍ଗୀ ପ୍ରଦର୍ଶନ କରୁଥାନ୍ତେ । ଅନ୍ତତଃ ମୟୂରଭଞ୍ଜର ଖଡ଼ିଆମାନେ ବା ଅନ୍ୟ କୌଣସି ଆଦିବାସୀ ଗୋଷ୍ଠୀ ଏଭଳି କରୁଥିବାର ଜଣାଯାଏ ନାହିଁ । ପ୍ରକୃତ ପକ୍ଷରେ ନୃତ୍ୟ ଓ ଗୀତର ସମ୍ପର୍କ ଆଦିବାସୀଙ୍କ କ୍ଷେତ୍ରରେ ଯାହା, ଅଣଆଦିବାସୀଙ୍କ କ୍ଷେତ୍ରରେ ମଧ୍ୟ ତାହା । ନୃତ୍ୟ ଓ ଗୀତ ପରସ୍ପରର ପରିପୂରକ । ନୃତ୍ୟଗୀତର ମିଳିତ ରୂପ ଏକ ସଙ୍ଗରେ ଦୃଶ୍ୟ ଓ ଶ୍ରବ୍ୟ ହୋଇ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥାଏ ।

 

ଆଦିବାସୀ ଲୋକ କଳା ଯଥା ନୃତ୍ୟ, ଗୀତ, ବାଦ୍ୟ ହସ୍ତଶିଳ୍ପ ଓ ଚିତ୍ରାଙ୍କନ ବିଷୟରେ ସେ ଯାହା କହନ୍ତି ତାହା ଅବଶ୍ୟ ପ୍ରଣିଧାନ୍ୟଯୋଗ୍ୟ । ତାଙ୍କ ଭାଷାରେ ‘The very action transports them to heights of happiness and fulfilment’. (ଚଟ୍ଟୋପାଧ୍ୟାୟ, କେ, ୧୯୭୮ : ୩୩) । ବସ୍ତୁତଃ ସାନ୍ତାଳ ଜୀବନଦର୍ଶନ ସମ୍ପର୍କରେ ଆଲୋଚିତ ଆନନ୍ଦ ବା ‘ରାସ୍‌କା’ ଆଦିବାସୀ ଜୀବନ ଧାରା ତଥା ସାହିତ୍ୟକୁ ନିୟନ୍ତ୍ରିତ କରିଛି ।

 

ଲୋକଗୀତ ପରି ଆଦିବାସୀ ଲୋକ-କାହାଣୀ ଋଦ୍ଧିମନ୍ତ । ମିଥ୍‌ ବା ପୌରାଣିକ ଲୋକକାହାଣୀ, କିମ୍ବଦନ୍ତୀ, ଜୀବଜନ୍ତୁ ପଶୁପକ୍ଷୀ କାହାଣୀ, ଭୂତ, ପ୍ରେତ, ଡାଆଣୀ କଥା, ଅସୁର ଅସୁରୁଣୀ କାହାଣୀ ବ୍ୟତୀତ ହିନ୍ଦୁ ଦେବଦେବୀ ଭାବରେ ଗୃହୀତ ରାମ, ଲକ୍ଷ୍ମଣ, ସୀତା, ଶିବ, କାଳୀ ଆଦିଙ୍କୁ କେନ୍ଦ୍ରକରି କାହାଣୀ ମଧ୍ୟ ପ୍ରଚଳିତ ।

 

ଲୋକକାହାଣୀ ମଧ୍ୟରେ ଲୋକ ପୁରାଣ ବା ମିଥ୍‌ର ଉଭୟ ନାନ୍ଦନିକ ଓ ଧର୍ମୀୟ ଗୁରୁତ୍ୱ ରହିଛି । ପୃଥିବୀ କିମିତି ସୃଷ୍ଟି ହେଲା, ପୃଥିବୀର ପ୍ରଥମ ନରନାରୀ କୁଆଡ଼ୁ ଆସିଲେ, ନଦୀ, ସମୁଦ୍ର, ପାହାଡ଼, ଚନ୍ଦ୍ରସୂର୍ଯ୍ୟ ଆକାଶର ସୃଷ୍ଟି କିମିତି ହେଲା–ଯେକୌଣସି ଉନ୍ମେଷମୁଖୀ ସଭ୍ୟତାର ମଣିଷ ମନରେ ଏସବୁ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏସବୁ ପ୍ରଶ୍ନର ଉତ୍ତର ମିଥ୍‌ରୁ ମିଳେ । ମିଥ୍‌ ଲୋକମାନସର ବିଶ୍ୱାସଗତ ଦ୍ୱନ୍ଦ୍ୱର ସମାଧାନ ଦେଇଥାଏ ବୋଲି ଆଧୁନିକ ନୃତତ୍ତ୍ୱବିତ୍‌ଙ୍କ ମତ (ଲେଭିଷ୍ଟ୍ରସ୍‌, ସି, ୧୯୬୪ : ୨୩୦) । ମାନବ ସୃଷ୍ଟି ସମ୍ପର୍କିତ ସାନ୍ତାଳୀ ମିଥ୍‌ଟିକୁ ଏଠାରେ ଉଦାହରଣ ଭାବରେ ନିଆଯାଉ ।

 

କାହାଣୀ ଅନୁସାରେ ଥରେ ଠାକୁର୍‌ ଗୋସେଇଁ ସମୁଦ୍ର ଫେଣରୁ ଦୁଇଟି ମୂର୍ତ୍ତି ଗଢ଼ିବା ପାଇଁ ଦେବୀ ମାଲିନ୍‌ ବୁଢ଼ୀକୁ ଆଦେଶ ଦେଲେ । ମୂର୍ତ୍ତି ତିଆରି ହେଲା । ଈଶ୍ୱର ନିଜ ଘର ଶେଣୀରେ ଝୁଲୁଥିବା ଦୁଇଟି ମଣିଷ ଜୀବନ ଆଣିବାପାଇଁ ତାକୁ କହିଲେ । ବୁଢ଼ୀ ଭୁଲ୍‌ରେ ଚଢ଼େଇ ଜୀବନ ଆଣିବାରୁ ମୂର୍ତ୍ତି ଦୁଇଟି ଚଢ଼େଇ ପାଲଟି ଗଲେ । ଜିଆ ସମୁଦ୍ରତଳୁ ମାଟି ଉଠାଇଲା । କଇଁଚ ପେଟ ଦେଖାଇ ମାଟିକୁ ଧରି ରଖିଲା, ସ୍ଥଳଭାଗ ଗଢ଼ାଗଲା । ପକ୍ଷିଣୀ ଅଣ୍ଡା ଦେଲା । ସେଥିରୁ ଦୁଇଟି ମଣିଷ ପିଲା ଜନ୍ମନେଲେ । ଏଇ ଦୁହେଁ ସୃଷ୍ଟିର ପ୍ରଥମ ନରନାରୀ–ପିଲ୍‌ଚୁ ହାଳାମ୍‌ ଓ ପିଲ୍‌ଚୁ ବୁଢ଼ୀ । ପୃଥିବୀର ପ୍ରଥମ ମଣିଷ ସ୍ତ୍ରୀ-ପୁରୁଷ ମିଳନରୁ ଜାତ ଓ ସିଧାସଳଖ ଈଶ୍ୱରଙ୍କଦ୍ୱାରା ସୃଷ୍ଟି–ଏଇ ଦୁଇ ପରସ୍ପର ବିରୋଧୀ ଲୋକବିଶ୍ୱାସର ସମାଧାନ ମିଥ୍‌ଟି ଦେଇଛି । ଲୋକସାହିତ୍ୟର ସଂରଚନା ପଦ୍ଧତି ଅନୁସାରେ ବିଶ୍ଳେଷଣ କଲେ ମିଥ୍‌ର ଏହି ଉଦ୍ଦେଶ୍ୟ ସ୍ପଷ୍ଟ ହୁଏ (ମହାପାତ୍ର, ୧୯୮୨ : ୫୨-୬୦) । ସାନ୍ତାଳଙ୍କ ଧର୍ମୀୟ ଓ ସାମାଜିକ ଅନୁଷ୍ଠାନରେ କେତେକ ନିର୍ଦ୍ଦିଷ୍ଟ ପୁରାଣ କାହାଣୀ କହିବାର ପରମ୍ପରା ଅଛି । ସାନ୍ତାଳମାନେ ଏହାକୁ ନିଜ ସମାଜର ଇତିହାସ ବୋଲି ମନେକରନ୍ତି ।

 

ମିଥ୍‌ ବ୍ୟତୀତ ରୂପକଥା ବା ଜୀବଜନ୍ତୁ, ପଶୁପକ୍ଷୀ ଆଦି ସଂପର୍କିତ କାଳ୍ପନିକ କାହାଣୀ ଆଦିବାସୀ ସମାଜରେ ବିଶେଷ ଆଦୃତ । ବଣ ଜଙ୍ଗଲର ପଟ୍ଟଭୂମିରେ ଏଭଳି କାହାଣୀ ଅତ୍ୟନ୍ତ ଚିତ୍ତାକର୍ଷକ ହେବା ସ୍ୱାଭାବିକ । ଭୂତ ଓ ଡାଆଣୀ କାହାଣୀ ବହୁ ସଂଖ୍ୟାରେ ଶୁଣିବାକୁ ମିଳୁଥିଲେ ମଧ୍ୟ ଏଗୁଡ଼ିକ ସାଧାରଣତଃ ବ୍ୟକ୍ତିଗତ ଅନୁଭୂତି ମୂଳକ ହୋଇଥାଏ ।

 

ଲୋକ କାହାଣୀର ସଂଚରଣ କ୍ଷମତା ବିସ୍ମୟକର । ଏହା ଗୋଟିଏ ଭାଷାଭାଷୀ ଅଞ୍ଚଳରୁ ଅନ୍ୟ ଭାଷାଭାଷୀ ଅଞ୍ଚଳକୁ ବଡ଼ ସହଜରେ ଯାଇପାରେ । ସହାବସ୍ଥାନ, କର୍ମ ଓ ବିଶ୍ରାମ ଅବସରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲୋକକାହାଣୀ ଆଦାନ ପ୍ରଦାନ ଘଟିଥାଏ । ଏଣୁ ଉଭୟ ସମାଜ ମଧ୍ୟରେ ପ୍ରଚଳିତ ଲୋକ-କାହାଣୀ ମଧ୍ୟରେ ବହୁ ସାମ୍ୟ ପରିଲକ୍ଷିତ । ଓଡ଼ିଆ ‘କଞ୍ଚନବତୀ’ ଓ ‘କଲରେଇ ଫୁଲ’ କାହାଣୀ ଆଦିବାସୀ ସମାଜରୁ ଆସିଛି ବୋଲି ଡଃ କୁଞ୍ଜବିହାରୀ ଦାଶ ଅନୁମାନ କରନ୍ତି । ଆଦିବାସୀ କଞ୍ଚନବତୀ କାହାଣୀଟିରେ ସାତ ଭାଇ ନିଜ ଭଉଣୀକୁ ମାରି ତାର ମାଂସ ରନ୍ଧନକରି ଖାଇଛନ୍ତି । ସାନ୍ତାଳ ବ୍ୟତୀତ, ବୀରହଲ୍‌ ଓ ହୋ ଆଦି ଆଦିବାସୀ ଗୋଷ୍ଠୀରେ ଏହା ସାମାନ୍ୟ ପରିବର୍ତ୍ତିତ ରୂପରେ ପ୍ରଚଳିତ । ଓଡ଼ିଆ ଗଳ୍ପରେ ସାନଭାଇ ପଠାଣ ବେଶଧରି ତାକୁ ହତ୍ୟା କରିଛି । ତାକୁ ହାଣି ଫିଙ୍ଗି ଦେଇଥିବା ସ୍ଥାନରେ ଗୋଟିଏ କଞ୍ଚନ ଗଛ ହୋଇଛି । ଶିବ ପାର୍ବତୀଙ୍କ କରୁଣାରୁ କଞ୍ଚନବତୀ ପୁଣି ଜୀଇଁ ଉଠିଛି ।

 

ଓଡ଼ିଆରେ ପ୍ରଚଳିତ କଲରେଇ ଫୁଲ ବା ଭାଇ ଭଉଣୀ ବିଭା କାହାଣୀଟି ଗଣ୍ଡ ଓ ସାନ୍ତାଳଙ୍କ ମଧ୍ୟରେ ବି ପ୍ରଚଳିତ । ଓଡ଼ିଆ କାହାଣୀରେ ଭାଇ ଭଉଣୀକୁ ବିଭା ହେବ ବୋଲି ଜିଦ୍‌ ଧରିବାରୁ ଭଉଣୀ ଗାଡ଼ିଆକୁ ଡେଇଁପଡ଼ି ଆତ୍ମହତ୍ୟା କରିଛି । ଗଣ୍ଡ ଗଳ୍ପରେ ଭାଇ ଭଉଣୀ ଆତ୍ମହତ୍ୟା କରିଛନ୍ତି । ସାନ୍ତାଳ ଗଳ୍ପରେ ଭାଇ ଭଉଣୀ ଏକ ଶଯ୍ୟାରେ ଶୋଇ ଆତ୍ମହତ୍ୟା କରିଛନ୍ତି-। ଉଭୟଙ୍କୁ ଏକ ଜୁଇ ଗାଡ଼ରେ ପୋଡ଼ିବା ବେଳେ ଧୂଆଁ ମଧ୍ୟ ବିପରୀତ ଦିଗରେ ଯାଇଛି-। ଏଣୁ ଭାଇ ଭଉଣୀଙ୍କ ମଧ୍ୟରେ ବିବାହକୁ ବିଧାତା ସମର୍ଥନ କରନ୍ତି ନାହିଁ ବୋଲି ଲୋକେ ବୁଝିଛନ୍ତି (ଦାଶ, କୁ, ୧୯୫୮ : ୪୨୩) । ଗାନ ରୀତିର ସ୍ୱକୀୟତା ଲୋକଗୀତ ଆଦାନ ପ୍ରଦାନରେ କେତେକ ବାଧା ସୃଷ୍ଟି କରିଥାଏ । କିନ୍ତୁ ଲୋକ କାହାଣୀ ଆଦାନ ପ୍ରଦାନ ବେଳେ କେବଳ କେତେକ ସାଂସ୍କୃତିକ ଉପାଦାନର ପରିବର୍ତ୍ତନ ବା ପରିହାର ଆବଶ୍ୟକ ହୋଇଥାଏ । ଏହା ସହଜସାଧ୍ୟ ହୋଇଥିବାରୁ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲୋକଗୀତ ତୁଳନାରେ ଲୋକ-କାହାଣୀର ଆଦାନ ପ୍ରଦାନ ଅନେକ ବେଶି ।

 

ଲୋକ-ସାହିତ୍ୟର ନାନା ରୂପ ଆଦିବାସୀଙ୍କ ମଧ୍ୟରେ ଦେଖିବାକୁ ମିଳୁଥିଲେ ମଧ୍ୟ ଲୋକ ନାଟକ ଦୁର୍ଲ୍ଲଭ । ଆଧୁନିକ ଅପେରାର ପ୍ରଭାବରେ ଆଦିବାସୀମାନେ ନିଜ ନିଜ ଭାଷାରେ ନାଟ୍ୟ ଅଭିନୟ କଲେଣି । କିନ୍ତୁ ପାରମ୍ପରିକ ନାଟକର ସନ୍ଧାନ ମିଳେ ନାହିଁ । ମୟୂରଭଞ୍ଜର ସାନ୍ତାଳମାନେ ନିଜ ସମାଜରେ କଣ୍ଢେଇ ନାଟ ପ୍ରଚଳିତ ଥିବା କଥା କହନ୍ତି । ଏହା ‘ଚେଦେର ବାଦାନି’ ନାମରେ ପରିଚିତ । ଚାରି ପାଞ୍ଚ ବର୍ଷ ତଳେ ଜଣେ ସାନ୍ତାଳ-କଣ୍ଢେଇ ନାଟବାଲା ଶାନ୍ତିନିକେତନରେ ଘରକୁ ଘର ବୁଲି ନାଟ ଦେଖାଉଥାଏ । ଗୋଟିଏ କାଠର ମେଢ଼ ଭିତରେ କଣ୍ଢେଇ ସବୁକୁ ସଜାଡ଼ି ରଖିଥାଏ । ସରୁ ତାର ଓ ସୂତା ସାହାଯ୍ୟରେ ସେଗୁଡ଼ିକୁ ଗତିଶୀଳ କରାଯାଇ ପାରେ । କାଠ କଣ୍ଢେଇଗୁଡ଼ିକର ନାମକରଣ କରାଯାଇଥାଏ, ଯେମିତି, ଫୁଲ୍‌ମୁନି, ମନ୍‌ମୁହିନୀ, କଦମ୍‌ ଫୁଲ୍‌, ମୁର୍ଘିଜବା, କୁସୁମ୍‌, ଗୁଲଗୁଲି ଇତ୍ୟାଦି । ଗୋଟିଏ ଚରିତ୍ର ଫୁଲ୍‌ମୁନି, ସୁରୁଯ୍‌ମୁନି ଆଦିଙ୍କୁ ନାଚିବାକୁ କହେ । ସେମାନେ ନାଚ ଆରମ୍ଭ କରିବା ପରେ ବାଦ୍ର ବୋଲି ଗୋଟିଏ ଚରିତ୍ର ସେମାନଙ୍କ ସହ ଥଟ୍ଟା ପରିହାସ କରିବା ଆରମ୍ଭ କରିଦିଏ । ଗୋଟିଏ ଝିଅର ହାତକୁ ଧରି ସେ ଟଣା ଓଟରା କରିବାରୁ ଝିଅଟି ତା ବଡ଼ ଭଉଣୀକୁ ଏ କଥା କହେ । ଭଉଣୀର ନିର୍ଦ୍ଦେଶରେ ସମସ୍ତେ ବାଦ୍ର ଉପରେ ନିସ୍ତୁକ ମାଡ଼ ଚଢ଼ାନ୍ତି । ଆଖ୍ୟାନ ଭିତରେ ମାଦଳ ବଜାଇବା, ହଳ କରିବା, ଶିକାର କରିବା ଆଦି ଖେଳ କଣ୍ଢେଇମାନେ ଦେଖାଇଥାନ୍ତି । ବର୍ଣ୍ଣନାରୀତି ହାସ୍ୟରସାତ୍ମକ । ଉଦାହରଣ ସ୍ୱରୂପ ଭାତ ଖାଆନ୍ତି–ଚାକବ୍‌ ଚାକବ୍‌, ଧାନ କୁଟନ୍ତି–ଢାକୁର୍‌ ଧାମ୍‌, ବଂଶୀ ବାଜୁଛି–ତୁରୁରୁ, ଘୁରୁରୁ, ଘୁରୁଗୁ, ଘୁରଘୁ ଘୁ – ଗୁ, ଘୁଚ୍‌ । ମାଦଳ ବାଜୁଛି–ଧାତିର ଦାଡ଼ାକ୍‌, ତିର୍‌ଦା ସେ କାଲମ୍‌ । ଆଖ୍ୟାନ ମଝିରେ ରାମ, ସୀତା ପ୍ରସଙ୍ଗ ଆସିଛି । ସୂତ୍ରଧାରର ଭାଷାରେ–‘ରାମ୍‌ ଗେଲ ଶିକାରୀ, ଲଖନ୍‌ ଗେଲ ଭିଖାରୀ, ସୀତା ମାହାୟା୍‌ କାନ୍ଦାୟ୍‌–ରୁଗୁ ରୁଗୁ ମୁନି–ହୋଚ୍‌ ହୋଚ୍‌ ଆହା । ରାମ୍‌ ସୀତା ଜାନାବି ଗୋ ବିତ ଚାପାଇଲି, ସୀତା ମୁନି ଶିଗ୍ରି କାନ୍ଦାୟ୍‌ । ରୁଗୁ ମୁନି ଚାଲା ହେ, ତିରିଆଅ ଅରଂ ବନେଆଁ ତୁରୁରୁ ଘୁଘୁରୁ–ଗୁରୁଗୁ ଗୁରୁଗୁ-ଘୁଗି ଘୁଚ୍‌ । ଧାତିତ୍‌ ଦାତା, ତିଡ୍‍ଦା ହେତା, ସେଇ କାଲମ୍‌-।’ ଏହାର ସଂଳାପ ସାନ୍ତାଳୀ ବଙ୍ଗଳା ମିଶା ।

 

ଏ ପ୍ରବନ୍ଧରେ ସାନ୍ତାଳ ଓ ମୁଣ୍ଡାରି ଲୋକ-ସାହିତ୍ୟକୁ ଭିତ୍ତିକରି ଆଦିବାସୀ ଲୋକ-ସାହିତ୍ୟ ସମ୍ପର୍କରେ ସାମାନ୍ୟ ଆଭାସ ମାତ୍ର ଦିଆଯାଇଛି । ଭାରତୀୟ ଆଦିବାସୀ ଲୋକ-ସାହିତ୍ୟର ବିଶେଷ ଅଧ୍ୟୟନ ଏଯାଏ ହୋଇନାହିଁ କହିଲେ ଚଳେ । ଆଦିବାସୀଙ୍କ ସମ୍ପର୍କରେ ଯାହା କିଛି ଆଲୋଚନା ହୋଇଛି ତାହା ମୁଖ୍ୟତଃ ନୃତତ୍ତ୍ୱଭିତ୍ତିକ । ଭାରତର ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକ-ସାହିତ୍ୟକୁ ସ୍ୱତନ୍ତ୍ର ଭାବରେ ଅଧ୍ୟୟନ ନକଲେ ଏହାର ସାମଗ୍ରିକ ରୂପ ଉଦ୍‌ଘାଟନ ସମ୍ଭବ ନୁହେଁ । ଭାରତୀୟ ସଂସ୍କୃତିର ବୈଚିତ୍ର୍ୟ କଳନା କରିବାପାଇଁ ଏହା ଅତ୍ୟନ୍ତ ଦରକାର ।

 

ସମୟର ପ୍ରଭାବରେ ଆଦିବାସୀ ସମାଜର ଦ୍ରୁତ ପରିବର୍ତ୍ତନ ସାଧିତ ହେଉଛି । ଜୀବନ ଧାରାର ପରିବର୍ତ୍ତନ ସଙ୍ଗେ ସଙ୍ଗେ କେତେକ ବିଶେଷ ଧରଣର ଲୋକସାହିତ୍ୟର ଅବଲୁପ୍ତି ଘଟୁଛି-। ଆଧୁନିକ ପରିବେଶରେ ଆଦିବାସୀଙ୍କର ଜୀବନ ଦର୍ଶନ ମଧ୍ୟ ବଦଳି ଯାଉଥିବ । ଏଣୁ ସମୟର ଏଇ ମୋଡ଼ରେ ଆଦିବାସୀ ଲୋକ-ସାହିତ୍ୟର ସଂଗ୍ରହ ଓ ଅଧ୍ୟୟନର ବିଶେଷ ପ୍ରୟୋଜନୀୟତା ଦେଖା ଦେଇଛି ।

 

ବି. ଦ୍ର. - ପ୍ରବନ୍ଧରେ ବ୍ୟବହୃତ ସାନ୍ତାଳ ଲୋକନାଟ୍ୟର ଅଂଶଟି ବିଶ୍ୱଭାରତୀ ପଲ୍ଲୀଚର୍ଚ୍ଚା କେନ୍ଦ୍ରର ଅଧ୍ୟାପକ ଡକ୍ଟର ଓଁକାର ପ୍ରସାଦଙ୍କଠାରୁ ପ୍ରାପ୍ତ ।

 

ସହାୟକ ଗ୍ରନ୍ଥ :

ଚଟ୍ଟୋପଧ୍ୟାୟ କମଳା–୧୯୭୮–Tribalism in India, New Delhi, Vikash Publishing House, Pvt. Ltd.

୨.

ଦାଶ କୁଞ୍ଜବିହାରୀ–୧୯୫୮–ଓଡ଼ିଆ ଲୋକଗୀତ ଓ କାହାଣୀ, ଶାନ୍ତିନିକେତନ, ଓଡ଼ିଆ ଗବେଷଣା ବିଭାଗ ।

୩.

ଲେଭିଷ୍ଟ୍ରସ୍‌ କ୍ଲଡ଼୍‌–୧୯୬୪–Structural Anthropology, Penguin Books. ମହାନ୍ତି ବି. ବି.–୧୯୯୦–Tribal culture in Orissa in Tribes of Orissa, Harijan & Tribal Welfare Dept. Bhubaneswar.

୪.

ମହାପାତ୍ର ଶ୍ୟାମସୁନ୍ଦର–୧୯୮୨–ମାନବ ସୃଷ୍ଟି ସଂପର୍କିତ ସାନ୍ତାଳୀ ମିଥ୍‌, ବିଶ୍ୱଭାରତୀ ଦୀପିକା, ୩ୟ ବର୍ଷ, ଶାନ୍ତିନିକେତନ ।

୫.

ପ୍ରସାଦ ଦିନେଶ୍ୱର (ସଂ)–୧୯୭୯–Hoffman on Mundari Poetry, Patna, Jyoti.

 

 

ରିଡ଼ର ଓଡ଼ିଆ ବିଭାଗ

ବିଶ୍ୱଭାରତୀ, ଶାନ୍ତିନିକେତନ

ପ. ବଙ୍ଗ- ୭୩୧୨୩୫

 

***

 

ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନ

ଡକ୍‌ଟର ହାଡ଼ିବନ୍ଧୁ ମିର୍ଦ୍ଧା

 

ଓଡ଼ିଶାର ୬୨ ପ୍ରକାର ଆଦିବାସୀ ବସବାସ କରନ୍ତି । ଜୁଆଙ୍ଗ, ପରଜା, ଗଦବା, ବଣ୍ଡା, ମୁଣ୍ଡା, କନ୍ଧ, କିସାନ, ମିର୍ଦ୍ଧା, ଓରାମ, ବିଂଝାଲ, କୋଲ୍ଲ, ଖଡ଼ିଆ ଇତ୍ୟାଦି । ମାତ୍ର ଭାଷା-ପରଂପରା-ଚଳଣିର ଅଧ୍ୟୟନ କଲେ ଏତେ ଶ୍ରେଣୀରେ ବିଭକ୍ତ ନହୋଇ ଅଳ୍ପ ଗୋଷ୍ଠୀରେ ପରିଣତ ହେବେ । ମାତ୍ର ଆଦିବାସୀ ଜୀବନ ସାହିତ୍ୟ–ଗବେଷଣା ଅଧ୍ୟୟନର ଏକ ଜାତୀୟ ଧର୍ମ ହୋଇ ପଡ଼ିଛି । ଅତୀତ ପୁରାଣ ମହାକାବ୍ୟଠାରୁ ଏଯାବତ୍‌ ଉପନ୍ୟାସ, ଗଳ୍ପ, ନାଟକରେ ଆଦିବାସୀର ଜୀବନଚିତ୍ର ମଞ୍ଜୂକ ରୂପ ନେଇଛି । ପୁରାଣରେ ନିଷାଦ, ଶବର, ଦସ୍ୟୁ, ବନେଚର ଭାବେ ବିଶେଷତଃ ନାମିତ ଥିଲେ । ସେଇଠି ଜାତି ବିଭାଗ ବା ଗୋଷ୍ଠୀ ବର୍ଣ୍ଣନା ନାହିଁ । ଗୋଟାଏ ଶ୍ରେଣୀ–ଯାହା ବନବାସୀ ବା ଶବର ଭାବେ ପରିଚିତ ଥିଲେ । ଯାହାଙ୍କର ଜୀବନ-ଜୀବିକା ସାରସ୍ୱତ କୃତିରେ ବର୍ଣ୍ଣିଳ ବିଭବରେ ଉଦ୍‌ଭାସିତ । ରାମାୟଣ–ପ୍ରଥମେ ଆମେ ଆଦିମହାକାବ୍ୟ, ଭାରତୀୟ ସଂସ୍କୃତିର ଆଦର୍ଶ କାବ୍ୟ ରାମାୟଣରେ ନିଷାଦ ବା ଶବର ଜାତିର ଜୀବନଚିତ୍ର ଦେଖିବାକୁ ପାଉଁ । ସାହିତ୍ୟ ସମାଜ ସହିତ ଗତି କରେ–ଏଣୁ ରାମାୟଣରେ ରାମ ଚରିତ୍ର ସହିତ ବନବାସୀ ଶବର ରାଜା-ପ୍ରଜା-ସାଧକର ତ୍ୟାଗ, ସେବା, ବୀରତ୍ୱ ବର୍ଣ୍ଣନା ରହିଛି । ପ୍ରଥମରୁ ହିଁ ନିଷାଦର ନିଷ୍ଠୁର ପ୍ରାଣୀ ହତ୍ୟାର ଚିତ୍ର ଆମର ଦୃଷ୍ଟି ଆକର୍ଷଣ କରେ–ପଶୁପକ୍ଷୀ ଶିକାର କରି ଜୀବିକାର୍ଜନ କରିବା ମଧ୍ୟ ଶବରର ଅନ୍ୟତମ ପନ୍ଥା-। ଏଣୁ ପ୍ରଣୟରତ ବଗ ଦମ୍ପତି, ନିଷାଦର ଶର ମୁନରେ ଶିକାର ହେଲେ । ଫଳରେ ଏକଦା ଦସ୍ୟୁ ରତ୍ନାକର–ପରେ ସାଧନାର ସିଦ୍ଧିଲାଭକାରୀ ବାଲ୍ମୀକି ମହାକବି ହେଲେ ଏବଂ ସମ୍ବେଦନଶୀଳତାର ଗୀତ ଗାନ କଲେ । ଯଥା :–

 

‘‘ମା ନିଷାଦ ପ୍ରତିଷ୍ଠା ତ୍ୱମ ଗମଃ ଶାଶ୍ୱତୀ ସମାଃ

ଯତ୍‌ କୈଞ୍ଚ-ମିଥୁନା ବେକମ ବଧୀଃ କାମ ମୋହିତ ।’’

 

ଅନ୍ୟର ଆନନ୍ଦ ବେଳେ ବାଧାଦେଇ ଜୀବହତ୍ୟା କରିବା ଏକ ପାପ । ମାତ୍ର ପ୍ରକାଶ ଥାଉକି ଏକଦା ଯିଏ ଦସ୍ୟୁ ସିଏ ପୁଣି ଜ୍ଞାନାଜ୍ଞାନ ଲାଭ କରି ସ୍ନେହ, ମମତାରେ ଗୀତ ଗାନ କରିଛି-। ବାସ୍ତବରେ : ‘ମାନବ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ ।’’ ଆଦିବାସୀ ଦସ୍ୟୁ ନିଷାଦରେ ଚରିତ୍ରର ପରିବର୍ତ୍ତନ ଏଠାରେ ଲକ୍ଷଣୀୟ । ଫଳରେ ମାନବୀୟ ସମ୍ବେଦନଶୀଳତାର ଆଶାବାରି ଜଗତରେ ସିଞ୍ଚନ କରିଛି । ସେ ପ୍ରାଣୀ ହତ୍ୟାରେ ଶୋକ କରି ଶ୍ଳୋକ ରଚନା କଲେ–ଆଉ ସେହିଠୁ ଆରମ୍ଭ ହେଲା କରୁଣ ରାମାୟଣ ରାମ ବିଚ୍ଛେଦରେ ସୀତା ଓ ସୀତା ବିଚ୍ଛେଦ ସ୍ୱାମୀ ରାମଙ୍କର କରୁଣ ସ୍ତୋନସ୍ୱିନୀର ଝରଣା ବହି ଚାଲିଛି ଜଗତକୁ ନୂତନ ଆଲୋକ ଦେଇ । ପୁଣି ସେହି ମହାନ କାବ୍ୟରେ ରାଜା ‘ଗୃହକ ଶବର’ ଓ ବ୍ରହ୍ମଚାରିଣୀ ‘ଶବରୀ’ ଚରିତ୍ର ସମଗ୍ର ମାନବ ଜାତିକୁ ମୈତ୍ରୀ ଓ ଭକ୍ତିର ଅନୁପମ ଚିତ୍ର ଚିତ୍ରିତ ଏବଂ ବାନର, ଭଲ୍ଲୁକ ନାମଧାରୀ ବନଜାତି ସୁଗ୍ରୀବ, ଅଙ୍ଗଦ, ହନୁମାନଙ୍କର ତ୍ୟାଗ ସେବା ବୀରତ୍ୱ ବିଶ୍ୱ ସାହିତ୍ୟକୁ ଯୁଗେ ଯୁଗେ ଅନୁରଣିତ କରୁଛି । ଏହି ରାମାୟଣର ଚିତ୍ର ପଞ୍ଚସଖାର କବି ବଳରାମ ଦାସଙ୍କ ରାମାୟଣ ଗୃହକ ଶବର ଯୁଦ୍ଧ ବର୍ଣ୍ଣନା ବଡ଼ କୌତୁହଳ, ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ୨ୟ ଖଣ୍ଡ ସପ୍ତଦଶ ଛାନ୍ଦରେ ମଧ୍ୟ ରାମ, ଲକ୍ଷ୍ମଣ, ସୀତା ଓ ଆଦିବାସୀ ରମଣୀଙ୍କ ବର୍ଣ୍ଣନା କାବ୍ୟିକ । ସେପରି ବ୍ୟାସଦେବଙ୍କ ମହାକବ୍ୟ ‘ମହାଭାରତ’ରେ ଆଦିବାସୀର ଜୀବନଚିତ୍ର ଅଭିନବ ରୂପେ ରୂପାୟିତ । ସେଥିରେ ଆଦିବାସୀ ଯୁବକର ଜାରା ବା ‘ଏକଲବ୍ୟ’ର ସାଧନା, ତ୍ୟାଗ, ନିଷ୍ଠା, ବୀରତ୍ୱ ଯେପରି ଅଦ୍ୟ ଜୀବନର ଉଜ୍ଜ୍ୱଳ ଉନ୍ମେଷ ସେପରି ଜଗନ୍ନାଥ ପିଣ୍ଡରକ୍ଷା ତାର ସେବା ପୂଜା ଅର୍ଚ୍ଚନାରେ ଅପୂର୍ବ ଭକ୍ତି, ପ୍ରୀତି ଓ ଜାତୀୟ ସଂହତି ସାରଳା ମହାଭାରତରେ ମଞ୍ଜୁଳ ରୂପ ନେଇଛି । ଯିଏ ସାମନ୍ତବାଦୀମାନଙ୍କଦ୍ୱାରା ଦିନେ ବିତାଡ଼ିତ, ସେ ପୁଣି ଶେଷ ଜୀବନରେ ରାଜା ଇନ୍ଦ୍ରଦ୍ୟୁମ୍ନ, ମାଧବ, ବାସୁ ବ୍ରାହ୍ମଣଦ୍ୱାରା ଆହତ ସମ୍ମାନିତ ମୈତ୍ରୀ ବନ୍ଧନରେ ବନ୍ଧୁତାର ପରାକାଷ୍ଠା ଦେଖାଇଛି । ଆଜିର ‘ଦଇତାପତି’ ତା’ର ଜ୍ୱଳନ୍ତ ଦୃଷ୍ଟାନ୍ତ ।

 

ରାମାୟଣ ଯୁଗର ଶବରୁଣୀ ଯେପରି ସର୍ବଜନାଦୃତ, ସମ୍ମାନିତ ହୋଇଛି, ସେପରି ଜଗନ୍ନାଥ ଭକ୍ତ ବିଶ୍ୱାବସୁ ଶବର ବଂଶଧର ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ ଆଦରଣୀୟ ହୋଇ ରହିଛି-। ଆଉ ମହାପ୍ରସାଦ ଖାଇ ଆନନ୍ଦ ବଜାରରେ ଏକାକାର ହୋଇଛି ସବୁ ଗୋଷ୍ଠୀ ଆଉ ଜାତି-। ବାସ୍ତବରେ ସାରଳା ମହାଭାରତରେ ମୂଳ ମହାଭାରତର ଓଡ଼ିଆ ସାହିତ୍ୟର ଆଦିମହାକାବ୍ୟ ସାରଳା ମହାଭାରତରେ ଗିରିଜନଙ୍କର ପରମ୍ପରା, ସଂସ୍କୃତି ଜୀବନଧାରା ଚିରସ୍ରୋତା ଗଙ୍ଗା ଗିରିଝର ପରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଝଙ୍କାର ତୋଳୁଛି । ରାମାୟଣ-ମହାଭାରତ, ଶୈବପୁରାଣରେ ବର୍ଣ୍ଣିତ ଶବର ବା ଆଦିବାସୀ ଜୀବନ, ଜୀବିକା, ନାନାଭାବେ ବର୍ଣ୍ଣିତ ହୋଇଥିଲେ ମଧ୍ୟ ଓଡ଼ିଆ କବି ଲେଖକଙ୍କର ଲେଖନୀରେ ସାର୍ବଜନୀନ ତଥା ସର୍ବକାଳୀନ ଚେତନାର ରୂପନେଇ ଶ୍ରେଣୀ ବିହୀନ ସମାଜ ଗଠନ କରିବାରେ ସହାୟକ ହୋଇଛି । ଏ ଦିଗରେ ସାରଳା ଦାସଙ୍କ ସାଧନା ଅନନ୍ୟ । ସେ ମାନବୀୟ ଚେତନା ପ୍ରକାଶ କରିବାରେ ଅପୂର୍ବ କଳାକାର-। ତୁଳସୀ ଦାସ ‘ରାମଚରିତ ମାନସ’ରେ ମଧ୍ୟ ଶବରଣୀଙ୍କର ଉତ୍କର୍ଷତା ପ୍ରତିପାଦନ କରି ମାନବ ମଧ୍ୟରେ ଛୁଆଁ ଅଛୁଆଁର ହୀନମନ୍ୟତାର ମୂଳୋତ୍ପାଟନ କରିଛନ୍ତି । ଆଦିବାସୀ ଏ ମାଟିର ଆଦିସନ୍ତାନ ‘ଅମୃତସ୍ୟ ପୁତ୍ରାଃ ।’ ତାହା ନିଃସନ୍ଦେହ । ସେମାନଙ୍କର ଚେତନା-ସଂସ୍କୃତି, ସାଧନା ଭକ୍ତିଭାବ, ଜାନିଯାତ୍ରା ସମଗ୍ର ଓଡ଼ିଆ ଜାତି-ସଂସ୍କୃତି ସଭ୍ୟତାକୁ ଆଚ୍ଛନ୍ନ କରି ରଖିଛି । ଆଦିବାସୀ ଜନ-ଜୀବନ ଉପରେ ଆର୍ଯ୍ୟ ସଂସ୍କୃତି ବା ଜୈନ୍ୟ-ବୌଦ୍ଧ ସଂସ୍କୃତି ପ୍ରଭାବ ପକାଇ ପାରି ନାହିଁ ।

 

ତେଣୁ ଓଡ଼ିଶାର ଅନ୍ୟାନ୍ୟ ସାରସ୍ୱତ ସ୍ରଷ୍ଟା, ଗବେଷକ ସେଥିରୁ ବାଦଯାଇ ନାହାନ୍ତି । ସେମାନେ ଆଦିବାସୀଙ୍କର ସ୍ୱତନ୍ତ୍ର୍ୟ ପ୍ରଚାର-ପ୍ରସାର କରିଛନ୍ତି ।

 

ଆମର ପ୍ରାଚୀନ କବି କନେଇ ଦାସ ମଧ୍ୟ ‘‘ଲଳିତା-ବିଦ୍ୟାପତି’’ ସମ୍ପର୍କରେ ଉଲ୍ଲେଖ କରି ଲେଖିଛନ୍ତି–

 

‘‘ଥିଲା ଶବରଣୀ ହସ୍ତେ ମାଣିକ

ତାହା ଘେନିଗଲା ବଣିକ ।’’

 

ବଣିକ ଦେଶରୁ ହୀରା, ଲୀଳା, ମୋତି, ମାଣିକ, ଓ ଜୀରା ଦେଇ ଦରିଆ ପାରିହେଲା ପରି ବିଦ୍ୟାପତି, ଲଳିତା ମଧ୍ୟରେ ଜଗନ୍ନାଥକୁ ଠାବ କରି ଇନ୍ଦ୍ରଦ୍ୟୁମ୍ନକୁ ଖବର ଦେଲା । ପୁଣି ସାରଳା କୃତିରେ ବିଶ୍ୱାବସୁ ବ୍ରାହ୍ମଣ-ବିଶ୍ୱାବସୁଙ୍କ ସହିତ କଥାର ଉଲ୍ଲେଖ ଓ ଜଗନ୍ନାଥ ଅନୁସଂନ୍ଧାନ ମଧ୍ୟ ରହିଛି । ସେ ଯାହାହେଉ ତାପରେ ରାଜାଙ୍କର ଆଗମନ-ଜଗନ୍ନାଥଙ୍କର ଅଦୃଶ୍ୟ ହେବା ଆଉ ଜଗନ୍ନାଥଙ୍କର ରାମ, କୃଷ୍ଣ ଅବତାର ତଥ୍ୟ ତଥା ଜାରାଦ୍ୱାରା ଯିଏ ତ୍ରେତୟା ଯୁଗରେ ଅଙ୍ଗଦ ଥିଲା, ସେ ଦ୍ୱାପର ଯୁଗରେ ଜାରାରୂପେ ଶ୍ରୀକୃଷ୍ଣଙ୍କୁ ନିହତ କରି ପ୍ରଭୁଙ୍କର ଅପୋଡ଼ା ପିଣ୍ଡ ତା’ଦ୍ୱାରା ପୁଣି ପୂଜିତା ଯାହା ‘ଦାରୁଦେବତା’ ଭାବେ ଏବେ ପୂଜିତ, ଏହି ବିଷୟ ସାରଳା ଦାସଙ୍କ କାବ୍ୟ ମହାଭାରତରେ ବିଷଦ ଭାବେ ବର୍ଣ୍ଣନା କରାଯାଇଛି ।

 

ଏଣୁ ବିଭିନ୍ନ କବିଙ୍କ ଦୃଷ୍ଟିରେ ଆଦିବାସୀର ଜୀବନ ଚିତ୍ର ବିଭିନ୍ନ ଭାବରେ, ବିଭିନ୍ନ ବିଭବରେ ବର୍ଣ୍ଣିତ ହୋଇଛି । ଓଡ଼ିଆ ସାହିତ୍ୟର ସାରଳାଯୁଗ, ପଞ୍ଚସଖାଯୁଗ ମଧ୍ୟ ଯୁଗୀୟ ସାହିତ୍ୟ ଅତିକ୍ରମ କରି ଆଦିବାସୀର ଜୀବନଚିତ୍ର ଆଧୁନିକ ଯୁଗରେ ମଧ୍ୟ ବିକଶିତ ହୋଇଛି । ଆଧୁନିକ ଯୁଗର ଉଦ୍‌ଗାତା ରାଧାନାଥ ରାୟଙ୍କ ‘ପାର୍ବତୀ’ କାବ୍ୟରେ ଓଡ଼ିଶାର ଭୌଗୋଳିକ ଚିତ୍ର ଦେବାକୁ ଯାଇ କେନ୍ଦୁଝର, ଢେଙ୍କାନାଳ ଅଞ୍ଚଳର ଭୂୟାଁ, ଜୁଆଙ୍ଗ, ଗଣ୍ଡା, କନ୍ଧ ପୁରୁଷ-ସୁନ୍ଦର ସ୍ତ୍ରୀ ମାନଙ୍କର ନୃତ୍ୟଗୀତରେ ଚିତ୍ର ବର୍ଣ୍ଣନା କରିଛନ୍ତି । ସେପରି ଗଙ୍ଗାଧର ମଧ୍ୟ ତାଙ୍କର ବୁଢ଼ାରଜା, ବେଦବ୍ୟାସ ଉତ୍କଳ ଲକ୍ଷ୍ମୀ ଆଦିରେ ସ୍ଥଳେ ସ୍ଥଳେ କନ୍ଧଙ୍କର ଜୀବନ ଚିତ୍ର ତଥା, କୋହ୍ଲ, କିସାନ, ଓରାମ’’ ସାଂସ୍କୃତିକ-ସାମାଜିକ ଜୀବନର ଆଲୋକପାତ କରିଛନ୍ତି ।

 

ଆଧୁନିକ ଲେଖକ ଲେଖିକାଙ୍କର ଉପନ୍ୟାସ-ଗଳ୍ପ-ନାଟକ-କବିତା ପ୍ରବନ୍ଧରେ ଆଦିବାସୀ ଜୀବନଚିତ୍ର ବ୍ୟାପକ ରୂପ ନେଇଛି । ଏ ଦିଗରେ ଆଦିବାସୀର ଜୀବନ ସଂସ୍କୃତି ଚତ୍ରଣର ଉପନ୍ୟାସ ସାହିତ୍ୟ ଅଗ୍ରଗଣ୍ୟ । ଭାରତୀୟ ସାହିତ୍ୟରେ ହିନ୍ଦିରେ ଫଣିନ୍ଦ୍ରଙ୍କ ମୈଲାଆଁଚଳ’’, ବିର୍ସା ମୁଣ୍ଡାକୁ କେନ୍ଦ୍ର କରି ଲିଖିତ ଶ୍ରୀମତୀ ମହାଶ୍ୱେତା ଦେବୀଙ୍କ ‘ଅରଣ୍ୟର ଅଧିକାର’ ଆଦି ଭାରତର ଆଞ୍ଚଳିକ ଉପନ୍ୟାସ ବହୁ ଆଗରୁ ଓଡ଼ିଆ ସାହିତ୍ୟ ଜଗତରେ ଆଦିବାସୀ ଜୀବନକୁ ନେଇ ଗୋପାଳ ବଲ୍ଲଭ ଦାସ ଭୀମାଭୂୟାଁ (୧୯୦୮) ରଚନା କରି ଆଦ୍ୟ ସମ୍ମାନ ନେଇଛନ୍ତି । ତାହା ଏକ ଗଦ୍ୟ ପଦ୍ୟ କାବ୍ୟ କହିଲେ ସାମଚୀନ ହେବ । ତାପରେ ଡଃ ଗୋପୀନାଥ ମହାନ୍ତିଙ୍କ ଦାଦିବୁଢ଼ା, ପରଜା, ଅମୃତର ସନ୍ତାନ, ଅପହଞ୍ଚ, ଶିବଭାଇ ଆଦି କଥା ସାହିତ୍ୟ ସୃଷ୍ଟି କରି କନ୍ଧ ପରଜା ଜାତିର ନିଚ୍ଛକ ଚିତ୍ର ପ୍ରଦାନ ପୂର୍ବକ ସେମାନଙ୍କର ପ୍ରତି ଶୋଷଣ, ପେଷଣ, ଶାସନ ଚିତ୍ରଣ କରି ଅଶ୍ରୁଳ ରୂପ ଦେଇଛନ୍ତି ଏବଂ ସେମାନଙ୍କର ସଂସ୍କୃତି, ପରମ୍ପରା, ଚଳଣିର ଉନ୍ନତି ଗଣତାନ୍ତ୍ରିକ ଚିନ୍ତାଧାରା, ଦର୍ଶନର ବିକଚ–ବିକାଶ ସହିତ ଗୋଷ୍ଠୀ ଚେତନା, ସରଳତା ଆତିଥ୍ୟ ସତ୍‌କାର, ନାରୀ ପୁରୁଷର ସଧ୍ୱୀନତା, ଅନ୍ଧବିଶ୍ୱାସ, କୁସଂସ୍କାର ସ୍ୱାତନ୍ତ୍ର୍ୟର ନିଖୁଣ ଚିତ୍ର ଉପସ୍ଥାପନ କରିଛନ୍ତି ।

 

ଭୀମାଭୂୟାଁରେ ଯାହା ଅଭାବ ଥିଲା–ଗୋପୀନାଥ ସୃଷ୍ଟିରେ ସାର୍ଥକ ରୂପ ନେଲା । ପ୍ରାଚୀନ ଆଧୁନିକ ଜୀବନର ସମୀକ୍ଷା କରିଛନ୍ତି । ପ୍ରତିରୋଧ-ପ୍ରତିଶୋଧ ରୂପ ଦେଇଛନ୍ତି । ହତାଶ ନିରାଶ ମଧ୍ୟରେ ଆଦିବାସୀ ଯେପରି ବଞ୍ଚିଛି, ତା’ର ସଂସ୍କୃତି ଜଗତକୁ–ଜନମାନସ ଆଦର୍ଶକୁ କିପରି ଅନୁପ୍ରାଣିତ କରିଛି, ଏବଂ ସର୍ବୋଦୟ ଜାତୀୟ ଆନ୍ଦୋଳନରେ ସାମିଲ ହୋଇଛି, ସେ ସମସ୍ତ ଦିଗରେ ସାରଳା ଦାସଙ୍କ ପରି ବିପୁଳତା ସୃଷ୍ଟି ମଧ୍ୟରେ ଆଦିବାସୀ ଜୀବନ ସଂସ୍କୃତିର ଭାଷ୍ୟକାର ଭାବେ ସାହିତ୍ୟ ଜଗତରେ ସମ୍ମାନ ଲାଭ କରିଛନ୍ତି । ସର୍ବହରାର କ୍ରୋଧ କିପରି ‘ଭୀମ’ର ଭୟଙ୍କର ରୂପନିଏ, ତାର ପ୍ରମାଣ ହେଉଛି ମାଣ୍ଡିଆ ଜାନି । ଦାଦି ବୁଢ଼ାରେ ‘ଠେଙ୍ଗାଜାନି’ର ମୌନ ପ୍ରତିବାଦ-। ଅମୃତ ସଂତାନରେ ସୀତାପରି ଧୈର୍ଯ୍ୟର ଧରିତ୍ରୀ ନାରୀ ଚରିତ୍ର ‘ପୁୟୁ’ । ଶିବଭାଇରେ ଶିବର ତ୍ୟାଗ ଓ ପରିମାର୍ଜିତ କନ୍ଧ ଜୀବନ ଅପହଞ୍ଚ ଶିକ୍ଷିତ ଭ୍ରାନ୍ତ ଯୁବକ ଟିମାକନ୍ଧର ପଲ୍ଲୀ ପ୍ରତ୍ୟାବର୍ତ୍ତନ ଆଦି ସାମାଜିକ, ସାଂସ୍କୃତିକ ତଥା ଆଧୁନିକ ଚେତନାର ପ୍ରାଚୀନ ଚେତନାର ସମନ୍ୱୟ ପାଠକକୁ ଯୁଗପତ୍‌ ଭାବ ବିଭୋର କରିଥାଏ । ଏପରି ତାଙ୍କ ବଡ଼ଭାଇ କାହ୍ନୁ ଚରଣ ମହାନ୍ତି ମଧ୍ୟ ‘କାଡ଼୍ରାକାଲେଲି’, ‘ବନଗହନର ତଳେ’ ଉପନ୍ୟାସ ରଚନା କରି ଆଦିବାସୀଙ୍କର ଜୀବନ ସାଂସ୍କୃତିକର ବାସ୍ତବ ଚିତ୍ର ଅଙ୍କନ କରିଛନ୍ତି । ସେପରି ଶ୍ରୀ କ୍ଷେତ୍ରମୋହନ ରାମଙ୍କ ‘ପାହାଡ଼ି ଝରଣା’-। ଯଦି ସମୟକ୍ରମେ ଆଦିବାସୀ ସମାଜ ସଭ୍ୟତାର ଗ୍ରାସରେ ସଂପୂର୍ଣ୍ଣ ଲୁପ୍ତ ହୁଏ, ତେବେ ଉପରୋକ୍ତ ସ୍ରଷ୍ଟାଙ୍କର ଅମର କୃତି ପରବର୍ତ୍ତୀ ସମାଜର ଗବେଷଣାର ବସ୍ତୁ ହୋଇ ରହିବ । ନୃତତ୍ତ୍ୱବିଦ୍‌ ସାହିତ୍ୟକମାନେ ହାତ ବୁଲାଇବେ । ପୁଣି ଉପରୋକ୍ତ ଲେଖକମାନଙ୍କର ଲେଖନୀରେ ଅନୁପ୍ରାଣୀତ ହୋଇ ଅନ୍ୟାନ୍ୟ ଔପନ୍ୟାସିକମାନେ ମଧ୍ୟ ଆଦିବାସୀ ସମସ୍ୟା, ଜୀବନ ସମ୍ୱଳିତ ଉପନ୍ୟାସ ସୃଷ୍ଟି କରିଛନ୍ତି । ସେମାନେ ହେଲେ ‘ବସୁନ୍ଧରାର ମାଟି’ ଓ ମୂଲିଆ ପିଲାର’ ଲେଖକ ପରଶୁରାମ ମୁଣ୍ଡ । କଳାହାଣ୍ଡି ଜିଲ୍ଲାର ଗରିବ କନ୍ଧ ଓ ଗଉଡ଼ଙ୍କ ଜମି ଜୀବନ କିପରି କରୁଣତାର ରୂପ ନେଇଛି-ଏବଂ ଦାସତ୍ୱର କଳା’ମେଘ ଜୀବନକୁ ଲହୁ ଲୁହାଣ କରିଛି, ତାର ବାସ୍ତବ ଚରିତ୍ର ପ୍ରଦାନ କରିଛନ୍ତି ।

 

ପୁଣି ନାରାୟଣ ମହାପାତ୍ରଙ୍କ କାହାଣୀ ସବୁଜ ଉପତ୍ୟକାର’’, ଓ ‘କାଡ଼େ ଗମାଙ୍ଗ’, ତାଙ୍କର ଉପନ୍ୟାସରେ ଆଧୁନିକ ସମାଜର ଉନ୍ନତି ପ୍ରଗତି କିପରି ବନବାସୀଙ୍କୁ ଆକୃଷ୍ଟ କରିଛି । ଆଦିବାସୀ-ଅଣଆଦିବାସୀ ମଧ୍ୟରେ ସମନ୍ୱୟ ଆଣି ଦେବାରେ ପ୍ରୟାସ କରିଛନ୍ତି ।

 

‘ଅମାବାସ୍ୟାର ଚନ୍ଦ୍ର’ର ସଫଳ ଲେଖକ, ଶ୍ରୀ ଗୋବିନ୍ଦ ଦାସଙ୍କ ଆଦିବାସୀ ଉପନ୍ୟାସ ‘‘ଲାସୁ’’ ଏକ ଉଲ୍ଲେଖନୀୟ କୃତି । ଲଚ୍ଛୁ ଯେ ନାରୀ ବ୍ୟକ୍ତିତ୍ୱ, ତ୍ୟାଗ, ଧର୍ମ ବିଶ୍ୱାସ ତୁଙ୍ଗତ୍ୱର ପରିଚୟ ଦିଏ । ରାଜା ଲକ୍ଷ୍ମଣ ସିଂ ଔରସରୁ ଜାତ ପୁଅ ଲାସୁ । କେବଳ ଭବିଷ୍ୟତ ସମ୍ଭାବନା ମାତ୍ର ଏବଂ ସାମନ୍ତବାଦର ବୈରି ।
 

ଶ୍ରୀ ଅନାଦି ସାହୁଙ୍କ ‘ମୁଣ୍ଡମେଖଳା’- ଅନାଦି ବାବୁ ଜଣେ ପୋଲିସ୍‌ ଅଫିସର୍‌ । କିନ୍ତୁ ସାହିତ୍ୟ ପ୍ରତି ତାଙ୍କର ଗଭୀର ଅନୁରାଗ । ଫଳରେ ବାସ୍ତବ ଜୀବନର କ୍ଲିଷ୍ଟ ଅନୁଭୂତି ମଧ୍ୟରେ ଯାହା ସାଉଁଟି ନିଅନ୍ତି ତାଙ୍କୁ ତାଙ୍କ ଲେଖନୀରେ ରୋମାଞ୍ଚକାରୀ ରୂପ ଦେଇଛନ୍ତି । ଏହି କ୍ଷୁଦ୍ର ଉପନ୍ୟାସ ତାଙ୍କର ବାସ୍ତବତା ତଥା ଅନୁଭୂତିର ମଞ୍ଜୁଳ ଅର୍ଘ । ମୁଣ୍ଡ ମେଖଳା ନକ୍‌ସାଲପନ୍ଥୀ ବିପ୍ଳବ ନେଇ ବର୍ଣ୍ଣିତ । ଶୋଷକ ସାହୁକାରମାନଙ୍କୁ ଶୋଷିତମାନେ ହତ୍ୟା କରି ଥିବାର ବାସ୍ତବ ଚିତ୍ର ରହିଛି । ବାସ୍ତବରେ–‘‘ସେମାନେ ଗିରିଜନ, ନାଁରେ ସେମାନେ ଜନ, ନ ହେଲେ ପଶୁଠାରୁ ହୀନ ।’’ ଏହି ଲୁଣ୍ଠିତ ବୁଭୁକ୍ଷିତ ଶୋଷିତମାନଙ୍କୁ ଉଦ୍ଧାର କରିବା ପାଇଁ ‘‘ଭୋଙ୍କଟ୍‌ ସତ୍ୟମ୍‌’’ ନାମକ ଶିକ୍ଷିତ ଯୁବକ ନକଲ୍‌ ପାଲଟି ନେତୃତ୍ୱ ନେଇଥିଲେ । ଆଜି ସେହି ନକ୍‌ସାଲ ପନ୍ଥୀର କୋହ ପ୍ରଶମିତ ହୋଇ ନାହିଁ । ମନେହୁଏ ଗୋପୀନାଥ ବାବୁଙ୍କର ପରଜାର ମାଣ୍ଡିଆ ଜାନିର ଉକ୍ତ ଭିନ୍ନ ରୂପ ନେଇଛି । ପୁଣି ଯେଉଁମାଟି ରାଉରକେଲାରେ ଆଜି ଆଧୁନିକ ସଭ୍ୟତାର ଶିଳ୍ପ ନଗରୀର ଆମେ ‘‘ଓଡ଼ିଆ ଅଧିବାସୀ ସାହିତ୍ୟରେ ଆଦିବାସୀର ଜୀବନ ଚିତ୍ର ଆଲୋଚନା କରୁଛୁ, ଏହି ନଗରୀର ଉପାନ୍ତର ଥିବା ‘ହମିର’ପୁର ହାଇସ୍କୁଲର କୃତବିଦ୍ୟ ଶିକ୍ଷକ ଅବସରପ୍ରାପ୍ତ ଶଶିଭୂଷଣ ମହାପାତ୍ର, ରାଉରକେଲା ମାଟିର ଆଦିସନ୍ତାନ କିପରି ଶିଳ୍ପ ସଭ୍ୟତାର ଶିକାର ହୋଇଛନ୍ତି । ସେମାନଙ୍କୁ କେନ୍ଦ୍ର କରି ‘‘ଆୟା ମାର୍ଗାରେଟ୍ ଓ କ୍ରାନ୍ତିର ଅବବାହିକା ଉପନ୍ୟାସ ରଚନା କରିଛନ୍ତି ‘‘ରାଉରକେଲାକୁ ବାହାରୁ ଆସିଥିବା ବଣିକ ଠିକାଦାର, ସରକାରୀ କର୍ମଚାରୀମାନେ ଏଠାର ଆଦିବାସୀ ଜୀବନ ଜମିକୁ କିପରି କରଗତ କରିଛନ୍ତି, ତା’ର ନିଖୁଣ ଚିତ୍ର ଶ୍ରୀ ମହାପାତ୍ର ଦେଇଛନ୍ତି-। ତଦ୍‌ସଙ୍ଗେ ଆଦିବାସୀର ତ୍ୟାଗ, ଧୈର୍ଯ୍ୟ, ସେବା ଓ ସଂସ୍କୃତି ମଧ୍ୟ ରୂପାୟିତ । ଏହି ଉପନ୍ୟାସ ଦୁଇଟିକୁ ରାଉରକେଲା ତଥା ଜନସାଧାରଣ ପାଠକଲେ ସୁନ୍ଦରଗଡ଼ ତଥା ରାଉରକେଲାର ଆଦିମ ମଣିଷର ଜୀବନ କିପରି ସ୍ପନ୍ଦିତ ବ୍ୟଥିତ ହୋଇଛି ଅନୁଭବ କରିପାରିବେ-। ବାସ୍ତବରେ କିସାନ ଓରାମ ସମାଜର ପ୍ରାଣର କଥା, ବେଦନା-ଚେତନା ଓ ଦେଶପ୍ରେମ ହିଁ ଉପନ୍ୟାସର ଉପଜୀବ୍ୟ । ପତି ବିଧୁରା ମାର୍ଗାରେଟ ‘ଶୁକ୍ରା ଟପ୍‌ପୋ’ର ଝିଅ । ସେ ଜର୍ମାନ ଭଦ୍ରବ୍ୟକ୍ତିମାନଙ୍କଦ୍ୱାରା ଆଶ୍ରିତା । ଶୁକ୍ରା ‘ଆମ୍‌କୋ ସମାକୋ ବିପ୍ଳବର ମୁଖ୍ୟ ନେତା ଥିଲା-। ରାଜଗାଙ୍ଗପୁର ରାଜା ବ୍ରିଟିଶ ରେସିଡେଣ୍ଟ ସାହେବଙ୍କର ଚକ୍ରାନ୍ତରେ ଶିକାର ହୁଅନ୍ତି ଆଦିବାସୀମାନେ । ପଞ୍ଚଶତ ଆଦିବାସୀ ନିହତ-ଆହତ ହେଲେ । ଶୁକ୍ରା ଆହତ ହୋଇ ଜର୍ମାନ ପାଦ୍ରୀଙ୍କଦ୍ୱାରା ଚିକିତ୍ସିତ ହୁଏ । ପରେ ସେ ଧର୍ମାନ୍ତର ହୋଇ ‘ଜୋହାନସ ଟପ୍‌ ପୋ’ ଭାବେ ପରିଚିତ ହୁଏ । ମାତ୍ର ସେ ବିପ୍ଳବ-ତ୍ୟାଗଟି ଝିଅ ମାର୍ଗାରେଟ ଓ ପୁତ୍ର ଆଞ୍ଜୁଲୁସ୍‌ଦ୍ୱାରା ପ୍ରକାଶ ପାଇଛି । ସେପରି ଖଗୁଓରାମ୍‌ର ପୁଅ ବୀରିସା ଓରାମ୍‌ ନିଜଭିଟାମାଟି ଗୌଣିଆ ପଦକୁ ରସାଇଲ୍‍ର ପ୍ରତାରଣାରେ ହରାଏ । ‘ମାତ୍ର ‘ଖେତୁ’ର ନାତି ମେର୍ଧା ସରାମ୍‌ ନିଜ ବାହୁବଳରେ ଗୌରବ ଫେରାଇ ଆଣେ ।

 

ଏହା ବ୍ୟତୀତ କମଳାକାନ୍ତ ଦାସଙ୍କ ‘ବନାନୀର ସ୍ୱପ୍ନଭଙ୍ଗ’ ଜ୍ଞାନୀନ୍ଦ୍ର ବର୍ମାଙ୍କ ‘କୁହୁଡ଼ିର କୁଟ୍‌ଟିକା’ ଭାଗୀରଥି ନେପାକଙ୍କ ‘ରାଉରକେଲାର ରାତ୍ରୀ’, ଆଦିରେ ଆଦିବାସୀ ଜନ-ଜୀବନର କରୁଣତା ତଥା କାରୁଣ୍ୟ ପରିଲିକ୍ଷିତ । ସେପରି ଡଃ: ବ୍ରଜମୋହନ ମହାନ୍ତିଙ୍କ ‘ସାପୁଆ’ । ସେ ସାପୁଆ ଉପନ୍ୟାସରେ ସାନ୍ତାଳୀ ଜୀବନ ଓ ଜୀବିକାର ଚିତ୍ର କାପୁରା, ସିନଗା, ଫୁଲମନି ସାନ୍ତାଳୀ ଝିଅ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆଦିବାସୀ ବଞ୍ଚି ରହିବାପାଇଁ ସାପୁଆ କେଳା ଓ ଚିତାକୁଟାର କୁଜୀବିକା ଭାବେ ଫୁଲମନି ଓ ପଦିଆ ଗ୍ରହଣ କରି ନେଇଛନ୍ତି । ବାସ୍ତବରେ ଆଦିବାସୀର ଜମି-ଜୀବିକା ଅଣଆଦିବାସୀଦ୍ୱାରା ଅଧିକୃତ ହେଲା ପରେ ସେ ସଂସ୍କୃତିକୁ ପାଥେୟ କରି ଚାଲିଛି । ଏପରି ଔପନ୍ୟାସିକ, ଗାଳ୍ପିକ ଗଣ ଆଦିବାସୀର ଜୀବନ-ସଂସ୍କୃତି ତଥା ହର୍ଷବିଷାଦକୁ କେନ୍ଦ୍ରକରି ସାରସ୍ୱତ ସମ୍ଭାରରେ ଓଡ଼ିଆ ସାହିତ୍ୟ-ସଂସ୍କୃତିକୁ ସମୃଦ୍ଧ କରିବାରେ ଲାଗିଛନ୍ତି । ଗଳ୍ପପୁରାଣ କାହାଣୀ-କିମ୍ୱଦନ୍ତୀ ପରେ ଆଧୁନିକ ଗଳ୍ପରେ ଆଦିବାସୀର ଜୀବନ ଚିତ୍ର ନୂତନ ଚିତ୍ରକଳ୍ପ ରୂପକଳ୍ପର ରୂପ ନେଇ ପାଠକକୁ ଅଶ୍ରୁଳ କରିଥାଏ । ଆଦିବାସୀ ଯୁଗେ ଯୁଗେ ସରଳତାର ଶିକାର ହୋଇଛି । ‘ଏକଲବ୍ୟ’ ପରି ବିଶ୍ୱାସ ଘାତକତାର ଶିକାର ହୋଇ ଆସିଛି ଆଦିବାସୀ ବ୍ୟକ୍ତି ଯୁବକ ତଥା ତରୁଣୀ । ଏପରି କରୁଣ ଚିତ୍ର ଦେବାକୁ ମିଳନ ଭଗବତୀ ଚରଣ ପାଣିଗ୍ରାହୀଙ୍କର ଜଙ୍ଗଲି ଓ ଶିକାର (୧୯୩୬) ଗଳ୍ପରେ । ପୁଣି ଗୋପୀନାଥ ମହାନ୍ତୀଙ୍କ ସୃଷ୍ଟି ମାନସ ଯେପରି ଉପନ୍ୟାସରେ ସମଗ୍ର ଓଡ଼ିଶାର ଅବହେଳିତ ଗିରିଜନ-ହରିଜନଙ୍କର ସ୍ମୃତି-ସ୍ମୃତି-କୀର୍ତ୍ତି-ଦୁର୍ଗତି ବଖାଣିଛି । ସେପରି ଗଳ୍ପଗୁଡ଼ିକରେ ମଧ୍ୟ ଆଦିବାସୀର ଜୀବନ-ଜୀବିକାର ବୈଚିତ୍ର୍ୟ ମଞ୍ଜୁଳ ରୂପ ଦେଇଛନ୍ତି ଯଥା-ଟଡ଼୍‌ପା’ ପାଲଭୂତ, ଡ଼ଁ, ଆଦି ଗଳ୍ପ ଦ୍ରଷ୍ଟବ୍ୟ । ତାଙ୍କ ବ୍ୟତୀତ ସୁରେନ୍ଦ୍ର ମହାନ୍ତିଙ୍କ ‘ଆଦାନ୍‌’ ‘ସଭ୍ୟତାର ଗ୍ରାସ’ ବସନ୍ତ କୁମାର ଶତପଥୀଙ୍କ କ୍ଷୁଦ୍ରର ଦାବୀ, ଭୁବନେଶ୍ୱର ବେହେରାଙ୍କ ‘ନାଚେ ବିଲୁଆ ନାଚେ’ । ସାତକଡ଼ି ହୋତାଙ୍କ ‘କରିବୁର କନ୍ୟା’ ଡଃ ପ୍ରସନ୍ନ କୁମାର ପାଟଯୋଶୀଙ୍କ ‘ମିନିଗଳ୍ପ’, ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ‘ବସୁନ୍ଧରା’ ହରିହରି ପଟେଲଙ୍କ ମାର୍ଗାରେଟ ଓ, ଡଃ: ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ଜଙ୍ଗଲୀ ଆମର ଆକର୍ଷଣ କରିଥାଏ । ଯେଉଁଥିରେ ଅଭାବ, ଅନାଟନ-ଦେଶପ୍ରେମ ତଥା ସଂବେଦନଶୀଳତା ଏ ଜାତି ପାଇଁ ସ୍ମୃତି ହୋଇ ରହିଛି ।

 

ନାଟକ :

ନାଟକ କ୍ଷେତ୍ରରେ ମଧ୍ୟ ଆଦିବାସୀର ଜୀବନ ଉପଜୀବ୍ୟ ହୋଇଛି । ନାଟକ ଦୃଶ୍ୟ-ଶ୍ରାବ୍ୟ କାବ୍ୟ ଭାବରେ ଅଭିହିତ । ସମଗ୍ର ମାନବ ଜୀବନ ଓ ପ୍ରକୃତିର ବୈଚିତ୍ର୍ୟ ନାଟ୍ୟକାର ପରିହାର କରିପାରେ ନାହିଁ । ଏଣୁ ନାନା ତଥ୍ୟ-ସତ୍ୟ ପ୍ରକାଶ କରିବାକୁ କୁଣ୍ଠିତ ନୁହେଁ । କିଏ କେଉଁ ରୂପରେ ଗ୍ରହଣ କରେ, ତାହା ବ୍ୟକ୍ତିଗତ ଅଭିଳାଷ ଉପରେ ନିର୍ଭର କରେ । ଏଣୁ ଆଦିବାସୀ ଜୀବନକୁ ଗ୍ରହଣ କରି ସ୍ୱର୍ଗତଃ କାଳିଚରଣ ପଟ୍ଟନାୟକ ‘ଅଭିଯାନ’ ‘ମାଳତୀ’ ଧନେଶ୍ୱର ପଟ୍ଟନାୟକଙ୍କ ‘ଉଠାପାଚାରୀ’ ଓ ଆଦିବାସୀ, ଅକ୍ଷୟ କୁମାର ମହାନ୍ତୀଙ୍କ ‘ସଂବିତ’ ବଳରାମ ମିଶ୍ରଙ୍କ ‘ଡ଼ୁମା’ ଶ୍ରୀ ବିଜୟ ମିଶ୍ରଙ୍କ ‘ଯାଯାବର’ ଆଦି ରଚିତ । ଏଗୁଡ଼ିକରେ ଆଦିବାସୀ ଗୋଷ୍ଠୀଙ୍କର ସଂସ୍କୃତି-ରୀତି-ନୀତି ହସ-ଆନନ୍ଦ ବେଦନା-ବ୍ୟଥା ପରିସ୍ଫୁଟନ ଲାଭ କରିଛି ଏବଂ ସ୍ୱର୍ଗତ ସୁନୀଲ ମିଶ୍ରଙ୍କ ନୃସିଂହନାଥ ଏକାଙ୍କିକାରେ ଆଦିବାସୀ ଜୀବନର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଚେତନାର ପ୍ରକାଶ ଲାଭ କରିଛି ।

 

କବିତା

ଆଦିବାସୀର ଜୀବନ ଚିତ୍ର ମହାକାବ୍ୟ-କାବ୍ୟର ଛତ୍ରେ ଛତ୍ରେ ଫୁଟି ଉଠିଥିଲା ବେଳେ ଆଧୁନିକ କବି-ଲେଖକଙ୍କୁ ମଧ୍ୟ ଆକୃଷ୍ଟ କରିଛି । ଆମର ପ୍ରିୟ କବି ରାଧାମୋହନ ଗଡ଼ନାୟକ ‘ଶ୍ରମଣାର ଅତିଥି ଚର୍ଚ୍ଚା, ଶ୍ରମଣ ଶ୍ରମଣାର ଭକ୍ତିପୂତ ଶ୍ରଦ୍ଧା କିପରି ଶ୍ରୀରାମ ଲକ୍ଷ୍ମଣଙ୍କୁ ଅଭିଭୂତ କରିଛି–ତାହା ନାଟକୀୟ ଛଟାରେ ଅବତରଣ କରିଛନ୍ତି । ଆଉ କବି ଅନନ୍ତ ପଟ୍ଟନାୟକ ‘‘କିଏ ଏଇ ଚାହେଁରେ, ଆଦିବାସୀ ଜୀବନ ସ୍ପନ୍ଦିତ ।

 

‘‘ଗୁରୁ ଗୁରୁ ଗୁରୁଙ୍କ ପାହାଡ଼ର ଖୁଆଡ଼େ

ଝୁଡ଼ୁ ଝୁଡ଼ୁ ଝୁଡ଼ୁଙ୍ଗ କୁଡ଼ିଆର ଉହାଡ଼େ ।’’

 

ପଦ ଆମକୁ ଭାବ ବିଭୋର କରିଥାଏ । ଅନେକ ଆଜିର କବି ତାଙ୍କ କୃତିରେ ଆଦିବାସୀକୁ ସାଦରେ ମହୁଲ ପରି ଗୋଟେଇ ନେଇ କୃତିକୁ ସାର୍ଥକ କରିଛନ୍ତି । ଯେପରି ଚର୍ଯ୍ୟାଗୀତିରେ ଶବରୀପା ପଙ୍‌କ୍ତିରେ ତତ୍‌କାଳୀନ ଶବର-ଶବରଣୀର-ବେଶ-ଭୁଷା-ଚିନ୍ତା-ଚେତନା ଉତ୍‌କୀର୍ଣ୍ଣ ।

 

ପ୍ରବନ୍ଧ :-

ତେବେ ପ୍ରବନ୍ଧ ସାହିତ୍ୟରେ ମଧ୍ୟ ଆଦିବାସୀର ଜୀବନ-ସଂସ୍କୃତି ଚଳଣି ନେଇ କୁଢ଼ କୁଢ଼ ଲେଖା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । ଏଇ ଗଦ୍ୟ କଥା ଲେଖକମାନଙ୍କ ମଧ୍ୟରେ ସ୍ମରଣୀୟ ହେଲେ ଯଥା ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ (କାନ୍ଧର୍ବିକା ଶତଦଳ) ଉଦୟନାଥ ଷଡ଼ଙ୍ଗୀ, ସୂର୍ଯ୍ୟନାରାୟଣ ଦାସ (ଆଦିବାସୀ କଥା ଓ ଆଦିବାସୀ ଗଳ୍ପ) ଅନନ୍ତ ପଦ୍ମନାଭ ପଟ୍ଟନାୟକଙ୍କ ଦେଶ ପ୍ରେମୀ ‘ଚକରା’ (୧୯୭୧) ଓ ଦେଶିଆ କନ୍ଧ ସମାଜର ମହାବୀର ‘ଦୋହରା ବିଶୋୟୀ’ (୧୯୬୧) ଅନିରୁଦ୍ଧ ଦାଶଙ୍କ ‘ଖବର’ ‘ମେରିଆ ବଳି’ ଡ: ବଂଶୀଧର ମହାନ୍ତିଙ୍କ ‘ଆଦିବାସୀ ସଂସ୍କୃତି’ ଆଉ ଡଃ ହରେକୃଷ୍ଣ ମହତାବ ଡଃ ଖଗେଶ୍ୱର ମହାପାତ୍ର, କବି ଡ: ସୀତାକାନ୍ତ ମହାପାତ୍ର, ଡ: କୁଞ୍ଜବିହାରୀ ଦାଶ, ଡଃ କୃଷ୍ଣଚରଣ ବେହେରା ତଥା ଆଲୋଚକ ଅଧ୍ୟାପକ ଶରତ କୁମାର କର ଡଃ ବୈଷ୍ଣବ ଚରଣ ସାମଲ, ଚିତ୍ତରଞ୍ଜନ ଦାସ ପ୍ରମୁଖ ।

 

ସୁତରାଂ ବିଶ୍ୱ କ୍ଷେତ୍ରରେ ଐତିହାସିକ ତଥା ଗବେଷକମାନଙ୍କର ଯେପରି ଆଦିବାସୀମାନେ ଉପଜୀବ୍ୟ ହୋଇ ଅତୀତ ସଭ୍ୟତା-ସଂସ୍କୃତି-ଚିହ୍ନିବା ପ୍ରୟାସ ଚାଲିଛି, ସେପରି ସାରସ୍ୱତ ସ୍ରଷ୍ଟାର ମଧ୍ୟ ହୋଇଛି ଜୀବନୀଧ୍ୟୟନ ପାଇଁ ଆଦରଣୀୟ । ଏବଂ ସତ୍ୟ–ପ୍ରକାଶ କରି ମାନବୀୟ ଚେତନାକୁ ଉଦ୍‌ବେଳିତ କରିଛନ୍ତି । ସେମାନଙ୍କର ଜୀବନର ଲୁହ ସଂଗ୍ରହ କରି ପାଷାଣ ଦେହରେ ଫୁଟାଇଛି ସ୍ଫୁଲିଙ୍ଗ । ଯାହା ସ୍ୱାଧୀନତାର ଭୟଙ୍କର ରଣ ଭୂମିରେ ଦେବୀ ପ୍ରେମର ଚରମ ପରାକାଷ୍ଠା ଦେଖାଇଛି । ଏ ଦିଗରେ ‘ଭଗବାନ ବିର୍ସା ମୁଣ୍ଡା’ ଲକ୍ଷ୍ମଣ ନାୟକ, ନିର୍ମଳ ମୁଣ୍ଡା, ଘେସଁର ହଟେ ସିଂ ପରି ସଂଗ୍ରାମୀ ମଧ୍ୟ ଆମର ସ୍ମରଣୀୟ । ତଥାପି ବିଂଶ ଶତାବ୍ଦୀର ଆଦିବାସୀ କରୁଣତା ଦେଖି କବି ଅଶ୍ରୂଳ ଜୀବନର ସଙ୍ଗୀତ ଗାଇଛି ।

 

‘‘ପ୍ରାଣୀର ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।’’

 

ଏ ବାଣୀ ବିଶ୍ୱ ଜୀବନରେ ପ୍ରତିଧ୍ୱନିତ । ବାସ୍ତବରେ ଆଦିମ ସମାଜର ମର୍ମବାଣୀ ମାନବୀୟ ସଂବେଦନରେ ଜୀବଜନ୍ତରୂପ ଦେଇଛି । ବାସ୍ତବରେ ଭୀମ ଭୋଇ ଏକ ବିସ୍ମୟ । ଆଜିବି ତାଙ୍କର ବାଣୀ ସମସ୍ତଙ୍କଧ୍ୟେୟ । ପ୍ରାଣୀର ଅଭିନାଦ ଦୂରପାଇଁ ଆଜି ବି ଭକ୍ତ ବାଣୀର ଗୁରୁତ୍ୱ ରହିଛି । ତାହା ସମସ୍ତଙ୍କର ଧ୍ୟେୟ ହେଉ । କାରଣ କୌତୁହଳୀ, ଉପନ୍ୟାସ ଗଳ୍ପ, କାବ୍ୟ-କବିତା-ପ୍ରବନ୍ଧ ଆଦିବାସୀ ଜୀବନ ଜଞ୍ଜାଳରେ ସମାଧାନ କରିବ ନାହିଁ । ଆଦିବାସୀ ଚାହେଁ ମାନବିକ ଅଧିକାର ଆଉ ଶାନ୍ତିପୂର୍ଣ୍ଣ ସହାବସ୍ଥାନ । ଏଥିରେ ଭୀମ ଭୋଇଙ୍କର ବାଣୀ, ତାଙ୍କର ବେଦନା ପ୍ରଶମିତ ହେବ ।

 

 

ପ୍ରଫେସର କଲୋନୀ

ବୁଢ଼ାରଜା

ସମ୍ବଲପୁର

 

***

 

ଓଡ଼ିଆ ସଂସ୍କୃତିର ସଂକଟ

ଶ୍ରୀ ଇଂଦୁଭୂଷଣ କର

 

ଆଜି ଏହି ବିଂଶ ଶତାବ୍ଦୀର ଶେଷ ଦଶକରେ ଆମେ ଓଡ଼ିଆ ଅନୁଭବ କରୁଅଛୁ ଯେ, ଓଡ଼ିଶାର ଜାତୀୟ ଜୀବନରେ ମତାନୈକ୍ୟ, ଅନଗ୍ରସରତା ଓ ପାରମ୍ପରିକ ଅସୂୟା ଆମର ଦ୍ରୂତ ସାମାଜିକ ପ୍ରଗତିର ପ୍ରତିବଂଧକ ରୂପେ କାର୍ଯ୍ୟ କରୁଅଛ । ସାମାଜିକ କ୍ଷେତ୍ରରେ ଜାତି ଜାତି ମଧ୍ୟରେ ବିଦ୍ୱେଷ, ଧାର୍ମିକ ସଂପ୍ରଦାୟ ମଧ୍ୟରେ ଧର୍ମାନ୍ଧତା, ଅର୍ଥନୈତିକ କ୍ଷେତ୍ରରେ ଆକାଶଚୂମ୍ବୀ ବୈଷମ୍ୟ, ଦାରିଦ୍ର୍ୟ-ଅନାହାର-ମୃତ୍ୟୁ ଓ ସାଂସ୍କୃତିକ କ୍ଷେତ୍ରରେ ସାରମୃତ ମୂଲ୍ୟବୋଧ ପ୍ରତି ଅବଜ୍ଞା ସର୍ବୋପରି ରାଜନୈତିକ କ୍ଷେତ୍ରରେ ହିଂସା ଓ ଅସୂୟା ଓଡ଼ିଆ ଜାତୀୟ ଜୀବନକୁ ମ୍ରୀୟମାଣ କରିଆସିଛି ।

 

ପ୍ରତିଦିନ ଖବରକାଗଜରେ ଦେଖିବାକୁ ମିଳୁଛି ଓଡ଼ିଶାର ପୁରପଲ୍ଲୀରେ ରାଜନୈତିକ ହିଂସା ଓ ହତ୍ୟା, ନାରୀନିର୍ଯ୍ୟାତନା ଓ ଶିଶୁ ମୃତ୍ୟୁର କରୁଣ ଚିତ୍ର, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ସାହିତ୍ୟିକମାନଙ୍କ ମଧ୍ୟରେ ବିଭିନ୍ନ ପୁରସ୍କାର ପାଇଁ ପ୍ରତିଯୋଗିତା ଓ ଗୋଷ୍ଠୀକନ୍ଦଳ, ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର ମନୋନୟନ ଓ ଘୋଷଣା ପରେ ପରେ ଚରିତ୍ର-ସଂହାର ଓ ଗୋଷ୍ଠୀ ବିବାଦ ତୀବ୍ରରୁ ତୀବ୍ରତର ହୋଇଉଠୁଛି । ମନେ ହେଉଛି-ଓଡ଼ିଆ ସାହିତ୍ୟ ହିଁ ଯେପରି ସାମାଜିକ ପ୍ରତିଷ୍ଠା ପାଇଁ ଏକମାତ୍ର ଉଚ୍ଚତର ସୋପାନ । ଓଡ଼ିଆ ସାହିତ୍ୟିକମାନଙ୍କ ମଧ୍ୟରେ ସୌହାର୍ଦ୍ଦତା, ସହୃଦୟତା ଓ ସମନ୍ୱୟ କମି କମି ଆସୁଛି ।

 

ଏହିସବୁ ସାମାଜିକ ଦୃଶ୍ୟ ଦେଖିବା ପରେ ମୋର ମନେ ହେଉଛି ଯେଉଁ ଓଡ଼ିଆ ଜନତା ଏକଦା କଳାକୀର୍ତ୍ତି ଓ ଭାସ୍କର୍ଯ୍ୟରେ ବିଶ୍ୱ ଦରବାରରେ ପ୍ରଶଂସିତ ହେଉଥିଲେ, ଆଜି ତାହାର ଦାୟାଦମାନେ ଅନ୍ତଃସାରଶୂନ୍ୟ ଉତ୍ସବ, ସଭା ସମିତିରେ ବିଭୋର ହୋଇ ଉଠୁଛନ୍ତି । ଅତୀତର ଗୌରବ ସେ ମନ୍ଥନକରି କେବଳ ଆତ୍ମପ୍ରସାଦ ଲାଭ କରିବାରେ ସନ୍ତୁଷ୍ଟ ରହୁଛନ୍ତି । କଳିଙ୍ଗ ନୌବାଣିଜ୍ୟ ଉତ୍ସବ, ବେଳାଭୂମି ଉତ୍ସବ ନାମରେ କେବଳ ଆତ୍ମାଗାରିମା ଗାଇବାରେ ଓଡ଼ିଆ ସାମର୍ଥ୍ୟ ସୀମିତ ରହୁଛି । ଏହାଦ୍ୱାରା ଜାତୀୟ ଜୀବନର ଜାଗରଣ ସୃଷ୍ଟି ହେଉନି କି ଓଡ଼ିଆମାନଙ୍କ ପ୍ରାଣରେ ଭାଗବତ ଐକ୍ୟଭାବ ଜାଗ୍ରତ ହେଉନି । ପୁରପଲ୍ଲୀର ନିରୀହ କୃଷକ, ଶ୍ରମିକ କର୍ମଜୀବୀ ଓଡ଼ିଆମାନେ ଜାତୀୟ ସ୍ୱାଭିମାନ ଓ ଆନନ୍ଦ-ଉଲ୍ଲାସର ଉଦ୍‌ବୁଦ୍ଧ ହୋଇ ପାରୁନାହାନ୍ତି । ଦୁଃଖ, ଦାରିଦ୍ର୍ୟ, ଦୁର୍ନୀତି ଓ ସାମାଜିକ ବ୍ୟଭିଚାର ଦୂରକରି ଓଡ଼ିଆ ଜାତୀୟ ଜୀବନର ସୁଖ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ସଂକଳ୍ପବଦ୍ଧ ଉଦ୍ୟମ ଦେଖାଯାଉ ନାହିଁ । କେତେକ ପ୍ରତିପତ୍ତିଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତି ନିଜକୁ କୃତ୍ୟ କୃତ୍ୟ ମନେ କରୁଛନ୍ତି ।

 

ଏହିସବୁ ଦେଖିଲା ପରେ ମନକୁ ସ୍ୱତଃ ପ୍ରଶ୍ନ ଆସେ, ଏହି ଅଧୋଗତିର ମୂଳ କାରଣ କ’ଣ ? ମୋର ବ୍ୟକ୍ତିଗତ ମତ ଯେ, ଓଡ଼ିଆ ଜାତୀୟ ଜୀବନରେ ଏକ ସାଂସ୍କୃତିକ ସଂକଟ ସୃଷ୍ଟି ହୋଇଛି । ଯାହାର ଫଳ ସ୍ୱରୂପ ଓଡ଼ିଶାର କି ପୁରପଲ୍ଲୀ ଓ ସହର ସବୁଠି ଦେଖିବାକୁ ମିଳୁଛି ଓଡ଼ିଆ ସଂସ୍କୃତିର ପରିପନ୍ଥୀ ଦୃଶ୍ୟାବଳୀ । ରାଜନୈତିକ ହିଂସା ଅମଲାତନ୍ତ୍ର ମଧ୍ୟରେ ଚରମ ବିଶୃଙ୍ଖଳା ଓ ଦୁର୍ନୀତି, ସାହିତ୍ୟକମାନଙ୍କ ମଧ୍ୟରେ ଗୋଷ୍ଠୀ କଂଦଳ, ଅସୂୟା ଏବଂ ବଧୂହତ୍ୟା ଓ ଶିଶୁ ମୃତ୍ୟୁର ନୃଶଂସତା । ହାୟ ଉତ୍କୃଷ୍ଟ କଳାର ଦେଶ, ଏ କି ଅଧୋଗତି ! ଏହି ସାଂସ୍କୃତିକ ସଂକଟର ସ୍ୱରୂପ ଅନୁଧ୍ୟାନକରି ତାର ପ୍ରତିକାର ପାଇଁ ଏକ ସାଂସ୍କୃତିକ ବିପ୍ଲବର ଯେ ଆବଶ୍ୟକତା ରହିଅଛି, ଆଜି ଓଡ଼ିଆ ବୁଦ୍ଧିଜୀବୀମାନେ ଅଙ୍ଗେ ଅଙ୍ଗେ ଅନୁଭବ କରୁଛନ୍ତି । ଏହି ସାଂସ୍କୃତିକ ସଂକଟର ସ୍ୱରୂପକୁ ଗୋଟିଏ ପରେ ଗୋଟିଏ କରି ଭଲ ଭାବେ ଚିହ୍ନିବାକୁ ହେବ, ତା ନହେଲେ ଓଡ଼ିଶାର ପ୍ରଗତି ଉପଲକ୍ଷେ ବୈପ୍ଲବିକ କାର୍ଯ୍ୟପନ୍ଥା ଗ୍ରହଣ କରିହେବ ନାହିଁ । କେବଳ ବିତର୍କ ସଭାରେ ପ୍ରଗତି/ସମତା ମଞ୍ଚରେ ଭାଷଣ ଦେଇ ନୀରବରେ ଘରକୁ ଆସିବା ସାର ହେବ ।

 

ଓଡ଼ିଆ ସଂସ୍କୃତିର ଅବକ୍ଷୟ କଥା ଆଲୋଚନା କଲେ ସର୍ବପ୍ରଥମେ ମୋ ମନକୁ ଆସେ ଓଡ଼ିଆ ଜାତୀୟତା ପ୍ରତି ପ୍ରତାରଣା ଓ ମହମହାନତା । ଯାହାର ଫଳ ସ୍ୱରୂପ ଆମେ ଆଜି ଦେଖିବାକୁ ପାଉଛୁ ଓଡ଼ିଆ ସଂସ୍କୃତିର ମୂଳତତ୍ତ୍ୱ ଜଗନ୍ନାଥ ଚେତନାର ପଞ୍ଚବାଣୀ-ସାମ୍ୟ, ମୈତ୍ରୀ ଭ୍ରାତୃତ୍ୱ ସହନଶୀଳତା ଓ ସମନ୍ୱୟ ପ୍ରତି ଅଜ୍ଞତା ଓ ଅବଜ୍ଞା କ୍ଷଣିକ ସୁଖ ସମ୍ଭୋଗ ଓ ଭୋଗଦାନ ପାଇଁ ପ୍ରବଳ ଆଜି ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆ ଭାଗବତ ପଢ଼ାଯାଉନି-ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପରିବର୍ତ୍ତେ ଇଂରାଜୀ ମିଡ଼ିୟମ ସ୍କୁଲ ପ୍ରତିଷ୍ଠା ପାଇଁ ଅଧିକ ଆଗ୍ରହୀ ଲୋକମାନେ ଓଡ଼ିଆ ଭାଷାର ଶିକ୍ଷା ଓ ପ୍ରସାର ପ୍ରତି ଅବହେଳା ଦେଖାଉଛନ୍ତି । ଓଡ଼ିଆ ଭାଷା ପଢ଼ିବାଦ୍ୱାରା ସାମାଜିକ କ୍ଷେତ୍ରରେ ଚାକିରି ମିଳିବନି କି ପ୍ରତିଷ୍ଠା ମିଳିବନି-ତେଣୁ ବାପା ମା’ମାନେ ଅଧିକ ଅର୍ଥ ବ୍ୟୟ କରି ସେମାନଙ୍କ ପୁଅ ଝିଅମାନଙ୍କୁ ଇଂରାଜୀ ମିଡ଼ିୟମ ସ୍କୁଲରେ ଭର୍ତ୍ତି କରୁଛନ୍ତି । ଘରେ ପୁଅ ଝିଅମାନେ ଇଂରାଜୀରେ ବାପ ମା’ଙ୍କୁ ଡାଡ଼ି ଓ ମମି କହିଲେ କୃତ୍ୟ କୃତ୍ୟ ମନେ କରୁଛନ୍ତି ଓ ଆନନ୍ଦରେ ବିହ୍ୱଳ ହୋଇପଡ଼ୁଛନ୍ତି ଓଡ଼ିଆ ନବ୍ୟ ଶିକ୍ଷିତ ଶ୍ରେଣୀର ଅବିଭାବକମାନେ । ସ୍ୱଭାବ କବି ଗଙ୍ଗାଧର ମେହେର ଏହି ଓଡ଼ିଆ ଭାଷାର ଅଧୋଗତି କଥା ଦେଖି କହିଥିଲେ–‘ଉଚ୍ଚ ହେବାପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା’ । ଓଡ଼ିଆ ମାତୃଭାଷା ଆଜି ସବୁଠୁ ବେଶି ସଂକଟମୟ ସ୍ଥିତି ମଧ୍ୟରେ ଗତି କରୁଛି । ଓଡ଼ିଶାର କେତେକ ଅଞ୍ଚଳରେ ସ୍ଲୋଗାନ ଦେଲେଣି ସେମାନଙ୍କ ମାତୃଭାଷା ଓଡ଼ିଆ ନୁହେଁ । ଏ ପ୍ରକାର ଆଞ୍ଚଳିକ ଭାଷାର ବୋଲିଗୁଡ଼ିକର ପ୍ରବକ୍ତାମାନେ ଓଡ଼ିଆ ମାତୃଭାଷାକୁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ହୀନ ଓ ଗୌଣ କରିବାକୁ କୁଣ୍ଠାବୋଧ କରୁନାହାନ୍ତି । ଭାଷା ଆଞ୍ଚଳିକବୋଧ ମଧ୍ୟରେ ପ୍ରଭେଦ କଥା ବୁଝୁନାହାନ୍ତି । ଏହାଠୁ ବଳି ଅଧିକ ଜାତୀୟ ସାଂସ୍କୃତିକ ସଂକଟ କ’ଣ ଥାଇପାରେ ?

 

ଏହି ପ୍ରକାର ବିଭିନ୍ନତାବାଦୀ ମନୋଭାବ ଓଡ଼ିଶା ସଂସ୍କୃତିର ଏକ ଯନ୍ତ୍ରଣାଦାୟକ ସଙ୍କଟ, ଯାହା ଓଡ଼ିଶାର ଐକ୍ୟ ଓ ସାମଗ୍ରିକ ସମନ୍ୱକୁ ତିଳ ତିଳ କରି ବିଖଣ୍ଡିତ କରୁଅଛି । ଭାଗବତ ଓ ସାମାଜିକ ଐକ୍ୟ ବିନା, ସାମାଜିକ ପ୍ରଗତି ସମକଭବ ନୁହେଁ । ଭାରତର ବିଭିନ୍ନ ବିଦ୍ୟାଳୟର ଅନ୍ୟ ପ୍ରାଦେଶିକ ଭାଷା ଯଥା ହିନ୍ଦୁ, ବଙ୍ଗଳା, ତେଲୁଗୁ, ମରାଠି ପ୍ରଭୃତି ଭାଷାର ଶିକ୍ଷା ଗବେଷଣା ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଛି । ଅଥଚ ଓଡ଼ିଆମାନେ ନିଜ ନିଜ ମାତୃଭାଷା ଉନ୍ନତି ପାଇଁ ବନାରସ କଲିକତା, ବମ୍ବେ, ମହୀଶୁର, ଦିଲ୍ଲୀ ପ୍ରଭୃତି ବିଦ୍ୟାଳୟରେ ସ୍ୱତନ୍ତ୍ର ଓଡ଼ିଆ ବିଭାଗ ଖୋଲିବା ପାଇଁ ଆନ୍ଦୋଳନ କରିବା ପରିବର୍ତ୍ତେ ନିଜ ନିଜ ଜିଲ୍ଲାରେ ଓଡ଼ିଆ ଭାଷା ପ୍ରତି ବିଦ୍ୱେଷ ସୃଷ୍ଟି କରୁଛନ୍ତି । ଇଚ୍ଛା ହେଉଛି ଚିତ୍କାର କରି କହିବାକୁ, ହେ ଓଡ଼ିଆଜାତିର ଦାୟାଦମାନେ ତୁମମାନଙ୍କ ହୀନମନ୍ୟତା ଓ ସଂକୀର୍ଣ୍ଣତା କଥା ଥରେ ସୁସ୍ଥ ମନରେ ଚିନ୍ତାକର । ପୃଥିବୀର ଶ୍ରେଷ୍ଠ ଜ୍ଞାନ ଗବେଷଣାଲବ୍‌ଧ ତଥ୍ୟମାନ ଓଡ଼ିଆ ଭାଷାରେ କିପରି ମୂଲ୍ୟବାନ୍ ପୁସ୍ତକ ଆକାରେ ପ୍ରକାଶିତ ହେବ, ସେଥିପାଇଁ ଉଦ୍ୟମ ନାହିଁ । ଓଡ଼ିଆ ବିଶ୍ୱକୋଷ, କିପରି ହେବ-ଏ ପାଇଁ ସମ୍ମିଳିତ ଉଦ୍ୟମ ନାହିଁ । ଗୋଟିଏ ଜାତିର ଶକ୍ତି ତାର ଭାଷା ଓ ସାହିତ୍ୟର ସମୃଦ୍ଧି ସଂପ୍ରସାରଣ ମଧ୍ୟରେ ନିହତ, ଏ କଥା ଦିନେ ଇଂରେଜ ସାହିତ୍ୟିକମାନେ ବୁଝିଥିଲେ । ଇଂଲଣ୍ଡର ବିଖ୍ୟାତ ନାଟ୍ୟକାର ଜର୍ଜ ବାର୍ଣ୍ଣାଡ଼ଶ ଇଂରାଜୀ ଭାଷାର ଉନ୍ନତି ପାଇଁ ତାଙ୍କୁ ମିଳିଥିବା ନୋବେଲ ପୁରସ୍କାର ଲବ୍‌ଧ ସମସ୍ତ ଅର୍ଥ ଇଂରେଜୀ ଭାଷାର ଉନ୍ନତି ପାଇଁ ଅକୁଣ୍ଠ ଚିତ୍ତରେ ଦାନ କରିଥିଲେ । ଏହାହିଁ ଗୋଟିଏ ଶୃଙ୍ଖଳିତ ଜାତିର ଜଣେ ସାମାଜିକ ଅଙ୍ଗୀକାରବଦ୍ଧ ସାହିତ୍ୟିକର ସାଂସ୍କୃତିକ ମୂଲ୍ୟବୋଧର ମହାନ୍ ପରମ୍ପରାର ନିଦର୍ଶନ । ଏହି ପରିପ୍ରେକ୍ଷୀରେ ବିଚାର କଲେ ଓଡ଼ିଆମାନଙ୍କ ହୀନମନ୍ୟତା, ଓଡ଼ିଆ ଭାଷାର ଉନ୍ନତି ପାଇଁ ସେମାନଙ୍କ ଉପେକ୍ଷା ଓ ଉଦାସୀନତା ବାସ୍ତବିକ ଦୁଃଖଦାୟକ । ଏହି ଭାଷାଗତ ସଙ୍କଟ ବ୍ୟତୀତ ଓଡ଼ିଆ ସାହିତ୍ୟରେ ମଧ୍ୟ ଅନ୍ୟ ସଙ୍କଟ ଦେଖାଦେଇଛି । ଅଧିକାଂଶ ଓଡ଼ିଆଙ୍କ ଘରେ ଟି. ଭି, ଜି. ଟି., ଭି. ସି. ଆର, ପ୍ରଚଳନ ଫଳରେ ଓଡ଼ିଆ ବହିର ପ୍ରସାର ହେଉନାହିଁ । ବହି ପଢ଼ା ଅଭ୍ୟାସ କ୍ରମେ କ୍ରମେ କମି ଆସୁଅଛି । ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ର ତଥା ଭାରତର ଅନ୍ୟାନ୍ୟ ପ୍ରଦେଶରେ ପାଠଗାର ଆନ୍ଦୋଳନ ଚାଲିଥିବାବେଳେ ଓଡ଼ିଶାର ଆମର ଶିକ୍ଷା ସଂସ୍କୃତିପ୍ରେମୀ ବୁଦ୍ଧଜୀବୀମାନେ ଏ ଦିଗରେ ଆଦୌ ସକ୍ରିୟ ଭୂମିକା ଗ୍ରହଣ କରୁନାହାନ୍ତି । କଥାରେ ଅଛି ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ । ଭାଷା ସାହିତ୍ୟ ଓ ଓଡ଼ିଶାର ମହାନ ସଂସ୍କୃତି ପ୍ରତି ଉଦାସୀନତା ଓ ନିଷ୍କ୍ରିୟତା ବାସ୍ତବିକ ସ୍ପୃହଣୀୟ ନୁହେଁ ।

 

ଓଡ଼ିଶାର ସାମାଜିକ କ୍ଷେତ୍ରରେ ହିଂସା ଧର୍ମାନ୍ଦତା ଓ ବିବେକହୀନ ଅସୂୟା ଆମ ପୁରପଲ୍ଲୀରେ ନୀତିଗତ ଲକ୍ଷଣ ହେତୁ ଦେଖାଦେଇଛି ସାଂସ୍କୃତିକ ମୂଲ୍ୟବୋଧର ସଙ୍କଟ । ସାମାନ୍ୟ ଟି.ଭି. ମଟର ସାଇକେଲ ପାଇଁ ନବବିବାହିତା ବଧୂମାନଙ୍କୁ ନୃଶଂସ ଭାବରେ ପୋଡ଼ି ଦିଆଯାଉଛି । ଓଡ଼ିଆ ନବବିବାହିତା ବଧୂମାନଙ୍କ ଭୋଗବାଦ ଯୁପକାଠରେ ବଳି ଦିଆଯାଉଅଛି । ରାଜନୈତିକ କ୍ଷେତ୍ରରେ ବାମପନ୍ଥୀ, ମଧ୍ୟମପନ୍ଥୀ, ଦକ୍ଷିଣ ପନ୍ଥୀଙ୍କ ମଧ୍ୟରେ ଦେଖାଦେଇଛି କ୍ଷମତାର ଲଢ଼େଇ । ମାଫିଆମାନଙ୍କ ଉତ୍ପାତ ଅର୍ଥବଳ ଓ ବାହୁବଳରେ ଭୋଟବାକ୍‌ସକୁ ଅଧିକାର କରି କ୍ଷମତାର ସିଂହାସନ ପାଇଁ ଖଣ୍ଡଯୁଦ୍ଧ ନିର୍ବାଚନର ପ୍ରତିଶ୍ରୁତିଗୁଡ଼ିକ ପ୍ରତାରଣାରେ ପରିଣତ ହୋଇଛି । ହିଟିଲରୀ ଶାସନର ନୂଆ ନୂଆ ମାଫିଆ ଓ ଗୋଏବେଲମାନେ ସୃଷ୍ଟି ହେଲାଣି । ଅନ୍ୟ ଦିଗରେ ମଧ୍ୟ ଲୋକମାନେ କ୍ରମେ କ୍ରମେ କ୍ଷମତା ସର୍ବସ୍ୱ ସୁବିଧାବାଦୀ ରାଜନୀତି ପ୍ରତି ଆକୃଷ୍ଟ ହୋଇପଡ଼ିଛନ୍ତି । ରାଜନୀତି ଭିତରେ ଅପରାଧୀମାନଙ୍କ ସଂଖ୍ୟା ବଢ଼ୁଛି । ନିରୀହ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଓ ନିରାପତ୍ତା ବିହୀନତାର କଳାମେଘ, ଓଡ଼ିଆ ପୁରପଲ୍ଲୀରେ ଘୋଟିଗଲାଣି କାରଣ ପୋଲିସ ଫାଣ୍ଡିରେ ନାରୀ ଧର୍ଷଣ କଥା ଶୁଣା ଗଲାଣି । ଆଜି ଏହିସବୁ ଦୁଃସ୍ଥିତିମୟ ସାମାଜିକ, ରାଜନୈତିକ ଓ ଆଧ୍ୟାତ୍ମିକ ବିପର୍ଯ୍ୟୟ ଦେଖି ବୁଦ୍ଧିଜିବିମାନେ ଉଦ୍‌ବିଗ୍ନ ହୋଇ ଉଠିଲେଣି । ଅଧିକାଂଶ ବିତର୍କ ସେମିନାର ସଭା ସମିତିରେ ସର୍ବସମ୍ମତ ଭାବେ ପ୍ରକାଶ ପାଇଛି ଯେ ଓଡ଼ିଆ ଜାତିର ଜୀବନରେ ଦେଖାଦେଇଥିବା ଅପସଂସ୍କୃତିର ବିଲୋପ ପାଇଁ ଏବଂ ଓଡ଼ିଶା ସଂସ୍କୃତିର ସ୍ୱାତନ୍ତ୍ର୍ୟ ପାଇଁ ଏହାର ପୁନର୍ବିନ୍ୟାସ Reconstitution and revival of cultural identity ଏକାନ୍ତ ଆବଶ୍ୟକ । ଏଥିପାଇଁ ସାଂସ୍କୃତିକ ବପ୍ଲବ/ସତ୍ୟାଗ୍ରହ/ଗଣଆନ୍ଦୋଳନର ସାହିତ୍ୟିକ ଓ ସାଂସ୍କୃତିକ ଆନ୍ଦୋଳନ ମାଧ୍ୟମରେ ହିଁ ଓଡ଼ିଶା ଜାତୀୟ ଚେତନା ଓ ମୂଲ୍ୟବୋଧର ସ୍ୱାତନ୍ତ୍ର୍ୟକୁ ଅଧିକ ଗରୀୟାନ ଓ ମହୀୟାନ କରାଯାଇ ପାରିବ ।

 

ସଂପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ

***

 

ସମ୍ବଲପୁରୀ ଲୋକ-କାହାଣୀର କଥନ-ଭଙ୍ଗୀ ।।

ଶ୍ରୀ ଉତ୍ପନ୍ନ କୁମାର ଭୋଇ

 

ବଣ-ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନିପଟ ଗ୍ରାମାଞ୍ଚଳ ଏବଂ ଅନ୍ୟ ଯେ କୌଣସି ସ୍ଥାନରେ ବାସ କରୁଥିବା ବହୁ ଅସଂସ୍କୃତ, ଅଶିକ୍ଷିତ ତଥା ଶିକ୍ଷିତ ପରମ୍ପରାପ୍ରେମୀ ଲୋକ-ସାଧାରଣଙ୍କ ମୁଖରୁ ମୁଖରୁ ପ୍ରସାରିତ ହୋଇ ବହୁ କାହାଣୀ ଲୋକ-ମୁଖରେ ବଞ୍ଚି ରହିଛି । ଏହା କଥିତ ତଥା ଶ୍ରୁତ-ସାହିତ୍ୟ ହୋଇଥିବାରୁ ସ୍ଥାନ, କାଳ, ପାତ୍ର ଭେଦରେ ଏହାର ବିଷୟବସ୍ତୁରେ ପରିବର୍ତ୍ତନର ସୂତ୍ରପାତ ହେଲେ ହେଁ ଶୈଳୀ ବା ରୀତି ଏ ଯାଏଁ ଅଳ୍ପ ପରିବର୍ତ୍ତିତ ହୋଇ ଗୋଟିଏ ନିର୍ଦ୍ଦିଷ୍ଟ ଛାଞ୍ଚରେ ରହି ଆସିଛି । କେବଳ ଏଥିରେ ସ୍ଥଳ ବିଶେଷରେ ବାହ୍ୟ ପ୍ରଲେପ ରଞ୍ଜିତ କରାଯାଉଥିବା ମନେହୁଏ । ବହୁ ଆଦିମ କାଳରୁ ସୃଷ୍ଟ ଏହି କାହାଣୀ ଶ୍ରୁତିରୁ ଶ୍ରୁତିକୁ ଗତି କରି ଅଲିଖିତ ଭାବରେ ରହିଥିବାରୁ ଏହାର ବାକ୍-ଭଙ୍ଗୀ ବା କଥନ-ରୀତିକୁ ବିଚାର କରାଯାଇପାରେ । ଏହି ବିଚାର ଭିତରେ ବିଶେଷତଃ କଥନ ତଥା ଶ୍ରୋତା ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ନିଆ ଯାଇପାରେ । ପୁନଶ୍ଚ ଏହି ଆଧୁନିକ କାଳରେ ଲୋକ-ସାହିତ୍ୟ-ସଂଗ୍ରହ ଆରମ୍ଭ ହୋଇ ଯାଇ ଥିବାରୁ ସେହି ସଂଗୃହୀତ ଉପାଦାନର ଗଠନାତ୍ମକ ବିଚାର ପାଇଁ ଶୈଳୀ ତାତ୍ତ୍ୱିକ ଅଧ୍ୟୟନ ମଧ୍ୟ ଆବଶ୍ୟକ । ଏହି ପ୍ରବନ୍ଧରେ କେତୋଟି ସମ୍ବଲପୁରୀ ଲୋକ-କାହାଣୀର ଅନୁସରଣରେ ଉପରୋକ୍ତ ଉଭୟ ଦିଗକୁ କ୍ଷୀର-ନୀର ନ୍ୟାୟରେ ଆଲୋଚନା କରିବାର ପ୍ରୟାସ କରାଯାଇଛି ।

 

ବିଶ୍ୱର ଅନ୍ୟାନ୍ୟ ଦେଶ ବା ଅଞ୍ଚଳର ଲୋକ-କାହାଣୀ ଭଳି ସମ୍ବଲପୁରୀ ଲୋକ-କାହାଣୀର କଥନ-ଭଙ୍ଗୀ ବର୍ଣ୍ଣନାତ୍ମକ ତଥା ସରଳ । ଏହାର ବାକ୍ୟ-ଗଠନ ଯେମିତି ସହଜ-ରୀତିରେ ହୋଇଥାଏ ଶବ୍ଦ-ସଂଯୋଜନା ମଧ୍ୟ ତଦ୍ରୂପ ସିଧା-ସାଦା ଭାବରେ ଯଥାସମ୍ଭବ ସରଳ ହୋଇଥାଏ । ଏଥିରେ ପ୍ରଯୁକ୍ତ ବାକ୍ୟଗୁଡ଼ିକ ଛୋଟ ଛୋଟ ତଥା ଭାବଗର୍ଭକ । ସରଳ ବାକ୍ୟ ବ୍ୟତୀତ ସଂଯୁକ୍ତ ଅଥବା ମିଶ୍ର ବାକ୍ୟଗୁଡ଼ିକର ଅଭାବ ଲୋକ-କାହାଣୀରେ ଲକ୍ଷ୍ୟ କରାଯାଏ, ଯଥା:- ‘‘ଗୁଟେ ରାଏଜେଁ ରାଜାଟେ ଥିଲା । ତା’ର୍ ଯୁଉଡ଼େ ବଲି ରାନୀ ଥିଲେ ।’’ ଇତ୍ୟାଦି ।

 

ଲୋକ-କାହାଣୀରେ ଭାଷାର ଶବ୍ଦାଡ଼ମ୍ବର ଦେଖାଯାଏ ନାହିଁ । କଥକର ସମ୍ମୁଖରେ ସହଜ ସାଧ୍ୟ ଯେଉଁ ଶବ୍ଦଗୁଡ଼ିକ ରହିଥାଏ ସେଗୁଡ଼ିକରେ ସେ କାହାଣୀ ସୃଷ୍ଟି କରିଥାଏ । ଅମେଳ ଶବ୍ଦ ଯୋଜନା ଏଥିରେ ପରିଲକ୍ଷିତ ହୋଇ ନଥାଏ । କାହାଣୀର କଥାବସ୍ତୁ ଭଳି ଏହାର ଭାଷା ମଧ୍ୟ ସ୍ୱାଭାବିକ ତଥା ଅକୃତ୍ରିମ ହୋଇଥାଏ । (୧) ଏଥିରେ କଥକର ସ୍ଥାନୀୟ ଭାଷା ବ୍ୟବହୃତ ହେଉଥିବାରୁ ଅବୋଧ୍ୟ ବୋଲି କିଛି ରହେ ନାହିଁ । ଏହା ସହିତ ଲୋକ-ପ୍ରଚଳିତ ଢଗ-ଢମାଳି, ସୂକ୍ତି ଆଦି କାହାଣୀକୁ ଆକର୍ଷଣୀୟ କରିଥାଏ । ବିଶେଷତଃ ହାସ୍ୟ, କରୁଣ, ବୀର, ଅଦ୍ଭୁତ ଆଦି ରସ ସମାବେଶ ତଥା ଉପମା ଭଳି ଅଳଙ୍କାର ଶୈଳୀର ରମଣୀୟତାକୁ ଦ୍ୱିଗୁଣିତ କରେ ।

 

ଲୋକ-କାହାଣୀରେ ବିଶେଷତଃ ଗଦ୍ୟରେ ଦେଖା ଯାଉଥିଲେ ହେଁ ବହୁ ସ୍ଥଳରେ ପଦ୍ୟର ମଧ୍ୟ ପ୍ରୟୋଗ ହୋଇଥାଏ । ଏଭଳି କି ‘‘କୁଆ-ଢୁକା କଥ’’ ଭଳି କେତେକ କାହାଣୀରେ ଗଦ୍ୟ ଅପେକ୍ଷା ପଦ୍ୟର ବହୁଳ ବ୍ୟବହାର ରହିଛି । ଗଦ୍ୟ-ପଦ୍ୟମୟ କାବ୍ୟକୁ ‘ଚମ୍ପୂ’ ବୋଲି ଅଭିହିତ କରିଥିବା ସଂସ୍କୃତ ପଣ୍ଡିତମାନଙ୍କ ମତ ଅନୁସାରେ ଲୋକ-କାହାଣୀକୁ ଚମ୍ପୂ ଶୈଳୀ ପର୍ଯ୍ୟାୟବାଚୀ କୁହାଯାଇପାରେ । ତେବେ ଏକ ବିଷୟବସ୍ତୁକୁ ଅବଲମ୍ବନ କରି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଲୋକ-କାହାଣୀ ଧାବିତ ହେଉଥିଲେ ମଧ୍ୟ କାହାଣୀ କହିବା ପୂର୍ବରୁ କଥକ କାହାଣୀର ବିଷୟ ବହିର୍ଭୂତ କଥାକୁ ଯେମିତି ଯୋଡ଼ି ଦେଇଥାଏ, କାହାଣୀ ଶେଷରେ ମଧ୍ୟ ସେଭଳି ଏକ ଆବୃତ୍ତ୍ୟାତ୍ମକ ପଦ ଥୋଇ ଦେଇଥାଏ । ଲୋକ-କାହାଣୀର ଏହି ରୀତିକୁ ସମ୍ବଲପୁରୀ ଭାଷାରେ ‘କଥାର୍ ଲଥା’ କୁହାଯାଏ । କାହାଣୀ କହିବା ପୂର୍ବରୁ କଥନ ଆଡ଼ମ୍ବର ସହକାରେ କେବଳ ଗୁଡ଼ାଏ ଅଦ୍ଭୁତ କଥାଶ୍ରୀତ ପଦ ଆବୃତ୍ତି କରି ଶ୍ରୋତାକୁ ଚମତ୍କୃତ କରିବାର ପନ୍ଥା ଅନୁସରଣ କରିଥାଏ ।

 

ଯଥା :-

‘‘ଶୁନ୍ ଶୁନ୍‌ରେ ଶୁନେର୍ ମା’

ଆବର୍ ଗିଲ୍‌ଲା ହାତୀ

ଯାହା ଥିଲାମାନେ ପଶେ

ଚଟିଆ ନେଲା ବେଟି ।

ଆଡ଼େଁ କାଠ୍ ଯାଏ ନାଇଁ

ଠାଡ଼େଁ ପେଲ୍‌ହା ପୁଲ୍‌ହି

ଗହମ୍ ଏତେ ଭସାର୍

ମୃସୁରୀ ଏତେ ଲମ୍ ।

ସୁଖା କାଠ୍ ଠାଏ କଲା

ବୁଢ଼ା ଭାଲୁ ହାଏ କଲା ।’’

ଇତ୍ୟାଦି ।

 

ତେବେ ଅନ୍ୟାନ୍ୟ କାହାଣୀ ଅପେକ୍ଷା ସମ୍ବଲପୁରୀ ଲୋକ-କାହାଣୀ କହିବା ପୂର୍ବରୁ କଥକ ପଦ୍ୟାକାରରେ ବହୁ ପ୍ରକାରରେ କାହାଣୀର ମୁଖମଣ୍ଡନ କରିଥାଏ । ଏହି ପଦ୍ୟାତ୍ମକ ରୀତି କିଭଳି କଥନ କୁଶଳତାକୁ ପରିପୃଷ୍ଟ କରି ଆସିଛି ତାହାର କେତୋଟି ଦୃଷ୍ଟାନ୍ତ ନିମ୍ନରେ ଦିଆଗଲା ।

 

୧ମ ଦୃଷ୍ଟାନ୍ତ-

‘‘ଏ ପିଲେ !

ହୁଁ କର, ହାଁ କର

ପୂରୁଚ୍ ଦିଗ୍‌କେ ମୁହୁଁକର ।

ଖାନାର୍ ଢେକାର୍, କଥାନୀର୍ ହୁଁ କାର୍

କଥାନୀ ଶୁନ, ହୁଁ କାର୍ ଦିଅ ।’’ (୨)

 

୨ୟ ଦୃଷ୍ଟାନ୍ତ-

‘‘ଏକ୍ ତରା, ଦୁଇ ତରା

ଦୁଇ ତରା ଗଲା ପାଇକ୍ ପରା ।

ପାଇକ୍ ପରେଁ କାଁଡ଼ ବିନ୍ଧାନୀ

ତାଲି ଛପର୍ ମାରେ ନାରୀ ।

ଆଏଜ୍ କୁହୁଁ କୁହୁଁ ମଙ୍ଗଲ୍‌ବାର୍

ମଙ୍ଗଲ୍‌ବାରେଁ ରୁଷିଲେ ତହୁଁ ପରବତେଁ ବସିଲେ ।

ଆନ ମାମୂ ଶଗଡ଼, ଦୁହି ମୂଷାକ ରଗଡ଼େ ।

ପଟେ ମୂଷା ଥାଉ, ଧାନ୍ ପୁଲ୍ ପୁଲ୍ ଖାଉ ।

ଡେବିର କାନ୍‌କେ ହଲେଇ ନେଲେଁ

ପୁର୍‌ଗେ ଧାନ୍ ହଉ ।

 

ଢଲ୍ ଢଲ୍ ଢଲିଆ ଖୁସା

ତାହିଁ ଶମିଗଲା ବୁଁଡ଼୍‌କୀ ମୂଷା ।

ବୁଁଡ଼କୀ ମୂଷାର୍ ବାରଟା ପୁଓ

ଡାକ୍ ଦେଲେଁ କରନ୍ ଉଓ ଉଓ ।’’

 

୩ୟ ଦୃଷ୍ଟାନ୍ତ-

‘‘ଆସରେ ପିଲେ କଥା ତହେମା ।

କାଏଁ କଥା ? ବେଙ୍ଗ୍ ଲଥା ।

କାଏଁ ବେଙ୍ଗ୍ ? ଢୂଡ଼ା ବେଙ୍ଗ୍ ।

କାଏଁ ଢୂଡ଼ା ? ବାହୁନ୍ ବୁଢ଼ା ।

କାଏଁ ବାହୁନ୍ ? ସୁଧ୍ ବାହୁନ୍ ।

କାଏଁ ସୁଧ ? ପିଠା ଲୁଥ୍ ।

କାଏଁ ପିଠା ? ତାଲ୍ ଗଏଁଠା ।

କାଏଁ ତାଲ୍ ? ସୁରଷୋ ମାଲ୍ ।

କାଏଁ ସୁର୍‌ଷୋ ? ବନ୍ ସୁର୍‌ଷୋ ।

କାଏଁ ବନ୍ ? କିଆ ବନ୍ ।

କାଏଁ କିଆ ? ରଜାର୍ ବିହା ।

କାଏଁ ରଜା ? ଖଁଡ଼ ଖଜା ।

କାଏଁ ଖଁଡ଼ ? ଆଖୁ ଡଁଡ଼୍ ।

କାଏଁ ଆଖୁ ? ପାଚ୍‌ଲା ଆଖୁ ।

କାଏଁ ପାଚ୍‌ଲା ? ବୁଢ଼ୀ ନାଚଲା ।

ଧାନ୍ ଖେଡ଼େ ଖେଡ଼େ ପାଚ୍‌ଲା

ଇ ପିଲାର୍ ଣାଶ୍ ନାଚ୍‌ଲା ।’’

 

୪ର୍ଥ ଦୃଷ୍ଟାନ୍ତ:-

‘‘ତୋର୍ ମାଂ କି ମୋର୍ ମା’

ସଖାଲ୍ ପାଏଲେଁ ଜାନ୍‌ମା ।’’

 

ଉପରୋକ୍ତ ଦୃଷ୍ଟାନ୍ତମାନ କାହାଣୀ ରୂପକ ମନ୍ଦିରର ମୁଖଶାଳା ସ୍ୱରୂପ ପ୍ରଥମ ଦୃଷ୍ଟାନ୍ତରେ କାହାଣୀ ଶୁଣିବା ପୂର୍ବରୁ ଶ୍ରୋତାମାନଙ୍କୁ କଥକର ଏକ ଆହ୍ୱାନ ସୂଚକ ଚେତାବନୀ ଯେ ସେମାନେ ଯେମିତି କାହାଣୀ ଶୁଣିଲା ବେଳେ ସମ୍ମତି-ସୂଚକ ‘ହଁ’ ଭରିବେ । ଯାହା ଫଳରେ କି କଥକ ପ୍ରୋତ୍ସାହନ ପାଇ ପରବର୍ତ୍ତୀ ଘଟଣାକୁ ଆବେଗ-ଉତ୍କଣ୍ଠା ଭରି କହି ଚାଲିବ । ଯେହେତୁ ପୂର୍ବଦିଗ ଉଦୟର ଆଭା ବିକିରଣ କରିଥାଏ କାହାଣୀ ଶୁଣୁଥିବା ଆଶାୟୀ ଶିଶୁ ଏକ ଧ୍ୟାନରେ ସେହି ଦିଗକୁ ମୁହଁ କରି କାହାଣୀର ଗତିମାନତାରେ ଜଡ଼ିତ ହେବା ଚେଷ୍ଟା କଲେ ଏକନିଷ୍ଟ ଭଗବତ୍ ପ୍ରେମୀ ଋଷିଙ୍କ ଭଳି ସୁଫଳପ୍ରଦ ମନେ ହେବ ବୋଲି କଥକର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥିବାର ମନେହୁଏ । ଫଳତଃ ଏହି ଅଂଶଟି ଭାବ ପୂର୍ଣ୍ଣ ଥିବା ଲକ୍ଷ୍ୟ କରାଯାଏ ।

 

କିନ୍ତୁ ଦ୍ୱିତୀୟ ଦୃଷ୍ଟାନ୍ତଟି ଅପାଂଙ୍‌କ୍ତେୟ ବୋଧ ହୁଏ । ଏହା ଅତ୍ୟନ୍ତ ନିରର୍ଥକ । ତେବେ ଏଥିରେ ମଧ୍ୟ ସାଙ୍ଗୀତିକ ଲହର ଥିବାରୁ ରୋଚକତା ପ୍ରାପ୍ତ ହୋଇଥାଏ । ଶିଶୁମାନଙ୍କ ସ୍ମରଣ ଶକ୍ତିକୁ ପରିପୁଷ୍ଟ କରିଥାଏ ।

 

ତୃତୀୟ ଦୃଷ୍ଟାନ୍ତର ଆରମ୍ଭରେ ପିଲାମାନଙ୍କୁ ଉଦ୍ଦେଶ୍ୟ କରି କାହାଣୀ ଶୁଣିବା ପାଇଁ ଆହ୍ୱାନ କରାଯାଇଛି । ଏଥିରେ କଥକ ଗୋଟିଏ ପାଦ ଆବୃତ୍ତି କରିବା ପରେ ଆଗରୁ ଅଭ୍ୟସ୍ତ ଶିଶୁ ଅନ୍ୟ ପାଦଟି ପୂରଣ କରି ଦେଇଥାଏ। ଏହା କଥକ ଏରଂ ଶ୍ରୋତାମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ଢଙ୍ଗରେ ସଂଘଟିତ ହୋଇଥାଏ । କିନ୍ତୁ ଏହାର ଅନ୍ତିମ ପଦରେ କଥକ ଯେତେବେଳେ ‘ଧାନ୍ ଖେଡ଼େ ଖେଡ଼େ ପାଚ୍‌ଲା’ ବୋଲି କହିଦିଏ ଶିଶୁମାନେ ପରସ୍ପର ଚାହିଁ ଚାହିଁ ହୋଇ କଥକ କାହା ଶାଶୁକୁ ନାଚିଲା ବୋଲି କହିବ ସେ କଥା ଶୁଣିବାକୁ ବ୍ୟଗ୍ର ହୋଇ ଉଠିଥିବାର ଜଣାଯାଏ । ଫଳତଃ କଥକ ଉପସ୍ଥିତ ପୁଅ-ଝିଅ ମଧ୍ୟରୁ ଜଣକୁ ଉପଲକ୍ଷ୍ୟ କରି କହିଥାଏ । ତା’ ମୁହଁରୁ ଏ ପଦକ ଶୁଣି ସମସ୍ତେ ହସି ଦେଇଥା’ନ୍ତି । ଏହି ହସ ଭିତରେ କାହାଣୀ ଆରମ୍ଭ ହୁଏ । ତେବେ ଏ ଗୁଡ଼ିକ ଆବୃତ୍ତି କରିବା ଅନ୍ତରାଳରେ ଏକ ହାସ୍ୟ ମୁଖର ବାତାବରଣ ସୃଷ୍ଟିକରିବା ପ୍ରୟାସ ନିହିତ ଥିଲା ମନେ ହୁଏ-। ଏଥିରୁ ଜଣାଯାଏ ଯେ ନାନାବାୟା ଲୋକ-ଗୀତ ସହିତ ମଧ୍ୟ ଲୋକ-କାହାଣୀର ଆବୃତ୍ତ୍ୟାତ୍ମକ ପଦର ଯଥେଷ୍ଟ ସମ୍ପର୍କ ରହିଛି ।

 

ଚତୁର୍ଥ ଦୃଷ୍ଟାନ୍ତରେ କଥକ ତଥା ଶ୍ରୋତା କିଛି ବାଜି ବା ପଣ ରଖିଥିବାର ଜଣାଯାଏ । ବିଶେଷତଃ ଶିଶୁ ଏବଂ କଥକ ମଧ୍ୟରେ ଏକ ଆତ୍ମୀୟ-ସମ୍ପର୍କ ଜାତ କରାଇବାର ଚେଷ୍ଟା ଏଥିରେ ରହିଛି । ପରସ୍ପର ‘ମା’ର ଦ୍ୱାହି ଦେଇଥା’ନ୍ତି । ଯାହାର ଜୟ ହେବ ଅନ୍ୟର ‘ମା’କୁ ସେ ଜିଣି ନେବାର ଏକ ଖିଆଲୀ ମନର ସର୍ତ୍ତ ଏଥିରେ ରହିଛି । ଏହିଭଳି ସରଳ-ତରଳ ଭାଷାରେ ପଦ୍ୟାକାରରେ ଆହ୍ୱାନ ତଥା ସର୍ତ୍ତ-ସୂଚକ ପଦ-ଆବୃତ୍ତି କରିବା ଫଳରେ ଶିଶୁ-ମନ କାହାଣୀ ପ୍ରତି ସ୍ୱତଃ ଆକୃଷ୍ଟ ହୋଇ ପଡ଼ିଥାଏ ।

 

କଥନ-ଭଙ୍ଗୀ ଆଲୋଚନା କଲାବେଳେ ଏ କଥା ମଧ୍ୟ ସ୍ମର୍‌ତବ୍ୟ ଯେ କାହାଣୀ କହିବା ସମୟରେ ଯେଉଁଠାରେ କାହାଣୀର ଚରିତ୍ରଠାରେ ବେଦନା ବୋଧକୁ ରୂପ ଦେବାକୁ ହୋଇଥାଏ କଥକ ତାକୁ ମଧ୍ୟ ପଦ୍ୟାକାରରେ ଅଭିବ୍ୟକ୍ତ କରିଥାଏ । ଏହାଦ୍ୱାରା ଶ୍ରୋତା କାହାଣୀସ୍ଥ ଚରିତ୍ରର ବେଦନାବୋଧକୁ ନିଜର ବେଦନା ବୋଲି ଧରି ନେଇଥାଏ । ଫଳରେ କାହାଣୀର ଆବେଦନ ତୀବ୍ର ହୋଇଥାଏ । ଏହି ପରିପ୍ରେକ୍ଷୀରେ ‘ଗଞ୍ଜେଇ ବତୀ’ କାହାଣୀରେ ପତ୍ନୀ-ବିରହୀ ନାଥ ଯୋଗୀ କେନ୍ଦରା ବଜାଇ ନିଜ ପତ୍ନୀର ଗୁଣ ବାହୁନି ଗାଇଥିବା ଗୀତ ଦୃଷ୍ଟାନ୍ତ ସ୍ୱରୂପ ଅଣାଯାଇପାରେ ।

 

ଯଥା-

‘‘ସାତ କୁଶର୍ ପୁନ୍ନି ପତର, ଚଉଦ କୁଶର୍ ପାନି

କେନେ ଛାଡ଼ି ଗଲୁରେ ମୋର ଗଞ୍ଜେଇ ବତୀ ରାନୀ ।’’

 

ବିଶେଷତଃ ଶ୍ରୋତାମାନଙ୍କ ମନରେ ସ୍ଥାୟୀ ପ୍ରଭାବ ପକାଇବା ପାଇଁ ଏହା ଉଦ୍ଦିଷ୍ଟ ଥିବା ମନେ ହୁଏ ।

 

ଏତଦ୍‌ବ୍ୟତୀତ କଥକ କାହାଣୀର ଗଳ୍ପାଂଶକୁ ସୁରୁଚିବନ୍ତ ତଥା ସୁଶ୍ରାବ୍ୟ କରିବା ପାଇଁ ସୁଲଳିତ ପଦର ଆଶ୍ରୟ ନେଇ ବିଷୟବସ୍ତୁ ପ୍ରକାଶ କରିଥାଏ । ଏଠାରେ ‘‘ଶିରିଆବତୀ’ କାହାଣୀଟି ବିଶେଷ ଉଲ୍ଲେଖନୀୟ ମନେ ହୁଏ । ଏହି ଗଳ୍ପରେ ସାତ-ଭାଇର ଆଦରଣୀୟା ଭଉଣୀ ‘ଶିରିଆବତୀ’ ନିଜ ବାପ-ମା’ ଓ ସାତ-ଭାଇଙ୍କ ବଣିଜ ଉଦ୍ଦେଶ୍ୟରେ ବିଦେଶ ଯିବା ପରେ ତା’ ଜୀବନରେ ଯେଉଁ ଅଦିନ ଝଡ଼ ସୃଷ୍ଟି ହୋଇଛି ସେହି ଦୁଃସହ ଜୀବନର ବର୍ଣ୍ଣନା ଦାଣ୍ଡେ ଦାଣ୍ଡେ ବୁଲି ସେ ଭିକ ମାଗିବା ସମୟରେ ଗାଉଥିବା ଗୀତରେ କରାଯାଇଛି । ଯଥା:-

 

‘‘ବାପ ମୋର ଗଲା ତାରା ବନିଜ

ମା’ ମୋର ଗଲା ଜହ୍ଲ ବନିଜ ।

ସାଥି ଦଦା ମୋର ବନିଜ ଗଲେ

ସାଥି ବହୂ ମୋର ଭଷା ଭୁଞ୍ଜିଲେ ।

ପଥର ନ ପାଇ ପିଠିଁ କାଚିଲେ

‘ମଲା ମଲା’ ବଳି ପାନିଁ ଫିକିଲେ ।

ଧୀବର ବୁପୁରା ମତେ ଛିନିଲା

ଗିଧ୍‌ଲୀ ମାଉଁସୀ ମତେ ପୁଷିଲା

ଆଗୋ ମାଆ-ବାପ ଶିରିଆ ଦୁଃଖ

ଶିରିଆ ମାଗୁଛେ କେ ଦେବ ଭିକ ।’’

 

କିନ୍ତୁ ପୁନରୁକ୍ତି ବିଦଗଧ-ସାହିତ୍ୟର ଏକ ଦୋଷ ମନେ ହେଲେ ହେଁ ଲୋକ-ସାହିତ୍ୟରେ ଏହା ଏକ ଗୁଣ ଭଳି ପ୍ରତୀତ ହୋଇଥାଏ । କାହାଣୀରେ ଏହିଭଳି ଗୀତି-ଧର୍ମିତା ସ୍ମରଣ ଶକ୍ତିକୁ ପୁଷ୍ଟ କରିବାକୁ ଖୋରାକ୍ ଯୋଗେଇବା ସଙ୍ଗେ ସଙ୍ଗେ ଶ୍ରୋତା ମନରେ ଏକ ଦୃଢ଼-ଧାରଣା ଆଣି ଦେଇଥାଏ ଯେ ଯେମିତି କି ସେତକ ହିଁ କାହାଣୀର ମୁଖ୍ୟ ଉପଜୀବ୍ୟ ।

 

ଯଥା:-

‘‘ଦେଉଲ ପଶିଲିଁ, ଶୁରୁଙ୍ଗ ଦେଖିଲିଁ ରୂପ ଛନାପତି ପାନି

ଛଇ ଦେଢ଼ଶୁର ଛ’ଗାଏଁ ଗୌନ୍ତିଆ, ଛଇ ଜେଠାନୀ ଗୌନ୍ତାନୀ ।

ଶଶୁର ମୋର୍ ହଇବେ ଗାଆଁର ବେହେରା, ଶାଶୁ ହେବେ ବେହେରାନୀ

ପର୍ଭୁ ମୋର୍ ହଇବେ ରାଇଜରେଁ ରଜା, ମୁଇଁ ହେମି ପାଟରାନୀ ।

କୁଳେଁ, ଧରିଥିମି ପଦ୍ମନ କୁମର

ଗାଉଥିମି ଦୁଲି ଗୀତ ।’’ (ପାଏନ୍ ଢଲା କଥା) ।

 

ସାଧବର ସବା ସାନ ବୋହୂ ଶିବ-ମନ୍ଦିରରେ ଶିବଙ୍କୁ ଏହିଭଳି ଭାବରେ ପ୍ରାର୍ଥନା କରିଛି । କିନ୍ତୁ ବହୁ ଅତ୍ୟାଚାରରେ ପିଷ୍ଟ ହୋଇ ସେ ନିଜ ସ୍ୱାମୀ ସହିତ ବାଧ୍ୟ ହୋଇ ଦେଶାନ୍ତର ଯାଇଛି । ସୌଭାଗ୍ୟକ୍ରମେ ରାଜରାଣୀ ମଧ୍ୟ ହୋଇଛି । ତେଣେ ଛଅଟି ଯାକ ବଡ଼ ବୋହୂ ଦୁର୍ଭାଗ୍ୟବଶତଃ ସର୍ବହରା ହୋଇ ସାନ ବୋହୂଥିବା ରାଜ୍ୟରେ ନିଜ ନିଜ ସ୍ୱାମୀମାନଙ୍କ ସହିତ ଆଶ୍ରୟ ନେଇଛନ୍ତି: କିନ୍ତୁ ସାନ ବୋହୂ ନିଜ ଚାରିତ୍ରିକ ମହନୀୟତା ରକ୍ଷାକରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇ ତା’ ଜୀବନର ଇତିବୃତ୍ତ ବୟାନ-ସୂଚକ ସେହି ଗୀତଟି ନିଜ ପୁଅମାନଙ୍କୁ ଖେଳାଇବା ଅବସରରେ ଗାଇଛି । ଏହି ଗୀତଟି କାହାଣୀର ପରିଣତିରେ ବାସ୍ତବ ରୂପ ନେଇଛି ।

 

ଲୋକ-କାହାଣୀଗୁଡ଼ିକର ଆରମ୍ଭ ଗୋଟିଏ ଗୋଟିଏ ପ୍ରଧାନ ଚରିତ୍ରର ଉପସ୍ଥିତିକୁ ନେଇ କଥିତ ହୋଇଥାଏ । ଯଥା- ‘‘ଏକ୍ ରାଏଜେଁ ସାଧବ୍ ବୁଢ଼ାଟେ ଥିଲା । ତା’ର୍ ସାତ୍‌ଟା ପୁଅ । ସୁନାନାନୀ ଗୁଟେ ବଲିଚି, ।’’ ଇତ୍ୟାଦି । ଅନେକତ୍ର କେବଳ ଚରିତ୍ରର ନାମ ସହ ମଧ୍ୟ ଉପସ୍ଥାପନ ଘଟିଥାଏ । ଯଥା:- ‘‘ଗୁଟେ ଗାଁ ନ ମଡ଼ା ଆର୍ ଗଏଁଠା ବଲିଁ ଯୁଉଡ଼େ ଭାଇ ଥିଲେ ।’’ ତେବେ ଏକଥା ମଧ୍ୟ ଏଠାରେ ଉଲ୍ଲେଖନୀୟ ଯେ ଯଦିଚ ଲୋକ-ଗଳ୍ପର ଶୈଳୀ ଭାବରେ ନାମକରଣ ଅନାବଶ୍ୟକ ଏହା କେବଳ କାହାଣୀକୁ ମନେ ରଖିବାପାଇଁ ଉଦ୍ଦିଷ୍ଟ ଥିବାର ଲକ୍ଷ୍ୟ କରାଯାଏ । କିନ୍ତୁ ପ୍ରକୃତ ପକ୍ଷେ କାହାଣୀସ୍ଥ ପାତ୍ର ପାତ୍ରୀଙ୍କ ସ୍ୱତନ୍ତ୍ର ନାମ ନଥାଏ ।

 

ଏହା ଚରିତ୍ର ପ୍ରଧାନ ନ ହୋଇ କ୍ରିୟା ପ୍ରଧାନ ବା ଘଟଣା ପ୍ରଧାନ ହୋଇଥାଏ । କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ଘଟଣା ବିଷୟବସ୍ତୁ ସ୍ରୋତରେ ଗଡ଼ିଚାଲେ । ତେବେ ଅନେକ କାହାଣୀରେ ବିଷୟବସ୍ତୁ ଏକ ଦିଗରେ ଧାବିତ ହେଉଥିବା ବେଳେ ଅପ୍ରତ୍ୟାଶିତ ଭାବରେ ଭିନ୍ନ ମୋଡ଼ ନେଇଥାଏ, ଯାହା ଫଳରେ କି ଯେ ବିପଦ ଗ୍ରସ୍ତ ତା’ପ୍ରତି ଉପସ୍ଥିତ ବିପଦର କାରଣ ଯଦି ଅନ୍ୟ ଜଣେ ତାକୁ ପଚାରେ ତେବେ ବିପଦ ଗ୍ରସ୍ତ ବ୍ୟକ୍ତି ବା ଜୀବ ସେହି ବିପଦର କାରଣ କହିବା ସଙ୍ଗେ ସଙ୍ଗେ ଅନ୍ୟ ଜଣକ ଭିନ୍ନ ଏକ ବିପଦର ସମ୍ମୁଖୀନ ହୋଇ ପଡ଼ିଥାଏ । ଏହି ନ୍ୟାୟରେ ଜଣେ ଆଘାତ ପାଇ ସାରିବା ପରେ ଅଦ୍ଭୁତ ଭାବରେ ଅନ୍ୟ ଜଣେ ଆଘାତ ପାଇଥାଏ । ଏଭଳି ଦୃଷ୍ଟାନ୍ତ ‘ଚାଁଟି-ଚି୍ଙ୍ଗ୍‍ରା’ କାହାଣୀରେ ରହିଛି । ଏହି କାହାଣୀର କଥାବସ୍ତୁ ହେଲା–ପିମ୍ପୁଡ଼ିଟିଏ ଏବଂ ଚିଙ୍ଗୁଡ଼ିଟିଏ ସଙ୍ଗାତ ବସନ୍ତି । ବଢ଼ି ପାଣିରେ ପିମ୍ପୁଡ଼ିଟି ଭାସି ଦୂରକୁ ଚାଲିଗଲା । ସଙ୍ଗାତ ବିନା ଚିଙ୍ଗୁଡ଼ି ଭାଳେଣି କରୁଥିବା ବେଳେ କୁଆଟିଏ ଚିଙ୍ଗୁଡ଼ିକୁ ଭାଳେଣିରେ କାରଣ ପଚାରିଲା । ଚିଙ୍ଗୁଡ଼ି କହିଲା–‘‘ଚାଁଟି ଲାଙ୍ଗରା ମିତ ବସ୍‌ଲେ । ଚାଁଟିକେ ନେଲା ବଏଡ଼୍ । ଚିଙ୍ଗ୍‌ରା କଲା ଭାଲ୍‌ନି । କୁଆ ହେଲା ଛୁଟା ।’’ କୁଆ ସଙ୍ଗେ ସଙ୍ଗେ ଛୋଟା ହୋଇଗଲା । କୁଆ କାହିଁକି ଛୋଟା ହେଲା ଏ କଥା ସ୍ତ୍ରୀମାନେ ପଚାରିବାରୁ କୁଆଟି ପୂର୍ବ ପ୍ରସଙ୍ଗ କହ ପାଏନ୍ ବୁହାଢ଼ୀ ପାରୁରୀ ବୋଲି କହିବା ସଙ୍ଗେ ସଙ୍ଗେ ସ୍ତ୍ରୀମାନେ ସେହି ଅସୁବିଧାର ସମ୍ମୁଖୀନ ହେଲେ । ଏହି ଭଳି ଭାବରେ କାରଣ-ଜିଜ୍ଞାସୁମାନେ ଲଣ୍ଡା, କୁଜା, ପାରା, ବିଲେଇ ଆଦି ବିଭନ୍ନ ରୂପରେ ଅବତୀର୍ଣ୍ଣ ହେଲେ କିନ୍ତୁ ଭଣ୍ଡାରୀ ଯେତେବେଳେ ପାରା ହୋଇ ଧୋବାକୁ ବିଲେଇ ହେବ ବୋଲି କହି ଦେଇଛି ଧୋବା ତତ୍‌କ୍ଷଣାତ୍ ବିଲେଇ ହୋଇ ପାରାକୁ ମାରି ଦେଲା । ଏହିଠାରେ ହିଁ କାହାଣୀଟିର ଶେଷ ହୋଇଛି । ଏହି କାହାଣୀରେ ମାନବେତର ପ୍ରାଣୀମାନେ ମଧ୍ୟ କଥା କହିଛନ୍ତି ।

 

ଉପରୋକ୍ତ କାହାଣୀ ଭଳି ଲୋକ-କାହାଣୀର ମଝି ମଝିରେ ଦୁଇ ବା ତତୋଽଧିକ ଚରିତ୍ର ମଧ୍ୟରେ କଥୋପକଥନର ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏଥିରେ ସମ୍ବାଦ ଶିଥିଳ ଗତିରେ ଆସିଥାଏ ପୁଣି କାହାଣୀର ପାତ୍ର ପାତ୍ରୀ ମଧ୍ୟରେ ବାକ୍ୟାଳାପ ବିଶେଷ ଆକର୍ଷଣୀୟ ଭଙ୍ଗୀରେ ପରିବେଷଣ କରାଯାଇଥାଏ । ଏଥିରେ ସ୍ଥାନ, କାଳ, ପାତ୍ର, ଜାତି, ଧର୍ମ, ଲିଙ୍ଗ ବିଶେଷରେ ଉପଯୁକ୍ତ ଭାଷା ପ୍ରୟୋଗ କରାଯାଇଥାଏ । ନିମ୍ନ ଜାତିର ଲୋକ-କଥନ ଚରିତ୍ର ମୁଖରେ ଗ୍ରାମୀଣ ଶବ୍ଦର ପ୍ରାବଲ୍ୟ ଭରିଥିବା ସ୍ଥଳେ ଉଚ୍ଚ ଶ୍ରେଣୀୟ ଶିକ୍ଷିତ ସମ୍ପ୍ରଦାୟର ଲୋକ-କଥନ ଚରିତ୍ର ମୁଖରେ ସ୍ଥଳ ବିଶେଷରେ ଶୁଦ୍ଧ ବା ତତ୍ସମ ଶବ୍ଦ କୁହାଇଥା’ନ୍ତି ତଥା ଶାସ୍ତ୍ରମାନଙ୍କର ନୀତିବାଣୀ ମଧ୍ୟ ବୟାନ କରିଥାନ୍ତି ।(୪)

 

ଲୋକ-କାହାଣୀରେ ବହୁ ସମସ୍ୟାର ଆଗମନ ଘଟାଇ ତା’ର ସହଜ ସମାଧାନ ପାଇଁ ଅଲୌକିକତାରେ ସାହାଯ୍ୟ ନେବାକୁ ହୋଇଥାଏ । ଯଥା-ଯେଉଁ ସ୍ଥାନକୁ ଯା’ କହିଲେ ସେହି ସ୍ଥାନକୁ ଚାଲିଯିବା ଆସନରେ ଚଢ଼ି ନାୟକ ବହୁ ଅସାଧ୍ୟ-ସାଧନା କରିଥାଏ (ଚନ୍ଦ୍ରକେତୁ କଥା), ନାୟକ-ନାୟିକାଙ୍କ ମୃତ୍ୟୁ ହେଲେ ସଞ୍ଜୀବନୀ ମନ୍ତ୍ରଦ୍ୱାରା ଜୀବ ଦାନ କରାଯାଏ (ଗଞ୍ଜେଇ ବତୀ କଥା, ମାକର୍‌ ଆର୍ ସାଧବ୍ ଝି’ କଥା) ଇତ୍ୟାଦି । ଏହି ଭଳି କାହାଣୀରେ ଅଦ୍ଭୁତ ରସର ପ୍ରାଧାନ୍ୟ ରହିଥାଏ ଯାହା ଶୁଣିବାଦ୍ୱାରା ଶ୍ରୋତାମାନଙ୍କ ମନରେ ଉତ୍ସୂକତା ସୃଷ୍ଟି ହୋଇଥାଏ । ଫଳତଃ କାହାଣୀ ଶୁଣିବା ବେଳେ ଶ୍ରୋତା କଥିତ ବିଷୟବସ୍ତୁର ପରବର୍ତ୍ତୀ ଘଟଣା ଶୁଣିବା ପାଇଁ ଲାଳାୟିତ ହେଉଥିବା ଜଣାଯାଏ । କାହାଣୀ ଉତ୍କଣ୍ଠାର ସହିତ ଶୁଶୁ ଶୁଣୁ ଶ୍ରୋତା କହିଥାଏ–‘‘ତେହେରୁଁ କାଣା ହେଲା ?’’–ଏ ପଦକ ଶ୍ରୋତା ମୁହଁରୁ ଯେତେବେଳେ ଯାଏଁ ଶୁଣାଯାଉଥାଏ କାହାଣୀଟି ସେତେ ଚମତ୍କାରିତା ଭିତରେ ଗତି କରୁଛି ବୋଲି ଜଣାଯାଏ । ଏହା ସାଙ୍ଗଙ୍କୁ କାହାଣୀର ପରବର୍ତ୍ତୀ ଘଟଣା ପ୍ରତି ଏକନିଷ୍ଠତା ତଥା ଶ୍ରୋତାର କାହାଣୀ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ କଥକ କହିଥାଏ–‘‘ଗଲେ ଯେ, ...କେନ୍‌ ଦେଶ୍‌ ନାଇଁକେନ୍‌ ଦେଶକେ ଗଲେ । କେତେ ଝାର୍‌-ପତରା, ନଏଦ୍‌ ନଲିଆ ଡେଗ୍‌ ତେଲେ ଗଲେ ତବି କିଆର ନାଇଁ । ଯାଆତେ ଯାଆତେ ଶେଷେଁ ଗୁଟେ ରାଇଜ୍‌ନ ପୁହୁଁଚିଲେ ।’’

 

ବିଶେଷତଃ ଲୋକ-କାହାଣୀରେ କହି ଶୁଣାଇବାର ପ୍ରବୃତ୍ତି ଥିବାରୁ କଥକ ଶ୍ରୋତାର ‘ହୁଁ’ କାର ସହିତ ସମତାଳ ଦେଇ କହି ଚାଲିଥାଏ - ‘ତ’, ‘ବଏଲା କି ନି’’ ଇତ୍ୟାଦି ।

 

ଲୋକ-କାହାଣୀରେ ଶୈଳୀ-ତାତ୍ତ୍ୱିକ ଅଧ୍ୟୟନ ପାଇଁ, ‘ମୋଟିଫ୍‌’ ମଧ୍ୟ ଏକ ବିଶିଷ୍ଟ ପଦ୍ଧତି-। ଲୋକ-କାହାଣୀରେ ଏହା ଏକ ଆକର୍ଷଣୀୟ ଉପାଦାନ । ସାଧାରଣତଃ ପରମ୍ପରାଗତ କାହାଣୀଗୁଡ଼ିକର କୌଣସି ତତ୍ତ୍ୱ ବା ଉପାଦାନ ପାଇଁ ‘ମୋଟିଫ୍’ ସୃଷ୍ଟି କରାଯାଇଥାଏ । କିନ୍ତୁ ଏକ ମଧ୍ୟ ସ୍ମରଣ ରଖିବା ଉଚିତ ଯେ ପରମ୍ପରାର ବାସ୍ତବ ଅଙ୍ଗ ହେବା ପାଇଁ ଏହି ଉପାଦାନ ଏଭଳି ପ୍ରସିଦ୍ଧ ହେବା କଥା ଯାହା ଫଳରେ କି ଏହାକୁ ସର୍ବସାଧାରଣମାନେ ମନେରଖି ପାରିବେ (୫) ଅତଏବ ଏହି ତତ୍ତ୍ୱ ବା ଉପାଦାନ ସାଧାରଣ ନ ହୋଇ ଅଧାସାରଣ ହେବା ବିଧେୟ । ଏହାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଭାବେ ‘ରାଜାର୍‌ ଆର୍‌ କଲିଆ ଘୁଡ଼ା’ କଥାକୁ ନିଆଯାଇ ପାରେ । ଏହି କାହାଣୀରେ ଏକ ସାଧାରଣ ଘୋଡ଼ାକୁ ଚରିତ୍ର ଭାବେ ନନେଇ ଏକ କଥା-କୁହା କାଳିଆ ଘୋଡ଼ାକୁ ନିଆ ଯାଇଛି-। ପୁନଶ୍ଚ ସାଧାରଣ ମା’ ବଦଳରେ ସାବତ ମା, ଖାଦ୍ୟ ଓ ଖାଦକ ମଧ୍ୟରେ ପରସ୍ପରରେ ବୈରାଚରଣ ପରିବର୍ତ୍ତେ ମୈତ୍ରୀ ସ୍ଥାପନ କରାଯାଇଛି । ସାଧାରଣ ହେଲେ ହେଁ ଅସାଧାରଣ ମନେ ହେଉଥିବାରୁ ଏହି କଥା କୁହା କାଳିଆ ଘୋଡ଼ା, ସାବତ ମା’ ଆଦି ଗୋଟିଏ ଚରିତ୍ର ଗତ ମୋଟିଫ୍‌ । ଏଗୁଡ଼ିକ ଶ୍ରୋତା ସହଜରେ ମନେ ରଖି ପାରିବେ । ଏତଦ୍‌ବ୍ୟତୀତ ‘ମୋଟିଫ’ ମଣିଷକୁ କଳ୍ପନା-ପ୍ରବଣ କରାଇଥାଏ । ଯଦ୍ୱାରା ସେ କାହାଣୀ ସହିତ ଅଙ୍ଗାଙ୍ଗୀ ହୋଇ ପରବର୍ତ୍ତୀ ଘଟଣା ସ୍ରୋତରେ ନିଜକୁ ଭସାଇ ନେଇଥାଏ । ଏପରିକି ମୋଟିଫ୍‌ଦ୍ୱାରା ଶ୍ରୋତା ଏ ଭଳି ଭାବରେ ପ୍ରଭାବିତ ହୋଇ ପଡି ଥାଏ ଯେ ବେଳେବେଳେ ତାହାର ସ୍ମରଣ କରାଇ କଥକକୁ ସେହି ବିଶିଷ୍ଟ କାହାଣୀ କହିବା ପାଇଁ ଅନୁରୋଧ କରିଥାଏ । କାହାଣୀର ନିର୍ମାଣ ପାଇଁ ଏହି ମୋଟିଫ୍‌ ହିଁ ମୂଳ କାରଣ ବୋଲି ମନେହୁଏ । ଏହାର ବାହୁଲ୍ୟ କାହାଣୀର ସବଳତା ଏବଂ ଆକର୍ଷଣକୁ ଅସାଧାରଣ ରୂପରେ ବଢ଼ାଇ ଥାଏ । ଏପରି କି କାହାଣୀର କେନ୍ଦ୍ର, ବିନ୍ଦୁ ଅଭିପ୍ରାୟ ମଧ୍ୟରେ ରହିଥାଏ । କଥକ ଏଭଳି ମୋଟିଫ୍‌ ସୃଷ୍ଟି କରିଥାଏ, ଏହାକୁ ଏ ଭଳି ସଜାଇଥାଏ ଏବଂ ଏହାର ରୂପରେ ଏଭଳି ପରିବର୍ତ୍ତନ ଆଣିଥାଏ ଯେ ଏଗୁଡ଼ିକ ପୁରାତନ ହୋଇ ମଧ୍ୟ ନୂତନ ଲାଗୁ ଥାଏ । ଏକ ସାମାନ୍ୟ ଲୋକ-କାହାଣୀ କଥକ ହାତରେ ପଡ଼ି ଅସାମାନ୍ୟ ରୂପରେ ନୂତନ ମୋଟିଫ୍‌ଦ୍ୱାରା ପରିବେଷ୍ଟିତ ହୋଇ ଯାଇଥାଏ - ଏହି ପ୍ରବୀଣ କଥକ କେବେ କେବେ ଏକ ପ୍ରଚଳିତ ଲୋକ-କାହାଣୀରେ ଆମୂଳ ପରିବର୍ତ୍ତନ ଆଣି ଶ୍ରୋତାମାନଙ୍କୁ ଚକିତ କରି ଦେଇଥାଏ । (୬)

 

ବହୁ ପରୀ-କାହାଣୀ ବା ପଶୁ-ପକ୍ଷୀ ସମ୍ପର୍କୀୟ କାହାଣୀରେ ଅବସମ୍ଭାବ୍ୟ ଘଟଣାଗୁଡ଼ିକ ମଧ୍ୟ ଏଭଳି ଭାବରେ ବର୍ଣ୍ଣନା କରାଯାଇଥାଏ ଯେ ଯାହା ଶୁଣିବା ଲୋକଙ୍କ ମନରେ ସମ୍ଭାବ୍ୟ ପ୍ରତୀତ ଆଣିଥାଏ । ସମାଜ ଜୀବନରେ କଥକ ଯେଉଁ ଘଟଣା ଯେଭଳି ଦେଖିଥାଏ କାହାଣୀରେ ଯଥା ସମୟରେ ଠିକ୍‌ ସେଭଳି ଗୁମ୍ପନ କରିଥାଏ । ଏଣୁ ଲୋକ-କାହାଣୀରେ କଥକ ପ୍ରତ୍ୟକ୍ଷ-ଦର୍ଶୀର ଭୂମିକା ଗ୍ରହଣ କରି ବର୍ଣ୍ଣନା କରିଥାଏ । କଳ୍ପନାର ସହାୟତାରେ ଏହି ବର୍ଣ୍ଣନା ବିଶେଷ ରୋଚକତା ପ୍ରାପ୍ତ ହୋଇଥାଏ । କାହାଣୀ କହିବା ଆଗରୁ କଥନ ଯେଉଁ କଥାଟି ଉପସ୍ଥାପନ କରେ ସେଥିରୁ ମନେହୁଏ ଯେପରି କି କଥକ ନିଜେ ମଧ୍ୟ କାହାଣୀର ଏକ ଚରିତ୍ର । ଏହି ପରିପ୍ରେକ୍ଷୀରେ କାହାଣୀ ସହିତ ନିଜକୁ ସମ୍ପର୍କିତ କରି କାହାଣୀକୁ ବାସ୍ତବ କରିବାପାଇଁ କଥକ କହେ–

 

‘‘ସୁଖ୍‌ କହେମି କି ଦୁଃଖ୍‌ କହେମି ?

କି ଯେନ୍‌ଟା ଅଙ୍ଗେଁ ଲିଭେଇଛେଁ ସେଟା କହେମି ?’’ (୭)

 

ପୁଣି ଶେଷରେ ମଧ୍ୟ କହେ–

‘‘ସେମାନେ ସଭେ ମିଲିମିଶି ଚଲଲେ ବିହା-ବର୍‌ ପନ୍‌ ହଇ ଘର୍‌-ଦୁଆର୍‌ କର୍ଲେ ଆର୍‌ ମୁଇଁ ତାକର୍‌ ଘର୍‌ କେ ଘାଏ ବୁଲି ଗଲିଁ ଯେ ମତେ ଚିପୋର୍‌ କେଉର ଫସ୍‌କା ଭାଙ୍ଗ୍‌ ଟିକେ ଦେଲେ-।’’

 

ମେଳା-ମହୋତ୍ସବର ସାଜସଜ୍ଜା ସ୍ୱର୍ଗ-ନରକର ବର୍ଣ୍ଣନା, ବିବାହ-ଜନ୍ମୋତ୍ସବର ନୀତି-ନିୟମ ଆଦି ପ୍ରତ୍ୟେକରେ ସ୍ୱାଭାବିକତା ବିଦ୍ୟମାନ ଥାଏ । ଏପରି କି କାହାଣୀରେ ବିବାହ-ପ୍ରସଙ୍ଗ ଆସିଲେ କଥକ ତତ୍କାଳୀନ ପ୍ରାତ୍ୟହିତ ଜୀବନରେ ବୈବାହିକ କାର୍ଯ୍ୟକ୍ରମରେ ଯେଉଁଭଳି ରୀତି-ନୀତି ମାନି ଚଳିବାକୁ ହୋଇଥାଏ, ଅର୍ଥାତ୍‌ ବନ୍ଧୁବାନ୍ଧବଙ୍କୁ ଗୁଆ-ହଳଦୀ ଦେଇ ନିମନ୍ତ୍ରଣ କରିବାଠାରୁ ଭୋଜି-ଭାତର ଆୟୋଜନ ଯେଭଳି ହୋଇଥାଏ କଥକ ଠିକ୍‌ ସେଭଳି କହିଥାଏ । ଏହି ଅଂଶଟି ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥାଏ । ଫଳତଃ ଏହିଭଳି କାହାଣୀରେ ଅତିଶୟୋକ୍ତିର ଅଭାବ ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ଜାତୀୟ ସଂସ୍କୃତିର ସ୍ପଷ୍ଟ ଚିତ୍ରଣ ରହିଥାଏ ।

 

ଏତଦ୍‌ବ୍ୟତୀତ ନିଜ ସ୍ଥାନୀୟ ସ୍ୱାତନ୍ତ୍ର୍ୟ ବଜାୟ ରଖିବାପାଇଁ ତଥା କାହାଣୀକୁ ବେଶୀ ଭାବୋଦ୍ଦୀପକ କରିବାପାଇଁ କୌଣସି ପରିଚିତ ସ୍ଥାନର ଦୃଶ୍ୟ କାହାଣୀରେ ଆବଶ୍ୟକ ସ୍ଥଳରେ ଦିଆଯାଇଥାଏ । ଯଥା- କୌଣସି କାହାଣୀରେ ନଦୀ-ନାଳର ଉଲ୍ଲେଖ କରିବା ଆବଶ୍ୟକ ହେଲେ ପରିଚିତ ଗାଁ ପାଖରେ ଥିବା ନଦୀ-ନାଳକୁ ଏକ ଦୃଶ୍ୟ ରୂପେ ବ୍ୟବହାର କରାଯାଇଥାଏ । ଏଠାରେ ‘ଚାଁଟି-ଚିଙ୍ଗରା’ କାହାଣୀକୁ ଅଣା ଯାଇପାରେ । ଏଥିରେ ଅଛି–‘‘ସମଲ୍‍ପୂରୁର ପୂରୂବ୍‌ ଦିଗେଁ ତକ୍‌ବା ବଲି ଗୁଟେ ଗାଁ । ଗାଁର୍‌ ଦଖିଣ୍‌ ଦିଗେଁ ଯାମ୍‌ ଯୁରି ନଲିଆ । ଥରେ ସେ ନଲିଆନ୍‌ ଗୁଟେ ଚିଙ୍ଗ୍‌ରା ରହୁଥିଲା ।’’ ଇତ୍ୟାଦି (୮) ସେହିଭଳି ଗାଁ ମୁଣ୍ଡ ବରଗଛ, ମଶାଣି ପଦା ଆଦିର ପରିବେଶ କାହାଣୀ ମଧ୍ୟରେ ସ୍ୱକୀୟତା ଦାବୀ କରେ ।

 

ଲୋକ-କାହାଣୀ ଅଦ୍ଭୁତ, କରୁଣ ଆଦି ରସର ପ୍ରାବଲ୍ୟ ମଧ୍ୟରେ କହି ଯାଉଥିବା ବେଳେ ସ୍ଥଳ ବିଶେଷରେ ମଝିରେ କେତେକ ହାସ୍ୟରସ ସମ୍ବଳିତ କଥା କହି କଥକ ଶ୍ରୋତାମାନଙ୍କ ମନରେ ହସର ସ୍ରୋତ ବୁହାଇ ଦେଇଥାଏ । ଯେମିତି କି ‘ମଡ଼ା ଆର୍‌ ଗଏଁଠା’ କଥାରେ ମଡ଼ା ‘‘ଇ ଗୁଚ୍ଛା ସେ ଗୁଚ୍ଛା ଭର୍‌ନେ’’ କହି ଦି’ ଭରଣ କାଠ ଠିକ୍‌ କରି ନ କାଟିବା, ସାହୁକାର ହିଡ଼ ଧରିବାପାଇଁ କହିବାରୁ ହିଡ଼କୁ ସଫା-ସୁତୁରା ନ କରି ଜାବୁଡ଼ି ଧରିବା, କୁଣ୍ଡା ଜାଉ ଖାଇ ବ୍ରାହ୍ମଣ-ପୁତ୍ର ଶ୍ୱଶୁର ଘରେ ଝାଡ଼ା ଫେରିଦେବା କଥା ତଥା ‘ହଜାର୍‌ ମାରୁ’ କାହାଣୀରେ ଦେହରେ ଘା’ ହୋଇଥିବା ହେତୁ ମାଛି ବସିବାରୁ ଖସୁଆଟି ହଜାରେ ମାଛି ମାରି ନିଜକୁ ବଡ଼ ବୀର ବୋଲି ଦେଖାଇ ହେବା ଆଦି ହାସ୍ୟ ଉଦ୍ରେକ କରେ । ଅନେକ କାହାଣୀରେ ହାସ୍ୟରସକୁ ପଦ୍ୟାତ୍ମକ ଶୈଳୀରେ ବ୍ୟକ୍ତ କରାଯାଇଥାଏ । ଏହିଭଳି ହାସ୍ୟରସ ‘‘ବିଲେଇ ଆର୍‌ ମୂଷାର ଯାତ୍‌ରା କରା’’ କଥାରେ ରହିଛି । ଏଥିରେ କଥକ ଗାୟକ ତଥା ବାଦକ ଭାବରେ ଅଭିନୟ କରିଥାଏ । ଦୃଷ୍ଟାନ୍ତ ସ୍ୱରୂପ–

 

ବିରାଡ଼ିମାନେ ବଜାଇଲେ-

‘‘ଖିମିରି ଖିମିରି ଖିମିରି ଖିଟ ।

ଏ ଖେଇ ପାର୍‌ କେଁ ତିନ୍‌ ତିନ୍‌ଟା ।’’

 

ଏହା ଶୁଣି ମୂଷାମାନେ ତାଳ ଦେଲେ–

‘‘ତାଲ୍‌ କେ ହେଜ, ମାନ୍‌କେ ବୁଝ

ବେଲ୍‌ ଥାଉନ୍‌ ଥାଉନ୍‌, ଗାତ୍‌କେ ବୁଜ ।’’

 

ଅନେକ ଗଳ୍ପ ଶେଷରେ ସେହି ଗଳ୍ପର ମର୍ମବାଣୀ ସ୍ୱରୂପ ନାନା ଉପଦେଶାତ୍ମକ, ନୀତି ଶିକ୍ଷା ମୂଳକ କଥା ପଦ୍ୟାକାରରେ କୁହାଯାଇଥାଏ । ନାରୀ ଜାତି ପ୍ରତି ଏକ ଦିଗରେ କର୍ମବତୀର ଆରୋପଣ କରିବା ସଙ୍ଗେ ଅନ୍ୟ ଦିଗରେ ତା’ର କ୍ରୂରତାର ସୂଚନା ଦିଆ ଯାଇ ଥିବାର ଦୁଇଟି ଦୃଷ୍ଟାନ୍ତ ନିମ୍ନରେ ପ୍ରଦତ୍ତ । ଯଥା-

 

‘‘ତିରୀ ନାରୀ ବଡ଼୍‌ କରମ୍‌

ଗୋ ମାଏଲେଁ ବଡ଼୍‌ ଧରମ୍‌ ।’’

(ସୁନାର ବିଟା କଥା)

‘‘ସିଂଘ ଥିଲା ଜନ୍ତୁକ ଦୂରୁ ଥାଇ ଡରି

ଆବର ବିଶ୍ୱାସ ନ ଯିବ ତିରୀ ।’’

(ସୁରୁରାନୀ ଆର୍‌ ଛୁଆ ଘଟୁଆଳ୍‌ କଥା)      

 

ପ୍ରତ୍ୟେକ ଲୋକ-କାହାଣୀ ମିଳନାତ୍ମକ ବା ସୁଖାତ୍ମକ ହୋଇଥାଏ । ଲୋକ-କାହାଣୀରେ ନାୟକ-ନାୟିକା, ଦୁଃଖ-ଦୈନ୍ୟ, ଅଭାବ-ଅସୁବିଧାରେ ତଳି-ତଳାନ୍ତ ହେଲେ ହେଁ, ଜୀବନ-ଯାତ୍ରା ଭିତରେ ବହୁ ଆକସ୍ମିକ ବିପଦର ସମ୍ମୁଖୀନ ହେଲେ ହେଁ ପରିଣତ ଆଡ଼କୁ ସ୍ୱତଃ ଭାଗ୍ୟ ପରିବର୍ତ୍ତନ ଘଟି ଆସନ୍ନ ବିପଦ ଆପେ ଆପେ ଦୂରୀଭୂତ ହୋଇ ଯାଇଥାଏ ଏବଂ ସେହି ସ୍ଥାନରେ ସୁଖ-ଶାନ୍ତିର ରାଜୁତି ଦେଖିବାକୁ ମିଳେ । ଏହା ଭାରତୀୟନାଟକର ‘ଭରତ ବାକ୍ୟ’ ଭଳି ସୁଖାନ୍ତ ମନେହୁଏ । ବିଶେଷତଃ ସ୍ତ୍ରୀ-ପୁରୁଷ ବା ଭାଇ-ଭାଇର ମିଳନ ସଂଘଟିତ ଅଥବା ବିବାହ-ଉତ୍ସବ ଆଦିର ଆୟୋଜନ ମଧ୍ୟରେ ଏହାର ପରିସମାପ୍ତି ହୋଇଥାଏ ।

 

ସେହିଭଳି କାହାଣୀ ଶେଷରେ ଆବୃତ୍ତ୍ୟାତ୍ମକ ଶୈଳୀର ଆଶ୍ରୟ ନିଆ ଯାଇ କାହାଣୀ ସମାପ୍ତି ଘୋଷଣା କରାଯାଏ । ଯଥା-

 

‘‘ମୋର୍‌ କଥାନୀ ସର୍‌ଲା, ଫୁଲ୍‌ ଗଛଟା ମର୍‌ଲା ।’’

 

କିନ୍ତୁ ଏହି ଫୁଲ ଗଛଟି କାହିଁକି ମଲା–ଏ ନେଇ ପୁଣି ବହୁ କାରଣ ଜନ୍ମ ନେଇଥାଏ ଏବଂ ଶେଷରେ କାରଣର ସମାଧାନ ପିମ୍ପୁଡ଼ିର କଥା–

 

‘‘ଭୁଇଁ ତଲେଁ ତଲେଁ ଥାଏଁ

ଆର୍‌, କଅଁଳ୍‌ ମାଉଁସ୍‌ ଦେଖ୍‌ଲେ ମୁଇଁ

ରୁଟ୍‌ କରି ଚାବି ଦିଏଁ’’ରେ ହୋଇଥାଏ, ଏବଂ

 

ଉକ୍ତ ଶାଖା କାହାଣୀଟିର ମଧ୍ୟ ସମାପ୍ତି ଘଟେ । ପରିଶେଷରେ କାହାଣୀର ସମ୍ପୂର୍ଣ୍ଣ ସମାପ୍ତି ଘୋଷଣା କରି କଥକ କହିଥାଏ–

 

‘‘ଏଡ଼୍‌କି ଗୁଁର୍ରୁ ଏଡ଼୍‌ କି ହେଲା

ଯା’ର୍‌ ଯା’ର୍‌ ଘର୍‌ କେ ସେ ସେ ଗଲା ।’’

 

ଏହିପରି ଭାବରେ ଲୋକ-କାହାଣୀ ନିର୍ଦ୍ଦିଷ୍ଟ ଆରମ୍ଭ, ପ୍ରବାହ, ଶୀର୍ଷ, ଅବରୋହ ଓ ଗ୍ରନ୍ଥିମୋଚନ ଆଦି ବିଭିନ୍ନ ପର୍ଯ୍ୟାୟ ଦେଇ ଆସିଥାଏ । ଯାହା କି ବିଦଗ୍‌ଧ ଗଳ୍ପ ମଧ୍ୟ ଅନୁସରଣ କରିଥାଏ ।

 

ସ୍ୱାଭାବିକ କଥନ-ଭଙ୍ଗୀ, ଲୋକ-ଭାଷାର ସରଳତା ଏବଂ ଗତିଶୀତଳାର କାରଣ–ଏହାର ଶୈଳୀରେ କୃତ୍ରିମତା ପାଇଁ କୌଣସି ସ୍ଥାନ ନଥାଏ । ଫଳତଃ ଲୋକ-କାହାଣୀ ଗୁଡ଼ିକ ପ୍ରାରମ୍ଭିକ ରୋଚକତା, ମଧ୍ୟଭାଗ ବିସ୍ତାରର ସମ୍ଭାବନା ତଥା ଅନ୍ତଃ ଆର୍ଶୀବାଦ ବା ମଙ୍ଗଳ କାମନାର ବାଣୀ ବହନ କରିଥାଏ ।

 

(ଆଲୋଚ୍ୟ କାହାଣୀଗୁଡ଼ିକ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ପ୍ରାବନ୍ଧିକଦ୍ୱାରା ସଂଗୃହୀତ ।)

 

 

ସହାୟକ ଗ୍ରନ୍ଥସୂଚୀ

ଲୋକ୍‌-ସାହିତ୍ୟ କୀ ଭୂମିକା (ହିନ୍ଦୀ)–ଡଃ: ଉପାଧ୍ୟାୟ କୃଷ୍ଣଦେବ, ତୃତୀୟ ସଂସ୍କରଣ ୧୯୭୭. ପୃ. ୧୫୮, ସାହିତ୍ୟ ଭବନ (ପ୍ରା.) ଲିମିଟେଡ଼, ଏହ୍ଲାବାଦ -୩ ।

ପଶ୍ଚିମ-ଓଡ଼ିଶାର ଲୋକ-ସାହିତ୍ୟର ସ୍ୱରୂପ (ଓଡ଼ିଆ)–ଡଃ. ପଣ୍ଡା ନିମାଇଁ ଚରଣ, (ଅପ୍ରକାଶିତ ଥେସିସ୍‌), ପୃ. ୨୩୬ ସେକ୍‌ସନ୍‌, କେନ୍ଦ୍ରୀୟ ପାଠାଗାର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତି ବିହାର

ଲୋକ-ସାହିତ୍ୟ : ସିଦ୍ଧାନ୍ତ ଔର୍‌ ପ୍ରୟୋଗ–(ହିନ୍ଦୀ) ଡଃ: ଶର୍ମା ଶ୍ରୀରାମ, ପୃ. ୬୨ ପ୍ରଥମ ସଂସ୍କରଣ-୧୭୯୩ ବିନୋଦ ପୁସ୍ତକ ମନ୍ଦିର, ଆଗ୍ରା-୨ ।

ଲୋକ୍‌-କଥା ବିଜ୍ଞାନ–(ହିନ୍ଦୀ) ଡଃ . ଜୈନ୍‌ ଶ୍ରୀଚନ୍ଦ୍ର, ପୃ.୮୪, ପ୍ରଥମ ସଂସ୍କରଣ-୧୯୭୭ ମଙ୍ଗଲ ପ୍ରକାଶନ, ଜୟପୁର-୧ ।

ଲୋକ୍‌-ସାହିତ୍ୟ କୀ ଭୂମିକା–(ହିନ୍ଦୀ) ଡଃ. ଉପାଧ୍ୟାୟ କୃଷ୍ଣଦେବ, ପୃ. ୧୬୫ ତୃତୀୟ ସଂସ୍କରଣ-୧୯୭୭ ସାହିତ୍ୟ ଭବନ (ପ୍ରା.) ଲିମିଟେଡ଼୍‌, ଏହ୍ଲାବାଦ-୩ ।

ଲୋକ୍-କଥା ବିଜ୍ଞାନ–(ହିନ୍ଦୀ) ଡଃ. ଜୈନ ଶ୍ରୀଚନ୍ଦ୍ର, ପୃ ୬୭, ପ୍ରଥମ ସଂସ୍କରଣ-୧୯୭୭ ମଙ୍ଗଲ ପ୍ରକାଶନ-ଜୟପୁର-୧ ।

ସପ୍ତର୍ଷି-ନଭେମ୍ବର ୧୯୮୨–(ଓଡ଼ିଆ) ସଂଖ୍ୟାରେ ଥିବା ଶ୍ରୀ ପୁଷ୍ପ କୁମାର ମେହେରଙ୍କ ପ୍ରବନ୍ଧ ‘‘ପଶ୍ଚିମ-ଓଡ଼ିଆ ଲୋକ-ଗଳ୍ପ ବା ‘କଥାନି’ର ରୂପରେଖ, ଏକ ବିହଙ୍ଗାବଲୋକନ’’ ପୃ. ୨୪୦, (ସମ୍ବଲପୁରୀ ଭାଷା-ସାହିତ୍ୟ ବିଶେଷାଙ୍କ) ସପ୍ତର୍ଷି କାର୍ଯ୍ୟାଳୟ, କେନ୍ଦ୍ରୀୟ ପାଠାଗାର, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ-ଜ୍ୟୋତିବିହାର ।

ସମ୍ବଲପୁରୀ ଗଳ୍ପ ସଙ୍କଳନ–ସଂ.ପଧାନ ଭବାନୀଶଙ୍କର, ପୃ. ୧, ସମ୍ବଲପୁରୀ ଲେଖକ ସଂଘ, ବୈଦ୍ୟନାଥ ଛକ, ସମ୍ବଲପୁର, ପ୍ରଥମ ସଂସ୍କରଣ-୧୯୮୭

 

 

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ସମ୍ବଲପୁର ବିଶ୍ୱବିଦ୍ୟାଳୟ,

ଜ୍ୟୋତି ବିହାର- ୭୬୮୦୧୯,

 

***

 

ସମ୍ପାଦକୀୟ

ଜୟପୁର ମହାରାଜା ବିକ୍ରମଦେବ ବର୍ମା

-କିଛି ସ୍ମୃତି କିଛି ଚ୍ୟୁତି-

 

କଲେଜ ଛାଡ଼ିବା ଅବ୍ୟବହିତ ପୂର୍ବରୁ ସରକାରୀ ଚାକିରୀରେ ବାହେଲ ହୋଇଗଲି ସମ୍ବଲପୁରରେ–ସେ ୧୯୪୩ର କଥା । ଦୁଇବର୍ଷ ଶେଷ ନ ହେଉଣୁ ପ୍ରମୋସନ ପାଇଲି । କିନ୍ତୁ ଟ୍ରାନ୍‌ସଫର ସାଥିରେ-ଜୟପୁରକୁ । ସି.ସି.ଆର୍‌ରେ କୁଆଡ଼େ ମୋର ବସ୍‌ ରାୟ ସାହେବ ମହାଭାଗ ଲେଖିଦେଲେ–ଏଫିସିଆଣ୍ଟ୍‌ ବଟ୍‌ ହୋମ୍‌ ସିକ୍‌ । ଆତ୍ମଅଭିମାନରେ ଆଞ୍ଚ ଆସିଲା–ଏ ନିର୍ବାସନ ଦଣ୍ଡ ମତେ ମନେ ହେଲା କୁବେର ଅଭିଶାପରେ ଯକ୍ଷର । ସମ୍ବଲପୁରରୁ ରାୟପୁର-ପାର୍ବତୀ ପୁରମ୍‌-ବୋବିଲି୍-ସାଲୁର୍‌ ପୂର୍ବ ଘାଟ ପର୍ବତ ଶ୍ରେଣୀ । ନିଷାଦ ସେବିତ ମଧୁଗନ୍ଧୀ ବନଭୂମି ପଞ୍ଚବଟୀ ମହାକାନ୍ତାର । ଶୃଙ୍ଗୋପରି ଶୃଙ୍ଗଶୃଙ୍ଗ ତଦୁପରି । ନୀଳ ବ୍ୟୋମ ପଟେ ଚିତ୍ର ହେଲା ପରି-।। ସେଟା ବର୍ଷଣ ମୁଖର-ଜୁଲାଇର ଏକ ମଧ୍ୟାହ୍ନ ବୋଧ ହୁଏ । ଦେଖ ଦେଖ ଶଇଳ ନୀଳ ବିଗ୍ରହେ/ଧବଳ ଅଭ୍ରଖଣ୍ଡ କି ଶୋଭା ବହେ ।। ମନେ ହୁଅଇ ପ୍ରତେ ପଡ଼ିଛି ଟିକ ! କ୍ଷୀରୋଦ ଫେଣ ବିଷ୍ଣୁ ଅଙ୍ଗେ ଛଟିକି ।। ଏକ କ୍ଲାନ୍ତ ମନୋଭାବ ଉପରେ ପର୍ବତ ଶ୍ରେଣୀର ରିକ୍ତ ଭୀମ ଛାୟା ପ୍ରକ୍ଷେପ କରି ଜୟପୁରରେ ପହଞ୍ଚିଲି । ଗୋଧୂଳି ଆସନ୍ନପ୍ରାୟ । ବତ୍ସର ଅନ୍ତେ ହେବ ଶାପ ମୋଚନ-? ବତ୍ସର ଅନ୍ତେ ନା କେବେ ? ଅନ୍ୟ ବନ୍ଦୋବସ୍ତ ପର୍ଯ୍ୟନ୍ତ ମୁଁ ହେଲି ରାଜଅତିଥି ।

 

ସମସ୍ଥାନର ଏକ ଦ୍ୱିତଳ ପ୍ରାସାଦ ଉପରେ ଅଫିସ । ବିବିକ୍ତ ମନ । ହଠାତ୍‌ ତଳ ପ୍ରାସାଦର ଆବିଷ୍କାର କଲି ଚିତ୍ରାଗାର । ଶିଳ୍ପୀ ସୀମାଦ୍ରୀ ମହାରଣା । ଅଙ୍କନ କରୁଛନ୍ତି ଏକ ଦର୍ପଣ ଫଳକରେ ଏକକ ରେଖାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ପ୍ରତିକୃତି । ରେଖାଙ୍କନରେ କୋଣଭଙ୍ଗୀରେ ବର୍ଣ୍ଣାଳି ବିଭବ ଫୁଟିଉଠୁଛି । ଏକ ସୂଚୀ ମୁନର ଲକ୍ଷ୍ୟ ଚ୍ୟୁତି ହେଲେ ସମଗ୍ର ବିକୃତ ହୋଇଯିବ ! ଅନେକ ଷ୍ଟାଚ୍ୟୁ ଭିତରେ ମୁଁ ବି ଏକ ଷ୍ଟାଚ୍ୟୁ ପାଲଟି ଗଲି । ଅନେକ ପେଣ୍ଟିଂ ଟେରାକୋଟା ଖୋଦେଇ ଢଳାଇ । ଶିଳ୍ପୀ ମହାରଣା କଳାପ୍ରପନ୍ନ ମହାରାଜଙ୍କ ଅନୁବାଦରେ ମାଡ଼୍ରାସ୍‌ ଆର୍ଟ ସ୍କୁଲର ସ୍ନାତକୋତ୍ତର ଛାତ୍ର–ଅଧ୍ୟକ୍ଷ ମହାନ୍‌ ଶିଳ୍ପୀ ଦେବୀପ୍ରସାଦ ରାୟ ଚୌଧୁରୀଙ୍କଦ୍ୱାରା ଦତ୍ତ ଭୂୟସୀ ପ୍ରଂଶସାର ଏକ ପତ୍ର । ଅର୍ଦ୍ଧସ୍ଖଳିତ ବସନାକ୍ରମ ବକ୍ଷା କଳସୀ ଭାରରେ ସ୍ତୋକ ନମ୍ର ଏକ ପ୍ଲାଷ୍ଟର୍‌ ଅଫ୍‌ ପାରିସ୍‌ର ମୂର୍ତ୍ତି ଉପହାର ରୂପେ ଗ୍ରହଣ କରି ମୁଁ ସେଦିନ ଫେରି ଆସିଲି । ମହାରାଜଙ୍କ ଏକ ପ୍ରିୟ ମୂର୍ତ୍ତିର ଏଡ଼ୁପ୍ଲିକେଟ୍‌ । କଳାପ୍ରପନ୍ନତାର ବ୍ୟାଖ୍ୟା ମୋ ମନ ଭିତରେ ପ୍ରାଞ୍ଜଳ ହୋଇଗଲା ।

 

କୌଣସି ଏକ ଛୁଟି ଦିନର ଅଳସ ଅପରାହ୍‌ଣରେ ଏକ ସୁଦର୍ଶନ ଯୁବକ ବାସସ୍ଥାନରେ ଉପସ୍ଥିତ ହୋଇ ସେହି ସନ୍ଧ୍ୟାରେ ଏକ ସାହିତ୍ୟ ସଭାରେ ବକ୍ତା ହେବାପାଇଁ ନିମନ୍ତ୍ରଣ କରିଗଲେ । କଥାବାର୍ତ୍ତାରୁ ପରିଚୟ ପାଇଲି ସେ ହେଉଛନ୍ତି ଶ୍ରୀମାନ୍‌ ରାମନାଥ ପଣ୍ଡା । ‘ଦେଶିଆ ଟୋକୀ’ ନାମକ ଏକ କାବ୍ୟଗ୍ରନ୍ଥର କବି । ଏ ସଭାର ସଂପାଦକ । ଆସିଛନ୍ତି କଟକରୁ ଲକ୍ଷ୍ମୀନାରାୟଣ ସାହୁ (ଡକ୍‌ଟର, ପଦ୍ମଶ୍ରୀ), ସେ ସଭାରେ ସଭାପତିତ୍ୱ କରିବେ । ମାନନୀୟ ଲକ୍ଷ୍ମୀନାରାୟଣ ସାହୁଙ୍କ ସହ ଆଗରୁ ପରିଚୟ କରାଇ ଦେଇଥିଲେ ମୋର ସତୀର୍ଥ କୁଞ୍ଜବିହାରୀ ଦାଶ (ଡକ୍‌ଟର ପ୍ରଫେସର), ଇଦିଗା ପଡ଼ିଆସ୍ଥିତ ତାଙ୍କର ବାସଭବନରେ । ପରେ ତାଙ୍କ ପୌରାହିତ୍ୟରେ ସଚ୍ଚି ରାଉତରାୟ (ପଦ୍ମଶ୍ରୀ ଡକ୍‌ଟର)ଙ୍କଦ୍ୱାରା ଆମେରିକାନ୍‌ କବି ଓ୍ୱାଲ୍‌ଟ ହୁଇଟ୍‌ ମେନ୍‌ଙ୍କ ଜୟନ୍ତୀ ଉତ୍ସବରେ । ଓଡ଼ିଆ ସାହିତ୍ୟରେ ଛନ୍ଦହୀନ ଗଦ୍ୟଧର୍ମୀ କବିତାର ଜନକ ହେଉଛନ୍ତି ଲକ୍ଷ୍ମୀନାରାୟଣ ସାହୁ–ଛନ୍ଦ ସଂପର୍କରେ ଉଦାସୀନତାର କୈବଲ୍ୟରୁ । ସେ ସଭାରେ ଆଦିମାନବର ଯାଦୁ (Magic) ଏବଂ ଧର୍ମକୃତ୍ୟ (ritual)ରୁ କବିତାର ଜନ୍ମ ବିଷୟରେ ଯତ୍‌କିଞ୍ଚିତ୍‌ ଭାଷଣ ଦେଇଥିଲେ । ସ୍କୃତିରୁ କିୟଦଂଶ ନିମ୍ନରେ ଉଦ୍ଧାର କଲି :

 

କବିତା ଜନ୍ମଗ୍ରହଣ କରିଛି ପ୍ରାଗୈତିହାସିକ ଯୁଗର ଏକ ବିଶେଷ ସନ୍ଧିକ୍ଷଣରେ । ଆଦିମ ଅରଣ୍ୟଚାରୀ ମାନବ ସେତେବେଳେ ଯନ୍ତ୍ରୀ ହେବାକୁ ଆରମ୍ଭ କରିଛି ମାତ୍ର । ପ୍ରସ୍ତର ଯନ୍ତ୍ର ନେଇ ଅତିକାୟ ଜନ୍ତୁମାନଙ୍କର ସଙ୍ଗେ ଲଢ଼ାଇ କରି ଆତ୍ମରକ୍ଷା କରିବାକୁ ଶିକ୍ଷା କରିଛି । ଖାଦ୍ୟ ଉପଯୋଗୀ ପଶୁମାଂସ ସଂଗ୍ରହ କଷ୍ଟସାଧ୍ୟ ହେଲେ ମଧ୍ୟ ଆଉ ଅସମ୍ଭବ ନୁହେଁ । ଅନେକ କ୍ଷେତ୍ରରେ ଶିକାର ଓ କୃଷି ଏହି ଦୁଇ ଉପାୟଦ୍ୱାରା ସେ ଜୀବିକା ଅର୍ଜନ କରିଛି । ସଂପୂର୍ଣ୍ଣ ରୂପେ ପ୍ରକୃତିର ବଶ୍ୟତା ସ୍ୱୀକାର ନକରି ସେ ପ୍ରକୃତିକୁ ନିଜର ବଶ୍ୟତାରେ ଆଣିବାକୁ ପ୍ରଚେଷ୍ଟା କରିଛି । ଏହି ପକ୍ରିୟା ହେଉଛି ଯାଦୁକ୍ରିୟା । ନୃତ୍ୟ ଗୀତ ବା ଯାଦୁ ମନ୍ତ୍ରର ଉଚ୍ଚାରଣ, ଅଙ୍ଗଭଙ୍ଗୀ ଇତ୍ୟାଦି । ଜର୍ଜ୍‌ ଟମସନ୍‌ ତାଙ୍କ ମାର୍କିସିଜିମ୍‌ ଆଣ୍ଡ ପୋଏଟ୍ରି ପୁସ୍ତକରେ କହିଛନ୍ତି ଯେ–ବୃଷ୍ଟିର ପ୍ରୟୋଜନ ହେଲେ କୌଣସି ବିଶେଷ ନୃତ୍ୟ ଅନୁଷ୍ଠିତ ହେଉଥିଲା ଏବଂ ନର୍ତ୍ତକର ଦଳ ମେଘର ସମାବେଶ, ବଜ୍ରଧ୍ୱନି ଏବଂ ବୃଷ୍ଟିପାତର ଅନୁକରଣ କରୁଥିଲେ । ଏ ସମସ୍ତ ପ୍ରାୟ ପ୍ରତୀକଧର୍ମୀ ଥିଲା । ଏମାନେ ଯେଉଁ ଗୀତ ଗାନ କରୁଥିଲେ, ସେସବୁ ଅନେକ ବେଶି ଶ୍ରୁତିମଧୁର, କିନ୍ତୁ ସୁର ବ୍ୟତୀତ ଏସବୁ ମଧ୍ୟରେ ଯେଉଁ ଧ୍ୱନିମୟତା ଥିଲା ତାହା ହେଉଛି ଆଦିମ ମାନବର ଅସମ୍ବନ୍ଧ ବାକ୍ୟ ସମଷ୍ଟିର ଛନ୍ଦସ୍ପନ୍ଦ । ଛନ୍ଦସ୍ପନ୍ଦ କର୍ମଭାର ନିଯୁକ୍ତି ମାନବର ଶ୍ରମ ଲାଘବ କରିଥାଏ–ଯେମିତି ପାଲଙ୍କି ବାହକମାନଙ୍କ ସମବେତ ଗୀତ । ତେବେ ବଡ଼ କଥା ହେଉଛି ଏଥି ମଧ୍ୟରେ କବିତାର ବୀଜ ନିହିତ ଥିଲା ।

 

ଭାଷାର କ୍ରମବିକାଶ ତିନୋଟି ସ୍ତରଦ୍ୱାରା ଚିହ୍ନିତ । ଆଦିମ ଭାଷା ଅନୁକୃତି ମୂଳକ ଓ ଯାଦୁଶକ୍ତି ସଂପନ୍ନ । ଏଠାରେ ଶବ୍ଦ ଓ ବସ୍ତୁ ଅଭିନ୍ନ । କୌଣସି ବସ୍ତୁର ନାମ ଉଲ୍ଲେଖ ଓ ନାମର ପୁନରାବୃତ୍ତି ବସ୍ତୁ ଉପରେ ଗୋଟାଏ ରହସ୍ୟଜନକ ଇନ୍ଦ୍ରଜାଲ ବିସ୍ତାର କରେ । ଦ୍ୱିତୀୟ ସ୍ତରରେ ଭାଷା କବିତ୍ୱ ଗୁଣରେ ମଣ୍ଡିତ ହୁଏ । ଏତେବେଳେ ଅନୁକୃତି ମୂଳକ ନାମ ସବୁ ଉପରେ ଆଉ ଯାଦୁଶକ୍ତି ନଥାଏ । କିନ୍ତୁ ସେସବୁ ଉପମାତ୍ମକ ଓ ଆବେଗ ପ୍ରଧାନ ହୋଇଉଠେ । ଏହି କାରଣରୁ ଆଦିମ ଯାଦୁବାକ୍ୟ ଏବଂ ଏହି ନବୀନ କାବ୍ୟଭାଷା ମଧ୍ୟରେ ସଂପୂର୍ଣ୍ଣ ବିଚ୍ଛେଦ ସାଧନ ହୁଏ ନାହିଁ । ତୃତୀୟ ସ୍ତରରେ ଭାଷାରେ ଆବେଗର ସ୍ଥାନ ଅଧିକାର କରେ ସାଧାରଣ ପ୍ରତ୍ୟୟ ବା ବିମୂର୍ତ୍ତ ଭାବ-। ଏ ଭାଷା ଯୁକ୍ତିପ୍ରଧାନ, ପ୍ରାୟୋଗିକ, ବୈଜ୍ଞାନିକ ବିଷୟ ଆଲୋଚନାର ଉପଯୋଗୀ ।

 

ଯାଦୁ ଓ ଆଦିମ କବିତାର ସାଯୁଜ୍ୟ ସମ୍ବନ୍ଧରେ ଐତିହାସିକ ପ୍ରମାଣ ମିଳେ ପ୍ରାଚୀନ ଗ୍ରୀକ୍‌ ସାହିତ୍ୟରେ । ଗ୍ରୀକ୍‌ ନାଟକ ଅନୁଷ୍ଠିତ ହେବା ପୂର୍ବରୁ ମଦ୍ୟ ଦେବତା ତାୟନିସାସଙ୍କ ସନ୍ତୋଷ ବିଧାନ ନିମନ୍ତେ ଆନୁଷ୍ଠାନିକ ପୂଜା ହେଉଥିଲା । ଓଡ଼ିଶାର ପଶ୍ଚିମାଞ୍ଚଳରେ କରମସାନୀ ପୂଜାରେ ଠିକ୍‌ ସେହିପରି ପ୍ରଥା ଏବେବି ଦୃଷ୍ଟିଗୋଚର ହୁଏ । ତାହା ହୁଏତ ଠିକ୍‌ କବିତା କହିଲେ ଉଚିତ ହେବ ନାହିଁ । ତେବେ କବିତାର ଜନ୍ମରହସ୍ୟ ଅନାବୃତ ହେବା ପର୍ଯ୍ୟନ୍ତ ଏହାକୁ ଏକ ପ୍ରକଳ୍ପ (Hypothesis) ରୂପେ ଗ୍ରହଣ କରାଯାଇପାରେ ।

 

ବାସ୍ତବିକ କହିବାକୁ ଗଲେ କବିତା ସମଷ୍ଟିର ସାମଗ୍ରୀ ହୋଇପାରେ, କିନ୍ତୁ ତାହାର ସୃଜନ କ୍ଷେତ୍ର ବ୍ୟକ୍ତି ମାନସ । କୌଣସି କଳ୍ପନା ପ୍ରବଣ ଆଦିକବି ସମାଜ ନିଷ୍ଠତା ସଙ୍ଗେ ସଙ୍ଗେ ଆତ୍ମନିଷ୍ଠ ହୋଇ ସମଷ୍ଟିଗତ ଆବେଗକୁ ପ୍ରକାଶ କରିଛନ୍ତି । କବିତାର ଏ ପ୍ରଥମ ରୂପ ଅପୌରୂଷେୟ (Objective); ବ୍ୟକ୍ତିଗତ ଅନୂଭୂତି ଏ ସମୟରେ ଆତ୍ମନିଷ୍ଠ (Subjective) କବିତା ପାଇଁ ପ୍ରୟାସ କରିନାହିଁ । ଏ ସମ୍ବନ୍ଧରେ କ୍ରିଷ୍ଟୋଫାର୍‌ କଡ଼ଓୟେଲ୍‌ କହନ୍ତି :

 

‘‘These emotions, generated collectively, persist in solitude so that one man, alone, singing a song, still feels the emotions, stirred by collective images. He is already exibiting that paradox of art-man withdrawing from his fellows into the world of art, only to enter more closely to learn communication with humanity.’’

(Illusion and reality)

 

ଶ୍ରୀ ରାମନାଥ ପଣ୍ଡା ପ୍ରାୟ ପଚିଶବର୍ଷ ପରେ ସାହିତ୍ୟ ଏକାଡେମୀର ସଂପାଦକ ଥିଲାବେଳେ ଜଣାଇଥିଲେ ଯେ ତାହାହିଁ ଥିଲା ଜୟପୁରର ସର୍ବପ୍ରଥମ ସାହିତ୍ୟ ସଭା ।

 

ପରଦିନ ମାନନୀୟ ଲକ୍ଷ୍ମୀନାରାୟଣ ସାହୁଙ୍କ ସହ ମହାରାଜଙ୍କ ଦର୍ଶନ ପାଇଁ ଗଲି । ତାଙ୍କ ପାଠାଗାରରେ ଆମେ ଅପେକ୍ଷା କଲୁ, ରାଜା ଦେବୀ ପୂଜାରେ ନ୍ୟସ୍ତଥିଲେ । ଦେଖିଲି ଚାରିଆଡ଼େ ଅଗାଧ ପୁସ୍ତକ-ବହୁ ପତ୍ର ପତ୍ରିକା । ସେ ଇଂରାଜୀ, ସଂସ୍କୃତ, ପ୍ରାକୃତ ଓ ତେଲୁଗୁଭାଷାରେ ପଣ୍ଡିତ ଥିଲେ–ରଚନା ମଧ୍ୟ କରୁଥିଲେ । ଅଳ୍ପକ୍ଷଣ ମଧ୍ୟରେ ମହାରାଜ ରକ୍ତପାଟବସ୍ତ୍ର ପରିହିତ ରକ୍ତପାଟ ଉତ୍ତରୀୟ ମାତ୍ର ଗାତ୍ରରେ ପ୍ରବେଶ କଲେ । ଦୀପ୍ତ ଗୌରବର୍ଣ୍ଣ–ସୁବର୍ଣ୍ଣ କୁଣ୍ଡଳ ମସ୍ତକରେ ଶୁଭ କେଶରେ ଏକ ମୁଦ୍ରା । ମୋର ପରିଚୟ ପାଇ ମତେ ବିସ୍ମିତ କରି ବରଂ ହତବାକ୍‌ କରି କହିଲେ ଯେ ସେ ‘ନବୀନ’ରେ ‘ସହକାର’ ‘ନବଭାରତ’ରେ ମୋର ବହୁ ରଚନା ପଢ଼ିଛନ୍ତି । ବଲାଙ୍ଗୀରରୁ ପ୍ରକାଶିତ ‘ଚତୁରଙ୍ଗ’ର ଏକ ସଂଖ୍ୟା ସମ୍ମୁଖକୁ ଆଣି ‘ନୀଳଚନ୍ଦ୍ରର ଉପତ୍ୟକା’ କବିତା ବିଷୟ ଉଲ୍ଲେଖ କଲେ । ଅକାଳ ବଜ୍ରପାତ–ଏଇଟା ଯେ ଗଦ୍ୟକବିତା । ଫାଣ୍ଟାସି ଉପରେ ରଚିତ । ମହାରାଜା ବିକ୍ରମଦେବ ବର୍ମା ଅଳଂକାର ଶାସ୍ତ୍ରରେ ଧୁରୀଣ । ଏତିକି ମାତ୍ର ମନେ ଅଛି ଯେ ସେ କହିଲେ ଉପମା ଓ ରୂପକ ମାଧ୍ୟମରେ ଏ କବିତା ମଧ୍ୟରେ ସେ ଚମତ୍କାର ରୂପକଳ୍ପ ଦେଖିଛନ୍ତି ଏବଂ ଏହାର ଛନ୍ଦ ସ୍ପନ୍ଦ ସାବଲୀଳ । ଆଲୋଚନା ବେଳକୁ କୋଲ୍‌ ରିଜ୍‌ଙ୍କ ଆନ୍‌ସିଆଣ୍ଟ୍‌ ମାରିନର ଏବଂ କୀଟସ୍‌ଙ୍କଲା ବେଳେ ସାନ୍‌ସ୍‌ ମର୍ସି କଥା କହୁଥିଲେ । ମାନନୀୟ ସାହୁ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମୁଁ ଦାରୁଭୂତୋ ମୁରାରୀ ।

 

ପରିଶେଷରେ ଉପହାର ପାଇଲି ‘‘ମହାରାଜ ବିକ୍ରମଦେବ ବର୍ମା ଲେଖାଳୀ’’ । ସଂପାଦନା କରିଛନ୍ତି ଗୋପୀନାଥ ମହାନ୍ତି (ଡକ୍ଟର ପଦ୍ମଶ୍ରୀ) । ଶୁଣିଲି ଶ୍ରୀଯୁକ୍ତ ମହାନ୍ତି ଯେତେବେଳେ ‘ଗ୍ରନ୍ଥାବଳୀ’ ପ୍ରକାଶ ପାଇଁ ପ୍ରସ୍ତାବ ଆଣିଲେ, ମହାରାଜା ବିନୀତ ଭାବରେ ଜଣାଇ ଦେଲେ ତାଙ୍କର ଲେଖା ଗ୍ରନ୍ଥର ମର୍ଯ୍ୟାଦା ପାଇାବପାଇଁ ବା ‘ଆବଳୀ’ ପରି ବିଶେଷ୍ୟପଦର ଅଧିକାରୀ ହୋଇ ପାରେନା । ସେ ନାମକରଣ କରିଥିଲେ ‘ବିକ୍ରମ ଲେଖତତି’ । ଶ୍ରୀଯୁକ୍ତ ମହାନ୍ତି ବହୁଯତ୍ନ ଏବଂ ତର୍କଦ୍ୱାରା ‘‘ଲେଖାଳି’’ ପର୍ଯ୍ୟାୟକୁ ଆଣିଥିଲେ, ହଜାରେ ପ୍ରାୟ ପୃଷ୍ଠାର ବିରାଟ ଗ୍ରନ୍ଥ-କାବ୍ୟ କବିତା, ଗଳ୍ପ ଉପନ୍ୟାସ, ନାଟକ ପ୍ରହସନ ପ୍ରବନ୍ଧ କ’ଣ ନାହିଁ ! ପ୍ରତ୍ୟେକ ରଚନାରେ ଅତ୍ୟନ୍ତ ମନୋଯୋଗ ସହିତ ଶବ୍ଦ ପ୍ରକ୍ଷେପଣ ରଚନା ସମସ୍ତକୁ ପାଠକଙ୍କ ସ୍ପର୍ଶସୀମାର ବହୁ ଊର୍ଦ୍ଧ୍ୱକୁ ନେଇଯାଇଛି । ଏହା ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା ଏବଂ ଏ ମହାସୃଷ୍ଟି ପାଇଁ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନିତ ଡି.ଲିଟ୍‌. ଡିଗ୍ରୀଦ୍ୱାରା ଭୂଷିତ କରିଥିଲେ ।

 

୧୯୪୭ ରେ ମୁଁ ଜୟପୁର ପରିତ୍ୟାଗ କଲି । ଶ୍ରୀ ରାମନାଥ ପଣ୍ଡା ଇତିମଧ୍ୟରେ ବିକାଶ ପ୍ରତିଷ୍ଠାର ପ୍ରତିଷ୍ଠା କରି ‘ସାହିତ୍ୟ ସମାଚାର’ ପତ୍ରିକା ସାପ୍ତାହିକ ରୂପେ ପ୍ରକାଶ କଲେ । ଏହା ସଂପୂର୍ଣ୍ଣ ଅଭ୍ୟୁଦୟ ଓଡ଼ିଆଯୁବକ ଲେଖକ ସମ୍ମିଳନୀର ମୁଖପତ୍ରର ଭୂମିକା ପରେ ମ୍ଲାନ ଏବଂ ଲୀନ ହୋଇଗଲା । ଶ୍ରୀ ରାମନାଥ ପଣ୍ଡାଙ୍କ ‘ଦଇବ ଦଉଡ଼ି’ ଏକ ପ୍ରମୁଖ ଉପନ୍ୟାସ । ‘ବିକାଶ ପ୍ରତିଷ୍ଠାନ’ ମୋର ‘ନନ୍ଦାଦେବୀ’, ‘ଇଳାବୃତ୍ତ’ କବିତା ଗ୍ରନ୍ଥ ଦ୍ୱୟ ପ୍ରକାଶ କଲେ । ଏଥିପାଇଁ ପ୍ରଚେଷ୍ଟା କରିଥିଲେ ପ୍ରଖ୍ୟାତ ଔପନ୍ୟାସିକ ଶ୍ରୀ ରାଜକିଶୋର ପଟ୍ଟନାୟକ ଏବଂ ପ୍ରଖ୍ୟାତ ଔପନ୍ୟାସିକା ବସନ୍ତ କୁମାରୀ ଦେବୀ ।

 

୧୯୭୦ରେ ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ତିନିଦିନ ବ୍ୟାପୀ ସାହିତ୍ୟ ସଭା ଜୟପୁରରେ ଅନୁଷ୍ଠିତ ହୋଇଥିଲା । ସେତେବେଳେ ମୁଁ ଓଡ଼ିଶା ସାହିତ୍ୟ, ସଙ୍ଗୀତ ନାଟକ, ଲଳିତ କଳା ଏକାଡେମୀର ସଂପାଦକ ଥିଲି–ସଭାପତି ଥିଲେ ଡକ୍ଟର ହରେକୃଷ୍ଣ ମହାତାବ । ସେ ସମୟରେ ନ ଥିଲେ ମହାରାଜ ବିକ୍ରମଦେବ ବର୍ମା, ନା ମାନନୀୟ ଡକ୍ଟର ଲକ୍ଷ୍ମୀନାରାୟଣ ସାହୁ । ଜୟପୁରର ପ୍ରତୀକ କବି ଔପନ୍ୟାସିକ ରାମନାଥ ପଣ୍ଡା ରାଜନୀତି ମଞ୍ଚକୁ ଅବତରଣ କରିଯାଇଥିଲେ । ସେ ମଧ୍ୟ ଅନୁପସ୍ଥିତ ଥିଲେ । ଏ ସଭା ସବୁରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଡକ୍ଟର କାହ୍ନୁ ଚରଣ ମିଶ୍ର, ଅଧ୍ୟାପକ ବେଣୁଧର ରାଉତ ଏବଂ କବି ଉମାଶଙ୍କର ପଣ୍ଡା । ବହୁ ତରୁଣ ପ୍ରତିଭାଙ୍କ ଉପସ୍ଥିତିରେ ସଭାସ୍ଥଳ ଦୀପ୍ତ ହୋଇ ଉଠିଥିଲା । ଏହାରେ ପରେ ପରେ ଦଣ୍ଡକାରଣ୍ୟର ଅମରକୋଟଠାରେ ଓଡ଼ିଶା ସାହିତ୍ୟ ଏକାଡେମୀଙ୍କର ଆଉ ଏକ ସଭା ଅଧିଷ୍ଠିତ ହୋଇଥିଲା । ଆଜି କୋରାପୁଟ ଶିଳ୍ପକେନ୍ଦ୍ର ନେଇ ବଣିକ ସଭ୍ୟତାରେ ସମୃଦ୍ଧ ତରୁଣ ସାହିତ୍ୟକ ତଥା ତରୁଣ କବିଗଣର ଆଭାନ୍ୱିତ ଅଭ୍ୟୁଦୟ, ଅପର ଦିଗରେ ଅରଣ୍ୟ ଅନ୍ଧକାରରେ ପ୍ରସ୍ତର ଗୁମ୍ପା ମଧ୍ୟରେ ଆଦିମ କବିତା କ୍ରମଶଃ ବିଲୀୟମାନ । ‘‘ରୁଦ୍ର ! ତୁମରି ଦାରୁଣ ଦୀପ୍ତି ଆସୁଛି ଦୁଆର ବିଦାରି !!

ବିନୋଦଚନ୍ଦ୍ର ନାୟକ

***

 

ଆତ୍ମାର ଆତ୍ମୀୟ ଆଦିବାସୀ

ଶ୍ରୀମତୀ ମନୋରମା ମହାପାତ୍ର

 

ଉତ୍କଳୀୟ ସଂସ୍କୃତି ଜଗନ୍ନାଥ ସଂସ୍କୃତି, ଯାହା ଆର୍ଯ୍ୟ ସଂସ୍କୃତି ଓ ଆଦିଭାଷା ସଂସ୍କୃତିର ଏକ ମିଳିତ ସାଂସ୍କୃତିକ ସମନ୍ୱୟର ପରିପ୍ରକାଶ । ଶବର ସଂସ୍କୃତିରୁହିଁ ଜଗନ୍ନାଥ ସଂସ୍କୃତିର ଉଦ୍ଭବ-। ଆର୍ଯ୍ୟ ଓ ଅନାର୍ଯ୍ୟ-ଉଭୟ ସଂସ୍କୃତିର ମନୋଜ୍ଞ ସମ୍ମିଶ୍ରଣ ଆଣିବାରେ ସଫଳତା ଅର୍ଜନ କରି ପାରିଥିଲେ ଉତ୍କଳୀୟମାନେ । ବିଶ୍ୱାବସୁଙ୍କର ନୀଳମାଧବଙ୍କୁ ଶବର-ଦେବତାରୁ ଆଣି ଜାତୀୟ ଦେବତାରେ ରୂପାନ୍ତରିତ କରି ଜଗତର ନାଥ ଜଗନ୍ନାଥରେ ରୂପାନ୍ତରିତ କରିଥିଲେ । ସଂସ୍କୃତିପ୍ରେମୀ, ମାନବବାଦରେ ବିଶ୍ୱାସୀ ଉତ୍କଳୀୟମାନେ । ଶବର ପୂଜିତ ଜଗନ୍ନାଥ ଉଚ୍ଚବର୍ଣ୍ଣବ୍ୟକ୍ତିଙ୍କଦ୍ୱାରା ପୂଜିତ ହେଲେ ମଧ୍ୟ ଶବରର ଦେବତା ହୋଇ ନିଃସନ୍ଦେହରେ ଖ୍ୟାତିଲାଭ କଲେ । ଜଗନ୍ନାଥ ମନ୍ଦିରରେ ଶବର ଓ ବ୍ରାହ୍ମଣ ସମସେବକ ଭାବରେ ସମ୍ମାନିତ ।

 

ଡକ୍ଟର ମାୟାଧର ମାନସିଂହଙ୍କ ‘ଆଦିବାସୀ ଓ ଓଡ଼ିଆ ସଂସ୍କୃତି’ ନିବନ୍ଧରୁ ଜଣାଯାଏ ଯେ ଗଡ଼ଜାତରେ କୌଣସି ନୂତନ ରାଜା ରାଜଗାଦିରେ ଆସୀନ ହେବା ପୂର୍ବରୁ କେବଳ ବ୍ରାହ୍ମଣ ପୁରୋହିତ ମନ୍ତ୍ରରେ ସ୍ୱୀକୃତି ଲାଭ କରୁ ନଥିଲେ । ତଥାକଥିତ ଅନାର୍ଯ୍ୟ ବନବାସୀମାନଙ୍କର ଦଳପତିଙ୍କ ସମ୍ମତି ସର୍ବାଦୌ ଆବଶ୍ୟକ ହେଉଥିଲା । ଘୁମୁସର ଓ ଦଶପଲ୍ଲା ପ୍ରଭୃତି ରାଜ୍ୟରେ ସବୁଠାରୁ ଅନୁରକ୍ତ ପ୍ରଜା ଭାବରେ କନ୍ଧ ପ୍ରଜାମାନେ ହିଁ ଖ୍ୟାତି ଲାଭ କରିଥିଲେ । ସେମାନଙ୍କର ବୀରତ୍ୱ, ସାହସିକତା ଓ ଦେଶପ୍ରୀତିର ବହୁ ମହନୀୟ, ଅବିସ୍ମରଣୀୟ କାହାଣୀ ଲୋକମୁଖରେ ପ୍ରଚାରିତ । ରାଜାଙ୍କ ପାଇଁ ଅକାତରରେ ରକ୍ତଦାନ ଓ ଜୀବନଦାନ କରିବାରେ ସରଳ, ସତ୍ୟନିଷ୍ଠ କନ୍ଧ ପ୍ରଜାଙ୍କର ବିକଳ୍ପ ଆଉ କେହି ନାହାନ୍ତି । ଓଡ଼ିଶା ମୂଲକର ବଣରାଇଜର କନ୍ଧ କବି ଭୀମଭୋଇ ସମଗ୍ର ବିଶ୍ୱକୁ ଯେଉଁ ଅପୂର୍ବ ମାନବବାଦର ବାଣୀ ଶୁଣାଇଛନ୍ତି ତାହା ବିଶ୍ୱ ଇତିହାସରେ ଦୁର୍ଲଭ । ଜଗତକୁ ଉଦ୍ଧାର କରିବାପାଇଁ ଆତ୍ମସୁଖକୁ ବଳିଦାନ ନିମନ୍ତେ କବିର ଏ ବ୍ୟାକୁଳତା ବିଶ୍ୱର ଅନ୍ୟ କୌଣସି ସାହିତ୍ୟରେ ଦେଖିବାକୁ ମିଳେ ନାହିଁ । ଭୀମାଭୋଇଙ୍କ ରଚନାରେ ଋଦ୍ଧିମନ୍ତ ହୋଇଛି ଓଡ଼ିଆ ଭାଷା । ସାରଳାଦାସ ଶବର ଏକଲବ୍ୟ ମୁଖରେ ଯେଉଁ ବୈପ୍ଳବିକ ବାଣୀ ସାରଳା ମହାଭାରତରେ ଶୁଣାଇଛନ୍ତି, ତାହା ଭାରତର ଅନ୍ୟ କୌଣସି ଭାଷାର ମହାଭାରତରେ ଦେଖିବାକୁ ମିଳେ ନାହିଁ । ଉଚ୍ଚବର୍ଣ୍ଣର ରାଜା ଓ ସରଳ ଆଦିବାସୀଙ୍କ ମଧ୍ୟରେ ଭେଦଭାବ ପ୍ରଦର୍ଶନରେ ଏକଲବ୍ୟ ପ୍ରତିବାଦର ସ୍ୱର ଉତ୍ତୋଳନ କରିଛନ୍ତି । କିନ୍ତୁ ସତ୍ୟସନ୍ଧ ଏକଲବ୍ୟ ଗୁରୁଭକ୍ତିର ପରିଚୟ ପ୍ରଦାନ କରି ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଗୁରୁଙ୍କ ନିର୍ଦ୍ଦେଶରେ କାଟି ଗୁରୁ ଦକ୍ଷିଣା ରୂପେ ଅର୍ପଣ କରିଛନ୍ତି । ତାଙ୍କ ମୁଖରେ ସାରଳା ଦାସ କହିଛନ୍ତି–

 

‘ଗୁରୁ ଡରିଲ କି ମୁକୁ / ମୃକୁଇ କଳଙ୍କ କଲ, ଉଦ୍ଧରିଲି ଏହାଙ୍କୁ ।’

 

ପାଣ୍ଡବ ବୀର ଅର୍ଜ୍ଜୁନଙ୍କୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବାପାଇଁ ସେ ଧନୁବିଦ୍ୟାରେ ବିଶାରଦ ଏକଲବ୍ୟଙ୍କୁ ବୃଦ୍ଧାଙ୍ଗୁଳି ଦକ୍ଷିଣା ସ୍ୱରୂପ ମାଗିଥିଲେ । ଏଥିରୁ ଆଦିବାସୀମାନଙ୍କର ସରଳତା, ସତ୍ୟନିଷ୍ଠ, ନିର୍ଭୀକତା ଓ ଗୁରୁଭକ୍ତିର ଚରମ ପରିଚୟ ମିଳେ । ସାରଳାଦାସ, ବଳରାମ ଦାସଙ୍କଠାରୁ ଆରମ୍ଭ କରି ରାଧାନାଥ ରାୟ, ଗୋପୀନାଥ ମହାନ୍ତି, ଶ୍ରୀ ସୀତାକାନ୍ତ ମହାପାତ୍ର ଓ ଡଃ ପ୍ରତିଭା ରାୟଙ୍କ ପର୍ଯ୍ୟନ୍ତ ବନବାସୀଙ୍କର ସାମାଜିକ ଜୀବନ ଉପରେ ବହୁ ସଂବେଦନଶୀଳ ଓଡ଼ିଆ ସାହିତ୍ୟ କ୍ରମାଗତ ରଚିତ ହୋଇ ଆସିଛି । ଆଦିବାସୀ ସଂସ୍କୃତିକୁ ଓଡ଼ିଶା ଓ ଓଡ଼ିଆ ଭାଷା ଏକାନ୍ତ ଆପଣାର କରି ଆସିଛି । ଏ ଦିଗରେ ପ୍ରାତଃ ସ୍ମରଣୀୟ କଥାକାର ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କ ଅବଦାନ ସର୍ବୋତ୍କୃଷ୍ଟ । ଆଧୁନିକ ଭାରତୀୟ ଭାଷାରେ ଏଭଳି ଚମତ୍କାର ଆଦିବାସୀଙ୍କ ଜୀବନୀ ବର୍ଣ୍ଣନା ଅନ୍ୟତ୍ର ଦେଖାଯାଏ ନାହିଁ । ଆଦିବାସୀଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଅଧିକରୁ ଅଧିକ ଗବେଷଣା ହେଉଥିବା ସାଂସ୍କୃତିକ ସମନ୍ୱୟ ଓ ବିକାଶର ସ୍ମାରକ ।

 

ଖ୍ରୀ: ପୂ: ତୃତୀୟ ଶତାବ୍ଦୀର ଅଶୋକଙ୍କ କଳିଙ୍ଗ ଅନୁଶାସନରେ ଅଟବୀକ ବା ବନବାସୀ ଉପଜାତିମାନଙ୍କୁ ଲକ୍ଷ୍ୟ କରି କେତେକ ସ୍ୱତନ୍ତ୍ର ଉପଦେଶ ଦିଆଯାଇଛି । ଅଶୋକଙ୍କ ଅନୁଶାସନରେ ସୂଚିତ ଯେ ତାଙ୍କ ସମୟରେ ଓଡ଼ିଶାର ଆଦିବାସୀମାନେ ଜନ୍ମମାଟିର ସମ୍ମାନପାଇଁ ଗରିଲା ଯୁଦ୍ଧ ଚଳାଇଥିଲେ । ଆର୍ଯ୍ୟ, ଅନାର୍ଯ୍ୟ ବା ପୁରୋବାସୀ ଓ ବନବାସୀଙ୍କ ମଧ୍ୟରେ କିଭଳି ଅପୂର୍ବ ସାଂସ୍କୃତିକ ସମନ୍ୱୟ ଓ ଐକ୍ୟ ଥିଲା ତାହାର ଅଜସ୍ର ପ୍ରମାଣ ଇତିହାସରେ ରହିଛି । ତଥାପି ସ୍ୱାଧୀନତା ପରେ ଆଦିବାସୀମାନଙ୍କର ସମସ୍ୟାର ନିରାକରଣ ପାଇଁ ଉଦ୍ୟମ ଅବ୍ୟାହତ ରହିଛି ।

 

ଅରଣ୍ୟାନୀ ପରିଶୋଭିତ କୋରାପୁଟ ଜିଲ୍ଲାର ଯଶୋବନ୍ତପୁର ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା, ହିମଗିରି, କେନ୍ଦୁଝର ଜିଲ୍ଲାର ତେଲକୋଇ ଗୋନାସିକା, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ, ଫୁଲବାଣୀର ଦାରିଙ୍ଗିବାଡ଼ି, ବେଲଘର, କଳାହାଣ୍ଡିର ରାମପୁର, ମଦନପୁର ଅଞ୍ଚଳରେ ଆଦିବାସୀଙ୍କର ସରଳ, ନିରାଡ଼ମ୍ବର ଜୀବନଯାପନ ପ୍ରଣାଳୀ ବହୁ ଗବେଷକଙ୍କୁ ତଥ୍ୟ ଯୋଗାଇଛି-। ଓଡ଼ିଶା ଜାତୀୟ ସଂହତିର ପ୍ରବର୍ତ୍ତକ ଓ ପ୍ରଚାରକ ଭାବରେ ସୁବିଦିତ । ଏ ମାଟିର କନ୍ଧ, ଭୂୟାଁ, ଜୁଆଙ୍ଗ ଓ ସାନ୍ତାଳମାନେ ଆପଣାର ରାଜ୍ୟ ପାଇଁ ଯେଭଳି ଅକାତରରେ ଜୀବନ ଦେଇଛନ୍ତି, ସେହିଭଳି ଆଦିବାସୀ ନୃତ୍ୟ ସଙ୍ଗୀତରେ ସାମ୍ୟ, ମୈତ୍ରୀ ଓ ପ୍ରେମର ଧାରାକୁ ପ୍ରବାହିତ କରିଛନ୍ତି । ଓଡ଼ିଶାର ସୁପ୍ରସିଦ୍ଧ, ବୀର ରସାତ୍ମକ ଛଉନୃତ୍ୟ ଓ ଅପୂର୍ବ ଆଦିବାସୀ ନୃତ୍ୟ ଏହାର ନିଦର୍ଶନ । ଆଦିବାସୀ ସଂସ୍କୃତି ଓ ପ୍ରକୃତି ଏକାତ୍ମୀଭୂତ ହୋଇ ସାହିତ୍ୟ, ସଙ୍ଗୀତ, ଓ ନୃତ୍ୟକୁ ଯେଉଁ ଉତ୍କଳୀୟ ମୌଳିକ ସୌନ୍ଦର୍ଯ୍ୟ ଦାନ କରିଛି ତାହା ବାସ୍ତବରେ ଅପୂର୍ବ । ବ୍ରାହ୍ମଣ ଶବର ମିଶି ଯେଉଁ ଦେଶରେ ଦାରୁବ୍ରହ୍ମକୁ ସମୁଦ୍ରରୁ ଆଣିଥିଲେ, ଆଜି ସେହି ଦେଶରେ ସାହିତ୍ୟିକ ଓ କଳାସାଧକମାନେ ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆହୁରି ଉନ୍ନତ କରିବାପାଇଁ ସାଂସ୍କୃତିକ ଆଦାନ-ପ୍ରଦାନ ମଧ୍ୟରେ ଭେଦଭାବର ପ୍ରାଚୀରକୁ ଭାଙ୍ଗିଦିଅନ୍ତୁ । ଆଦିବାସୀ ସଙ୍ଗୀତର ମାଧୁର୍ଯ୍ୟ, ଅପୂର୍ବ ଲାଳିତ୍ୟ, ଲାଞ୍ଜିଆ ସଉରା ଭାଷାର ଆଦିବାସୀ ସଙ୍ଗୀତ, ଆଦିବାସୀ ସାନ୍ତାଳ ଭାଷାର ଲୋକଗୀତ ଓଡ଼ିଆ ଭାଷାରେ ଅନୂଦିତ ହୋଇ ଆମ ଭାଷା ସାହିତ୍ୟକୁ ନୂଆ ରୂପ ଦେଉ । ଆଦିବାସୀମାନେ ଆମର ଏକାନ୍ତ ଆପଣାର । ଶାଳବଣ ଘେରା ଆଦିବାସୀ ଗ୍ରାମରେ ସେହି ବିଶ୍ୱାସ ଓ ଆତ୍ମୀୟତାର ସଙ୍ଗୀତ ଝଂକୃତ ହେଉ, ଆମଠାରୁ ସେମାନେ ଭିନ୍ନ ନୁହନ୍ତି–ଏହି ଭାବନା ସରଳ, ନିଷ୍କପଟ, ଦେଶପ୍ରେମୀ ଆଦିବାସୀଙ୍କ ମନରେ ରୋପଣ କରିପାରିଲେ ପ୍ରାକୃତିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ପରିବେଶ ପ୍ରଦୂଷଣମୁକ୍ତ ହେବ ଓ ଅରଣ୍ୟାନୀ ପରିବେଷ୍ଟିତ ଭାରତୀୟ ସଂସ୍କୃତିର ପୀଠସ୍ଥଳୀ ହେବ ଉତ୍କଳ । ଆମ ସଂସ୍କୃତିର ମୂଳଦୁଆ ବହୁ ଅତୀତରେ ସେହି ଆଦିବାସୀ ସଭ୍ୟତା ଥିଲା ଏବଂ କଳିଙ୍ଗ ନାମ ପଛରେ ‘କୁଇ’ ବା କନ୍ଧ ସଭ୍ୟତାର ପ୍ରଚ୍ଛନ୍ନ ପ୍ରଭାବ ଯେ ରହିଥିଲା ତାହାର ବହୁ ପ୍ରମାଣ ରହିଛି । ଓଡ଼ିଶାର ଜଗନ୍ନାଥ ସଂସ୍କୃତି ମୂଳରେ ଯେ ଶବର ସଂସ୍କୃତି ରହିଛି, ଏହା ଶବରମାନଙ୍କର ବୃକ୍ଷ ଓ ଦାରୁପୂଜା ପ୍ରଥାରୁ ହିଁ ଅନୁମେୟ । ସାରଳା ମହାଭାରତରେ ମଧ୍ୟ ଦାରୁମୂର୍ତ୍ତି ବିଷୟ ବର୍ଣ୍ଣନା କଲାବେଳେ ଶବରୀ ଚନ୍ଦନ ବନ ଭିତରେ ବିଦ୍ୟାପତିଙ୍କୁ ଅନ୍ଧପୁଟୁଳି ବାନ୍ଧିଦେଇ ଦାରୁବ୍ରହ୍ମଙ୍କୁ ଦେଖାଇଥିଲେ । ବିଦ୍ୟାପତି ଫେରିଆସି ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଲେ- ‘ଦାରୁବ୍ରହ୍ମ ମୂରତି ମୁଁ ଦେଖିଲି ବୋଲିବ, ଯବନିକ ବନେ ଏବେ ଚାଲନ୍ତୁ ହେ ଦେବ । ଶବରଙ୍କ ଇଷ୍ଟଦେବତା ଜଗନ୍ନାଥ ସାମ୍ୟ, ମୈତ୍ରୀ ଓ ସଂହତିର ପ୍ରତୀକ, ସର୍ବୋପରି ସେ ପତିତପାବନ ଏବଂ ମାନବବାଦର ନିଦର୍ଶନ । ସେହି ଆଦିବାସୀ ସଂସ୍କୃତି ଓ ଆଧୁନିକ ଉତ୍କଳୀୟ ସଂସ୍କୃତିର ଯଥାର୍ଥ ସମନ୍ୱୟ ହିଁ ଉତ୍କଳୀୟ ସଂସ୍କୃତିକୁ ପୂର୍ଣ୍ଣତା ଆଡ଼କୁ ଟାଣିନେଇ ପାରିବ । ଜୟପୁରର ଏହି ସାହିତ୍ୟୋତ୍ସବ ଆଦିବାସୀ ଜୀବନଧାରା ଓ ମାନବିକତା ସହିତ ଏକାତ୍ମୀଭୂତ କରୁ, ନିବିଡ଼ ମୈତ୍ରୀ ଓ ସଂହତିର ଯୋଗସୂତ୍ର ସ୍ଥାପନ କରୁ ପାଶ୍ଚାତ୍ୟ ସଭ୍ୟତାରେ ପ୍ରଭାବିତ ଶିକ୍ଷିତ ଗୋଷ୍ଠୀଙ୍କୁ ।

 

 

ସଭାପତି

ଓଡ଼ିଶା ସାହିତ୍ୟ ଏକାଡେମୀ

 

***